Unknown

 

 

 

 

 

 

 

 

 

 

ବିନ୍ଦୁରେ ସିନ୍ଧୁର ସ୍ୱାଦ

ଶରତ ବେହେରା

 

ସବୁକଥା ନିଜ ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏନା । ସନ୍ଦେହ ହୁଏ ।

 

ସୁରମା ନିଜ ଆଖିରେ ଦେଖିଛନ୍ତି...... । ଛି...ଛି... !

 

ସୁରମାଙ୍କ ସମସ୍ତ ଶରୀରର ରକ୍ତ ପ୍ରବାହ ବେଗବତୀ ହେବାକୁ ଲାଗିଲା । କ୍ରୋଧାଗ୍ନିରେ ସମସ୍ତ ଶରୀର ପ୍ରଜ୍ଜ୍ୱଳିତ ହେବାକୁ ଲାଗିଲା । ଇଚ୍ଛା ହେଲା ଯାଇ ନଳିନୀ ଦେବୀଙ୍କୁ ଖଟରୁ ଓଟାରି ଆଣି ଦୁଇ ଗାଲରେ କସିକରି ଦୁଇ ଚାପୁଡ଼ା ମାରି ପଚାରିବା ପାଇଁ, ଏଇଥିପାଇଁ ଘରଦ୍ୱାର ଛାଡ଼ି ଚାଲି ଆସିଛ ଶ୍ରୀକ୍ଷେତ୍ରକୁ ମୁକ୍ତି ପାଇବା ପାଇଁ ? ଏହି ତୁମର ମୁକ୍ତିର ପଥ, ଏହି ତୁମର ସତୀତ୍ୱର ବ୍ରତ !

 

କିନ୍ତୁ ଅତ୍ୟଧିକ ଚିନ୍ତା ଅଙ୍ଗକୁ ଶିଥିଳ କରିଦିଏ କର୍ମହୀନତାର କାରଣ ହୁଏ ।

 

ରାଗିକରି ସୁରମା ଜଳିପୋଡ଼ି ଜଡ଼ ପାଲଟିଗଲେ ।

 

ଧୀର ପଦକ୍ଷେପରେ ନିଜ କୋଠରୀକୁ ଆସି ଚିତ୍‍ ହୋଇ ଗଡ଼ି ପଡ଼ିଲେ ଖଟ ଉପରେ । ସେ ଆଉ କିଛି ଭାବି ପାରୁନାହାନ୍ତି ତାଙ୍କର ଚିନ୍ତାଶକ୍ତି ଯେପରି ଲୋପ ପାଇଯାଇଛି ।

 

କିଛି ସମୟ ଶୋଇ ରହିଲେ । ତା’ପରେ ପୁଣି ଉଠିଯାଇ ବାରଣ୍ଡାରେ ଠିଆ ହେଲେ ।

 

ଚାରିଆଡ଼କୁ ଥରେ ଆଖି ବୁଲେଇ ଆଣିଲେ । ଯନ୍ତ୍ରଚାଳିତ ପରି ଆସ୍ତେ ଆସ୍ତେ ପାଦ ଚିପି ଚିପି ଯାଇ ସରୋଜର କୋଠରୀର ଝରକା ପାଖରେ ଠିଆ ହେଲେ ।

 

ଚିତ୍‍ ହୋଇ ଶୋଇ ରହିଛି ସରୋଜ ।

 

କ୍ଷୁଧାର୍ତ୍ତ ବାଘୁଣୀ ପରି ନଳିନୀ ଦେବୀ ଆକ୍ରମଣ କରି ଚାଲିଛନ୍ତି । ନଖ ଆଉ ଦନ୍ତର ଦଂଶନ । ଶରୀରର ସମସ୍ତ ଆବରଣ କେତେବେଳୁ ଯାଇ ତଳେ ପଡ଼ିଲାଣି ଜଣାନାହିଁ । ଅବସର ନାହିଁ ଜାଣିବା ପାଇଁ । ଥରେ ଥରେ ସରୋଜ ଚେଷ୍ଟା କରୁଛି ପ୍ରତି ଆକ୍ରମଣ ପାଇଁ । ପାରୁନାହିଁ । ପରାସ୍ତ ହୋଇ ଚିତ୍‍ ହୋଇ ପଡ଼ି ରହୁଛି ।

 

ଶେଷରେ ସମସ୍ତ ଶକ୍ତି ଠୁଳ କରି ସରୋଜ ଆକ୍ରମଣ କଲା ।

 

କିଛି ସମୟ ପରେ ଦୁହେଁ ଚିତ୍‍ ହୋଇ ଶୋଇ ରହିଲେ । ଖାଲି ଘନ ନିଶ୍ୱାସ ଓ ପ୍ରଶ୍ୱାସ ରାତିର ନିରବତାକୁ ଭଙ୍ଗ କରୁଥାଏ ।

 

ଚଳଚିତ୍ରର ଛବି ଦେଖିଲା ପରି ସୁରମା ଅନାଇ ରହିଥିଲେ । ରୋମାଞ୍ଚକର ଦୃଶ୍ୟ ଦେଖିଲାବେଳେ ଦର୍ଶକ ଯେପରି ଲୀନ ହୋଇଯାଏ ଦୃଶ୍ୟ ସହିତ, ଆଉ ଦୃଶ୍ୟଟି ଶେଷ ହୋଇଗଲେ ଯେପରି ହଠାତ୍‍ ସଚେତନ ହୋଇପଡ଼େ, ସୁରମା ସଚେତନ ହୋଇ ପଡ଼ିଲେ । କେତେବେଳୁ ସେ ଯେ ଝରକାର ରେଲିଂକୁ ଧରି ଠିଆ ହୋଇଛନ୍ତି ମନେ ନାହିଁ ।

 

ଚଟ୍‍କିନା ରେଲିଂରୁ ହାତକୁ ଛଡ଼େଇ ଆଣି କେଇ ପାହୁଣ୍ଡ ପଛକୁ ଫେରି ଆସିଲେ ।

 

ଭାଗ୍ୟକୁ ଦୁଇଜଣଯାକ ଝରକା ଆଡ଼େ ପଛ କରି ରହିଥିଲେ ।

 

ତା’ପରେ ସିଧା ଫେରି ଆସିଲେ ନିଜ କୋଠରୀକୁ ।

 

ଖଟରେ ଶୋଇ ଶୋଇ ସୁରମା ଭାବିବାକୁ ଲାଗିଲେ ବିଗତ କେତୋଟି ମୁହୂର୍ତ୍ତର ଘଟଣା । କେଇ ମୁହୂର୍ତ୍ତ ଆଗରୁ ନିଜ ଆଖିରେ ସେ ଯାହା ଦେଖିଛନ୍ତି ତାକୁ ସେ ନିଜେ ବିଶ୍ୱାସ କରି ପାରୁନାହାନ୍ତି । ଯଦି କଥାଟି ସେ ଅନ୍ୟ କାହା ପାଖରୁ ଶୁଣିଥାଆନ୍ତେ, ଅନ୍ୟ କାହାର ଆଖିରେ ଦେଖିଥାଆନ୍ତେ, ସେ ଭିନ୍ନ କଥା । କିନ୍ତୁ ଏହା ସେ ନିଜ ଆଖିରେ ଦେଖିଛନ୍ତି, ଥରେ ନୁହେଁ, ଦୁଇ ଦୁଇ ଥର । ତଥାପି ବିଶ୍ୱାସ କରି ହେଉନାହିଁ । ସେ ନିଜେ ନିଜକୁ ପ୍ରଶ୍ନ କଲେ, ନିଜେ ଦେଖି ଯଦି ବିଶ୍ୱାସ କରିପାରୁନାହାନ୍ତି, ଅନ୍ୟ କାହାକୁ ସେ କହିଲେ ବିଶ୍ୱାସ କରିବ କେମିତି ? ଏତେ ଅବିଶ୍ୱାସ୍ୟ ଏ ଘଟଣା ।

 

ଜାତି, ଧର୍ମ, ଗୋତ୍ର କିଛି ଜଣା ନଥିବା ସେହି ଶିଶୁଟି ପ୍ରତି ନଳିନୀ ଦେବୀ ଯେପରି ଅନ୍ତରର ସମସ୍ତ ସ୍ନେହ ମମତା ଢାଳିଦେଲେ, ଯେ ଶୁଣିଲା, ଯେ ଦେଖିଲା ଅବାକ୍‍ ହେଲା । କେତେ ପ୍ରଶଂସା କଲେ, ଆଉ କେତେ ସମାଲୋଚନା କଲେ । ସୁରମା ସେତେବେଳେ ନୂଆ କରି ବିବାହ ହୋଇ ଆସିଥାଆନ୍ତି ।

 

କିନ୍ତୁ ନଳିନୀ ଦେବୀ କାହାରି କଥାକୁ କାନ ଦେଇନାହାନ୍ତି । କାହାରି ପ୍ରଶଂସା କିମ୍ୱା ସମାଲୋଚନା ପ୍ରତି ଭ୍ରୂକ୍ଷେପ ନ କରି ଶିଶୁଟିର ଲାଳନପାଳନରେ ମାତି ଯାଇଛନ୍ତି ।

 

ବରଂ ସମାଲୋଚନା ଶୁଣି ସେ ଶିଶୁଟିର ଯତ୍ନ ଆହୁରି ବେଶୀ ନେଇଛନ୍ତି । ଶିଶୁଟିକୁ ମୁହୂର୍ତ୍ତେ ଛାଡ଼ିବା ପାଇଁ ସେ ନାରାଜ । ତା’ର ଖାଇବା, ପିଇବା, ଗାଧୋଇବା ସବୁ କିଛି ନିଜ ହାତରେ କରିବାକୁ ଲାଗିଲେ ।

 

କେହି ଯଦି ଯାଇ ତାଙ୍କର ଦୃଷ୍ଟି ଆକର୍ଷଣ କରେ କାହାରି ସମାଲୋଚନାର, ନଳିନୀ ଦେବୀ ହସିଦେଇ କହନ୍ତି, ଏତେ ସୁନ୍ଦର ପିଲାଟା ପାଇଁ ସେମାନଙ୍କର ଇର୍ଷା ହେଉଛି । ସେଇଥିପାଇଁ ପରା ପିଲାଟାକୁ ଘରୁ ବାହାରକୁ ଛାଡ଼ୁନାହିଁ । କେତେବେଳେ କେଉଁକଥା, ପିଲାଟା ଉପରେ ଦୃଷ୍ଟି ପଡ଼ିଯାଇପାରେ ।

 

ସୁରମା ଏ ସମସ୍ତ ନିଜ ଆଖିରେ ଦେଖିଛନ୍ତି, ନିଜ କାନରେ ଶୁଣିଛନ୍ତି ।

 

ଯଦିଓ ସୁରମା, ନଳିନୀ ଦେବୀଙ୍କୁ ଖୋଲାଖୋଲି ସମାଲୋଚନା କରିନାହାନ୍ତି କିମ୍ୱା ନିଜକୁ ସମାଲୋଚକଙ୍କ ଦଳରେ ସାମିଲ କରି ନାହାନ୍ତି, ତଥାପି ତାଙ୍କର ରକ୍ଷଣଶୀଳ ମନ ଅନ୍ତତଃ ଏହାକୁ ପୂରାପୂରି ସମର୍ଥନ କରିପାରିନାହିଁ ।

 

ଜାତି, ଧର୍ମ, ଗୋତ୍ର କିଛି ଜଣା ନଥିବା ଗୋଟାଏ ଶିଶୁକୁ ଆଶ୍ରା ଦେବା ଏକ କଥା, କିନ୍ତୁ ତାକୁ ନିଜର କରି ପାଳନ କରିବା ଅନ୍ୟ କଥା ।

 

କିନ୍ତୁ ସେହି ନଳିନୀ ଦେବୀ ଆଜି....ସୁରମାଙ୍କ ମୁଣ୍ଡ ପୁଣି ଗୋଳମାଳିଆ ହୋଇଗଲା । ସେ ଆଉ କିଛି ଭାବି ପାରିଲେ ନାହିଁ । ସବୁ ଗୋଳମାଳିଆ ।

 

ତାଙ୍କର ଗୋଳମାଳିଆ ମନକୁ ଆହୁରି ଗୋଳମାଳ କରିଦେଲା ପୂର୍ବଦିଗସ୍ଥ ଝରକା ଦେଇ ଭାସି ଆସୁଥିବା ଜ୍ୟୋତ୍ସ୍ନାର ଜୁଆର ଆଉ ସମୁଦ୍ରର ଗର୍ଜନ ।

 

ଉଠିଯାଇ ଧଡ଼ାସ୍‍ କରି ବନ୍ଦ କରିଦେଲେ ଝରକାଟାକୁ ।

 

ନିବିଡ଼ ଅନ୍ଧକାର—ଜ୍ୟୋତ୍ସ୍ନାର ଜୁଆର ନାହିଁ, ସମୁଦ୍ରର ଗର୍ଜନ ନାହିଁ, ବେଳେବେଳେ ଆଲୋକ ଅପେକ୍ଷା ଏହି ଅନ୍ଧକାରକୁ ମଣିଷ ବେଶୀ କାମନା କରେ ।

 

ଜ୍ୟୋତ୍ସ୍ନାର ଜୁଆର ଆଉ ସମୁଦ୍ରର ଗର୍ଜନ ସିନା ବନ୍ଦ ହୋଇଗଲା । କିନ୍ତୁ ଅନ୍ତର ଭିତରେ ଯେଉଁ ଚିନ୍ତାର ଢେଉ, ଯେଉଁ ଦ୍ୱନ୍ଦର ଢେଉ ତାହା ତାଙ୍କୁ ଛପଟ କରିବାକୁ ଲାଗିଲା । ସେ ଯେପରି ଅଣନିଶ୍ୱାସି ହୋଇଯାଉଛନ୍ତି; କିଏ ଆସି ଯେପରି ତାଙ୍କର ତୋଟି ଚିପି ଧରୁଛି ।

 

ସେହି ନିବିଡ଼ ଅନ୍ଧକାର କୋଠରୀ ଭିତରେ ସୁରମା ଛଟପଟ ହେବାକୁ ଲାଗିଲେ । ଏହିପରି କିଛି ସମୟ ବିତିଗଲା । ସୁରମା ପୁଣି ଉଠିଲେ ଏବଂ ଯାଇ ବାରଣ୍ଡାରେ ଠିଆହେଲେ ।

 

ବାହାରେ ଜ୍ୟୋତ୍ସ୍ନାର ଧାରାଶ୍ରାବଣ ।

 

ସରୋଜର କୋଠରୀର ଆଲୋକ ଲିଭିଗଲାଣି । ନଳିନୀ ଦେବୀଙ୍କ କୋଠରୀର ଆଲୋକରଶ୍ମି ଅଧା ଖୋଲା ଝରକା ଦେଇ ଆସି ବିଚ୍ଛୁରିତ ହୋଇ ପଡ଼ିଥିବା ଜ୍ୟୋତ୍ସ୍ନା ଦେହରେ ଲୀନ ହୋଇଯାଇଛି ।

 

ପାଦ ଚିପି ଚିପି ଯାଇ ସୁରମା ନଳିନୀ ଦେବୀଙ୍କ ଝରକା ପାଖରେ ଠିଆ ହେଲେ ।

 

କିନ୍ତୁ ଏ କଣ ! ଏଣେ ଦେଖୁଛନ୍ତି ସୁରମା । ଧୂପ ଦୀପ ଜାଳି ନଳିନୀ ଦେବୀ ଧ୍ୟାନମଗ୍ନା-। ତାଙ୍କର ଧ୍ୟାନମଗ୍ନ ମୁହଁରେ ଏକ ଆଭା ଉଦ୍ଭାସିତ ହେଉଛି—ସତୀତ୍ୱର ଆଭା, ପବିତ୍ରତାର ଆଭା-!

 

ସୁରମା ଝରକା ପାଖରୁ ମୁହଁକୁ ଫେରାଇ ଆଣିଲେ । ମନେହେଲା ଯଦି ଆଉ କିଛିକ୍ଷଣ ପାଇଁ ରହନ୍ତି ସେହି ନଳିନୀଦେବୀଙ୍କ ମୁଖନିସୃତ ପ୍ରଜ୍ୱଳିତ ଆଭାରେ ସେ ଜଳିଯିବେ, ପୋଡ଼ିଯିବେ-। ଛାତି ତାଙ୍କର ଧଡ଼ ଧଡ଼ କଲା ।

 

ସୁରମାଙ୍କ ମୁଣ୍ଡ ପୁଣି ଗୋଳମାଳ ହୋଇଗଲା । ସେ ଭାବିବାକୁ ଲାଗିଲେ ରତିକ୍ଲାନ୍ତା ରମଣୀର ମଳିନ ମୁଖରେ ଏଭଳି ଆଭା ସମ୍ଭବ ହେଲା କିପରି ? ତା’ ହେଲେ କଣ ତାଙ୍କର ଦେଖିବାରେ ଭୁଲ ହୋଇଗଲା ? ସତୀ ସୀତାପରି ତପସ୍ୱିନୀର ପବିତ୍ର ଅଙ୍ଗରେ କଳଙ୍କର ଅଞ୍ଜନ ବୋଳି ଦେଉଥିଲେ ?

 

ଅନୁତାପର ଅଗ୍ନିଶିଖାରେ ସୁରମାଙ୍କ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ପୋଡ଼ିଜଳି ଯିବାକୁ ଲାଗିଲା ।

 

ଅତ୍ୟଧିକ ମାନସିକ ଉତ୍ତେଜନା ଫଳରେ ବଡ଼ କ୍ଲାନ୍ତ ବୋଧକଲେ । ମନେହେଲା ତାଙ୍କର ପାଦ ଦୁଇଟି ଦେହର ଭାରା ବୋହି ପାରୁନାହିଁ ଆଉ । ପାଦ ଘୋଷାରି ଘୋଷାରି ଯାଇ ପୁଣି ସେଇ ଅନ୍ଧକାର କୋଠରୀ ଭିତରେ ପଡ଼ିଥିବା ଖଟ ଉପରେ ଗଡ଼ି ପଡ଼ିଲେ ।

 

କ୍ଳାନ୍ତି ହେତୁ କିଛିକ୍ଷଣ ପାଇଁ ସେ କିଛି ଚିନ୍ତା କରି ପାରିଲେ ନାହିଁ । ତା’ପରେ ପୁଣି ସେହି ପ୍ରଶ୍ନ ତାଙ୍କ ମନ ମଧ୍ୟରେ ବସା ବାନ୍ଧିବାକୁ ଲାଗିଲା । ସେ ନିଜ ଆଖିରେ ଯାହା ଦେଖିଛନ୍ତି କ’ଣ ସବୁ ମିଛ ??

 

ଅସମ୍ଭବ, ଅସମ୍ଭବ ! ନିଜେ ନିଜକୁ କହିବାକୁ ଲାଗିଲେ । ସେ ନିଜ ଆଖିରେ ଦେଖିଛନ୍ତି, ସମ୍ପୂର୍ଣ୍ଣ ପ୍ରକୃତିସ୍ଥ ଅବସ୍ଥାରେ ଦେଖିଛନ୍ତି ।

 

ସୁରମାଙ୍କ ଅନୁତପ୍ତ ଅନ୍ତରରେ ପୁଣି ବିଦ୍ରୋହର ନିଆଁ ଜଳି ଉଠିଲା ।

 

ପରପୁରୁଷ ସହିତ ରମଣ କରି ଭଗବାନଙ୍କ ପାଖରେ ଶରଣ ନିଆ ହେଉଛି । ହୁଃ, ସବୁ ଭଣ୍ଡାମି, ସବୁ ଭଣ୍ଡାମି ।

 

ଭାବି ଭାବି ସୁରମା ଶେଷକୁ ସ୍ଥିର କଲେ ଯେ ସକାଳୁ ଉଠି ସେ ନଳିନୀ ଦେବୀଙ୍କୁ ସବୁ ଖୋଲାଖୋଲି ପଚାରିବେ । ସେହି କଳଙ୍କିନୀ ସହିତ, ସେହି ବିରାଡ଼ିବୈଷ୍ଣବୀ ସହିତ ଆଉ ଗୋଟାଏ ଦିନ ବି ରହିବା ସମ୍ଭବ ନୁହେଁ । ତା’ର ଛାୟାସ୍ପର୍ଶ ସୁଦ୍ଧା ମହାପାପ ।

 

ସେ ନିଜର ରହିବାଟା ଅନ୍ୟ କେଉଁଠି ବ୍ୟବସ୍ଥା କରିବେ କିମ୍ୱା ଘରକୁ ଫେରିଯିବେ । କିନ୍ତୁ ସେହି କଳଙ୍କିନୀ ସହିତ ଗୋଟିଏ ମୁହୂର୍ତ୍ତ ବି ରହିବେ ନାହିଁ । ରହିବା ଅସମ୍ଭବ ।

 

ଏକ ସମାଧାନରେ ପହଞ୍ଚି ସୁରମା ଟିକିଏ ଶାନ୍ତ ଅନୁଭବ କଲେ । ନଳିନୀଦେବୀଙ୍କ କୋଠରୀରୁ ଭାସି ଆସୁଥିବା ଧୂପର ସୁରଭି ଆଘ୍ରାଣ କଲେ ।

 

ଉଠିଯାଇ ଝରକାଟା ଖୋଲି ଦେଲେ ।

 

ଝରକା ଖୋଲିବା ମାତ୍ରେ ଭାସି ଆସିଲା ଜ୍ୟୋତ୍ସାର ଜୁଆର ଆଉ ସମୁଦ୍ରର ଗର୍ଜନ ଆଉ ତା’ ସାଙ୍ଗରେ ଝାଉଁ ବଣର ଶିକାର ।

 

ସୁରମାଙ୍କ ଅବଶ ଅଙ୍ଗ, କ୍ଲାନ୍ତ ମନ ଝାଉଁଳି ପଡ଼ିଲା । ଗଭୀର ନିଦରେ ସେ ଶୋଇ ପଡ଼ିଲେ ।

 

ସବୁଦିନ ପରି ନଳିନୀଦେବୀ ରାତି ସାଢ଼େ ଚାରିଟାରୁ ଆସି ସୁରମାଙ୍କୁ ଉଠେଇ ଦେଲେ ଏବଂ ନିଜେ ଗାଧୁଆ ଘରକୁ ପଶିଲେ ।

 

ଉଠିବା ମାତ୍ରେ ସୁରମାଙ୍କ ମନେ ପଡ଼ିଗଲା ଗତ ରାତିର ଘଟଣା । ମନେ ହେଲା ଯେପରି ସେ ସ୍ୱପ୍ନ ଦେଖି ଦେଖି ଶୋଇପଡ଼ିଥିଲେ । ଗତ ରାତିର ସେ ଉତ୍ତେଜନା ଆଉ ନାହିଁ । ଘଟଣାଟି ପ୍ରତି ଯେପରି ଏକ ନିର୍ଲିପ୍ତ ଭାବ ।

 

ଉଠି ଗୋଧୋଇ ପାଧୋଇ ବାହାରିଲେ ମନ୍ଦିରକୁ ଦେବଦର୍ଶନପାଇଁ । ଫୁଲ ଚନ୍ଦନ ଧରି ସୁରମା ଆଗରେ ଆଗରେ ଯାଉଥାଆନ୍ତି, ଆଉ ନଳିନୀଦେବୀ ପଛେ ପଛେ ।

 

ଗତ ରାତିର ଉତ୍ତେଜନା ସଂପୂର୍ଣ୍ଣହ୍ରାସ ପାଇଥିଲେ ମଧ୍ୟ କିପରି ଏକ ଅଡ଼ୁଆ ଅଡ଼ୁଆ ଭାବ ରହିଯାଇଛି ମନ ମଧ୍ୟରେ । ଯେଉଁଠି ନିହାତି ନହେଲେ ନ ଚଳେ ସେଇଠି ମୁହଁ ଖୋଲୁଛନ୍ତି । ନିଜର ଏଭଳି ମୌନତାରେ ନିଜେ ବି ଆଶ୍ଚର୍ଯ୍ୟ ହେଉଛନ୍ତି । କିନ୍ତୁ ମନଖୋଲି କଥା କହି ପାରୁନାହାନ୍ତି ।

 

କ’ଣ ଭାବି ହଠାତ୍‍ ସୁରମା ପ୍ରଶ୍ନ କଲେ, କାଲି ରାତିରେ ଅନେକ ବେଳଯାଏ ଶୋଇ ନ ତ ଅପା ?

 

କହିସାରି ଫେରି ଚାହିଁଲେ ନଳିନୀ ଦେବୀଙ୍କ ମୁହଁର ଭାବ ଲକ୍ଷ୍ୟ କରିବା ପାଇଁ । କିନ୍ତୁ ନଳିନୀ ଦେବୀଙ୍କ ମୁହଁର ଭାବ ଟିକିଏ ହେଲେ ବି ପରିବର୍ତ୍ତନ ହେଲାନାହିଁ । ଚିରପ୍ରଶାନ୍ତ ମୁହଁରେ ଟିକିଏ ବି ମଳିନତାର ଛାୟା ପଡ଼ିଲା ନାହଁ । ଶାନ୍ତ, କୋମଳ କଣ୍ଠରେ କହିଲେ, ହଁ, ଅନେକ ରାତି ପର୍ଯ୍ୟନ୍ତ ନିଦ ହେଲାନାହିଁ । ବସି ବସି ବାଳଗୋପାଳର ଆରାଧନା କଲି ।

 

ସୁରମା ଭୟଭୀତ ହୋଇଗଲେ । ପୁଣି ଚାଲିବାକୁ ଲାଗିଲେ ।

 

କିଛି ଦୂର ଗଲା ପରେ, ତାଙ୍କର ଏପରି ମୌନ ଗମ୍ଭୀର ଭାବ ଦେଖି କାଳେ ନଳିନୀ ଦେବୀ । ତାଙ୍କ ମନର ଭାବକୁ ଲକ୍ଷ୍ୟ କରିନେବେ ଭାରି ସୁରମା କଥା କହିବାକୁ ଆରମ୍ଭ କରିଦେଲେ । ଅସରନ୍ତି କଥା । ନଳିନୀଦେବୀଙ୍କୁ ଖାଲି ହଁ କିମ୍ୱା ନାହିଁ ଛଡ଼ା ଆଉ କିଛି କହିବାକୁ ଦେଲେନାହିଁ ।

 

ମନ୍ଦିରରେ ପହଞ୍ଚିଲା ବେଳକୁ ସିନ୍ଦୁରା ଫାଟିଲାଣି । ସମସ୍ତ ମନ୍ଦିର ଦେଖାଯାଉଛି ଗୈରିକ ବସନ ପରିହିତ ପରି ।

 

ମନ୍ଦିରରେ ଦେଖା ହୋଇଗଲା ସରଜୁ ଦେବୀଙ୍କ ସହିତ । ସରଜୁ ଦେବୀ ନଳିନୀ ଦେବୀଙ୍କର ଦୂରସମ୍ପର୍କୀୟା ମାଉସୀ ହେବେ । ସେ ହେଉଛନ୍ତି ନଳିନୀ ଦେବୀଙ୍କ ମାଁଙ୍କ ମାଉସୀଙ୍କ ଝିଅ । ସେ କିଛିଦିନ ହେଲା ସ୍ୱାମୀଙ୍କ ସହିତ ଆସି ପୂରୀରେ ରହୁଛନ୍ତି । ସ୍ୱାମୀ ଚାକିରୀ କଲାବେଳେ ବଦଳି ହୋଇ ଆସି ପୁରୀରେ ପାଞ୍ଚ ଛଅ ବର୍ଷ ଥିଲେ । ସେତେବେଳେ ଘରଖଣ୍ଡେ କରି ପକେଇଥିଲେ । ଏବେ ପେନସନ ନେଲାପରେ ଆସି ସେହି ଘରେ ରହୁଛନ୍ତି ।

 

ଫେରିଲା ବେଳକୁ ସରଜୁ ଦେବୀ ଜବରଦସ୍ତି ଘରକୁ ଟାଣି ନେଇଗଲେ ।

 

ଘରକୁ ଫେରୁ ଫେରୁ ଡେରି ହୋଇଗଲା ।

 

ବାଟରେ ନଳିନୀ ଦେବୀ କହିଲେ, ବୁଝିଲୁ ସୁରମା, ଏହି ସରଜୁ ମାଉସୀ କେତେ କଥା ନ ଶୁଣାଇଛନ୍ତି । ଏପରିକି ସରୋଜକୁ ଘରୁ ନ ତଡ଼ିଲେ ମୋ ହାତରୁ ପାଣି ଛୁଇଁବେ ନାହିଁ ବୋଲି କହିଥିଲେ । କିନ୍ତୁ ମଉସା ଭାରି ଭଲ ମଣିଷ । ମାଉସୀଙ୍କୁ କହିଲେ, ବୁଝିଲ ତମେ ନଳିନୀ ହାତରୁ ପାଣି ନ ଛୁଇଁଲେ ନାହିଁ, ମୁଁ କିନ୍ତୁ ପାରିବି ନାହିଁ । ବହୁତ ବୁଝେଇଲେ ଶେଷକୁ ମାଉସୀ ମୋ ପାଖକୁ ଆସି ଆଖିରୁ ଲୁହ ଗଡ଼େଇ କହିଲେ, କିଛି ମନେକରିବୁ ନାହିଁ ନଳିନୀ, ମଣିଷ ମନ, ରାଗିକରି କେତେବେଳେ କଣ କହି ଦେଇଛି ଭୁଲିଯିବୁ । ମୁଁ ତୋର ମା’ ଭଳି, କିଛି ମନେ କରିବୁ ନାହିଁ ।

 

ତା ପରେ ଯେବେ ଯେଉଁଠି ଦେଖିଲେ ଖାଲି ପଚାରୁଛନ୍ତି, ସରୋଜ ନାଁ’ରେ ସବୁ ଲେଖିଦେଲୁ କି ନାହିଁ ? ସମ୍ପତ୍ତି ପାଇଁ କେତେ କିସମର ଗୋଳମାଳ । କେଉଁ ସାତ ପୁରୁଷର କିଏ ଥିବ ଆସି ସମ୍ପତ୍ତି ପାଇଁ ଦାବି କରିବ । ନିଜେ ଜୀଇଁଥିବା ଭିତରେ ସବୁ ଲେଖା ଲେଖି କରିଦେବାଟା ଭଲ ।

 

ସୁରମା ଚୁପ୍‍ କରି ଶୁଣୁଥାଆନ୍ତି ।

 

ନଳିନୀ ଦେବୀ ପୁଣି କହି ଚାଲିଲେ, ମୁଁ ବି ସେଇଆ ଭାବୁଛି ସୁରମା, ମୋର ବଞ୍ଚିଥିବା ଭିତରେ ସବୁ କରିଯିବି । ମଣିଷ ଜୀବନ ଆଜି ଅଛି ତ କାଲିକି ନାହିଁ ।

 

ସୁରମାଙ୍କୁ ପ୍ରଶ୍ନ କଲେ, ତୋର କଣ ମତ ସୁରମା ?

 

ନଳିନୀ ଦେବୀଙ୍କ କଥା ଶୁଣି ଶୁଣି ସୁରମା ବିରକ୍ତ ହେଉଥିଲେ ସୁଦ୍ଧା, ଅତି ଆଗ୍ରହ ଥିଲାପରି ଅଭିନୟ କରି କହିଲେ, ହଁ ମ ଅପା, ନିଜେ ବଞ୍ଚିଥିବା ଭିତରେ ସବୁ କରିଯାଅ । ସମ୍ପତ୍ତିପାଇଁ ସବୁରି ଲୋଭ । ନିଜେ ଆଗରୁ ସବୁ କରି ଦେଇଥାଅ, ଆଉ କିଛି ଚିନ୍ତା ନ ଥିବ । ଶାନ୍ତିରେ ଆଖି ବୁଜିବ ।

 

ଘର ବାଟକୁ ପହଞ୍ଚିଯାଇଥିଲେ । ନଳିନୀ ଦେବୀ ଆଉ କିଛି ନ କହି ଘର ଭିରତକୁ ପଶିଗଲେ ।

 

ସରୋଜ ଗାଧୋଇ ପାଧୋଇ ବାରଣ୍ଡାର ଗୋଟିଏ ଖଟରେ ବସିଥିଲା । ପୂଜା ସାମଗ୍ରୀ ରଖିବା ପାଇଁ ନଳିନୀ ଦେବୀ ତାଙ୍କ କୋଠରୀକୁ ଗଲେ ।

 

ସୁରମା ଅନେଇ ରହିଲେ ସରୋଜକୁ । ଯେପରି ସେ କେବେ ଆଗରୁ ଦେଖି ନାହାନ୍ତି । ପ୍ରଥମଥର ପାଇଁ ଦେଖୁଛନ୍ତି ।

 

ପ୍ରଥମଥର ପାଇଁ ସେ ଆବିଷ୍କାର କଲେ ଯେ ସରୋଜ ଆଉ କିଶୋର ନୁହେଁ, ଯୌବନର କାଉଁରୀ ପରଶ ଲାଗିଲାଣି । ଖୋଲା ଦେହରେ ଖାଲି ହାଫପେଣ୍ଟ ଖଣ୍ଡେ ପିନ୍ଧି ସେ ବସିଥିଲା । ତାର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗରେ ବଳିଷ୍ଠ ମାଂସପେଶୀ ଗୁଡ଼ିକ ଫୁଟି ଉଠୁଥିଲା । ସୁରମାଙ୍କ ମନେହେଲା ଯେପରି ପୃଥିବୀର ସମସ୍ତ ପୌରୁଷ ଆସି ଜମା ହୋଇଛି ସରୋଜର ଦେହରେ ।

 

ନଳିନୀ ଦେବୀ ଆସି ସରୋଜର ମୁଣ୍ଡରେ ଫୁଲ ଦେଇ କପାଳରେ ଚନ୍ଦନ ଟିପଟାଏ ଦେଲେ । ତା’ପରେ ଖଟରେ ବସିପଡ଼ି ସରୋଜକୁ କୋଳକୁ ଟାଣି ନେଇ ତାର ଚିବୁକରେ ସରୁ ଚୁମ୍ୱନଟାଏ ଦେଲେ ।

 

ସୁରମାଙ୍କ ସମସ୍ତ ଶରୀରରେ ଶିହରଣ ଖେଳିଗଲା । ସେ ଆଉ ଠିଆ ହୋଇ ରହି ପାରିଲେ ନାହିଁ ।

 

ସୁରମା ଖାଇ ପିଇ ସାରି ଖଟରେ ଶୋଇ ଶୋଇ ନାନା କଥା ଭାବିବାକୁ ଲାଗିଲେ । କେତେ କଥା ତାଙ୍କର ମନେପଡ଼ିବାକୁ ଲାଗିଲା ।

 

ତାଙ୍କ ଘର ଆଉ ନଳିନୀ ଦେବୀଙ୍କ ଘର ଲଗାଲଗି । ମଝିରେ ବ୍ୟବଧାନ ଖାଲି ପାଚେରୀଟିଏ । ସେମାନଙ୍କର କୌଣସି ରକ୍ତର ସମ୍ପର୍କ ନ ଥିଲେ ବି ପଡ଼ୋଶୀ ହିସାବରେ ରକ୍ତର ସମ୍ପର୍କରୁ ବଳି କରି ।

 

ସୁରମା ଯେତେବେଳେ ବିଭା ହୋଇ ଆସିଲେ ନଳିନୀ ଦେବୀ ସେତେବେଳକୁ ବିଧବା ହୋଇ ସାରିଥିଲେ । ବିବାହର କିଛିଦିନ ମଧ୍ୟରେ ସୁରମା ନଳିନୀ ଦେବୀଙ୍କ ସବୁ କାହାଣୀ ଶୁଣିଲେ-

 

ନଳିନୀ ଦେବୀଙ୍କ ବିବାହ ଚାରି ବର୍ଷ ପୂରିନାହିଁ, ସ୍ୱାମୀ ଶୁଭେନ୍ଦୁଙ୍କ ମୃତ୍ୟୁ ହେଲା । କାହିଁ କିଛି ନାହିଁ । ହଠାତ୍‍ ଦିନେ ଜ୍ୱର ହେଲା । ଦୁଇଦିନ ଖଟରେ ପଡ଼ିଲେ, ତା ପରେ ସବୁ ଶେଷ । ଡାକ୍ତରମାନେ କହିଲେ ସେରିବ୍ରେଲ ମେଲେରିଆ ।

 

ଶୁଭେନ୍ଦୁଙ୍କ ପିତା କମଳ ଲୋଚନ ଏକମାତ୍ର ସନ୍ତାନର ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେ । ଶୁଭେନ୍ଦୁ ବଂଶର ଏକମାତ୍ର କୁଳଦୀପକ, ସମସ୍ତ ଆଶା ଭରସା ସେ । ଏକେ ରକ୍ତଚାପ ରୋଗରେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହୋଇଥିଲେ, ପୁଣି ଏପରି ଏକ ଧକ୍‍କା, ସମ୍ଭାଳି ପାରିଲେ ନାହିଁ । ଶଯ୍ୟାଶାୟୀ ହେଲେ ସେ ।

 

କିନ୍ତୁ ନଳିନୀ ଦେବୀ ଅସୀମ ଧୈର୍ଯ୍ୟ ପ୍ରଦର୍ଶନ କଲେ । ଶାଶୁ ଅନେକ ଦିନରୁ ମରି ସାରିଥିଲେ, ଶ୍ୱଶୁର ଶଯ୍ୟାଶାୟୀ, ଅସୀମ ଧୈର୍ଯ୍ୟର ସହିତ ସ୍ୱାମୀଙ୍କ ଅନ୍ତେଷ୍ଠିକ୍ରିୟା ସମାପନ କଲେ-

 

ଜାମାତାର ମୃତ୍ୟୁ ସମ୍ୱାଦ ପାଇ ନଳିନୀ ଦେବୀଙ୍କ ବାପା ଓ ମା’ ଆସି ସଙ୍ଗେ ସଙ୍ଗେ ପହଞ୍ଚିଲେ ।

 

ଅନ୍ତେଷ୍ଠିକ୍ରିୟା ଶେଷ ହେଲା ।

 

କମଳଲୋଚନ ବାବୁଙ୍କ ଅନୁରୋଧ କ୍ରମେ ନଳିନୀ ଦେବୀଙ୍କ ବାପା ମା, ବିମଳଲୋଚନ ଓ ବାସନ୍ତୀ ଦେବୀ ଆଉ କିଛିଦିନ ରହିଯିବା ପାଇଁ ସ୍ଥିର କଲେ ।

 

କମଳଲୋଚନ ବାବୁ ବିମଳ ବାବୁଙ୍କୁ ଡାକି କହିଲେ, ଦେଖ ବିମଳ, ଶୁଭେନ୍ଦୁର ମୃତ୍ୟୁ ଚଡ଼କ ମୁଁ ସହ୍ୟ କରି ପାରିଲି ନାହିଁ । କିନ୍ତୁ ନଳିନୀ ଯେପରି ଧୈର୍ଯ୍ୟର ସହିତ ସବୁ କାମ ଚଳେଇ ନେଲା, ମୁଁ ତା ପାଖରେ ଚିର ଋଣୀ । ଆଜି ମୁଁ ଭାବୁଛି ମୋର ପୁଅକୁ ସିନା ହରେଇଛି, କିନ୍ତୁ ମୋର ଭାଗ୍ୟକୁ ଯେଉଁ ବୋହୁଟି ପାଇଛି ସେଇ ମୋର ପୁଅ, ବୋହୁ, ଝିଅ ସବୁକିଛି । କିନ୍ତୁ ବିମଳ, କର୍ତ୍ତବ୍ୟର ଚାପରେ ସିନା ସେ ସବୁ କଲା, ସ୍ୱାମୀର ମୃତ୍ୟୁରେ ସୁଦ୍ଧା ତାର ଆଖିର ଲୁହ ଝରିଲା ନାହିଁ । ସବୁ କାମ ଶେଷ ହୋଇଗଲା ପରେ ତାର ଦୁଃଖର ନଦୀ ସୀମାହୀନ ହୋଇଯାଉଛି । କାଲି ସବୁ କାମ ସରିଗଲା ପରଠୁ ସେ ଯେଉଁ କୋଠରୀ ଭିତରକୁ ପଶିଛି ଆଉ ବାହାରି ନାହିଁ । ମୁଁ ଖଟରେ ସିନା ପଡ଼ିଛି, ମୁଁ ସବୁ ଖବର ରଖୁଛି । ସେ ଖାଲି ଗଡ଼ି ଗଡ଼ି କାନ୍ଦୁଛି । ତୁମେ ତ ସମସ୍ତେ ଦେଖୁଛ । ମୁଁ ସମସ୍ତଙ୍କୁ ମନା କରି ଦେଇଛି ତା’ର କାନ୍ଦିବାରେ ବାଧା ଦେବାପାଇଁ । ତାର କାନ୍ଦିବାରେ ଯେପରି କେହି ବାଧା ନ ଦିଅନ୍ତି ସେଥିପାଇଁ ସମସ୍ତଙ୍କୁ ସାବଧାନ କରି ଦେଇଛି । କାରଣ ତାର ଅବରୁଦ୍ଧ ବେଦନା ଭାସିଯାଉ ଲୁହର ବନ୍ୟା ହୋଇ । ସେହି ଲୁହର ବନ୍ୟାରେ ସବୁ ଭାସିଗଲା ପରେ, ଅନ୍ତତଃ ସେ ବଞ୍ଚି ରହିବା ପାଇଁ ଦମ୍ଭ ଧରି ପାରିବ । ତେଣୁ ଭାଇ ବିମଳ, ମୁଁ ଖଟରେ ପଡ଼ି ରହିଲି, ଅନ୍ତତଃ ନଳିନୀ ଦମ୍ଭ ଧରିବା ପର୍ଯ୍ୟନ୍ତ, ତାର ଲୁହର ବନ୍ୟା ଟିକିଏ ଥମିବା ପର୍ଯ୍ୟନ୍ତ ତୁମେ ଦି’ଜଣ ଦୁଇ ଚାରିଦିନ ରହିଯାଅ ।

 

କମଳ ଲୋଚନ ଆଉ ବିମଳ ବାବୁ ବାଲ୍ୟ ବନ୍ଧୁ ।

 

ବିମଳ ବାବୁ କହିଲେ, ତୋର ସେ ସବୁ କଥା ଚିନ୍ତା କରିବାର କିଛି ନାହିଁ କମଳ, ଦିନେ ଦୁଇଦିନ କାହିଁକି, ମାସେ ରହିଲେ ବି କିଛି ଅସୁବିଧା ନାହିଁ ।

 

ଆଖିରୁ ଲୁହ ପୋଛି କମଳଲୋଚନ କହିଲେ, ହଁ ବିମଳ ସମୁଧୁଣୀଙ୍କୁ କହି ଆଉ ଦିନ କେଇଟା ରହିଯାଅ ।

 

ଶ୍ରାଦ୍ଧ କାମ ସରିବା ପରଠୁ ଦୁଇଦିନ କାଳ ନଳିନୀ ଦେବୀ କୋଠରୀ ଭିତରେ ପଡ଼ି ରହିଲେ । ଖିଆ ନାହିଁ, ପିଆ ନାହିଁ, ଆଖିରୁ ଖାଲି ଅନବରତ ଲୁହ ଧାର ବହୁଛି ।

 

ବହୁ କଷ୍ଟରେ ଦୁଇଦିନ କାଳ ଲାଗି ଲାଗି ବାସନ୍ତୀ ଦେବୀ ଝିଅ ମୁହଁରେ ଦୁଧ ଗ୍ଲାସଟିଏ ଦେଲେ । ସ୍ୱାମୀଙ୍କ ମୃତ୍ୟୁରେ ମର୍ମାହତ ହୋଇ ନଳିନୀ ଦେବୀଙ୍କ ମୁହଁରୁ କଥା ବାହାରୁ ନଥାଏ । ପୂରାପୂରି ମୂକ । ଯେ ଯାହା କହିଲେ ବି କିଛି ଜବାବ ନାହିଁ । ଆଖିରୁ ଖାଲି ଲୁହଧାର ବହୁଛି ।

 

ତାଙ୍କର ଏପରି ମୂକ ହୋଇ ରହିବା ଦେଖି ସମସ୍ତେ ଡରିଗଲେ । ବାପା, ମା’ ପାଖ ପଡ଼ୋଶୀ ସମସ୍ତେ ମିଶି ଚେଷ୍ଟାକରି ମଧ୍ୟ ବିଫଳ ହେଲେ । ନଳିନୀ ଦେବୀଙ୍କ ମୁହଁରୁ ପଦଟିଏ କଥା ବି ବାହାରିଲା ନାହିଁ ।

 

ବୋହୁର ଏପରି ଅବସ୍ଥା ଦେଖି କମଳଲୋଚନ ଆହୁରି ଭାଙ୍ଗି ପଡ଼ିଲେ । ତାଙ୍କର ଅବସ୍ଥାର ମଧ୍ୟ ଅବନତି ଘଟିବାର ଆଶାଙ୍କା ଦେଖାଗଲା ।

 

ସମସ୍ତ ପ୍ରକାର ଚେଷ୍ଟା ବ୍ୟର୍ଥ ହେଲା ପରେ ବିମଳ ବାବୁ ଯାଇ କମଳଲୋଚନ ବାବୁଙ୍କୁ କହିଲେ, ଦେଖ କମଳ, ଆମର ସମସ୍ତ ପ୍ରକାର ଚେଷ୍ଟା ବ୍ୟର୍ଥ ହେଲାଣି । ତୁ ହେଲେ ଥରେ ଚେଷ୍ଟା କରି ଦେଖ୍‍ ।

 

ତୁମେ ଜନ୍ମକଲା ବାପା ମା ଯଦି ପାରିଲ ନାହିଁ, ମୁଁ ତ ଧର୍ମବାପ, ମୁଁ କଣ ଅଧିକ କିଛି କରିପାରିବି ? ବ୍ୟର୍ଥ କଣ୍ଠରେ କହିଲେ, ମୁଁ ଯାହା ଆଶଙ୍କା କରୁଥିଲି ତାହା ଶେଷକୁ ହେଲା ।

 

ଅତ୍ୟନ୍ତ ବ୍ୟଗ୍ର ହୋଇ ବିକଳ କଣ୍ଠରେ କହିଲେ, ଭାବିବାର ଆଉ ସମୟ ନାହିଁ କମଳ, ତୁ ଥରେ ଚେଷ୍ଟା କର ।

 

ଖଟରେ ବସିବା ପାଇଁ ଚେଷ୍ଟା କଲେ କମଳଲୋଚନ, କିନ୍ତୁ ପାରିଲେ ନାହିଁ । ଶୋଇରହି କହିଲେ, ବିମଳ, ନଳିନୀପାଇଁ ତୁ ଯେତିକି ବ୍ୟାକୁଳ, ମୁଁ ମଧ୍ୟ ସେତିକି ବ୍ୟାକୁଳ । ସେ’ତ ଖାଲି ତୋର ଝିଅ, କିନ୍ତୁ ବର୍ତ୍ତମାନ ସେ ମୋର ଝିଅ, ପୁଅ ସବୁ; ମୋର ଏକମାତ୍ର ଆଶାଭରସା । କଣ୍ଠସ୍ୱର ତାଙ୍କର ଆର୍ଦ୍ର ହେବାକୁ ଲାଗିଲା । କିନ୍ତୁ ବିମଳ, ମୁଁ ଯେ ଅଥର୍ବ ହୋଇଯାଇଛି, ବସିବାପାଇଁ ବି ମୋର ଶକ୍ତି ନାହିଁ । ମୁଁ ତା ପାଖକୁ ଯାଇ ପାରିଲେ ସିନା କିଛି କରି ପାରିବି । ମୁଁ ତ ବିମଳ...... କଣ୍ଠ ବାଷ୍ପାରୁଦ୍ଧ ହୋଇଗଲା, ଆଉ କିଛି କହି ପାରିଲେ ନାହିଁ ।

 

ମୁଁ ତାକୁ ଏଇ ବର୍ତ୍ତମାନ ନେଇ ଆସୁଛି, ତୁ ତାକୁ କିଛି କହିଲେ ସେ ନିଶ୍ଚୟ ଉତ୍ତର ଦେବ; ସେ ନିଶ୍ଚୟ ଉତ୍ତର ଦେବ । ନ ହେଲେ କମଳ ନ ହେଲେ.....ସେ ଆଉ ବଞ୍ଚିବ ନାହିଁ । ମୁଁ ତାକୁ ବର୍ତ୍ତମାନ ତୋ ପାଖକୁ ନେଇ ଆସୁଛି, ସେ ନିଶ୍ଚୟ କଥା କହିବ ।

 

କହି କହି ବିମଳବାବୁ କୋଠାରୀରୁ ବାହାରି ଗଲେ । କମଳ ଲୋଚନ ବିମଳ ବାବୁଙ୍କ ଯିବା ପଥକୁ ଅନାଇ ରହିଲେ । ଅଶ୍ରୁ ବିଚଳିତ ନୟନରେ ।

 

ବହୁ କଷ୍ଟରେ ବିମଳ ବାବୁ ସ୍ତ୍ରୀଙ୍କ ସହିତ ଝିଅକୁ କମଳଲୋଚନଙ୍କ ରୋଗଶଯ୍ୟା ପାଖକୁ ନେଇ ଆସିଲେ ।

 

କାହାରି ମୁହଁରୁ କଥା ବାହାରୁ ନାହିଁ । ସମସ୍ତଙ୍କ ଆଖି ନଳିନୀ ଦେବୀଙ୍କ ଉପରେ ନିବଦ୍ଧ-। ମଥା ନତ କରି ବସିଛନ୍ତି ନଳିନୀଦେବୀ ।

 

କିଛିକ୍ଷଣ ନୀରବରେ ବିତିଗଲା ।

 

ନିମ୍ନ କଣ୍ଠରେ କମଳଲୋଚନ କହିଲେ, ଦେଖି ମା ନଳିନୀ, ଏହି ସଂସାରରେ ମୋର ଆଉ କେହି ନାହିଁ । ତୁ ମୋର ଝିଅ, ପୁଅ, ସର୍ବସ୍ୱ । ମୋର ଏକମାତ୍ର ସାହାରା । ଜୀବନର ପ୍ରଥମ ପାଦରେ ସ୍ତ୍ରୀ ଚାଲିଗଲା । ସେ ସିନା ଚାଲିଗଲା, ମୋର କୋଳରେ ଛାଡ଼ି ଦେଇଗଲା ଦୁଗ୍‍ଧପୋଷ୍ୟ ଶିଶୁଟିଏ । ତାକୁ କୋଳକରି କାଖ କରି ତା’ରି ମୁହଁକୁ ଚାହିଁ ସ୍ତ୍ରୀକୁ ହରେଇଥିବା ବେଦନା ସହ୍ୟ କଲି । ଭାବିଥିଲି ପୁଅର ମୁହଁ ଚାହିଁ ଚାହିଁ ଶେଷ ନିଶ୍ୱାସ ତ୍ୟାଗ କରିବି । କିନ୍ତୁ ଭଗବାନ ତାହା ବି କରାଇ ଦେଲେ ନାହିଁ ।

 

କମଳଲୋଚନ ଛାତିରେ ପୀଡ଼ା ଅନୁଭବ କଲେ । ଟିକିଏ ନୀରବ ରହି ପୁଣି କହିଲେ, କିନ୍ତୁ ମା ନଳିନୀ, ସୌଭାଗ୍ୟ, ମୁଁ ତୋ’ରି ଭଳି ଝିଅକୁ ବୋହୁ କରିପାଇଛି । ମୁଁ ବୁଝିପାରୁଛି ତୋର ଅନ୍ତରର ଘନୀଭୂତ ବେଦନା । ନିଜ ଅଙ୍ଗେ ନିଭେଇଛି ବୈଧବ୍ୟ ଯନ୍ତ୍ରଣା କି ନିଦାରୁଣ । ହେଲେ ଆମେ ଦୁହେଁ ଯଦି ଏହା ସାଙ୍ଗରେ କାନ୍ଦିବା ଆମକୁ ସାନ୍ତ୍ୱନା ଦେବ କିଏ ? ତୁ କାନ୍ଦିଲେ ମୁଁ ଲୁହ ଜାକି ସାନ୍ତ୍ୱନା ଦେବି; ମୁଁ କାନ୍ଦିଲେ ତୁ ଲୁହ ଜାକି ସାନ୍ତ୍ୱନା ଦେବୁ । ନ ହେଲେ ଆମକୁ ଆଉ ସାନ୍ତ୍ୱନା ଦେବ କିଏ ?

 

ତଥାପି ନଳିନୀ ଦେବୀ ନୀରବ, ମୌନ, ମୂକ ଯେପରି ଏତେ କଥାରୁ ସେ ପଦେ ହେଲେ ଶୁଣି ନାହାନ୍ତି । ଝର ଝର ହୋଇ ବହିଯାଉଛି ଦୁଇ ଆଖିର ଲୋତକର ବନ୍ୟା ।

 

କମଳଲୋଚନ ପାଖକୁ ଡାକି ଖଟରେ ବସିବା ପାଇଁ କହିଲେ ।

 

ନଳିନୀ ଦେବୀ ଯନ୍ତ୍ରଚାଳିତ ପରି ଯାଇ ଖଟରେ ବସିଲେ ।

 

ମନେ ମନେ କମଳ ଲୋଚନ ଭାବିଲେ ବାଟକୁ ଆସୁଛି । ବିମଳବାବୁ ସ୍ୱାମୀ ସ୍ତ୍ରୀଙ୍କ ମନରେ ମଧ୍ୟ ଆଶାର ସଞ୍ଚାର ହେଲା ।

 

ମୁଣ୍ଡର ବାଳ ଆଉଁସି ଦେଉ ଦେଉ କମଳଲୋଚନ ଆରମ୍ଭ କଲେ, ଦେଖ ନଳିନୀ, ଏତେଦିନ ପର୍ଯ୍ୟନ୍ତ ତୁ ମୋର ଝିଅ ଥିଲୁ, ଏବେ ତୁ ମୋର ମା ହୋଇଛୁ । ତୋର ସେବାଶୁଶ୍ରୁଷା ପାଇଁ ମୁଁ ବଞ୍ଚିରହିବି । କିନ୍ତୁ ମା ତୁ ଯଦି ଏପରି ଭାଙ୍ଗି ପଡ଼ିବୁ ମୋର ଅବସ୍ଥା କଣ ହେବ କହିଲୁ । ମୁଁ ତ ଖଟରେ ପଡ଼ିନି ଯେ ଉଠିବାର ଶକ୍ତି ବି ହରେଇ ବସିଛି । ଔଷଧ ଟୋପାଏ ପାଇଁ ମଧ୍ୟ ମୁଁ ତୋ ହାତକୁ ଅନାଇ ବସିଛି ।

 

ନଳିନୀଦେବୀ ସହିପରି ନିରବ, ନିଶ୍ଚଳ ।

 

ବାସନ୍ତୀ ଦେବୀ ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । କହିଲେ ଠିକ୍‍ ଅଛି ସମୁଧି, ନଳିନୀ ମୋ ସାଙ୍ଗରେ ଯିବ । ଘରକୁ ଗଲେ ସବୁ ଠିକ୍‍ ହୋଇଯିବ ।

 

ସ୍ତ୍ରୀଙ୍କ ମୁହଁରେ ଏଭଳି କଥା ଶୁଣି ବିମଳବାବୁ କହିଲେ, ତୁମେ ଠିକ୍‍ କହୁଛ ଯେ, ନଳିନୀ ଆମ ସାଙ୍ଗରେ ଗଲେ କମଳର ଅବସ୍ଥା କଣ ହେବ । ତାର ସେବା ଶୁଶ୍ରୂଷା କରିବ କିଏ ।

 

ମା’ ମନ । ଏକେତ ବୈଧବ୍ୟ, ପୁଣି ଦୁଇଦିନ ହେଲା ମୂକ, ବାସନ୍ତୀ ଦେବୀଙ୍କ ହୃଦୟ ବିଦାରଣ କରି ଦେଉଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ସେ ସୁଯୋଗ ପାଇ ନଥିଲେ ପ୍ରକାଶ କରିବାପାଇଁ । ଥରେ ଅବରୁଦ୍ଧ ନଦୀର ପଥ ଖୋଲିଗଲେ ଆଉଥରେ ବାନ୍ଧିରଖିବା ସହଜ ନୁହେଁ ।

 

ଅତ୍ୟଧିକ ବେଦନା ସହ୍ୟ କରି ନପାରି ଉତ୍ତେଜିତ କଣ୍ଠରେ ବାସନ୍ତୀ ଦେବୀ କହିଲେ, ମୁଁ ଆଉ କାହାରି କଥା ଶୁଣିବି ନାହିଁ । ମୁଁ ମୋର ଝିଅକୁ ସାଙ୍ଗରେ ନେଇକରି ଯିବି । ମୁଁ ତ ଆଗରୁ ମନା କରୁଥିଲି, ତୁମେ ମାନିଲ ନାହିଁ, ବନ୍ଧୁକୁ କଥା ଦେଇ କାଟି ପାରିଲ ନାହିଁ । ଶେଷରେ ମୋର ଝିଅର ମଥାରୁ ସିନ୍ଦୁର ଲିଭିଲା ।

 

ବାସନ୍ତୀ ଦେବୀଙ୍କ ମୁହଁରେ ଏଭଳି କଥା ଶୁଣି ବିମଳବାବୁଙ୍କ ସମସ୍ତ ଶରୀର କମ୍ପି ଉଠିଲା । କମଳଲୋଚନଙ୍କ ଆଗରେ ସେ ଯେ ଏଭଳି କଥା କହିବେ ସେ କଳ୍ପନା ବି କରି ନଥିଲେ-। ମନେ ମନେ ଖୁବ୍‍ ରାଗ ହେଲା ସ୍ତ୍ରୀଙ୍କ ପ୍ରତି ।

 

କିନ୍ତୁ ଏ ରାଗିବାର ବେଳ ନୁହେଁ । ନିଜକୁ ସମ୍ଭାଳି ନେଲେ । ମା’ର ହୃଦୟ ନାରୀର ହୃଦୟ, ଝିଅର ଅକାଳ ବୈଧବ୍ୟ ଯନ୍ତ୍ରଣା ସହ୍ୟ କରି ପାରୁନାହିଁ । ମର୍ମାହତ ହୋଇ ହିତାହିତ ଜ୍ଞାନ ହରାଇ ବସିଛି । ଅବସ୍ଥାକୁ ସମ୍ଭାଳିବା ପାଇଁ ସାନ୍ତ୍ୱନା ଦେବାପାଇଁ କହିଲେ, ଦେଖ ନଳିନୀର ମା’, ଭାଗ୍ୟରେ ଯାହା ଅଛି ଭୋଗିବାକୁ ପଡ଼ିବ, ସେଥିପାଇଁ କାହାରିକି ଦୋଷ ଦେବାଟା ବୃଥା । ହଁ, ଆମେ ମଣିଷ, ରକ୍ତ ମାଂସର ଶରୀର.....

 

ବିମଳ ବାବୁଙ୍କ ମୁହଁର କଥା ସରିବାକୁ ନ ଦେଇ ବାସନ୍ତୀଦେବୀ ଆହୁରି ଉତ୍ତେଜିତ କଣ୍ଠରେ କହିଲେ, ହଁ ହଁ ସବୁ ମୋର ଭାଗ୍ୟର ଦୋଷ । ନ ହେଲେ ତୁମେ ମୋ କଥା ଶୁଣୁ ନଥାନ୍ତ କାହିଁକି ? ମୋର ଝିଅକୁ ଏଇଠି ବିବାହ ଦେଇଥାଆନ୍ତ କାହିଁକି ? ଆଉ ଶେଷରେ ମୋର ଯୁବତୀ ଝିଅର ମଥାରୁ ସିନ୍ଦୁର ଟୋପାକ ଲିଭି ଥାଆନ୍ତା କାହିଁକି ? ହେଲେ ମୁଁ ଆଉ ମୋର ଝିଅକୁ ଏହି ଅଲକ୍ଷଣା ଘରେ ଛାଡ଼ିକରି ଯିବି ନାହିଁ । ମୋ ସାଙ୍ଗରେ ନେଇକରି ଯିବି । ନ ହେଲେ ଶେଷକୁ ମୋର ଝିଅକୁ ମଧ୍ୟ ହରେଇ ବସିବି ।

 

ସ୍ତ୍ରୀଙ୍କ ମୁହଁରେ ଏଭଳି କଥା ଶୁଣି ବିମଳବାବୁ ମଧ୍ୟ ଉତ୍ତେଜିତ ହୋଇ ପଡ଼ିଲେ । କିନ୍ତୁ ବାସନ୍ତୀ ତୁମେ ବୁଝୁନ କାହିଁକି କମଳର ଅବସ୍ଥା..... ?

 

ବିମଳବାବୁଙ୍କ ଉତ୍ତେଜନା ବାସନ୍ତୀ ଦେବୀଙ୍କ ଉତ୍ତେଜନାକୁ ହ୍ରାସ କରିବା ପରିବର୍ତ୍ତେ ଆହୁରି ଉତ୍ତେଜିତ କରିଦେଲା ।

 

ମୋର ଝିଅ ତୁମ ବନ୍ଧୁଙ୍କ ସେବା କରିବାକୁ ଆସି ନ ଥିଲା । ଯାହାଙ୍କ ପାଇଁ ସେ ଆସିଥିଲା, ସେ ତ ଗଲେ, ସେ ଆଉ କାହିଁକି ରହିବ ? ମୁଁ ତାକୁ ସାଙ୍ଗରେ ନେଇକରି ଯିବି ।

 

ଏଭଳି ଅସ୍ୱସ୍ଥିକର ପରିସ୍ଥିତରେ କଣ କରିବେ କଛି ସ୍ଥିର କରି ନ ପାରି ବିମଳବାବୁ ମୁଣ୍ଡ ତଳକୁ ପୋତି ରହିଲେ । ବନ୍ଧୁ ଆଗରେ ଯେ ସ୍ତ୍ରୀ ଏଭଳି କଥା ସବୁ ଖୋଳିବେ ସେ କେବେ ହେଲେ କଳ୍ପନା କରି ନ ଥିଲେ । କେଇ ମୁହୂର୍ତ୍ତ ପାଇଁ ତାଙ୍କର ମନ ମଧ୍ୟରେ ଏକଥା ଉଦୟ ହେଲା ଯେ ସ୍ତ୍ରୀ ଯାହା କହୁଥିଲେ ଠିକ୍‍ କହୁଥିଲେ । ବାସନ୍ତୀ ଦେବୀଙ୍କ ଭଉଣୀଙ୍କ ପୁଅ ସାଙ୍ଗରେ ଯଦି ବିବାହ ଦେଇ ଥାଆନ୍ତେ, ଝିଅ ବିଧବା ହୋଇ ନଥାନ୍ତା ।

 

କିନ୍ତୁ ପରମୁହୂର୍ତ୍ତରେ ଭାବିଲେ, ନା, ଭାଗ୍ୟରେ ଯାହାଥିବ ନିଶ୍ଚୟ ତାହା ଘଟିବ । ତାଙ୍କ ଭାଗ୍ୟରେ ଝିଅର ବୈଧବ୍ୟ ଦେଖିବାର ଥିଲା, ଯାହା କଲେ ବି ଦେଖିବାକୁ ପଡ଼ିଥାଆନ୍ତା ।

 

ଏତେବେଳଯାଏ କମଳଲୋଚନ ଖାଲି ଚୁପ୍‍‍ ହୋଇ ଶୁଣୁଥିଲେ ।

 

ଉଭୟ ସ୍ୱାମୀ ସ୍ତ୍ରୀ ଟିକିଏ ନିରବ ରହିବା ଦେଖି କହିବାପାଇଁ ସୁଯୋଗ ପାଇଲେ । କହିଲେ ବିମଳ, ସମୁଧୁଣୀ ଠିକ୍‍ କହୁଛନ୍ତି । ନଳିନୀ ତୁମ ସାଙ୍ଗରେ ଯିବ । ମୋ ପାଇଁ ତୁ ମୋଟେ ଚିନ୍ତା କରନା । କେତେ ଆଦର କରି, କେତେ ଅଳି କରି ତୋର ଅଲିଅଳ ଝିଅକୁ ମୋ ଘରକୁ ଡାକି ଆଣିଥିଲି । କିନ୍ତୁ ସେ ସୁଖରେ ରହି ପାରିଲା ନାହିଁ । ତାର ସମସ୍ତ ସୁଖର ସୌଧ ଭାଙ୍ଗି ଚୁରମାର ହୋଇଗଲା । ଆଉ ଏ ଏଲକ୍ଷଣା ଘରେ କେଉଁ ମାୟା, କେଉଁ ମୋହ ନେଇ ରହିବ । ଆଉ ମୁଁ ବା ତାକୁ ରହିବାକୁ କହିବି କେମିତି । ଏହି ବୁଢ଼ାଟା ପାଇଁ ? ଆଜି ଅଛି କାଲି ଝଡ଼ିଯିବି । ଖଟରେ ପଡ଼ିଲୁଣି, ବେଶୀ ହେଲେ ଆଉ ବର୍ଷେ କି ଦୁଇବର୍ଷ । ଚାକର ବାକରଙ୍କୁ ନେଇ ଚଳିଯିବି ।

 

ତା ପରେ ନଳିନୀ ଦେବୀଙ୍କ ପିଠିରେ ହାତ ଆଉଁସି ଆଉଁସି କହିଲେ, ଯା ମା’ ବାହାରି ପଡ଼ । ଆଉ ଯିବାର ଅଛି ଯେତେବେଳେ ଡେରି ଆଉ କାହିଁକି କରିବା ଯାଅ ବାହାରିପଡ଼ ।

 

ଟିକିଏ ନୀରବ ରହି, ମା’ ତୋତେ ସୁଖୀ କରିବା ପାଇଁ ଆଣିଥିଲି, ଆଜି ତୋତେ ଦୁଃଖର ଅତଳ ସାଗର ଭିତରକୁ ଭସାଇ ଦେଉଛି । ଏ ପାପର ପ୍ରାୟଶ୍ଚିତ ମୋତେ ଏକାକୀ ଭୋଗିବାକୁ ଦେ ।

 

ନଳିନୀ ଦେବୀଙ୍କ ଅନ୍ତରରେ ଘନୀଭୂତ ବେଦନାକୁ କମଳଲୋଚନଙ୍କ କଥାଗୁଡ଼ିକ ଉଦ୍‍ବେଳିତ କରିଦେଲା ।

 

କମଳଲୋଚନଙ୍କ ଛାତିରେ ମୁହଁକୁ ଗୁଞ୍ଜିଦେଇ ଭୋ ଭୋ କାନ୍ଦିବାକୁ ଲାଗିଲେ । ନା’ ନା’ ମୁଁ ଯିବି ନାହିଁ, ମୁଁ ଏଇଠି ରହିବି, ମୁଁ ଯିବି ନାହିଁ ।

 

ସମସ୍ତେ ଅବାକ୍‍ ହୋଇଗଲେ ।

 

ଅଶ୍ରୁଗଦ୍‍ଗଦ୍‍କଣ୍ଠରେ କମଳଲୋଚନ କହିଲେ, ନାଇଁ ମ ତୁ ଏଇଠି ରହିବୁ । ମୋର ମା’ଟା ପରା, ଯା କିଛିଦିନ ଘରଆଡ଼ୁ ବୁଲିକରି ଆସିବୁ ।

 

ସେହିପରି କାନ୍ଦି କାନ୍ଦି କହିଲେ, ନା, ମୁଁ ମୋଟେ ଯିବିନାହିଁ, ମତେ ତଡ଼ି ଦିଅନାହିଁ । ମୁଁ ତୁମ ପାଖରେ ରହିବି ।

 

ବାସନ୍ତୀ ଦେବୀ ଝିଅ ମୁହଁରୁ କଥା ଶୁଣି ଯେତିକି ଆନନ୍ଦ ସବୁ କୁଆଡ଼େ ଉଭେଇ ଗଲା ଝିଅ ଯିବାପାଇଁ ମନାକରିଦେବାରୁ ଅଲକ୍ଷ୍ଣା ଘରେ ରହି ରହି ଝିଅ ମଧ୍ୟ ଅଲକ୍ଷ୍ଣା ହୋଇଗଲାଣି । ରାଗରେ ଅଭିମାନରେ ବାସନ୍ତୀଦେବୀ ସେଠାରୁ ପଳେଇଗଲେ ।

 

ବିମଳବାବୁ ଆନନ୍ଦରେ ଏହି ଦୃଶ୍ୟ ସବୁ ଦେଖୁଥାଆନ୍ତି । ଆଖିରୁ ତାଙ୍କର ଅବାରିତ ଅଶ୍ରୁଧାରା ବୋହି ଯାଉଥାଏ ।

 

କମଳଲୋଚନ ବାବୁ ଅନେକ ଦିନ ପର୍ଯ୍ୟନ୍ତ ଖଟରେ ପଡ଼ି ରହିଲେ । ବ୍ଲଡପ୍ରେସର ସାଙ୍ଗରେ ପୁଣି ଡାଇବେଟିସ୍‍ ।

 

ନଖାଇ ନ ପିଇ ନଳିନୀ ଦେବୀ ଶ୍ୱଶୁରଙ୍କ ସେବାରେ ଲାଗିଲେ ।

 

ଧୀରେ ଧୀରେ କମଳଲୋଚନ ସୁସ୍ଥ ହେଲେ । ଡାକ୍ତରମାନେ ମଧ୍ୟ ନଳିନୀ ଦେବୀଙ୍କ ଆନ୍ତରିକ ସେବା ଶୁଶ୍ରୂଷା ଦେଖି ଅଭିଭୂତ ହୋଇଗଲେ । ଡାକ୍ତର ମିଶ୍ର କହିଲେ, କମଳଲୋଚନ ବାବୁ, ଆପଣଙ୍କ ଜୀବନ ରକ୍ଷା ପାଇଁ ଅସଲ ଦାୟୀ କିଏ ଜାଣନ୍ତି ? ଆପଣଙ୍କର ନର୍ସ ନଳିନୀ ଦେବୀ । ତାଙ୍କର ସେବା ଶୁଶ୍ରୁଷା ବିନା ଆମର ଔଷଧର କିଛି ମୂଲ୍ୟ ନାହିଁ । ବିଶେଷ କରି ଆପଣଙ୍କ ପରି ସେଣ୍ଟିମେଣ୍ଟାଲ୍‍ ରୋଗୀମାନଙ୍କ ପାଇଁ ଡାକ୍ତର ଅପେକ୍ଷା ନର୍ସର ପ୍ରୟୋଜନ ବେଶୀ-

 

ଏହା ମୋର ସୌଭାଗ୍ୟ ଡକ୍ଟର ମିଶ୍ର । ସେଭଳି ବୋହୁ ପାଇ ମୁଁ ନିଜକୁ ଗର୍ବିତ ମନେ କରୁଛି ।

 

ଡାକ୍ତର ମିଶ୍ର କହିଲେ, ମୁଁ ଚାଲିଲି କମଳଲୋଚନ ବାବୁ, ଆଉ ମୋର ପ୍ରତିଦିନ ଆସିବାର ପ୍ରୟୋଜନ ନାହିଁ । ମଝିରେ ମଝିରେ ଆସି ବୁଲି ଯାଉଥିବି । ଯିବାପାଇଁ ବାହାରିଲେ ।

 

ଆରେ ଆଉ କଣ ଔଷଧ କଥା କହିଲ ନାହିଁ ଯେ ।

 

ଆପଣଙ୍କୁ କହିବାର ପ୍ରୟୋଜନ ନାହିଁ । ନଳିନୀଦେବୀ ସବୁ ଜାଣନ୍ତି । ଦରକାର ପଡ଼ିଲେ ସେ ଚାକର ପଠେଇବେ ।

 

ଡାକ୍ତର ବାବୁ ଚାଲିଗଲେ ।

 

କମଳଲୋଚନ ବାବୁ ଖବର କାଗଜରେ ଆଖି ବୁଲେଇଲେ ।

 

ଦିନେ ରାତିରେ ଖାଇ ସାରିଲା ପରେ ନଳିନୀଦେବୀ ଯାଇ କମଳଲୋଚନ ବାବୁଙ୍କ ଖଟ ପାଖରେ ପଡ଼ିଥିବା ଚୌକିରେ ବସିଲେ ।

 

କମଳଲୋଚନ ବାବୁ ଶୋଇ ନଥିଲେ । ଆଜିକାଲି ରାତିରେ ତାଙ୍କର ନିଦ ହେଉନାହିଁ । ଔଷଧ ନ ଖାଇଲେ ସହଜରେ ନିଦ ହୁଏ ନାହିଁ । କିନ୍ତୁ ଅତ୍ୟଧିକ ଔଷଧ ଖାଇବାକୁ ନ ଦେବା ପାଇଁ ଡାକ୍ତର ବାବୁଙ୍କ କଡ଼ା ନିର୍ଦ୍ଦେଶ । ଆଉ ନଳନୀଦେବୀ ମଧ୍ୟ ଡାକ୍ତରବାବୁଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ।

 

ନିହାତି ଦରକାର ନ ପଡ଼ିଲେ ନଳିନୀ ଦେବୀ ଆଜିକାଲି ଔଷଧ ଦିଅନ୍ତି ନାହିଁ । ପ୍ରଥମେ ପ୍ରଥମେ ନଳିନୀ ଦେବୀ ମନାକଲେ, କମଳଲୋଚନ ବାବୁ ଲୁଚେଇ ଲୁଚେଇ ଖାଇଦେଉଥିଲେ । କିନ୍ତୁ ଧରା ପଡ଼ିଗଲା ପରେ ସେ ଔଷଧ ଶିଶିକୁ ନେଇ ନିଜ କୋଠରୀରେ ରଖିଛନ୍ତି ।

 

ନଳିନୀଦେବୀଙ୍କୁ ଦେଖି କମଳଲୋଚନ ମନେ ମନେ ଖୁସି ହୋଇଗଲେ । ନିଦ ବଟିକାଟାଏ ମିଳିଯିବାର ଆଶା । ପଚାରିଲେ, ଖାଇ ସାରିଲୁଣି ମା’ ?

 

ହଁ । କିଛିକ୍ଷଣ ନୀରବରେ ବିତିଗଲା ।

 

କମଳଲୋଚନ ବାବୁ ଭାରି ଅଡ଼ୁଆରେ ପଡ଼ିଲେ । ଔଷଧ ବଟିକାଟିଏ ମାଗିବେ କେମିତି । ସିଧା ସଳଖ ମାଗିଲେ ତ ଦେବ ନାହିଁ, ମନା କରିଦେବ । ତଥାପି ଥରେ ଚେଷ୍ଟା କରି ଦେଖାଯାଉ । ଚେଷ୍ଟା କରିବାରେ କ୍ଷତି କଣ ।

 

ଯା ମା’ ଶୋଇବୁ, ଅନେକ ରାତି ହେଲାଣି । ପୁଣି ରାତିରୁ ଉଠୁଛୁ । ମୋର ତ ଏମିତି ପଡ଼ିବି ପଡ଼ିବି ଆଉ ଶେଷରେ ଶୋଇବି ।

 

ନଳିନୀଦେବୀ ତଥାପି ନିରବ ।

 

କମଳଲୋଚନଙ୍କୁ ବୁଝିବା ପାଇଁ ଆଉ ବାକି ରହିଲା ନାହିଁ । ନଳିନୀ କିଛି ପଚାରିବା ପାଇଁ ଚାହୁଛି, କିଛି କହିବାକୁ ଥିଲେ ଏପରି କରେ । ପାଖରେ ବସି ରହେ । ଦଶଥର ନ ପଚାରିଲେ କିଛି କହେନାହିଁ ।

 

ଓଷଧ କଥା ସେ ଭୁଲିଗଲେ ।

 

କଣ କହିବୁ ମା’ କହୁନୁ । ମତେ ନ କହିଲେ ଆଉ କାହାକୁ କହିବୁ । କହ, କହ ମା । ମୋ ମନକଥା ତତେ କହିବି । ତୋ ମନକଥା ମତେ କହିବୁ । ଆମ କଥା ଆଉ କାହାକୁ କହିବା, କିଏ ଶୁଣିବ ।

 

କମଳଲୋଚନଙ୍କ କଣ୍ଠସ୍ୱର କରୁଣ ହେବାକୁ ଲାଗିଲା । ଛାତି—ଭିତରୁ କୋହ ଉଠିବାକୁ ଲାଗିଲା ।

 

ନଳିନୀଦେବୀ ଜାଣନ୍ତି ଏହାର ପରଅବସ୍ଥା କଣ ?

 

କହିଲେ, ନାଇଁ ବାବା, ଆଜି ଥାଉ, ଅନେକ ରାତି ହେଲାଣି, ଆଜି ତୁମେ ଶୋଇପଡ଼ ।

 

ଅଭିମାନଭରା କଣ୍ଠରେ କମଳଲୋଚନ କହିଲେ, ନ କହ, ଏ ବୁଢ଼ାଟାକୁ କହି ଲାଭ କଣ ହେବ ଯେ କହିବୁ ।

 

ଆଜିକାଲି ଟିକିଏ ଟିକିଏ କଥାରେ କମଳଲୋଚନ ଅଭିମାନ କରି ବସନ୍ତି । ଡାକ୍ତରବାବୁ ତାଗିଦ କରିଛନ୍ତି, କମଳଲୋଚନ ଯେପରି କୌଣସି କାରଣରୁ ହେଲେ ବି ଉତ୍ତେଜିତ ନ ହୁଅନ୍ତି । ମାନସିକ ଉତ୍ତେଜନା ରକ୍ତଚାପ ରୋଗୀ ପାଇଁ ସଦାବେଳେ ପରିହାର କରିବ ।

 

—ନାଇଁ ବାବା, ମୁଁ କଣ କହୁଥିଲି କି...... । ଶ୍ୱଶୁରଙ୍କ ଅଭିମାନ ଭଞ୍ଜନ କରିବାପାଇଁ କହିଲେ ନଳିନୀଦେବୀ ।

 

ଆରେ କହ, ରହିଯାଉଛୁ କାହିଁକି । ଆଗ୍ରହଭରା କଣ୍ଠରେ କହିଲେ କମଳଲୋଚନ । ତାଙ୍କର ଅଭିମାନ ଉଭେଇ ଯାଇଛି ।

 

—ଆଜି ଗାଆଁରୁ ଅନନ୍ତ ଆସିଥିଲା ।

 

—ହୁଁ ଆଉ ମତେ ଦେଖା ବି କଲାନାହିଁ । ବଦମାସ କାହେଁକା ।

 

—ନାଇଁ ସେକଥା ନୁହେଁ । ସେ ଟିକିଏ ତରବରରେ ଥିଲା କାଲି ସକାଳୁ ପୁଣି ଆସିବ ଯେ ।

 

—ହଁ, ସେ ଆସିଲେ କହିବୁ ମତେ ଦେଖାକରି ଯିବ । କଣ କାମ ଅଛି କି ନଅଛି ବୁଝିକରି ଟିକେ ଯିବାପାଇଁ ମଧ୍ୟ ତା’ର ତର ସହିଲା ନାହିଁ । ଚାଲିଗଲା । .....ହଁ, ଛାଡ଼ ସେ କଥା; ତୋ କଥାଟି ଆଗେ କହିବୁ ।

 

ନଳିନୀ ଦେବୀ ପୁଣି ନିରବ ହୋଇଗଲେ ।

 

ପେଟ ଭିତରୁ କଥା ଆସ ପାଟି ପାଖରୁ ଫେରିଯାଉଛି । କହିବା ପାଇଁ ସାହାସ ହେଉନାହିଁ । ରାଜି ହୋଇଗଲେ ତ କିଛି ନାହିଁ, ଆଉ ଯଦି ନାହିଁ କରିଦେବେ ?

 

କମଳଲୋଚନ କିନ୍ତୁ ଶୁଣିବାକୁ ଉଦ୍‍ବିଗ୍ନ ହୋଇ ପଡ଼ିଲେଣି କଥାଟିକୁ ଶୁଣିବାପାଇଁ ।

 

ଆରେ କଥାଟିଏ କହିବାପାଇଁ କେତେ ଡେରି କରୁଛୁ । କହ କହ ।

 

ଖୁବ୍‍ ସାହାସ ବାନ୍ଧି କହିଲେ, ଅନନ୍ତ ଆସିଥିଲା କହିବାକୁ... କଣ କହିବାକୁ ଆସିଥିଲା କହି ପାରିଲେନାହିଁ । ସାହାସ ପୂରିଲାନାହିଁ ।

 

କଣ ଖବର ଦେବାକୁ ଆସିଥିଲା ଅନନ୍ତ ?

 

ଏଥର ସାହାସ ବାନ୍ଧି ଏକା ନିଶ୍ୱାସରେ କହିଗଲେ । ଅନନ୍ତ କହୁଥିଲା, ଗାଁରେ ଜଣଙ୍କର ପୁଅଟିଏ ହୋଇଛି । ବର୍ଷେ ହେଲାଣି । ପିଲାଟି ଜନ୍ମ ହେବା ପରେ ତା’ର ବାପ ମରିଗଲା, ଘରେ ଆଉ ଆଖାଶାଖା କେହି ନାହାନ୍ତି । ଖାଲି ବିଧବାଟିଏ । ମୁଣ୍ଡ ଗୁଞ୍ଜିବା ପାଇଁ କୁଡ଼ିଆଟିଏ ଛାଡ଼ିଦେଲେ ଆଉ କିଛିନାହିଁ । ପୁଣି ବ୍ରାହ୍ମଣ କୁଳର । ମୂଲ ଲାଗି ଦୁଇପଇସା ରୋଜଗାର କରିବାପାଇଁ ମଧ୍ୟ ସୁଯୋଗ ନାହିଁ । ଛୁଆଟାକୁ ଦୁଧ ଟୋପାଏ ଦେଇପାରୁନାହିଁ ।

 

ଓହୋ, ଅନନ୍ତ ଆସିଥିଲା ଆଉ ଗୋଟିଏ ଅନନ୍ତାର ଖବର ଦେବାପାଇଁ ।

 

ନଳିନୀ ଦେବୀ ଭୟଭୀତ ହୋଇଗଲେ । ତା’ ହେଲେ ରାଜି ହେବାର ଆଶା ନାହିଁ ।

 

କମଳଲୋଚନ ପୁଣି କହିଲେ, କଣ ଅନନ୍ତ ତା’ ପାଇଁ ଟଙ୍କାପଇସା କିଛି ମାଗୁଥିଲା ? ବଦମାସ ସେଇଥିପାଇଁ ଦେଖା ନ କରି ଚାଲିଗଲା ।

 

—ନା, ନା, ଟଙ୍କା ମାଗିବାପାଇଁ ନୁହେଁ ।

 

—ଆଉ ତେବେ ?

 

—ଅନନ୍ତ କହୁଥିଲା, ଅନାଥଟାଏ, ମୁଁ ଯଦି ଏଇଠି....

 

କମଳଲୋଚନ ନିରବ ହୋଇଗଲେ କିଛିକ୍ଷଣ ପାଇଁ ।

 

—ତୁ କଣ କହିଲୁ ?

 

—ମୁଁ ତୁମକୁ ପଚାରି କହିବି ବୋଲି କହିଲି ।

 

ଆରେ ହଁ କରିଦେଲୁ ନାହିଁ । ଏଥିରେ ମତେ ପଚାରିବାର କଣ ଅଛି । ଶିଶୁଟାଏ । ପୃଥିବୀରେ ସମସ୍ତେ ତା’ର ବାପ, ସମସ୍ତେ ତା’ର ମାଆ । ଶିଶୁଟାଏ ସେତେବେଳେ ଜନ୍ମ ହୁଏ, କୁଆଁ କୁଆଁ କରି ସେ କଣ କହେ ଜଣିଛୁ ମା ? ସେ କହେ ମୁଁ ଆସିଛି, ଏହି ପୃଥିବୀ ମୋର ଘର, ତୁମେ ସମସ୍ତେ ମୋର ମାତା, ପିତା । ମତେ ବଞ୍ଚିବାକୁ ଦିଅ । କିନ୍ତୁ ଆମେ ବଡ଼ ମଣିଷ ତାହା ବୁଝିପାରୁନା । ଆମେ ଆମର ଏହି କଥାକଥିତ ସମାଜର, ଶିକ୍ଷାର, ସଭ୍ୟତାର ଅଭିମାନରେ ଶିଶୁର ଦେହରେ ଗୋଟିଏ ଗୋଟିଏ ଛାପ ମାରି ଦେଉ, ମୋହର ମାରିଦେଉଁ । କହୁ ତୁ କଳା, ତୁ ଗୋରା, ତୁ ବ୍ରାହ୍ମଣ, ତୁ ଶୂଦ୍ର, ତୁ ଭାରତର ଆଉ ତୁ ପାକିସ୍ଥାନର । ଆମେ ମଣିଷ ଭିତରେ ପ୍ରଭେଦ ସୃଷ୍ଟି କରିଦେଉଁ । କିନ୍ତୁ ମା’ ଭଗବାନଙ୍କର ସମସ୍ତେ ସନ୍ତାନ, ସମସ୍ତେ ସମାନ । ଆମେ ଏକଥା ବୁଝିକରି ବି ବୁଝିପାରୁନା ।

 

ମନ୍ତ୍ର ମୁଗ୍ଧ ପରି ନଳିନୀ ଦେବୀ ଶୁଣୁଥାଆନ୍ତି ।

 

ଠିକ୍‍ ଅଛି ମା’ କାଲି ଅନନ୍ତ ଆସିଲେ ତାକୁ କହିବୁ ପିଲାଟିକୁ ନେଇ ଆସିବ । କେତେ କିଏ ଖାଇଯାଉଛନ୍ତି । ଶିଶୁଟାଏ ଖାଇଲେ ସରିଯିବ ନାହିଁ ।

 

କମଳଲୋଚନ ବାବୁ ଏକା ସାଙ୍ଗରେ ଏତେ କଥା କହି କ୍ଳାନ୍ତ ହୋଇ ପଡ଼ିଥିଲେ ।

 

କ୍ଳାନ୍ତ କଣ୍ଠରେ କହିଲେ, ଯା ଶୋଇବୁ ମା’ ରାତି ବେଶୀ ହେଲାଣି ।

 

କମଳଲୋଚନଙ୍କ କଥା ଶୁଣି ନଳିନୀ ଦେବୀ ଅନୁଭବ କଲେ ଯେପରି ଜନ୍ମକଲା ପୁଅ ପାଉଛନ୍ତି । ସମସ୍ତ ଦେହରେ ପୁଲକ ଖେଳି ଯାଉଛି । ଉଠି ଚାଲି ଯାଉଥିଲେ । ମନେ ମନେ ଭାବିଲେ, କମଳଲୋଚନ ଭାବାନ୍ୱିତ ହୋଇ ପଡ଼ିଛନ୍ତି, ପୁଣି ଯଦି ଏହି କଥା ଭାବିବାକୁ ବସିବେ ନିଦ ହେବନାହିଁ । ପୁଣି ରକ୍ତଚାପ ବୃଦ୍ଧି ପାଇବ ।

 

କହିଲେ, ଔଷଧ ବଟିକାଟାଏ ଆରିଦେବି ବାବା ?

 

ଔଷଧ କଥା ପୂରାପୂରି ଭୁଲି ଯାଇଥିଲେ କମଳଲୋଚନ । ମାଗିଲେ ଦିଏ ନାହିଁ, ନିଜେ ଯାଚୁଛି । ଆଣ ମା’ ଆଣ ଗୋଟାଏ ଆଜି ନିଦ ଲାଗୁନାହିଁ ।

 

ବଟିକାଟିଏ ଦେଇ ନଳିନୀ ଦେବୀ ଶୋଇବାକୁ ଗଲେ ।

 

ଖଟରେ ଶୋଇ ଶୋଇ ସେ ପିଲାଟି କଥା ଭାବି ଭାବି ପୁଲକିତ ହେବାକୁ ଲାଗିଲେ । ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ । ଶିଶୁଟିର ମଙ୍ଗଳ କାମନା କରି ସମଲେଶ୍ୱରୀଙ୍କୁ ବୋଦାଟିଏ ଯାଚିଲେ ।

ତହିଁ ଆରଦିନ ସକାଳୁ ନଳିନୀ ଦେବୀ ନିତ୍ୟକର୍ମ ସାରି କମଳଲୋଚନଙ୍କୁ ଚା’ ଜଳଖିଆ ଦେଇ ପୂଜାରେ ବସିଗଲେ । ଅନନ୍ତ ପ୍ରଥମ ବସରେ ଆସିବା ପାଇଁ କହିଛି ।

ନଳିନୀ ଦେବୀ ଥରକୁ ଥର ଯାଇ ଘଡ଼ି ଦେଖୁଛନ୍ତି । ସଡ଼କରେ ରିକ୍‍ସାର ଘଣ୍ଟିଟିଏ ଶୁଭିଲେ ଯାଇ ଥରେ ଝରକାରୁ ସଡ଼କକୁ ଅନାଇ ଆସୁଛନ୍ତି ।

କମଳଲୋଚନ ମଧ୍ୟ ଅନନ୍ତର ଆଗମନକୁ ପ୍ରତୀକ୍ଷା କରିଛନ୍ତି । ଥରେ ଦୁଇଥର ନଳିନୀ ଦେବୀଙ୍କୁ ଡାକି ପଚାରିଲେଣି, ଅନନ୍ତର ଆସିବା କଥା ।

ଠିକ୍‍ ନ’ଟା ବେଳକୁ ଅନନ୍ତ ପିଲାଟିକୁ ସାଙ୍ଗରେ ଧରି ପହଞ୍ଚିଲା ।

ନଳିନୀ ଦେବୀ ସେତେବେଳେ ରୋଷେଇ ଘରେ ଥିଲେ ।

ଅନନ୍ତ ପିଲାଟିକୁ ଧରି ଯାଇ ରୋଷେଇ ଘରବାଟେ ଠିଆ ହେଲା ।

ଦେଖିବା ମାତ୍ରେ ନଳିନୀ ଦେବୀ ଧାଇଁ ଆସିଲେ । କିନ୍ତୁ କଣ ଭାବି ହଠାତ୍‍ ଠିଆ ହୋଇଗଲେ । ଅନାଇ ରହିଲେ ଅନନ୍ତର କୋଳରେ ପିଲାଟିକୁ । କୋଳକୁ ନେବେ କି ନାହିଁ କିଛି ସ୍ଥିର କରି ପାରିଲେ ନାହିଁ ।

ତାଙ୍କର ଏପରି ଅନାଇ ରହିବାର ଦେଖି ଅନନ୍ତ କହିଲା ନିଅ ମା...... ।

ସେ ଯେମିତି ଜଡ଼ ପାଲଟି ଯାଇଥିଲେ । ଅନନ୍ତ ମୁହଁରୁ କଥା ଶୁଣିବା ମାତ୍ରେ ଛଞ୍ଚାଣ ପରି ପିଲାଟିକୁ ଛଡ଼େଇ ନେଇ ଛାତିରେ ଜାବୁଡ଼ି ଧଇଲେ ।

ଆଖି ତାଙ୍କର ଛଳଛଳ ହୋଇଗଲା ।

—କେଡ଼େ ସୁନ୍ଦର ପିଲାଟିଏରେ ଅନନ୍ତ, କହି କହି ପିଲାଟିକୁ ଚୁମ୍ୱନ ଦେବାକୁ ଲାଗିଲେ ।

ପିଲାଟି କାନ୍ଦିବା ପରିବର୍ତ୍ତେ କୁରୁକୁରୁ କରି ହସୁଥାଏ ।

—ମାଁ, ମୁଁ ବଡ଼ବାବୁଙ୍କୁ ଦେଖା କରି ଆସେ ।

—ହଁ, ଚାଲ, ମୁଁ ବି ଏହାକୁ ଦେଖେଇ ଦିଏଁ ।

କ୍ଷୀଣ କଣ୍ଠରେ କହିଲେ, କାଲି ରାତିରେ ବଡ଼ବାବୁଙ୍କୁ ମୁଁ ସବୁକଥା କହିଛି ଅନନ୍ତ ।

—ବଡ଼ବାବୁ କଣ କହିଲେ ମା ।

—ଆଉ କହିବେ କଣ, କହିଲେ, ଏଥିରେ ମତେ ପଚାରିବାର କଣ ଅଛି, ଅନନ୍ତକୁ କହ ପିଲାଟାକୁ ସଙ୍ଗେ ସଙ୍ଗେ ନେଇ ଆସିବ ।

 

ପୁଣି କଣ ଭାବି କହିଲେ—ତୁମେ ନିଅ ଅନନ୍ତ, ତୁମେ ନିଜେ ନେଇ ବଡ଼ବାବୁଙ୍କୁ ପୁଅଟିକୁ ଦେଖେଇ ଆଣ । ଭାରି ଖୁସି ହେବେ ।

 

ପିଲାଟିକୁ ଅନନ୍ତ ହାତକୁ ବଢ଼େଇ ଦେଲେ ।

 

ଅନନ୍ତ ଯେତେହେଲେ କୋଠିଆ, ଡରି ଡରି କହିଲା, ବଡ଼ବାବୁ ରାଗିବେ ନାହିଁ ତ ମା’-?

 

ଆରେ ରାଗିବେ କାହିଁକି । ମୁଁ ପରା ସବୁ କହିଛି । ଭାରି ଖୁସି ହେବେ ।

 

ପିଲାଟିକୁ ଧରି ଅନନ୍ତ କମଳଲୋଚନଙ୍କ କୋଠରୀ ଭିତରକୁ ପ୍ରବେଶ କଲା । ଭୟରେ ତାର ପାଦ ଆଗକୁ ପଡ଼ୁ ନ ଥାଏ । କୌଣସି ପ୍ରକାରେ ଟାଣି ଟାଣି ନେଲା ପାଦ ଦୁଇଟିକୁ ।

 

ଅନନ୍ତର ପଛେ ପଛେ ନଳିନୀ ଦେବୀ ମଧ୍ୟ ଗଲେ । କିନ୍ତୁ ସେ ଭିତରକୁ ଗଲେନାହିଁ । ବାହାରେ ଠିଆହୋଇ ରହିଲେ ଯେମିତି କଳମଲୋଚନ ତାଙ୍କୁ ଦେଖି ପାରିବେ ନାହିଁ ।

 

ଅନନ୍ତ କୋଳରେ ପିଲାଟିକୁ ଦେଖିବା ମାତ୍ରେ କମଳଲୋଚନଙ୍କ ମୁହଁରୁ ବାହାରି ପଡ଼ିଲା, ଆଃ କେଡ଼େ ସୁନ୍ଦର ପିଲାଟିଏରେ । ଆରେ ଅନନ୍ତ, ତୁ ତ ପିଲାଟିକୁ ଏକଦମ ସାଙ୍ଗରେ ନେଇ ଆସିଛୁ ?

 

—ହଁ ଆଜ୍ଞା, ମା......

 

ଆରେ ଠିକ୍‍ କରିଛୁ ନେଇ ଆସିଛୁ । ଆଣିଲୁ ଆଣିଲୁ ମୋ ପାଖକୁ ।

 

ପିଲାଟିକୁ ବଢ଼େଇ ଦେଇ ଅନନ୍ତ ଦଣ୍ଡବତ କଲା ।

 

କମଳଲୋଚନଙ୍କ ସେଥିପ୍ରତି ନଜର ନାହିଁ । ପିଲାଟିର ମୁଣ୍ଡରେ, ପିଠିରେ ହାତ ବୁଲାଇ ଆଣୁଥାଆନ୍ତି ।

 

ଆରେ ଅନନ୍ତ, ଏହାକୁ ଦେଖିଲେ କିଏ କହିବରେ ଅନାଥ ପିଲାଟିଏ ବୋଲି । ଦେଖିଲୁ କେଡ଼େ ଗୋରା ତକ ତକ ମୁହଁରେ ଏହି କଳା କଳା ଆଖି ଦୁଇଟି । ଭଲ କରିଛୁ, ନେଇ ଆସିଛୁ । ନ ଖାଇ ନ ପିଇ ପିଲାଟିର ଜୀବନଟା ନଷ୍ଟ ହୋଇଯାଇଥାଆନ୍ତା । ନଳିନୀ କୁଆଡ଼େ ଗଲା, ଦେଖିଲାଣି ?

 

—ହଁ ଛୋଟ ମା’ଙ୍କ ମନକୁ ପାଇଛି ।

 

—ଆରେ ଏମିତି ସୁନ୍ଦର ପିଲା କାହା ମନକୁ ପାଇବ ନାହିଁ କହିଲୁ । କାଲି ରାତିରେ ନଳିନୀ ତୋର ଆସିଥିବା କଥା କହିଲା । ମୁଁ ସଙ୍ଗେ ସଙ୍ଗେ ହଁ କରିଦେଲି ।

 

ଟିକିଏ ନିମ୍ନ ଗଳାରେ କହିଲେ, ଆରେ ଅନନ୍ତ, ପୋଡ଼ାକପାଳୀର ଭାଗ୍ୟରେ ତ ଦଇବ ପଥର ଲଦିଲା, ନିଜର ନ ହେଲେ କଣ ହେଲା, ଶିଶୁଟିଏ ପାଖରେ ରହିଲେ ଅନ୍ତତଃ ତାର ଭୋକିଲା ମା’ ମନ ଟିକିଏ ସାନ୍ତ୍ୱନା ପାଇବ ।

 

ଆଉ କଣ କହିବାପାଇଁ ଚାହୁଁଥିଲେ କହି ପାରିଲେ ନାହିଁ ।

 

ଟିକିଏ ନିରବତା ପରେ, ମୋର ଆଉ ଚିନ୍ତା ନାହିଁ ଅନନ୍ତ, ମୋର ସାଥିଟିଏ ମିଳିଗଲା । ପିଲାଟିକୁ ଟେକିଧରି, କଣ ରାଜାବାବୁ, ମୋ ସାଙ୍ଗରେ ଖେଳିବ ତ !

 

ପିଲାଟି କଣ ବୁଝିଲା କେଜାଣି ମୁଣ୍ଡ ଟୁଙ୍ଗାରି ହଁ, ହଁ କଲା ।

 

ହର୍ଷୋତ୍‍ଫୁଲ୍ଲ କଣ୍ଠରେ ହଁ ହଁ ଆମ ରାଜାବାବୁ ମୋ ସାଙ୍ଗରେ ଖେଳିବେ । ମୋ ସାଙ୍ଗରେ ଖେଳିଲେ ଦେଖିବ କେମିତି ଖେଳଣା ସବୁ ଆଣିଦେବି ।

 

ପିଲାଟି ଏତିକି ବେଳକୁ ମୁତି ଦେଲା କମଳଲୋଚନଙ୍କ ଦେହରେ ।

 

ଏଁ ଏଁ ଏଁ, ହେଲା ହେଲା, ନେ ଅନନ୍ତ ଆମ ରାଜାବାବୁ ଆସୁ ଆସୁ ଆମ ଦେହରେ ଗଙ୍ଗାଜଳ ଝିଣ୍ଟିଲେଣି ।

 

ବାହାରେ ଥାଇ ନଳିନୀ ଦେବୀ କମଳଲୋଚନଙ୍କ ସବୁକଥା ଶୁଣୁଥିଲେ । ଆଖିରୁ ଅମାନିଆ ଲୁହଧାର ବହିଚାଲିଥାଏ ।

 

ଅନନ୍ତ କମଳଲୋଚନଙ୍କ ପାଖରୁ ପିଲାଟିକୁ ଆଣି ତା’ର ଗାମୁଛାରେ କମଳଲୋଚନଙ୍କ ଦେହରୁ ମୂତ ପୋଛି ଦେଲା ।

 

—ଆରେ ଥାଉ ଥାଉ, ଏ ତ ଆମ ରାଜାବାବୁ ଗଙ୍ଗାଜଳ ବାଣ୍ଟିଲେ ।

 

ପିଲାଟିକୁ ଧରି ଅନନ୍ତ ଠିଆ ହୋଇ ରହିଲା ।

 

ତା’ର ଠିଆହୋଇ ରହିବା ଦେଖି କମଳଲୋଚନ କହିଲେ ଆରେ ଅନନ୍ତ ମୁଁ ଦେଖୁଛି ତୋର ଟିକିଏ ହେଲେ ବୁଦ୍ଧି ହେଲା ନାହିଁ । ଯେଉଁ ଓଲୁକୁ ତୁ ସେହି ଓଲୁ ।

 

କିଛି ବୁଝି ନପାରି ଅନନ୍ତ ବୋକାଙ୍କପରି କମଳଲୋଚନଙ୍କ ମୁହଁକୁ ଅନେଇ ରହିଲା ।

 

ଆବେ ମତେ ଅନେଇ ରହିଲୁ କଣ, ନେ ତାକୁ ନଳିନୀକୁ ଦେ, ତାକୁ କଣ ଖୁଏଇବ । ଦେଖିଲୁ ତା’ର ପେଟ ଭୋକରେ ପଶିଗଲାଣି ।

 

ଅନନ୍ତ ଆସିବା ଦେଖି ନଳିନୀ ଆଖିରୁ ଲୁହ ପୋଛି ନେଲେ ପଣିତ କାନିରେ ।

 

ନଳିନୀ ଦେବୀଙ୍କ ଆଡ଼କୁ ପିଲାଟିକୁ ବଢ଼େଇ ଦେଇ ଅନନ୍ତ କହିଲା, ପାଇଲ ମା ପିଲାଟିକୁ, ମୁଁ ଯାଉଛି ବାବୁଙ୍କ ସାଙ୍ଗରେ ଦେଖା କରି ପଳେଇବି । ଗାଡ଼ି ସମୟ ହେଲାଣି ।

 

ବାବୁଙ୍କୁ ଦେଖା କରି ମୋତେ ଦେଖା କରିବ ଅନନ୍ତ । କିଛି ଖାଇକରି ଯିବ ।

 

ଅନନ୍ତ କମଳଲୋଚନଙ୍କ କୋଠରୀକୁ ପଶିଲା ଏବଂ ନଳିନୀ ଦେବୀ ରୋଷେଇ ଘର ଆଡ଼େ ଆଗେଇଲେ । ଅନନ୍ତ ଯେତେବେଳେ ପିଲାଟିକୁ ବଢ଼େଇ ଦେଲା ନଳିନୀଦେବୀଙ୍କ ମନେହେଲା ଯେପରି ପିଲାଟିର ଓଜନ ଖୁବ୍‍ବଢ଼ି ଯାଇଛି ।

 

ପୁଣି କଣ ଭାବି ନଳିନୀ ଦେବୀ ରୋଷେଇ ଘର ବାଟରୁ ଫେରି ଆସି ନିଜ କୋଠରୀକି ଗଲେ । ସେଠାରେ ଯାଇ ସ୍ୱାମୀଙ୍କ ଫଟୋ ପାଖରେ ଠିଆ ହୋଇ ଥରେ ଫଟୋକୁ, ଥରେ ପିଲାଟିକୁ ଅନେଇବାକୁ ଲାଗିଲେ । ମନେ ମନେ କହିଲେ, ସ୍ୱାମୀ ! ପର ପିଲାଟାଏ ନିଜର କରିବାକୁ ଯାଉଛି, ଆଶୀର୍ବାଦ କର ।

ସେଠାରୁ ଗଲେ ରୋଷେଇ ଘରକୁ ଦୁଧ ଖୁଆଇବା ପାଇଁ ।

ଘଣ୍ଟା କେତୋଟି ମଧ୍ୟରେ ଶିଶୁଟିର ଆଗମନ ବାର୍ତ୍ତା ପ୍ରଚାର ହୋଇଗଲା ।

ପଡ଼ାର ସବୁ ମାଇକିନା, ଝିଅ, ଭୁଆଷୁଣୀମାନେ ଦଳଦଳ ହୋଇ ଦେଖିବାକୁ ଲାଗିଲେ-

ସତେ ଯେମିତି ନଳିନୀ ଦେବୀଙ୍କ ପୁଅ ହୋଇଛି ।

ଆଉ ନଳିନୀ ଦେବୀ ମଧ୍ୟ ଗରବିଣୀ ମା ପରି ଜଣ ଜଣ କରି ସମସ୍ତଙ୍କୁ ଦେଖେଇବାରେ ଲାଗିଥାଆନ୍ତି ।

ସବୁରି ମୁହଁରେ ପିଲାଟିର ପ୍ରଶଂସା ଶୁଣି ଛାତି ତାଙ୍କର ଫୁଲି ଉଠୁଥାଏ ।

ସଞ୍ଚ ହେଲା ।

ଦେଖିବା ପାଇଁ ଆଉ କେହି ନାହାନ୍ତି । ଯେଉଁ ଦୁଇଜଣ ଥିଲେ ସେମାନଙ୍କୁ ବାଟଯାଏ ବାଟେଇ ଦେଇ ଆସି ଚଉରା ମୂଳରେ ସଞ୍ଜ ଦୀପ ଦେଉଥାଆନ୍ତି ଜେମା ମା’ ଆସି ପହଞ୍ଚିଲେ । ନଳିନୀ ଦେବୀଙ୍କ ଶାଶୁ ଆଉ ଜେମା ମା’ ଏକା ଗାଁର । ଲେଖା ଯୋଖାରେ ସେମାନେ ଭଉଣୀ ଭଉଣୀ ।

ନଳିନୀ ଦେବୀ ଜେମା ମା’ଙ୍କୁ ମାଉସୀ ବୋଲି ଭାବନ୍ତି । ଜେମା ମା ମଧ୍ୟ ନଳିନୀ ଦେବୀଙ୍କୁ ନିଜ ଝିଅ ପରି ସ୍ନେହ କରନ୍ତି । ମଝିରେ ମଝିରେ ସେ ଭଲ ମନ୍ଦ ବୁଝି ଯାଆନ୍ତି ।

ସମସ୍ତେ ଆସିଲେ ଦେଖିବା ପାଇଁ, କିନ୍ତୁ ଜେମା ମା’ ଆସିଲେ ନାହିଁ । ନଳିନୀଦେବୀ ଭାବିଲେ କାଳେ ମାଉସୀ ଖବର ପାଇନାହାନ୍ତି । ତାଙ୍କୁ ଦେଖି ଆସିବା ପାଇଁ ଖବର ପଠାଇଥିଲେ-

ସଞ୍ଜ ଦୀପ ଦେଇ ନଳିନୀ ଦେବୀ ଆସି ମାଉସୀଙ୍କୁ ଓଳଗି ହେଲେ ।

ଜେମା ମା’ କହିଲେ, ଆଲୋ ଆଜି ସକାଳୁ ସକାଳୁ ଜେମା ଘରକୁ ଚାଲି ଯାଇଥିଲି । ଏବେ ଫେରି ଶୁଣିଲି ଯେ ତୁ ଡକେଇ ପଠେଇଛୁ । ତୋର ମଉସା ସବୁ କଥା କହିଲେ । ସଙ୍ଗେ ସଙ୍ଗେ ତୋ ପାଖକୁ ଧାଇଁ ଆସିଛି ।

ନଳିନୀଦେବୀ ମାଉସୀଙ୍କୁ ନେଇ ଗଲେ ତାଙ୍କର ଶୋଇବା ଘରକୁ ।

ନିଘୋଡ଼ ନିଦରେ ଶୋଇଥିଲା ପିଲାଟି । ନଳିନୀ ଦେବୀ ପିଲାଟିକୁ ଉଠେଇ କରି ଆଣୁଥିଲେ, ଜେମା ମା କହିଲେ, ଥାଉ ଥାଉ ଉଠାନା ତାକୁ, ମୁଁ କଉଁ ବିଦେଶରେ ରହୁଛି ଯେ ମୁଁ କାଲି ସକାଳୁ ସକାଳୁ ଆସି ପହଞ୍ଚିବି ଯେ । ହଉ ଝିଅ ମୁଁ ଯାଉଛି । ତୋର ମଉସା ପରା ଏବେ ରୋଟି ଖାଉଛନ୍ତି ରାତିରେ । କି ଯୁଗ ହେଲା ଲୋ ମା’ ଖାଇବାପାଇଁ ଚାଉଳ ମଧ୍ୟ ମିଳୁନାହିଁ । ଯାଉଛି ଝିଅ, କାଲି ସକାଳୁ ମୁଁ ପୁଣି ଆସିବି ।

ନଳିନୀ ଦେବୀଙ୍କ ପାଖକୁ ଲାଗି ଆସି ନିମ୍ନ କଣ୍ଠରେ କହିଲେ, ଦେଖ୍‍ ନଳିନୀ, ତୁ ଆଉ କାହାରି କଥା ଶୁଣନା, ଶ୍ୱଶୁରଙ୍କୁ କହି ପିଲାଟିକୁ ପୁଅ କରି ନେ । ବ୍ରାହ୍ମଣ ପିଲା ତ, କଉ ଅଜାତିର ହୋଇଛି ଯେ ।

ନଳିନୀ ଦେବୀ ହଁ କରିଦେବା ପାଇଁ ଚାହୁଥିଲେ । କିନ୍ତୁ ମୁହଁ ଖୋଳିବାପାଇଁ ଉପଯୁକ୍ତ ମଣିଲେ ନାହିଁ । ଚୁପ୍‍ ହୋଇ ରହିଲେ ।

ଚୁପ୍‍ ହୋଇ ରହିବା ଦେଖି ଜେମା ମା’ ଭାବିଲେ ଯେ ମଉନେ ସମ୍ମତି ଲକ୍ଷଣ ।

ବର୍ତ୍ତମାନ କାହାରିକି କିଛି କହନାହିଁ । ଏହି ଦୁନିଆରେ ଘର ଭାଙ୍ଗିବା ଲୋକର ଅଭାବ ନାହିଁ । ଘର ଗଢ଼ିବା ଲୋକ ଖୁବ୍‍କମ୍ ।

ଜେମା ମା’ ଚାଲିଗଲା ପରେ ନଳିନୀ ଦେବୀ ଠିଆ ହୋଇ ଭାବିବାକୁ ଲାଗିଲେ । ଜେମା ମା’ ମାଉସୀ ଅକ୍ଷରେ ଅକ୍ଷରେ ସତ କଥା କହିଛନ୍ତି, ଘର ଭାଙ୍ଗିବା ଲୋକର ଅଭାବ ନାହିଁ, ଘର ଗଢ଼ିବା ଲୋକ ଖୁବ୍‍କମ ।

ଏତିକିବେଳକୁ ପିଲାଟି କାନ୍ଦିବାକୁ ଲାଗିଲା ।

ନଳିନୀ ଦେବୀ ଧାଇଁ ଧାଇଁ ଗଲେ ପିଲାଟି ପାଖକୁ । ନିଦ ବାଉଳାରେ ଚମକି ପଡ଼ି କାନ୍ଦୁଥିଲା, ପୁଣି ଶୋଇ ପଡ଼ିଲା ।

କମଳଲୋଚନଙ୍କ ଛାଇ ନିଦ ଲାଗି ଯାଇଥିଲା । ପିଲାର କାନ୍ଦରେ ନିଦ ଭାଙ୍ଗିଗଲା । ପାଟି କଲେ, ଆରେ ପିଲାଟାକୁ କାହିଁକି ସେମିତି କନ୍ଦଉଛ । ଆଲୋ ନଳିନୀ, ପାଖରେ କେହି ନାହିଁ କି ?

ନଳିନୀ ଦେବୀ କମଳଲୋଚନଙ୍କ କୋଠରୀ ବାଟକୁ ଯାଇ କହିଲେ, ନାଇଁ ବାବା, ଶୋଇଛି, ଚମକି ପଡ଼ି କାନ୍ଦୁଥିଲା । ପୁଣି ଶୋଇ ପଡ଼ିଲାଣି ।

—ହଁ, ଚମକିବ ନାହିଁ । କଉ ଖଟରେ ଏକୁଟିଆ ଶୁଏଇ ଦେଇଥିବ । ଶୁଣ ମା’ ନଳିନୀ, କାଲିଠୁ ଦିନବେଳେ ତାକୁ ମୋ ପାଖରେ ଶୁଆଇବୁ । ଆଉ ରାତିରେ ତୋ ପାଖରେ ଶୋଇବ । ଏହି ଚାକର ଚାକରାଣୀଙ୍କ ହାତରେ ଛାଡ଼ିଦେଲେ ସେ ନଷ୍ଟ ହୋଇଯିବ ।

ହଁ, କିଏ ଆସିଥିଲା ମା, ମୋର ଟିକିଏ ଛାଇ ନିଦ ଲାଗି ଯାଇଥିଲା ।

—ଜେମା ମା’ ମାଉସୀ ଆସିଥିଲେ ।

—ଜେମା ମା’ ଆସିଥିଲା । ଭାରି ଭଲ ମଣିଷଟିଏ । କଣ କହୁଥିଲା ।

—କିଛି ନାହିଁ, ପିଲାକୁ ଦେଖିବା ପାଇଁ ଆସିଥିଲେ । ଶୋଇଥିଲେ ଯେ ପୁଣି କାଲି ସକାଳୁ ଆସିବାପାଇଁ କହି ଯାଇଛନ୍ତି ।

 

—କାଲି ସକାଳୁ କଣ, ତା’ର ଯଦି ମନ ପାଇଛି ଦିନକୁ ଦୁଇଥର ଆସି ଦେଖିକରି ଯିବ ସେ । ସେମିତି ମଣିଷଟାଏ ସେ । ପରର ଭଲ କରିବ ପଛେ ଖରାପ କରିବ ନାହିଁ । ହଉ ଯା’ ପିଲାଟା ଏକା ଶୋଇଛି ।

 

ନଳିନୀ ଦେବୀ ଚାଲି ଯାଉଥିଲେ । କମଳଲୋଚନ ପୁଣି ଡାକିଲେ ପଛରୁ । ନଳିନୀ ଦେବୀ ଆସି ପାଖରେ ଠିଆହେଲେ ।

 

କମଳଲୋଚନ କହିଲେ, କାଲି ସକାଳୁ ତୋର ବାପା ଆଉ ମା’ଙ୍କ ପାଖକୁ ଚିଠି ଖଣ୍ଡେ ଦେ, ପିଲାଟାକୁ ଥରେ ଦେଖିକରି ଯିବେ ।

 

ନଳିନୀ ଦେବୀ ହଁ କଲେ ।

 

ଖାଲି ହଁ ନାହିଁ, କାଲି ସକାଳୁ ଲେଖି କରି ପଠା । ନ ହେଲେ ବିମଳ ମୋ ଉପରେ ବିଗିଡ଼ିବ ।

 

ହଉ ଯା ଯା ।

 

ରାତିରେ ଖାଇଲାବେଳକୁ କମଳଲୋଚନ କହିଲେ, ମୁଁ ଯାହା ଦେଖୁଛି, ମୋର ପଥି ଗଣ୍ଡାକ ବି ଠିକ୍‍ ସମୟରେ ମିଳିବ ନାହିଁ ।

 

କମଳଲୋଚନଙ୍କ ଖାଇବାରେ କେବେ ଡେରି ହୁଏନାହିଁ । ସକାଳେ ଯାହା ହେଉ ପଛେ ରାତିରେ ସେ ଠିକ୍‍ ଆଠଟାରେ ଖାଇ ନିଅନ୍ତି । ବିଶେଷ କରି ଏହି ଦେହ ଖରାପ ହେଲା ଦିନଠାରୁ ଡାକ୍ତର ବାବୁଙ୍କ କଡ଼ା ନିର୍ଦ୍ଦେଶ ଠିକ୍‍ ସମୟରେ ଖାଇବା ପାଇଁ । ରୋଗୀ ପାଇଁ ଔଷଧ ସାଙ୍ଗରେ ପଥିଟା ମଧ୍ୟ ନିୟମିତ ହେବା ଦରକାର ।

 

ଆଜି କିନ୍ତୁ ନଳିନୀ ଦେବୀ ଖାଇବାକୁ ଦେବାକୁ ଡେରି କରିଦେଲେ । ପିଲାଟିକୁ ଦୁଧ ଖୁଆଉ ଖୁଆଉ ଚୁଲୀର ନିଆଁ ଲିଭିଗଲା । ପୁଣି ନିଆଁ ଜାଳି ରୋଟି କଲା ବେଳକୁ ଟିକିଏ ଡେରି ହୋଇଗଲା ।

 

ଡରି ଡରି ନଳିନୀ ଦେବୀ କହିଲେ ନାଇଁ ବାବା, ଚୁଲୀର ନିଆଁ ଲିଭି ଯାଇଥିଲା, ଆଉ ଥରେ ନିଆଁ ଜାଳିଲା ବେଳକୁ ଡେରି ହୋଇଗଲା ।

 

ଆରେ ନାଇଁରେ, ହସି ହସି କମଳଲୋଚନ କହିଲେ ତୁମେ ସବୁ ତ ଆମ ରାଜାବାବୁର ପଛରେ ଲାଗିଲ, ମୋ କଥା ପଚାରୁଛି କିଏ ! ହଁ, ଦୁନିଆରେ ନୂଆର ସିନା ଆଦର, ପୁରୁଣାକୁ ପଚାରୁଛି କିଏ ?

 

ନଳିନୀ ଦେବୀ ମଧ୍ୟ ହସି କରି କହିଲେ, ନାଇଁ ବାବା, ତା ପାଇଁ ମୁଁ ଚାକରାଣୀ ଗୋଟିଏ ବ୍ୟବସ୍ଥା କରୁଛି । ତା ପରେ ଆଉ ମୁଁ ତା କଥା ମୋଟେ ବୁଝିବି ନାହିଁ । ତୁମର ଆଉ ମୋଟେ ଅସୁବିଧା ହେବ ନାହିଁ ।

 

ନଳିନୀ ଦେବୀଙ୍କ ମୁହଁରେ ହସ ଦେଖିଲେ କମଳଲୋଚନଙ୍କ ହୃଦୟ ଉଲୁସି ଉଠେ । ତାଙ୍କର ଅଭିଶପ୍ତ ଜୀବନରେ ହସର ଟିକିଏ ଝଲକ ମରୁଭୂମିରେ ମରୁଦ୍ୟାନ ପରି ।

 

କମଳଲୋଚନ ମୁହଁରେ ଧରିଥିବା ରୋଟି ଖଣ୍ଡିକ ଚୋବେଇ ସାରି କହିଲେ, କଣ ତୁ ପିଲାଟାକୁ ନଷ୍ଟ କରିଦେବୁ ନା କଣ ? ଚାକର ଚାକରାଣୀ ତାକୁ ମଣିଷ କରିବେ ? ଦେଖ ମା ! ତୁ ଯେତେବେଳେ ପିଲାଟିର ଭାର ମୁଣ୍ଡରେ ନେଇଛୁ ତାକୁ ମଣିଷଟିଏ କରି ଗଢ଼ । ଖାଲି ମଣିଷ ନୁହେଁ, ବଡ଼ ମଣିଷଟିଏ କର । ମୁଁ ଜାଣେ ତୁ ନିଶ୍ଚୟ ପାରିବୁ ।

 

କମଳଲୋଚନଙ୍କ ଆଖି ଢଳ ଢଳ ହେଲା । କଣ୍ଠ ବାଷ୍ପରୁଦ୍ଧ ହେବାକୁ ଲାଗିଲା ।

 

—ପିଲାଟି ଯେତେବେଳେ ବଡ଼ ହେବ, ବଡ଼ଲୋକ ହେବ, କିଛି ନହେଲେ, ଲୋକେ କହିବେ ଶୁଭେନ୍ଦୁର ଧର୍ମ ପୁଅ । ସେଇ ଦେବ ତୋର ଗୌରବ, ପର ପୁଅକୁ ମଣିଷ କରିବାର ପୁରସ୍କାର । ମୁଁ ତତେ ଆଶୀର୍ବାଦ କରୁଛି ମା’ ଆଶୀର୍ବାଦ କରୁଛି.... । ଆଉ କିଛି କହି ପାରିଲେ ନାହିଁ । ଆଖିରୁ ଦୁଇଧାର ଲୁହ ବୋହିଗଲା ।

 

ନଳିନୀ ଦେବୀଙ୍କ ଆଖିରୁ ମଧ୍ୟ ଲୁହ ବୋହିବାକୁ ଲାଗିଲା ।

 

କାନ୍ଦି କାନ୍ଦି କହିଲେ, ମତେ ଆଶୀର୍ବାଦ କର ବାବା, ମୁଁ ମଣିଷ କରିବି, ବଡ଼ ଲୋକ କରିବି ।

 

—ମୁଁ ଆଶୀର୍ବାଦ କରୁଛି ମା, ତୁ ତାକୁ ମଣିଷ କର । ଖାଣ୍ଟି ମଣିଷଟାଏ କର । ଶୁଭେନ୍ଦୁର ନାମ ରଖୁ ସେ ।

 

କମଳଲୋଚନ ଆଉ ଖାଇ ପାରିଲେ ନାହିଁ ।

 

ନଳିନୀ ଦେବୀ ତାଙ୍କ କୋଠରୀକୁ ଯାଇ ସ୍ୱାମୀଙ୍କ ଫଟୋ ତଳେ ମଥା ରଖି ପ୍ରାର୍ଥନା କଲେ । ହେ ଦେବତା ! ଆଶୀର୍ବାଦ କର । ପିଲାଟିକୁ ମୁଁ ମଣିଷ କରେ, ତୁମର ନାଁ ରଖେ । ଆଶୀର୍ବାଦ କର । ଭୁଲରେ ବି ତାକୁ ପରର ବୋଲି ବିଚାର ନ କରେ ।

 

ରାତିରେ ଶୋଇ ଶୋଇ ନଳିନୀ ଦେବୀ ଶ୍ୱଶୁରଙ୍କ କଥା ଗୁଡ଼ିକ ଭାବିବାକୁ ଲାଗିଲେ । ଏ ମଧ୍ୟରେ ପିଲାଟି ଉପରେ ତାଙ୍କର ଏକ ଅଜଣା ଆତ୍ମୀୟତା ଆସି ଯାଇଛି । ପିଲାଟିର ଭବଷ୍ୟତ ମଙ୍ଗଳ ପାଇଁ ତାଙ୍କର ଅନ୍ତର ଭିତରୁ ମଧ୍ୟ ସେ ଯେପରି ନିର୍ଦ୍ଦେଶ ପାଉଛନ୍ତି ।

 

ଝିଅ ପାଖରୁ ଚିଠି ପାଇ ସଙ୍ଗେ ସଙ୍ଗେ ପଢ଼ିନେଲେ ଥରେ । ଅନେକ ଦିନ ପରେ ଝିଅ ଚିଠି ଦେଉଛି ।

 

ଆଉ ଥରେ ଚିଠିଟିକୁ ପଢ଼ିଲେ । ସେଇଠୁ ପାଟି କଲେ ସ୍ତ୍ରୀଙ୍କୁ । ହଇହେ ଆସ ଆସ, ନଳିନୀର ଚିଠି ଆସିଛି ।

 

ନଳିନୀ ପାଖରୁ ଚିଠି ଆସିଛି, ବାସନ୍ତୀ ଦେବୀଙ୍କ ଅନ୍ତର ପୁଲକିତ ହୋଇଗଲା । କିନ୍ତୁ ସେ ହଠାତ୍‍ ସଚେତନ ହୋଇଗଲେ । ନଳିନୀ ତାଙ୍କ ଅନୁରୋଧ ରଖିଲା ନାହିଁ । ଦିନଟେ ପାଇଁ ମଧ୍ୟ ଆସିବା ପାଇଁ ରାଜି ହେଲାନାହିଁ ।

 

ମୁହଁଟାକୁ ଭୂଗା ଏଡ଼େ କରି ଆସି ସ୍ୱାମୀଙ୍କ ପାଖରେ ଠିଆ ହେଲେ । ଝିଅ କଣ ଲେଖିଛି ଜାଣିବା ପାଇଁ ମନ ଭିତରେ ଉଦ୍‍ବିଗ୍ନ ହେଉଥିଲେ ମଧ୍ୟ ଅଭିମାନ ହେତୁ କିଛି କହିଲେ ନାହିଁ ।

ବିମଳ ବାବୁ ବାସନ୍ତୀ ଦେବୀଙ୍କ ଏ ଗମ୍ଭୀରତା ଭଲ କରି ଜାଣନ୍ତି ।

କିନ୍ତୁ ସେ ନାରୀ ବୋଲି ସିନା ଏତେ ମାନ ଅଭିମାନ କରିବେ, ସେ ଯଦି ଅଭିମାନ କରି ବସନ୍ତି ଚଳିବ କେମିତି ?

କିଛି ନ କହି ବିମଳବାବୁ ମୂଳରୁ ଶେଷ ପର୍ଯ୍ୟନ୍ତ ପଢ଼ିଗଲେ । ମଝିରେ ମଝିରେ ବାସନ୍ତୀ ଦେବୀଙ୍କ ମୁହଁକୁ ସେ ଲକ୍ଷ୍ୟ କରୁଥିଲେ ପ୍ରତିକ୍ରିୟା ଜାଣିବା ପାଇଁ ।

ବାସନ୍ତୀ ଦେବୀ କିନ୍ତୁ ସେହି ଆସିଲାବେଳୁ ମୁହଁକୁ ଏପରି ହାଣ୍ଡିଟା ପରି କରିଛନ୍ତି ଯେ କଣ ପ୍ରତିକ୍ରିୟା କିଛି ଜଣା ପଡ଼ିଲା ନାହିଁ ।

ଚିଠି ପଢ଼ିସାରି ବିମଳ ବାବୁ କହିଲେ, ଚାଲ ବାହାର କାଲି ନଳିନୀ ଘରଆଡ଼ୁ ଥରେ ବୁଲି ଆସିବା ।

ବିମଳ ବାବୁ ଯେମିତି ସାପ ମୁଣ୍ଡରେ ହାତ ମାରିଲେ ।

ସାପଫେଣା ଟେକିଲାପରି ଫଣ ଫଣ ହୋଇ ବାସନ୍ତୀ ଦେବୀ କହିଲେ, ଯାଅ ଯାଅ ତୁମର ଅନ୍ତରଙ୍ଗ ବନ୍ଧୁଙ୍କୁ ଥରେ ଦେଖିଆସ । ମୁଁ କାହିଁକି ଯିବି । ମୋର କିଏ ଅଛି ସେଠି ?

ଦେଖ ନଳିନୀର ମା’ ଯାହା ହେବାର ତ ହୋଇଗଲା । ଖାଲି ସେହି କଥାକୁ ଧରି ବସିଲେ କଣ ହେବ । ଆମେ ବାପା ମାଆ ହୋଇ ପୁଅ ଝିଅଙ୍କ ଭୁଲ ଧରି ବସିଲେ ଚଳିବ କେମିତି-?

ଆଉ ଟିକିଏ ରାଗିଗଲେ ବାସନ୍ତୀ ଦେବୀ ।

ଦୃଢ଼ କଣ୍ଠରେ କହିଲେ, ମୁଁ କହିଲି ପରା ମୁଁ ଯିବି ନାହିଁ ବୋଲି, ମୁଁ ସେ ଘରର ମୁହଁ ଦେଖିବି ନାହିଁ । ସେଇ ଅଲକ୍ଷଣା ଘରକୁ ଯାଇ ମୋର ଝିଅର ମଥାରୁ ସିନ୍ଦୁର ଲିଭିଲା । ଶେଷକୁ ସେ ଘରେ ରହି ମୋର ଝିଅବି ଅଲକ୍ଷଣୀ ହେଲା ।

ବର୍ତ୍ତମାନ ବାସନ୍ତୀ ଦେବୀଙ୍କ କଣ୍ଠରେ ଦୃଢ଼ତା ପରିବର୍ତ୍ତେ ଅଭିମାନ । ଆଖିରେ ଲୁହ ଛଳ ଛଳ କରୁଛି ।

ଶେଷକୁ କଉ ଜାତିର ନା କଉ ଜାତିର ପିଲାଟାକୁ ଆଣି ଘରେ ପୂରେଇଲାଣି । ତାକୁ ଦେଖିବା ପାଇଁ ଡାକୁଛି । ଯାଅ ଯାଅ ତୁମେ ତୁମର ଅନ୍ତରଙ୍ଗ ବନ୍ଧୁ ଆଉ ଗୁଣବତୀ ଝିଅକୁ କହି ଆସିବ ସେହି ପିଲାଟିକୁ ପୋଷ୍ୟପୁତ୍ର କରି ପକାନ୍ତୁ ।

ବିମଳବାବୁ ଜାଣନ୍ତି ଯେ ସ୍ତ୍ରୀ ଯେତେ ରାଗ, ଅଭିମାନରେ ଝିଅ ପ୍ରତି ବିରକ୍ତ ହେଉଛନ୍ତି, ହୃଦୟ ଭିତରେ ଝିଅକୁ ଦେଖିବାକୁ ସେତିକି ଦୁର୍ବଳତା ରହିଛି । କହିଲେ, ମିଛଟାରେ ତୁମେ ରାଗୁଛ ନଳିନୀର ମା । ଏଇ ଚିଠିରେ ପରା ଲେଖିଛି ଯେ ବ୍ରାହ୍ମଣ ପିଲାଟାଏ ବୋଲି । ଆଉ ପୋଡ଼ା କପାଳୀର ଭାଗ୍ୟରେ ନିଜର ନାହିଁ, ପରର ପୁଅକୁ ନିଜର ନ କରି ଉପାୟ କଣ ?

ହଁ ହଁ, ତା’ର ପୁଅ କରିବାର ଯଦି ଏତେ ସଉକ ଥିଲା ତ ଭଲ ଘରୁ ପିଲାଟିଏ ନେଇ ଥଆନ୍ତା । ତାକୁ କଣ ପୁଅ ମିଳିଲା ନାହିଁ ଯେ ରାସ୍ତାରୁ ଗୋଟିଏ ପିଲା ଗୋଟେଇ ଆଣିଲା ।

 

ବିମଳବାବୁ ଆଉ ସହ୍ୟ କରି ପାରିଲେ ନାହିଁ । ବାସନ୍ତୀ ଦେବୀ ଚାହୁଁଥିଲେ ଯେ ତାଙ୍କ ଭଉଣୀର ପୁଅ ସହିତ ନଳିନୀର ବାହା କରିବାକୁ । ପୁଣି ଶୁଭେନ୍ଦୁର ମୃତ୍ୟୁ ପରେ ସେଇ ତାଙ୍କର ଭଉଣୀର ଗୋଟିଏ ପୁଅର ନଳିନୀ ପୋଷ୍ୟ ପୁତ୍ର କରୁ ବୋଲି ପରୋକ୍ଷରେ ପ୍ରସ୍ତାବ ଦେଉଛନ୍ତି । ଯେତେ ଖାଲି ସ୍ୱାର୍ଥପରତା ।

 

ବିରକ୍ତିପୂର୍ଣ୍ଣ କଣ୍ଠରେ କହିଲେ, କିଛ ନ ବୁଝି ନ ସୁଝି ମନଇଚ୍ଛା ଯାହା ମୁହଁକୁ ଆସିଲା କହି ଯାଉଛ । ଶୁଣିଲ ପରା ତୁମ ଆଗରେ ଚିଠିଟିକୁ ପଢ଼ି କରି ଶୁଣାଇ ଦେଲି । ଅନାଥ ଶିଶୁଟି ବୋଲି ଘରେ ଆଶ୍ରା ଦେଇଛି, ପୋଷ୍ୟପୁତ୍ର କରିନାହିଁ । କି ନ ବୁଝି ଖାଲି ବକ୍‍ବକ୍‍।

 

ସ୍ୱାମୀଙ୍କ ରାଗିବା ଦେଖି ବାସନ୍ତୀ ଦେବୀ ଡରିଗଲେ । ସେ ରାଗିକରି କଣ ବୋଲି କଣ ସବୁ କହିଗଲେ । ମନେ ମନେ ଅନୁତାପ କଲେ । ଅନ୍ୟର ଦୋଷ ପାଇଁ ସ୍ୱାମୀଙ୍କୁ ବିରକ୍ତ ହେବା ହୋଇ ତାଙ୍କର ଭୁଲ ହୋଇଛି ।

 

ବିମଳ ବାବୁ ଟେବୁଲ ଉପରେ ଚିଠିଟିକୁ ରଖି ଦେଇ ବୁଲିବାକୁ ଚାଲିଗଲେ ।

 

ରାଗିଲେ ସେ ଏମିତି ଘରୁ ବାହାରି ଯାଆନ୍ତି । ବାହାରେ ବୁଲିବୁଲି ରାଗଟା ଶାନ୍ତ ପଡ଼ିଗଲେ ଫେରନ୍ତି ।

 

ବଡ଼ ଦୁଶ୍ଚିନ୍ତାରେ ପଡ଼ିଲେ ବାସନ୍ତୀ ଦେବୀ ।

 

ନ ଗଲେ ସ୍ୱାମୀ ଅସନ୍ତୁଷ୍ଟ ହେବେ ନଳିନୀ ଭାବିବ ଚିଠି ଲେଖିଲା ପରେ ମଧ୍ୟ ଆସିଲେ ନାହିଁ । ଆଉ ଗଲେ ଯେ ପଣି ରହିବ ନାହିଁ । କଣ କରିବେ ଏମିତି ପରିସ୍ଥିତିରେ ।

 

ପୁଣି ଉତ୍ୟକ୍ତ ହୋଇଗଲେ । ନା ନା, ସେ ମୋଟେ ଯିବେ ନାହିଁ । ସେ ଯଦି ତାର ପଣ ରଖିଲା, ଘରକୁ ଆସିଲା ନାହିଁ, ସେ ମା’ ହୋଇ କାହିଁକି ମୁଣ୍ଡ ନୁଆଁଇବେ । ଦଶମାସ ଗର୍ଭରେ ଧରିବାର ଫଳ କଣ ଏଇଟା ?

 

ଟେବୁଲ ଉପରେ ଥୁଆ ହୋଇଛି ଚିଠିଟି ।

 

ଚଟ୍‍କିନା ଚିଠିଟିକୁ ଉଠେଇ ଆଣିଲେ ବାସନ୍ତୀ ଦେବୀ ।

 

ଚିଠିଟିକୁ ହାତରେ ଧରି ଠିଆ ହୋଇ ଭାବିଲେ ଥରେ, ପଢ଼ିବେ କି ନାହିଁ । ଅନେକ ଅନେକ ଦିନ ହେଲା ଝିଅର ହାତ ଲେଖା ଅକ୍ଷର ପଢ଼ି ନାହାନ୍ତି ବାସନ୍ତୀ ଦେବୀ । ଘରର ସମସ୍ତଙ୍କ ଅପେକ୍ଷା ନଳିନୀର ହସ୍ତାକ୍ଷର ସୁନ୍ଦର । ଏକ ଅଜଣା କୌତୁହଳରେ ବାସନ୍ତୀ ଦେବୀ ଚିଠିଟିକୁ ଖୋଲିଲେ, ପଢ଼ିବାପାଇଁ ନୁହେଁ ଅକ୍ଷର ଦେଖିବା ପାଇଁ । କିନ୍ତୁ ଅକ୍ଷର ଦେଖୁ ଦେଖୁ ଯେ ପଢ଼ି ହୋଇଯିବ ଏକଥା ଆଉ ବାସନ୍ତୀ ଦେବୀଙ୍କ ଖିଆଲ ହେଲାନାହିଁ ।

 

‘‘ଆମ ଗାଁର ଅନାଥ ଶିଶୁଟିଏ । ବ୍ରାହ୍ମଣ ପିଲା, ଶ୍ୱଶୁର ବି ରାଜି ହୋଇଗଲେ । ଘରେ ଆଶ୍ରା ଦେଇଛି । କେତେ ଆଡ଼ୁ କେତେ ଯାଉଛି । ପିଲାଟିଏ ମଣିଷ ହେବ । ଖୁବ୍‍ସୁନ୍ଦର ହୃଷ୍ଟପୃଷ୍ଟ ପିଲାଟିଏ ।’’

 

ବାସନ୍ତୀ ଦେବୀ ଅଟକି ଗଲେ ।

 

ନିଜେ ନିଜକୁ ପ୍ରଶ୍ନ କଲେ, ତା’ ହେଲେ ପିଲାଟି ମନକୁ ପାଇଛି । ଏବେ ସିନା ପିଲାଟି ଅନାଥ ବୋଲି ଦୟା ଭାବ ହେଉଛି, ପରେ ଦୟା ଯଦି ମାୟାରେ ପରିଣତ ହୁଏ ? ସବୁ ଭଣ୍ଡୁର ହୋଇଯିବ, ସବୁ ଭଣ୍ଡୁର ହୋଇଯିବ ।

 

ନିଜର ପରିକଳ୍ପନା ବ୍ୟର୍ଥ ହେବାର ଆଶଙ୍କାରେ ବାସନ୍ତୀ ଦେବୀ ବ୍ୟଥା ଅନୁଭବ କଲେ-

 

ବାସନ୍ତୀ ଦେବୀ କେତେ କଳ୍ପନା ସୁଲତାର ପୁଅପାଇଁ । ସୁଲତା ମଧ୍ୟ ରାଜି ହୋଇ ଯାଇଛି । ଏ ମଧ୍ୟରେ ଥରେ ଦୁଇଥର ଲେଖିଲାଣି ମଧ୍ୟ । ପ୍ରଥମେ ସୁଲତା ନାହିଁ ନାହିଁ କରୁଥିଲା, କିନ୍ତୁ ତାଙ୍କର କଥାରେ ସେ ନାହିଁ କରି ପାରିଲା ନାହିଁ । ବର୍ତ୍ତମାନ ଯଦି ନଳିନୀ ନାହିଁ କରିଦିଏ ଭଉଣୀ ଆଗରେ, ସୁଲତା ଆଗରେ ମୁହଁ ଦେଖେଇବ କେମିତି ?

 

ପୁଣି ନିଜେ ନିଜକୁ ପ୍ରଶ୍ନ କରେ, ଯଦି ପୁଅ କରିବା ପ୍ରଶ୍ନ ଉଠେ ନଳିନୀ କଣ ଥରେ ପଚାରିବ ନାହିଁ ? ନିଶ୍ଚୟ ପଚାରିବ ନିଜ ପ୍ରଶ୍ନର ଉତ୍ତର ନିଜେ ଦେଇଦେଲେ ।

 

ହଠାତ୍‍ ତାଙ୍କର ଯେମିତି ଆତ୍ମବିଶ୍ୱାସ ଆସିଗଲା । ନିଶ୍ଚୟ ନଳିନୀ ପଚାରିବ । ଆଉ ତା’ର ପଚାରିବା ଆଗରୁ ସେ ନିଜେ ପ୍ରସ୍ତାବଟା ଦେଇ ଦେବେ । ହୁଃ, ଏତେ ବଡ଼ ସମ୍ପତ୍ତି ପର ଘର ଖାଇଯିବେ ? ସୁଲତା କିଏ ଆଉ ନଳିନୀ କିଏ ? ମା’ କିଏ, ମାଉସୀ କିଏ ? ସୁଲତାର ପୁଅ ଯାଇ ନଳିନୀକୁ ମାଉସୀ ନ କହି ମା’ ଡାକିବ । ଫରକ ଖାଲି ଏତିକି ।

 

ବାସନ୍ତୀ ଦେବୀ ଏତେବେଳଯାଏ ଚିଠିଟିକୁ ହାତରେ ଧରିଥିଲେ ।

 

ଟେବୁଲ ଉପରେ ଯେମିତି ଥିଲା ଠିକ୍ ସେମିତି ରଖିଦେଲେ । ନ ହେଲେ ସ୍ୱାମୀ ଭାବିବେ ଯେ ଲୁଚି ଲୁଚି ଚିଠି ପଢ଼ୁଥିଲା ।

 

ବିମଳ ବାବୁ ବୁଲି ବୁଲି ସନ୍ଧ୍ୟାରେ ଫେରିଲେ ।

 

ଶାର୍ଟଟା ଖୋଲି କରି ରଖୁ ରଖୁ ବାସନ୍ତୀ ଦେବୀ ଚା’ କପ୍‍ଟିଏ ଧରି ଆସି ଠିଆ ହେଲେ-

 

ବିମଳ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ ।

 

ପ୍ରତିଦିନ ସନ୍ଧ୍ୟାରେ ବୁଲି କରି ଫେରିଲେ ଚା’ କପ୍‍ଟିଏ ଖାଆନ୍ତି । କିନ୍ତୁ ସେହି ଚା’କପ୍‍ଟି ପାଇବା ପାଇଁ କି ଅନୁନୟ ବିନୟ !

 

ଆଜି ପହଞ୍ଚୁ ପହଞ୍ଚୁ ଚା’ କପ୍‍ଟିଏ ମିଳିଯିବା ମାନେ ନିଶ୍ଚୟ କିଛି କଥା ଅଛି ।

 

ଚା’ କପରେ ଚୁମୁକଟାଏ ଦେଇ ବିମଳ ବାବୁ କହିଲେ, ଆଜି ବଡ଼ ସୌଭାଗ୍ୟ ଦେଖୁଛି ନଳିନୀର ମା’ ।

 

କିଛି ନ ଜାଣିଲା ପରି ବାସନ୍ତୀ ଦେବୀ କହିଲେ, କାହିଁ କଣ ହେଲା କି ?

 

—ନ ହେଲା କଣ କୁହ ! କେଉଁଦିନ ଚା’ କପଟିଏ ପାଇଁ ପାଟି କରି କରି ତୋଟି ଶୁଖିଯାଏ, ତଥାପି ଚା’ କପଟିର ଦେଖା ମିଳେନାହିଁ । ଆଉ ଆଜି ଘରେ ପହଞ୍ଚୁ ପହଞ୍ଚୁ ଚା’ ଧରି ହାଜର । ଏହା ମୋର ସୌଭାଗ୍ୟ ନୁହେଁ ତ ଆଉ କଣ କୁହାଯିବ କଣ ?

 

ଲାଜ ଅଭିମାନ ମିଶା କଣ୍ଠରେ ବାସନ୍ତୀ ଦେବୀ କହିଲେ, କଉଁଦିନ ଚା’ ଦେଉନାହିଁ ଯେ, କେଉଁ ଦିନ ଅଦିନରେ ଟିକିଏ ଡେରି ହୋଇଗଲେ.....

 

ଟିକିଏ ରସିକ ପଣିଆ କରି ବିମଳ ବାବୁ କହିଲେ, ତୁମର କଥା ଣୁଣି ମୋର ମନେ ପଡ଼ିଯାଉଛି ତୁମେ ଯେତେବେଳେ ନୂଆ କରି ଏହି ଘରକୁ ବୋହୁ ହୋଇ ଆସିଥିଲ । ଠିକ୍‍ ଏହିପରି ଲାଜ ଲାଜ ମିଶା କଥା କହୁଥିଲ କିନ୍ତୁ ସେ ବସନ୍ତର ମଳୟ ବେଶୀ ମନେ ରହିଲାନି । ଆସିଗଲା ଗ୍ରୀଷ୍ମ, ମୁଁ ସହିଲି ବୈଶାଖର ବାତ୍ୟା ।

 

କିନ୍ତୁ ଆଜି ତୁମକୁ ଦେଖି ମୋର ମନେ ହେଉଛି ବର୍ଷା ହୋଇ ଯାଇଛି । ତୁମର କଥା ଶୁଣି ପ୍ରଖର ଗ୍ରୀଷ୍ମ ପରେ ହଠାତ୍‍ ବର୍ଷା ହେଲା ପରି ଦେଶ ମନୋରମ ଲାଗୁଛି, ଥଣ୍ଡା ଥଣ୍ଡା ଲାଗୁଛି-

 

ସ୍ୱାମୀଙ୍କ ମୁହଁରେ ଏପରି କଥା ଶୁଣି ବାସନ୍ତୀ ଦେବୀ ଆଉ ଟିକିଏ ଗେଲେଇ ହୋଇ କହିଲେ, ହୁଁ. ଯେତେ ଖାଲି ବାଜେ କଥା । ଏ ବୟସରେବି ତୁମର ରସିକ ପଣିଆ ଗଲା ନାହିଁ ।

 

ଆରେ ନଳିନୀର ମା’, ଏ ବୟସରେ ବି ବେଳେବେଳେ ଯିମିତିକି ବର୍ତ୍ତମାନ, ତୁମେ ବ୍ୟବହାର କରୁଛ ପୁଣି ଥରେ ପ୍ରେମ କରିବାକୁ ଇଚ୍ଛା ହେଉଛି ।

 

—ତା’ ହେଲେ ତୁମେ ଆଉ ମତେ ପ୍ରେମ କରୁନ ?

 

—କି କଥା କହୁଛ ନଳିନୀର ମା, ଏ ବୟସରେ ବି ପରା ମୁଁ ତୁମକୁ ଦିନଟେ ଛାଡ଼ି ରହି ପାରୁନାହିଁ ।

 

ଯେଉଁ କଥା କହିବା ପାଇଁ ଚାହୁଁଥିଲେ, କହିବା ପାଇଁ ସୁଯୋଗ ପାଇଗଲେ ।

 

କିନ୍ତୁ ଗୋଟେ ଦିନ ମତେ ଛାଡ଼ି କରି ରହିବାକୁ ପଡ଼ିବ ।

 

ମନେ ମନେ ବିମଳବାବୁ ଭାବିଲେ ଯେ ସ୍ତ୍ରୀ ବୋଧହୁଏ ଦିନେ ଦୁଇଦିନ ପାଇଁ ମା’ ଘରକୁ ଯିବା ପାଇଁ ବନ୍ଦୋବସ୍ତ କରୁଛନ୍ତି ।

 

ହସି ହସି କହିଲେ, କଣ କୁଆଡ଼େ ଯିବାର ଯୋଜନା ହେଉଛି ?

 

—ମଲା ମୋର, ମୁଁ କୁଆଡ଼େ ଯାଆନ୍ତି । ତୁମେ କଣ ସବୁ ଭୁଲିଗଲ । ତୁମେ ପରା ନଳିନୀ ଘରକୁ ଯିବ ବୋଲି କହୁଥିଲ ।

 

ବିମଳ ବାବୁ ହଠାତ୍‍ ଗମ୍ଭୀର ହୋଇଗଲେ ।

 

—ତା ହେଲେ ତୁମେ ନ ଯିବାପାଇଁ ସ୍ଥିର କରି ସାରିଛ ?

 

ଅଦିନ ବର୍ଷା ପରେ ପରେ ପବନରେ ଓଦା ମାଟି ଶୁଖିଗଲା ପରି ଦୁଇଜଣଙ୍କ ମୁହଁରୁ ଆନନ୍ଦର ରଶ୍ମି ଉଭେଇ ଗଲା ।

 

ଡରି ଡରି ଶୁଷ୍କ କଣ୍ଠରେ ବାସନ୍ତୀ ଦେବୀ କହିଲେ, ନା, ସେମିତି କଥା ନୁହେଁ, ତୁମେ ଏଥର ଯାଅ, ଆର ଥରକୁ ମୁଁ ନିଶ୍ଚୟ ଯିବି ।

 

କିଛିକ୍ଷଣ ପାଇଁ ମଉନ ହୋଇ ବସି ରହିଲେ ବିମଳ ବାବୁ ।

 

ସିଗାରେଟରେ ଅଗ୍ନି ସଂଯୋଗ କରି ଧୁଆଁ ଛାଡ଼ିବାକୁ ଲାଗିଲେ । ମନେ ମନେ ବାସନ୍ତୀ ଦେବୀଙ୍କ ପ୍ରତି ରାଗ ଯେତିକି ଲାଗିଲା, ଦୁଃଖ ବି ସେତିକି ଲାଗିଲା । ମାନ ଅଭିମାନର ଅଗ୍ନିସ୍ଫୁଲିଙ୍ଗ ଟିକିଏ ସାରା ଜୀବନକୁ ନଷ୍ଟ କରି ଦେବାକୁ ଯାଉଛି । ଜୀବନର ସମସ୍ତ ସୁଖ ଶାନ୍ତିକୁ ନଷ୍ଟ କରି ଦେବାକୁ ବସିଛି । କିଛି ନାହିଁ, ଖାଲି ଟିକିଏ ଅଭିମାନ, ସୁଖ ଶାନ୍ତିର ପାଚେରୀକୁ ସମୁଳେ ଉତ୍ପାଟିତ କରି ଦେବାକୁ ବସିଛି ।

 

କ୍ଷୁବ୍ଧ କଣ୍ଠରେ କହିଲେ, ଠିକ୍‍ ଅଛି, ନ ଯାଅ ତୁମେ । ତୁମେ ତୁମର ପଣ ରକ୍ଷାକର । କିନ୍ତୁ ମୁଁ ତ କନ୍ୟା ପିତା, କନ୍ୟାଦାନ କରିଛି । ମୁଁ ଆଉ ପଣ କରି ପାରିବି କେମିତି ? ମୁଁ କାଲି ସକାଳେ ବସରେ ଯିବି, ମୋର ଯିବାର ବ୍ୟବସ୍ଥା କରିଦେବ ।

 

ବିମଳ ବାବୁ ଖଟରେ ଶୋଇ ଛାତକୁ ଚାହିଁ ଚାହିଁ ସିଗାରେଟ ଟାଣିବାକୁ ଲାଗିଲେ ।

 

ସ୍ୱାମୀଙ୍କ ମୁହଁରୁ ଏଭଳି କଥା ଶୁଣି ବାସନ୍ତୀ ଦେବୀ କଣ କରିବେ ଠିକ୍‍ କରି ପାରିଲେ ନାହିଁ । ଯିବାପାଇଁ ଯଦି ବର୍ତ୍ତମାନ ହଁ କରି ଦିଅନ୍ତି ଭାବିବେ ମୋର ଯିବାପାଇଁ ଇଚ୍ଛା ଥାଇ ମଧ୍ୟ ଏପରି ଅଭିନୟ କରୁଥିଲି । କାଲି ସକାଳୁ ଯିବେ ତ, ପୂରା ରାତିଟି ସମୟ ଅଛି । ବର୍ତ୍ତମାନ ଆଉ କିଛି କଥା କହିବା ପାଇଁ ଉଚିତ ମନେ କଲେ ନାହିଁ ।

 

ରାନ୍ଧିବା ବାହାନା କରି ପଳେଇଲେ ।

 

ବିମଳ ବାବୁ ଭାବୁଥିଲେ, ଧନ୍ୟ ଏ ନାରୀ ଜାତି । ଜନ୍ମକଲା ସନ୍ତାନ ପାଇଁ ସବୁକିଛି ତ୍ୟାଗ କରିବାପାଇଁ ପ୍ରସ୍ତୁତ । କିନ୍ତୁ ସାମାନ୍ୟ ଏକ ବୁଝାମଣାର ଅଭାବରୁ ପଣ ରଖିବାକୁ ଯାଇ କେତେ ଅନ୍ତର୍ଦାହ ନ ସହୁଛି ?

 

ବିମଳ ବାବୁ ପହଞ୍ଚିଲା ବେଳକୁ ନଳିନୀ ଦେବୀ ପିଲାକୁ ଦୁଧ ଖୁଆଉଥିଲେ ।

 

ବିମଳ ବାବୁ ଡାକି ଡାକି ଯାଇ କମଳଲୋଚନଙ୍କ ପାଖରେ ପହଞ୍ଚିଲେ । ରିକ୍‍ସାବଲା ବେଡ଼ିଟା ବାରଣ୍ଡାରେ ଥୋଇଦେଇଗଲା ।

 

ବାପାଙ୍କ ଡାକ ଶୁଣି ନଳିନୀ ଦେବୀ ପିଲାକୁ ଅଧା ଦୁଧ ଖୁଆଇ ଶିଶୁଟିକୁ କାଖରେ ଧରି ଧାଉଁଥିଲେ । ପୁଣି କଣ ଭାବି ଟିକିଏ ଠିଆ ହେଲେ । ପାଖରେ ଚାକରାଣୀ ବସିଥିଲା । ତାକୁ ପିଲାଟିକୁ ଧରେଇ ଦେଇ ପାଣି ଗଡ଼ୁଏ ଧରି ବାପାଙ୍କ ପାଖକୁ ଗଲେ । ବାପାଙ୍କୁ ଏକାକୀ ଦେଖି ଆଉ ତାଙ୍କୁ ବୁଝିବାକୁ ଡେରି ହେଲା ନାହିଁ ଯେ ମା’ ଆସିନାହାନ୍ତି ।

ବାପାଙ୍କୁ ଓଳିଗିଟାଏ ହୋଇ ନରବରେ ଠିଆ ହେଲେ ।

ଝିଅର ମୌନତା ଦେଖି ବିମନବାବୁଙ୍କୁ ମୁହଁରୁ ମଧ୍ୟ କଥା ବାହାରିଲା ନାହିଁ ।

ବାପ ଝିଅଙ୍କ ମୌନତା ଦେଖି କମଳଲୋଚନ ପାଟି ଖୋଲିଲେ ।

—ଆଚ୍ଛା ଲୋକ ତୁମେ ସବୁ । କିଲୋ ନଳିନୀ ଯାହା ପାଇଁ ବାପାଙ୍କୁ ଚିଠି ଲେଖେଇ ଡକେଇଲୁ ତାକୁ ନ ଆଣି ଠିଆ ହୋଇଛୁ । ତୋର ବାପା କଣ ମତେ ଦେଖିବାପାଇଁ ଆସିଛି । ହାଃ ହାଃ ହାଃ ।

ନଳିନୀ ଦେବୀ ଯେପରି ଏହି କଥାପାଇଁ ଅପେକ୍ଷା କରିଥିଲେ, ଶୁଣିବା ମାତ୍ରେ ବଁ କରି ଯାଇ ପିଲାଟିକୁ ଧରି ଆସିଲେ ।

ବାପାଙ୍କ ହାତକୁ ପିଲାଟିକୁ ବଢ଼େଇବେ କି ନାହିଁ କିଛି ଠିକ୍‍ କରି ନ ପାରି ଠିଆ ହୋଇ ରହିଲେ ।

ବିମଳ ବାବୁ କିନ୍ତୁ ଝିଅକୁ ଅପେକ୍ଷା ନ କରି ନିଜେ ହାତ ବଢ଼େଇ ପିଲାଟିକୁ କାଖେଇ ନେଲେ ।

ପିଲାଟିକୁ କାଖେଇ ଧରି ବିମଳ ବାବୁ ମନେ ମନେ କହି ଚାଲିଲେ, ଆଃ କି ସୁନ୍ଦର ରାଜାପୁଅ ପରି ପିଲାଟାଏ । ଯଦିବା ପୁଅ କରିନିଏ କ୍ଷତି କଣ । ଏଭଳି ପୁଅଟାଏ ପାଇବା ଭଗବାନଙ୍କ ଅସୀମ କରୁଣା ।

ବିମଳ ବାବୁଙ୍କ ଏପରି ଚୁପ୍‍ ହୋଇ ରହିବା ଦେଖି କମଳଲୋଚନ ହସି ହସି କହିଲେ, କିରେ ସେମିତି ଚାହିଁ ରହିଛୁ କଣ ? ଆମ ରାଜାବାବୁଙ୍କୁ ନଜର ପକେଇବୁ ?

ବିମଳ ବାବୁଙ୍କ ମୁହଁରୁ ବାହାରି ପଡ଼ିଲା, ଆଃ କି ସୁନ୍ଦର ପିଲାଟିଏ ରେ କମଳ ।

ନଳିନୀ ଦେବୀଙ୍କ ଅନ୍ତର ଭିତରେ ଏକ ଆନନ୍ଦର ଢେଉ ଖେଳିଗଲା ।

ଅନ୍ତର ଭିତରର ଢେଉ କାଳେ ଆସି ମୁହଁରେ ଲହଡ଼ି ଭାଙ୍ଗିବ ଆଉ ତାହା କାଳେ ବାପାଙ୍କ ଆଖିରେ ପଡ଼ିଯିବ ଭାବି କହିଲେ, ବାପା, ଯାଅ ଗୋଡ଼ ଧୋଇବ, ମୁଁ ଚା ଜଳଖିଆ ନେଇ କରି ଆସୁଛି ।

କହିସାରି ଉତ୍ତରକୁ ଅପେକ୍ଷା ନ କରି ନଳିନୀ ଦେବୀ ସେଠାରୁ ଚାଲିଗଲେ ।

—ଦେ ଦେ ବିମଳ ଆମ ରାଜାବାବୁଙ୍କୁ ମୋ ପାଖରେ ଦେ ତୁ ଯା’ ଗୋଡ଼ ହାତ ଧୋଇ କରି ଆସ ।

ସେହିପରି କାଖରେ ଧରି ବିମଳ ବାବୁ କହିଲେ, ସତରେ କମଳ, ଭାରୀ ସୁନ୍ଦର ପିଲାଟିଏ ।

—ସବୁ ଭଗବାନଙ୍କ ଲୀଳା ବିମଳ, ନହେଲେ ପୃଥିବୀରେ ଏତେ ଜାଗା ଥିଲା, କିନ୍ତୁ ଆମ ପାଖକୁ ପିଲାଟି ଆସିଲା କେମିତି ପୃଥିବୀରେ କଣ ସ୍ଥାନର ଅଭାବ ଥିଲା ? ଅନାଥ ପିଲାଟିଏ, ଦୁଧ ଟିକିଏ ଖାଇବାକୁ ନ ଥିଲା । ଆମରି ପାଖକୁ ଆସିଛି ଦୁଧ ଖାଇବା ପାଇଁ । ଦେଖାଯାଉ ତା’ର ଭାଗ୍ୟରେ ଭଗବାନ କଣ ଲେଖିଛନ୍ତି ।

 

—ଆଚ୍ଛା କମଳ, ନଳିନୀ କଣ କହୁଛି ? ଜିଜ୍ଞାସୁ ନେତ୍ରରେ ଅନାଇ ରହିଲେ କମଳଲୋଚନଙ୍କୁ ।

 

ଆରେ ସେ କଣ କହିବ, ଏହାକୁ ରଖିବାପାଇଁ ତ ପ୍ରଥମେ ସେ ନିଜେ ପ୍ରସ୍ତାବ ଦେଲା । ଆଉ ଇଏ ଆସିଲାବେଳୁ ଦିନରାତି ତା’ ପଛରେ ଲାଗିଛି । ଯାହା ହୋଇଛି ସବୁ ଭଲ ହୋଇଛି ବିମଳ, ତାର ଅଭିଶପ୍ତ ଜୀବନରେ ଭଗବାନଙ୍କ ଏ ଆଶୀର୍ବାଦକୁ କୃତଜ୍ଞତା ନ ଜଣାଇ ରହି ପାରୁନାହିଁ ।

 

ମୁଁ ତତେ କାହିଁକି ଡକେଇଛି ଜାଣିଛୁ, ଭଗବାନଙ୍କ ଏହି ଆଶୀର୍ବାଦକୁ ଏକା ସାଙ୍ଗରେ ଗ୍ରହଣ କରିବା ପାଇଁ । ତୁ ଖାଲି ନଳିନୀର ବାପା ନୋହୁ, ମୁଁ ତୋର ଅନ୍ତରଙ୍ଗ ବନ୍ଧୁ । ତେଣୁ ଯାହା କିଛି ଭଲ ମନ୍ଦ, ଲାଭ କ୍ଷତି ତୁ ଜାଣିବା ନିହାତି ଦରକାର ।

 

ଆଉ କଣ କହିବାକୁ ଚାହୁଁଥିଲେ, କିନ୍ତୁ ନଳିନୀ ଦେବୀ ଜଳଖିଆ ନେଇ କରି ଆସିବାରୁ ଆଉ କହିଲେ ନାହିଁ ।

 

ବିମଳ ବାବୁ ପିଲାକୁ କମଳଲୋଚନଙ୍କ ଖଟରେ ରଖୁ ରଖୁ କହିଲେ, ଧର ଧର ତୁମ ରାଜାବାବୁଙ୍କୁ, ମୋର ଖାଇବା ଜିନିଷ ଆସିଲାଣି ।

 

ହାତ ଧୋଇବାପାଇଁ ଗଲେ ବିମଳ ବାବୁ ।

 

କମଳଲୋଚନ କହିଲେ, ମା’ ଆମ ରାଜାବାବୁ ତୋର ବାପାର ମନକୁ ପାଇଛି ।

 

ନଳିନୀ ଦେବୀ ଉତ୍ତର ନ ଦେଇ ଜଳଖିଆ ଟେବୁଲ ଉପରେ ରଖି ପାଖକୁ ଚୌକିଟାଏ ଟାଣି ଆଣିଲେ ।

 

ମନେ ମନେ ନଳିନୀ ଦେବୀ ଭାବିବାକୁ ଲାଗିଲେ । ବର୍ତ୍ତମାନ ତ ସମସ୍ତଙ୍କ ମନକୁ ପାଉଛି, ପସନ୍ଦ କରୁଛନ୍ତି । ଭଗବାନଙ୍କୁ ପ୍ରାର୍ଥନା କଲେ ତାକୁ ଏପରି ମଣିଷଟାଏ କରେ ଯେପରି ସାରା ଦୁନିଆ ତାକୁ ପସନ୍ଦ କରିବେ । ତାଙ୍କର ନାଆଁ ରହିବ ।

 

ସନ୍ଧ୍ୟାରେ ଦୁଇବନ୍ଧୁ ଗଳ୍ପର ଆସର ଜମେଇ ଦେଲେ ।

 

ଶୁଭେନ୍ଦୁର ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଦୁଇ ବନ୍ଧୁ ସୁଯୋଗ ପାଇଲେ ମନ ଖୋଲି ଗପ କରିବା ପାଇଁ ।

 

ଗଳ୍ପ ପ୍ରସଙ୍ଗରେ ବିଗତ ଦିନର ସ୍ମୃତି ସବୁ ଉଦ୍‍ଘାଟିତ ହେଲା । ଆଉ ଆସର ଜମିବାପାଇଁ ନଳିନୀ ଦେବୀ ମଝିରେ ମଝିରେ ଚା’ କପଟିଏ ଲେଖା ଯୋଗେଇ ଦେଉଥାଆନ୍ତି ।

 

ସବୁଦିନ ପରି କମଳଲୋଚନ ବକ୍ତା ଆଉ ବିମଳ ବାବୁ ଶ୍ରୋତା ।

 

ଧୀରେ ଧୀରେ ଗଳ୍ପର ସୁଅ ଅତୀତରୁ ଆସି ବର୍ତ୍ତମାନରେ ପହଞ୍ଚିଲା ।

 

ଅତୀତର ମଧୁମୟ ବସନ୍ତ ମଳୟ ପରେ ବର୍ତ୍ତମାନ ଗ୍ରୀଷ୍ମର ଘୁର୍ଣ୍ଣିବାତ୍ୟାରେ ଦୁହେଁ ଯେପରି ଅଣନିଶ୍ୱାସି ହେବାକୁ ଲାଗିଲେ ।

 

କିଛିକ୍ଷଣ ପାଇଁ କାହାରି ମୁହଁରୁ କଥା ବାହାରିଲା ନାହିଁ ।

 

ସମ୍ପୁର୍ଣ୍ଣ ନୀରବତା ।

 

ଦୁହେଁ ଅପେକ୍ଷା କରିଛନ୍ତି କିଏ ଆଗ କଥା କହିବ, ନୀରବତା ଭଙ୍ଗ କରିବ । ନୀରବତା ଭଙ୍ଗ କରିବ ନୁହେ ତ ମୁକ୍ତି ଦେବ ।

 

ସୌଭାଗ୍ୟକୁ ନଳିନୀ ଦେବୀ ଆସି ମୁକ୍ତି ଦେଲେ ଖାଇବାର ସମୟ ହୋଇଯାଇଛି ବୋଲି ସ୍ମରଣ କରାଇ ଦେଲେ । ଡେରି ପାଇଁ କ୍ଷମା ନାହିଁ ବୋଲି ସାବଧାନ କରାଇଦେଲେ ।

 

କମଳଲୋଚନ କହିଲେ, ଡେରି ପାଇଁ ତୁ ଦାୟୀ । ମଝିରେ ମଝିରେ ଚା’ କପଟିଏ ଲେଖା ଦେଇ ଯାଉଛୁ । ଆଉ ଆମେ ଗପରେ ମଜଗୁଲ ହୋଇ ଯାଇଛୁ । ଆଉ ଶୁଣ, ବିମଳର ଖାଇବାପାଇଁ ମଧ୍ୟ ମୋ ପାଖକୁ ନେଇଆ । ଆମେ ଦୁହେଁ ଏକାଠି ଖାଇବୁ ।

 

କମଳଲୋଚନ ବାବୁ ରାତିରେ ତାଙ୍କ ଶୋଇବା ଘରେ ଖାଉଛନ୍ତି ।

 

ନଳିନୀ ଦେବୀ ଚାଲି ଯାଉଥିଲେ, କମଳଲୋଚନ ପୁଣି ଡାକିଲେ ପଛରୁ । ମା’ ନଳିନୀ, ଆମର ଖାଇବାର ବ୍ୟବସ୍ଥା ତ ହେଉଛି । ଆମ ରାଜାବାବୁ ଖାଇ କରି ଶୋଇଲେଣି କି ନାହିଁ ।

 

ନଳିନୀ ଦେବୀଙ୍କ ଉତ୍ତରକୁ ଅପେକ୍ଷା ନ କରି ବିମଳବାବୁଙ୍କୁ କହିଲେ, ଭାରି ଅସୁବିଧା ହେଉଛି ବିମଳ, କଣ ନାଆଁଟିଏ ଦେବା କହିଲୁ, ନ ହେଲେ ପିଲାଟିକୁ ଡାକିବାରେ ଭାରି ଅସୁବିଧା ହେଉଛି ।

 

—ବାବା, ବାପା ତ ଆସିଛନ୍ତି, କାଲି ସତ୍ୟନାରାୟଣ ପୂଜାଟିଏ କରି ନାମକରଣଟାଏ କରିଦେଲେ ହୁଅନ୍ତା ନାହିଁ ? କହି ଆଶାୟୀ ନୟନରେ ଚାହିଁ ରହିଲେ କମଳଲୋଚନଙ୍କୁ ମୁହଁକୁ ।

 

ଆରେ ଠିକ୍‍ କଥା ତ, ନଳିନୀ ଠିକ୍‍ କଥାଟିଏ କହିଛି । ଏ ବିମଳ, କାଲି ତୋର ଯିବାର ବନ୍ଦ । କାଲି ନାମକରଣଟି କରି ଦେବା ।

 

କିଛି ଉତ୍ତର ନ ଦେଇ ଚୁପ୍ ହୋଇ ବସି ରହିଲେ ବିମଳ ବାବୁ ।

 

ବାପାଙ୍କ ନିରବତା ଦେଖି ନଳିନୀ ଦେବୀ ଅନାଇ ରହିଲେ ବାପାଙ୍କ ମୁହଁକୁ । ତା’ ହେଲେ କଣ ନାମକରଣ କରିବାଟା ବାପାଙ୍କ ପସନ୍ଦ ହେଉନାହିଁ ?

 

ହସି ହସି କମଳଲୋଚନ କହିଲେ, ଆରେ ତୋର ବାପା ମୁହଁକୁ କଣ ଅନେଇ ରହିଛୁ-? କଣ ସେ ରହିବ ନାହିଁ, ଚାଲିଯିବ ବୋଲି ସନ୍ଦେହ କରୁଛୁ । ସେ ରହିବ ଯେ ଖାଲି ଘରକୁ ଫେରିଲା ପରେ ତୋର ମା’ଙ୍କ ଛାଞ୍ଚୁଣୀ କଥା ମନେ ପଡ଼ିଯାଉଛି । ହାଃ ହାଃ ହାଃ ।

 

ତିନିହେ ହୋ ହୋ କରି ହସିଲେ ।

 

ହସ ଥମିଲା ପରେ କମଳଲୋଚନ କହିଲେ, ଯା ମା’ ଯା, ଖାଇବା ବ୍ୟବସ୍ଥା କର, ଡେରି ହେଉଛି । କାଲି ସତ୍ୟନାରାୟଣ ପୂଜା ପାଇଁ ମଧ୍ୟ ବ୍ୟବସ୍ଥା କରି ପକା ।

ନଳିନୀ ଦେବୀ ଖାଇବାର ବ୍ୟବସ୍ଥା କରିବା ପାଇଁ ଚାଲିଗଲେ ।

କମଳଲୋଚନ କହିଲେ, ନଳିନୀର ମୁହଁରେ ଆଜି ଏ ହସ ଦେଖି ମତେ ଏତେ ଆନନ୍ଦ ଲାଗୁଛି ବିମଳ, ଜୀବନରେ ମୁଁ କେବେ ଏତିକି ଆନନ୍ଦିତ ହୋଇ ନ ଥିବି ।

କମଳଲୋଚନଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିବାକୁ ଲାଗିଲା ।

ତାଙ୍କ ଆଖିରେ ଲୁହ ଦେଖି ବିମଳ ବାବୁ କହିଲେ, କିନ୍ତୁ କମଳ, ତୋର ଆଖିରେ ଲୁହ-?

ଆଖିର ଲୁହକୁ ପୋଛୁ ପୋଛୁ କମଳଲୋଚନ ଗଦ୍‍ଗଦ୍‍ କଣ୍ଠରେ କହିଲେ, ହଁ ବିମଳ, ମୋର ଆଖିରେ ଲୁହ, ମୋର ଆଖିରେ ଲୁହ, କିନ୍ତୁ ଏ ଲୁହ ଦୁଃଖର ନୁହେଁ; ଶୋକର ନୁହେଁ, ଏ ଲୁହ ଆନନ୍ଦର । ଆଜି ମୋର ସମସ୍ତ ଆଶଙ୍କା ଦୂର ହୋଇ ଯାଇଛି । ଭାବବିହ୍ୱଳ କଣ୍ଠରେ କହିଲେ, ତତେ ମୁଁ ସବୁକଥା କହିବି ବିମଳ, ଗୋଟି ଗୋଟି କରି ସମସ୍ତ କଥା କହିବି ।

ପାଣି ଆଣି ଖାଇବା ପାଇଁ ଆସନ କରିଦେଲେ କହିଲେ, ବାବା, ଆଜି ଆଉ ଟେବୁଲ ଚୌକି ନାହିଁ, ଦୁଇଜଣଯାକ ତଳେ ବସିବ ।

ତୋର ଯେମିତି ଇଚ୍ଛା ମା’, ଆମେ ତୋର ବିଶ୍ୱସ୍ତ ସନ୍ତାନ ।

ତିନିହେଁ ହସିଲେ । ଆଜି ଯେପରି ଏହି ଘରକୁ ନିର୍ବାସିତ ଫେରି ଆସିଛି । ଆଉ କମଳଲୋଚନଙ୍କ ଧାରଣା, ଏହି ଲକ୍ଷ୍ମୀବନ୍ତ ପିଲାଟି ତା’ର ସାଙ୍ଗରେ ପୁଣି ଏହି ଘରକୁ ହସ ଫେରେଇ ଆଣିଛି ।

ନଳିନୀଦେବୀ ଖାଇବା ଜିନିଷ ଆଣିବାକୁ ଗଲେ ।

ଖାଇସାରିଲା ପରେ କହିବି ବିମଳ, ଅନେକ କଥା, ଜରୁରୀ କଥା କହିବାକୁ ଅଛି । ଆଜି କହିବି ବୋଲି ଭାବୁଥିଲି ଯେ ଆମେ ତ ଗପରେ ମାତିଗଲେ, ମୋର ଆଉ ମନେ ପଡ଼ିଲା ନାହିଁ ।

ଖାଇବା ଜିନିଷ ନେଇ ଆସିଲେ ନଳିନୀ ଦେବୀ ।

ଦୁଇବନ୍ଧୁ ଖାଇବାକୁ ବସିଲେ ।

ନଳିନୀ ଦେବୀ ଦୁଆର ମୁହଁରେ ପଡ଼ିଥିବା ଗୋଟିଏ ଖଟୁଲିରେ ବସି ଦୁଇ ବନ୍ଧୁଙ୍କ ଖାଇବାର ଦେଖିବାକୁ ଲାଗିଲେ । କେଡ଼େ ଆନନ୍ଦରେ ଦୁଇଜଣ ଗପ କରି କରି ଖାଉଛନ୍ତି । ନଳିନୀ ଦେବୀଙ୍କ ବିବାହ ଆଗରୁ ମଧ୍ୟ ଦେଖିଛନ୍ତି, କମଳଲୋଚନ ଯେତେବେଳେ ତାଙ୍କ ଘରକୁ ଯାଉଥିଲେ । ସମସ୍ତ ମନରେ ଶାନ୍ତି ଓ ତୃପ୍ତିର ଆଭାସ ।

ଖାଇ ସାରିବା ପରେ ପୁଣି ଦୁଇବନ୍ଧୁ ଗପରେ ମାତିଗଲେ ।

ନଳିନୀ ଦେବୀ ପାନ ଆଣି ଦେଇ ବାପାଙ୍କୁ କହିଲେ ତୁମର ବିଛଣା, ମୁଁ ଆର ଘରେ କରି ଦେଇଛି । ମୁଁ ଯାଉଛି ଖାଇବାକୁ ।

 

କମଳଲୋଚନ କିନ୍ତୁ ବିମଳ ବାବୁଙ୍କୁ ପାଖରୁ ଛାଡ଼ିବାପାଇଁ ନାରାଜ ।

 

—ଶୁଣ ନଳିନୀ, ବିମଳ ଆଉ ଏକା ଏକା ସେ ଘରେ ଶୋଇବ କାହିଁକି । ତାର ବିଛଣାଟା ମୋ ଘରେ କରିଦେ ।

 

—ହଁ ହଁ, ବାପାଙ୍କ ବିଛଣାଟା ଏଇଠି କରିଦେଲେ ରାତି ପାହିଲା ପର୍ଯ୍ୟନ୍ତ ଗପି ହେବ ଆଉ ସକାଳୁ ଡାକ୍ତର ବାବୁଙ୍କୁ ଥରେ ଡାକି ରକ୍ତଚାପଟା ପରୀକ୍ଷା କରେଇ ନିଆଯିବ । କହିସାରି ନଳିନୀ ଦେବୀ ହସିଲେ ।

 

—ଆରେ ନାଇଁ ନାଇଁ, ଔଷଧ ଖାଇଲା ମାତ୍ରେ ମୁଁ ସିଧା ଲାଇଟ୍‍ଅଫ୍‍ କରିଦେବି । ମୋଟେ କଥା କହିବି ନାହିଁ । ସେଥିପାଇଁ ମା’ ତୁ ମୋଟେ ଚିନ୍ତା କରନା ।

 

ତା’ପରେ ବିମଳ ବାବୁଙ୍କୁ କହିଲେ, ବୁଝିଲୁ ବିମଳ ମୋ ମା’ ମୋ ଉପରେ ଏମିତି କଣ୍ଟ୍ରୋଲ ଜାରି କରିଛି ଯେ ଖାଇ ସାରିଲା ପରେ ମୁଁ ଆଉ ବହି ଖଣ୍ଡେ ବି ଓଲଟାଇ ପାରୁନାହିଁ । ଖାଇ ସାରିଲା ପରେ ଔଷଧ, ଔଷଧ ପରେ ଲାଇଟ ଅଫ୍‍ ।

 

ବିମଳ ବାବୁଙ୍କ ପାଇଁ ନଳିନୀ ଦେବୀ ବିଛଣା ପକାଉଥିଲେ, କହିଲେ ଖାଲି ଲାଇଟ ବନ୍ଦ ନୁହେଁ, ମୁହଁ ବି ବନ୍ଦ ।

 

ତିନିହେଁ ହସିଲେ ।

 

ବିଛଣା ପକେଇ ନଳିନୀ ଦେବୀ ଖାଇବା ପାଇଁ ଚାଲିଗଲେ ।

 

କମଳଲୋଚନ କହିଲେ, ସତରେ ମୁଁ ଆଉ ବଞ୍ଚିବି ବୋଲି ମୋଟେ ଆଶା ରଖି ନ ଥିଲି-। ନଳିନୀ ମୋତେ ପୁର୍ନଜନ୍ମ ଦେଲା । ତାର ଯେଉଁ ସେବା ଶୁଶ୍ରୁଷା ନିଜ ଝିଅବି ସେତିକି କରିବେ ନାହିଁ । ପ୍ରକୃତରେ ତାକୁ ବୋହୁ କରି ପାଇବା ମୋର ବହୁ ଜନ୍ମର ପୁଣ୍ୟ ଫଳ ।

 

ବିମଳ ବାବୁ ମନେ ମନେ ଭାବୁଥିଲେ, ସେ ନଳିନୀକୁ ଯେଉଁ ଶିକ୍ଷା ଦେଇଥିଲେ ଅକ୍ଷରେ ଅକ୍ଷରେ ସେ ପାଳନ କରିଛି ବିବାହ ପରେ ଝିଅର ପୁର୍ନଜନ୍ମ ହୁଏ । ଜନ୍ମକଲା ବାପ ମାଆଙ୍କ ସମସ୍ତ ମାୟା ଛାଡ଼ି ସେ ପୁଣି ଯାଇ ନୂଆ ବାପ ମାଆଙ୍କ ସ୍ନେହ ଆଦର ପାଏ । ତେଣୁ ସେହି ସ୍ନେହ ଆଦର ଭାଜନ ହେବାପାଇଁ ତାକୁ ମଧ୍ୟ ଉପଯୁକ୍ତ ହେବାକୁ ପଡ଼େ । ନଳିନୀ ଉପଯୁକ୍ତ ହୋଇଛି ସେହି ସ୍ନେହ ଆଦର ପାଇବା ପାଇଁ ।

 

ସିଗାରେଟରେ ନିଆଁ ଲଗେଇଲେ ବିମଳ ବାବୁ ।

 

—ଆରେ ଦେ’ରେ ମତେ ଖଣ୍ଡେ ଦେ, ଅନେକ ଦିନ ହେଲା ସିଗାରେଟ ଖଣ୍ଡେ ଖାଇନାହିଁ ।

 

ସିଗାରେଟ ଆଉ ଦିଆସିଲି ବଢ଼େଇ ଦେଲେ ବିମଳ ବାବୁ ।

 

ପକେଟରୁ ସିଗାରେଟ ଖଣ୍ଡେ ବାହାର କରି ଅଗ୍ନି ସଂଯୋଗ କଲେ କମଳଲୋଚନ । ପୁରୁଣା ସ୍ମୃତି ଜାଗି ଉଠିଲା, ମୁହଁ ତାଙ୍କର ଉଜ୍ଜଳ ହୋଇଗଲା । ଭଲ କରି ଦୁଇ ଦମ ଟାଣି କହିଲେ, ଆରେ ଏ ତୋର ମନେ ଅଛି, ଆମେ ଦୁହେଁ ସିନେମା ହଲରେ ବସି ସିଗାରେଟ୍ ଖାଉଥିଲୁ, ଆମର ପଛ ସିଟରେ ବସିଥିଲେ ମୋର ବାପା ।

 

ମୁହଁରୁ ଧୂଆଁ ଛାଡ଼ୁ ଛାଡ଼ୁ ବିମଳ ବାବୁ କହିଲେ, ସେ କଥା ଭୁଲି ହେବ ? ଆଜି ବି ମୋର ମନେ ଅଛି, ସେଟା କି ଖେଳ ଚାଲୁଥିଲା.........ଉଁ......ଉଁ ଦେବଦାସ । ହଁ ଦେବଦାସ ।

 

କମଳଲୋଚନ କହିଲେ—ହଁ ଦେବଦାସ ଚାଲୁଥିଲା ।

 

ବିମଳ ବାବୁ କହିଲେ, ରାତିରେ ତୁ ଡରିକରି ଆଉ ଘରକୁ ଗଲୁନାହିଁ, ଆମ ଘରେ ଶୋଇ ପଡ଼ିଲୁ । ସକାଳୁ ତୋର ମା’ ହାଜର ।

 

ଏଇ କାଲି ପରି ଲାଗୁଛି । ସିଗାରେଟ ଦମେ ଟାଣି ଧୂଆଁ ଛାଡ଼ି କହିଲେ, କିନ୍ତୁ କେତେ ପୁରାତନ ! ଆଜିକାଲି ଖଟରେ ଶୋଇ ଶୋଇ ମୁଁ ଆଜିକାଲି ଅତୀତରେ ସେହି ସବୁଜଦିନ ଗୁଡ଼ିକର ସ୍ୱପ୍ନ ଦେଖେଁ । ବର୍ତ୍ତମାନ ଯା’ର ଅଭିଶପ୍ତ, ଭବିଷ୍ୟତ ଯା’ର ଅନ୍ଧକାର, ସେ ସ୍ୱପ୍ନ ନ ଦେଖିଲେ ବଞ୍ଚିବ କେମିତି ? କମଳଲୋଚନ ଯେପରି ନିଜେ ନିଜକୁ କହୁଛନ୍ତି । ସ୍ୱପ୍ନହିଁ ଏକମାତ୍ର ସାନ୍ତ୍ୱନା ବଞ୍ଚି ରହିବା ପାଇଁ ।

 

ଏକେ ପିଲାଟି ଦିନରୁ ସେଣ୍ଟିମେଣ୍ଟାଲ ପ୍ରକୃତିର, ପୁଣି ଏବେ ଆହୁରି ସେଣ୍ଟିମେଣ୍ଟାଲ ହୋଇ ଯାଇଛନ୍ତି । ତେଣୁ କାଳେ ଅଧିକ ଉତ୍ତେଜିତ ହୋଇ ପଡ଼ିବେ ଭାବି ବିମଳ ବାବୁ କଥାରେ ମୋଡ଼ ପରିବର୍ତ୍ତନ କଲେ ।

 

କିନ୍ତୁ କମଳ ଆଜିକାଲି ଆଉ ପିଲାଙ୍କ ସେ ଭୟ ନାହିଁ ।

 

—କାହିଁକି, କଣ ଭୟ ନାହିଁ । ଜିଜ୍ଞାସୁ ନୟନରେ ଚାହିଁଲେ କମଳଲୋଚନ ।

 

—ଆରେ ଆଜିକାଲି ତ ସିନେମା ହଳର ସିଗାରେଟ ଖାଇବା ନିଷିଦ୍ଧ ।

 

ଓହୋ.........ହାଃ ହାଃ ହାଃ ।

 

ବିମଳ ବାବୁ ଖାଉଥିବା ଦରଖଣ୍ଡିଆ ସିଗାରେଟରେ ଆଉ ଗୋଟିଏ ସିଗାରେଟ ଲଗେଇ କହିଲେ, ରେଡ଼ି, ଆରମ୍ଭ କର ବର୍ତ୍ତମାନ ।

 

କମଳଲୋଚନ ବୁଝିପାରିଲେ ନାହିଁ । ବିମଳ ବାବୁଙ୍କ ମୁହଁଖୁ ଅନାଇ ରହିଲେ ।

 

ବିମଳ ବାବୁ ବୁଝିଲେ ଯେ କମଳଲୋଚନ ତାଙ୍କର କଥାକୁ ଧରି ପାରିଲେ ନାହିଁ ।

 

ଏସଟ୍ରେରେ ସିଗାରେଟ ଥୋଇ ଦେଇ ଶାର୍ଟଟା ଖୋଲି ଆଲଣାରେ ରଖିଦେଇ ଖଟରେ ଯାଇ ବସି ରହିଲେ, କଣ କହିବି ବୋଲି କହୁଥିଲୁ କହ, ମୁଁ ଶୁଣିବା ପାଇଁ ରେଡ଼ି ।

 

—ଠିକ୍‍ ମନେ ପକେଇଛୁ । ଶୁଭସ୍ୟ ଶୀଘ୍ରମ୍‍ । ନିମ୍ନ ସ୍ୱରରେ କହିଲେ, ଆଗେ ମୋତେ କହ ପିଲାଟିକୁ ତୋର ପସନ୍ଦ ଆସିଛି ?

 

—ଆଚ୍ଛା କଥା, ଏମିତି ସୁନ୍ଦର ପିଲାଟିକୁ ପସନ୍ଦ ନ ଆସିବାର କିଛି କାରଣ ତ ମୁଁ ଦେଖୁନାହିଁ ।

 

ତା ହେଲେ ପିଲାଟି ତୋର ମନକୁ ପାଇଛି । କମଳଲୋଚନ ଟିକିଏ ଗମ୍ଭୀର ହୋଇଗଲେ, ଯେପରି ସେ କିଛି ଚିନ୍ତା କରୁଛନ୍ତି ।

 

ବିମଳ ବାବୁ ସେଥିକି ଲକ୍ଷ୍ୟ ନ କରି କହିଲେ, ମୁଁ ପରା କହୁଚି କମଳ, ପିଲାଟିକୁ ଦେଖି କେହି କଳ୍ପନା ମଧ୍ୟ କରିପାରିବ ନାହିଁ ଯେ ଅନାଥ ପିଲାଟିଏ ବୋଲି । ଲକ୍ଷ୍ୟ କରିଛୁ, ତାର ମୁହଁରୁ କିପରି ଆଭିଜାତ୍ୟ ଫୁଟୁଛି ?

 

—ହୁଁ ! ଚୁପ୍‍କରି କଣ ଚିନ୍ତା କରିବାକୁ ଲାଗିଲେ କମଳଲୋଚନ । ସେ କଣ କହିବେ, କେଉଁପରି କହିବେ ଠିକ୍‍ କରି ପାରୁନାହାନ୍ତି ।

 

ବନ୍ଧୁଙ୍କ ମୁହଁରେ ଏପରି ଗାମ୍ଭୀର୍ଯ୍ୟ ଲକ୍ଷ୍ୟ କରି ବିମଳ ବାବୁ କହିଲ, ଆଚ୍ଛା, ଏହି କଥା କହିବା ପାଇଁ ଏତେ ଉପକ୍ରମଣିକା ?

 

—ନା, ନା, କମଳଲୋଚନ ଆଉ କିଛି ଭାବି ନ ପାରି ସିଧା ସଳଖ କହିଦେଲେ, ମୁଁ କଣ କହୁଥିଲି କି......ଏହି ପିଲାଟିକୁ ରଖିନେଲେ କେମିତି ହୁଅନ୍ତା, ମାନେ ତୋର କଣ ମତ ?

 

—ଆଉ କଣ ଘରୁ ବାହାର କରିଦେବା ପାଇଁ ଚିନ୍ତା କରୁଛୁ ? ସ୍ମିତ ହସି କହିଲେ ବିମଳ ବାବୁ ।

 

—ଉହୁଁ, ଧୀର ସ୍ଥିର ଭାବରେ କଥାଟିକୁ ଚିନ୍ତା କର ।

 

—କମଳ ଏଥିରେ ଆଉ ଚିନ୍ତା କରିବାର କିଛି ନାହିଁ, ମାନେ ଚିନ୍ତା କରିବା ପାଇଁ ଆଉ ବେଳ ନାହିଁ । ସେ ବେଳ ଚାଲିଯାଇଛି । ଅନାଥ ଶିଶୁଟିକୁ ଯେତେବେଳେ ଆଶ୍ରା ଦେଇ ସାରିଲୁଣି, ଆଉ ତାକୁ ନିରାଶ୍ରୟ କରନା ।

 

—ଉହୁଁ, ତୁ ବୁଝୁନାହୁଁ ।

 

—ଆରେ ବାବା, ତୁ ବୁଝେଇଲେ ସିନା ବୁଝିବି ।

 

—ମୁଁ କଣ କହୁଥିଲି କି, ଆଚ୍ଛା ଦେ ସିଗାରେଟ ଆଉ ଖଣ୍ଡେ ଦେ ।

 

ବିମଳ ବାବୁ ସିଗାରେଟ ଆଉ ଦିଆସିଲି ବଢ଼େଇଦେଲେ ।

 

ସିଗାରେଟରେ ଅଗ୍ନି ସଂଯୋଗ କରି କମଳଲୋଚନ ଆରମ୍ଭ କଲେ ମ୍ଳାନ କଣ୍ଠରେ, ନଳିନୀ ଅବସ୍ଥା ତ ଦେଖୁଛୁ । ଜୀବନରେ ବଞ୍ଚି ରହିବା ପାଇଁ ସାଥିଟିଏ ଲୋଡ଼ା, ସାହାରା ଟିକେ ଦରକାର, ଯାହାକୁ ଭରସା କରି ବଞ୍ଚି ରହିହେବ ।

 

ସିଗାରେଟ ଦମେ ଟାଣି ସିଗାରେଟ ଝୁଲା ଝାଡ଼ୁ ଝାଡ଼ୁ କହିଲେ, ଏକାକୀ ଜୀବନର ବ୍ୟଥା ନିଜ ଅଙ୍ଗେ ନିଭେଇଛି । ତୁ ତ ନିଜ ଆଖିରେ ଦେଖିଛୁ, ଶୁଭେନ୍ଦୁର ମା’ଙ୍କ ମୃତ୍ୟୁ ପରେ ଯେଉଁ କେତେ ବର୍ଷ ଶୁଭେନ୍ଦୁ ଯାଇ ମାମୁଁ ଘରେ ରହିଲା, ମୁଁ କିପରି ପାଗଳ ହୋଇ ଯାଉଥିଲି । ସ୍ତ୍ରୀଙ୍କ ମୃତ୍ୟୁ ପରେ ଶୁଭେନ୍ଦୁ ଥିଲା ମୋର ଆଶା ଭରସା ସବୁକିଛି । ଆଜି ସେ ବି ଚାଲିଯାଇଛି ।

 

କମଳଲୋଚନଙ୍କ କଣ୍ଠସ୍ୱର କରୁଣ ହେବାକୁ ଲାଗିଲା ।

 

—ବର୍ତ୍ତମାନ ନଳିନୀ ମୋର ସାହା ଭରସା । ଆଉ ମୁଁ ତାର ସାହା ଭରସା । ମୁଁ ତାକୁ ଆଶ୍ରା କରି ରହିଛି, ସେ ମତେ ଆଶ୍ରା କରି ରହିଛି ।

 

ପୁଣି ସିଗାରେଟ ଦମଟାଏ ଟାଣିଲେ କମଳଲୋଚନ । ମୁହଁକୁ ଲକ୍ଷ୍ୟ କଲେ ଜଣା ପଡ଼ୁଛି, ସେ ଅନେକ କଥା କହିବାକୁ ଚାହୁଁଛନ୍ତି କିନ୍ତୁ କଣ କହିବେ ଠିକ୍‍ କରି ପାରୁନାହାନ୍ତି ।

 

ବିମଳ, ମୋର ଅବସ୍ଥା ମୋଟେ ଭଲ ନୁହେଁ । ଏହି କେତେଦିନ ଭିତରେ ମୋର ଅକାଳ ବାର୍ଦ୍ଧକ୍ୟ ଆସିଯାଇଛି । ମୁଁ ବର୍ତ୍ତମାନ ପୌଷର ପତ୍ର, ସାମାନ୍ୟ ବତାସରେ ଝଡ଼ିଯିବି । ଆଉ ବିମଳ, ମୁଁ ଝଡ଼ିଗଲେ ନଳିନୀ ସାହାହୀନ, ଭରସା ହୀନ ହୋଇଯିବ ।

 

କମଳଲୋଚନଙ୍କ ମୁହଁରେ ଅକାଳ ମରଣର ଆତଙ୍କ ଛାଇଗଲା । ଆଉ ତାକୁ ଦୂର କରିବାପାଇଁ ଯେପରି ସେ ସିଗାରେଟ ଟାଣୁଛନ୍ତି ।

 

ଦୁଇ ତିନି ଦମ ସିଗାରେଟ ଟାଣି ଥୁଣ୍ଟିକୁ ଏସଟ୍ରେରେ ପକେଇ ଦେଲେ ।

 

କିଛିକ୍ଷଣ ପାଇଁ ଦୁଇବନ୍ଧୁ ନୀରବରେ ବସି ରହିଲେ ।

 

ପୁଣି କମଳଲୋଚନ ଆରମ୍ଭ କଲେ, ଏଇ କିଛିଦିନ ହେଲା ଏଇ କଥାଗୁଡ଼ିକ ମୋର ହୃଦୟ ଭିତରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । କଣ କରିବି ନ କରିବି ମୁଁ କିଛି ସ୍ଥିର କରି ପାରୁନାହିଁ । ବିଶେଷ କରି ଏହି ପିଲାଟି ଆସିବା ପରେ ମୁଁ ବେଶୀ ଚିନ୍ତିତ ହୋଇପଡ଼ିଛି । ମୁଁ କିଛି ଗୋଟାଏ ସିଦ୍ଧାନ୍ତରେ ଉପନୀତ ହୋଇ ପାରୁନାହିଁ । ତେଣୁ ତୋ ସାଙ୍ଗରେ କଥାଟିର ବିଚାର ଆଲୋଚନା କଲେ କିଛି ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିବା ସହଜ ହୋଇପାରେ ।

 

ବିମଳ ବାବୁ ନିଜେ ସିଗାରେଟ ଖଣ୍ଡେ ମୁହଁରେ ଦେଇ ଖଣ୍ଡେ କମଳଲୋଚନଙ୍କୁ ବଢ଼େଇ ଦେଲେ ।

 

କୌଣସିମତେ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ କମଳଲୋଚନ ଯେପରି ଆତୁର ହୋଇ ପଡ଼ୁଛନ୍ତି ।

 

—ମୁଁ ମୋର ବାପାଙ୍କ ଏକମାତ୍ର ସନ୍ତାନ ମୋର ବାପା ମଧ୍ୟ ଥିଲେ ମୋର ଅଜାଙ୍କ ଏକମାତ୍ର ସନ୍ତାନ । ଆଉ ଶୁଭେନ୍ଦୁଥିଲା ମୋର ଏକମାତ୍ର ସନ୍ତାନ । ତେଣୁ ଉତ୍ତରାଧିକାର ପାଇଁ ଆମ ବଂଶରେ ଆଉ କେହି ଜଣେ ହେଲେ ନାହାନ୍ତି ।

 

ଅବଶ୍ୟ, ମୋର ସମ୍ପତ୍ତି ମୁଁ ମଲା ପରେ କିଏ ଖାଇବ ସେ ଚିନ୍ତା ମୋର ମୋଟେ ନାହିଁ-। ମୋର ବର୍ତ୍ତମାନ ଏକମାତ୍ର ଚିନ୍ତା ନଳିନୀ ପାଇଁ । ନଳିନୀର ଚିନ୍ତା ଦିନ ରାତି ମୋ ମୁଣ୍ଡରେ ଖେଳୁଛି । ମୋର ବଞ୍ଚିବା ଭିତରେ ତା ପାଇଁ କିଛି ବ୍ୟବସ୍ଥା କରିବା ପାଇଁ ମନସ୍ଥ କରିଛି । କିନ୍ତୁ କଣ ବ୍ୟବସ୍ଥା କରିବି କିଛି ସ୍ଥିର କରି ପାରୁନାହିଁ । ଆଉ ମୁଁ ଯାହା, କହୁଥିଲି, ଏଇ ପିଲାଟି ଆସିବା ପରେ ମୋର ଚିନ୍ତା ବେଶୀ ବଢ଼ିଯାଇଛି ।

 

ବିମଳ ବାବୁ ଏଥର ମୁହଁ ଖୋଲିଲେ ।

 

—କମଳ ଖାଲି ଚିନ୍ତା କରି କିଛି ନାହିଁ । ଯାହା ହେବାର ସେ ନିଶ୍ଚୟ ହେବ । ତେବେ ଆମର ଯାହା କର୍ତ୍ତବ୍ୟ ତାହା କରିବାକୁ ପଡ଼ିବ । ଆଚ୍ଛା ତୁ କଣ କରିବା ପାଇଁ ସ୍ଥିର କରିଛୁ ଆଗେ କହିବୁ ।

 

—କିନ୍ତୁ ବିମଳ ଆଜି ମୁଁ ଯେଉଁ କଥା ତତେ କହିବି, ସେ କଥା ଅନ୍ତତଃ ମୋର ମୃତ୍ୟୁ ପର୍ଯ୍ୟନ୍ତ ଆଉ ଯେପରି କେହି ନ ଜାଣନ୍ତି ।

 

ଅନୁନୟ କଣ୍ଠରେ କହିଲେ, ତୁ ମତେ କଥା ଦେ ବିମଳ ଯେ ମୁଁ ଆଜି ତତେ କହିବି ତୁ ଆଉ କାହାରିକି କହିବୁ ନାହିଁ । ମୋର ମୃତ୍ୟୁ ପୂର୍ବରୁ ଯେପରି କେହି ନ ଜାଣନ୍ତି ।

 

କମଳଲୋଚନଙ୍କ ଭାବାତିଶଯ୍ୟ ଦେଖି ବିମଳ ବାବୁ ମଧ୍ୟ ଭାବାବେଗରେ କହିଲେ, ମୁଁ କଥା ଦେଉଛି କମଳ, କଥା ମୋ ଛଡ଼ା ଆଉ କେହି ଜାଣିବାରିବେ ନାହିଁ । ମୁଁ କଥା ଦେଉଛି ମନ ଖୋଲି ତୁ ତୋର ସବୁକଥା କହିଯା ।

 

—ଶୁଣ ତେବେ । କମଳଲୋଚନ ଟିକିଏ ନୀରବ ରହିଲେ କଣ କଣ କହିବେ ଯେପରି ସଜାଡ଼ି ନେଉଛନ୍ତି ।

 

—ଏହି ଯେଉଁ ପିଲାଟିକି ଆଜି ଆଶ୍ରୟ ଦିଆ ହୋଇଛି, ପିଲାଟି ହେଉଛି ବ୍ରାହ୍ମଣ କୁଳର-। ମୁଁ ସ୍ଥିର କରିଛି ମୋର ସ୍ଥାବର ଅସ୍ଥାବର ସମସ୍ତ ସମ୍ପର୍ତ୍ତିର ଅଧିକାରିଣୀ ହେବ ନଳିନୀ । ହଁ, ଏ ସମସ୍ତ ବିଷୟରେ ମୁଁ ନଳିନୀ ମତ ମଧ୍ୟ ନେଇଛି ଏବଂ ନଳିନୀର ପରେ ସମସ୍ତ ସମ୍ପତ୍ତିର ଅଧିକାରୀ ହେବ ଏହି ପିଲାଟି । ଏକଥା ମୁଁ ଉଇଲ କରିଦେବା ପାଇଁ ଚାହୁଁଚି ।

 

ତା ହେଲେ ପିଲାଟିକୁ ପୋଷ୍ୟପୁତ୍ର କରି ଦେଲେ ହୁଅନ୍ତା କି ? ପ୍ରସ୍ତାବ ଦେଲେ ବିମଳବାବୁ ।

 

ନା, ମୁଁ ସେକଥା ଚାହୁନାହିଁ, ଆଉ ସେଇଥିପାଇଁ ତ ଉଇଲ । ନ ହେଲେ ଉଇଲର ପ୍ରୟୋଜନ କଣ ?

 

—ପୋଷ୍ୟପୁତ୍ର କରିବାରେ ଅସୁବିଧା କଣ ?

 

—ଏ ସମାଜ ବଡ଼ ଅନ୍ଧ, ବିମଳ । ମୁଁ ଯଦି କାଲି ଏକଥା କରିଦିଏ, କାଲି ଯଦି ସମାଜ ଆଗରେ ମୁହଁ ଖୋଲି କହିଦିଏ ଯେ ପିଲାଟିକୁ ନଳିନୀ ପୋଷ୍ୟପୁତ୍ର କଲା, ସମାଜ ଆଖିରେ ପିଲାଟି ଈର୍ଷାର ପାତ୍ର ହୋଇଯିବ । ଫଳରେ ତାକୁ ଅନେକ ଯାତନା, ଅନେକ ଲାଞ୍ଛନା ସହିବାକୁ ପଡ଼ିବ । ମୁଁ ସେକଥା ଚାହେନା । ବରଂ ସେ ଏମିତି ଥାଉ, ସମାଜ ଆଖିରେ ଅନାଥ ହୋଇ ରହୁ । ଲୋକେ ତାକୁ ଆହା କରନ୍ତୁ, କିନ୍ତୁ ଘୃଣା କରନ୍ତୁ ନାହିଁ ।

 

ବିମଳ ବାବୁଙ୍କ ମନକୁ କଥାଟି ପାଇଲା ।

 

—ଠିକ୍‍ ଅଛି କମଳ, ସେଇଆ କର । ଏ ସମାଜ ଅନ୍ଧ । ଯଥାଶୀଘ୍ର ଉଇଲଟାଏ କରିଦେ ।

 

ଅନେକ ରାତି ହୋଇ ଯାଇଥିଲା ।

 

ଆରେ ଏ ବିମଳ, ତୁ ମତେ ଗାଳି ନ ଖୁଆଇ ଛାଡ଼ିବୁ ନାହିଁ । ଲିଭା ଲିଭା, ସେ ଲାଇଟ୍‍ଅଫ୍‍ କରି ଦେ,ନ ହେଲେ ଏ ଆଲୁଅ ଦେଖିଲେ ନଳିନୀ ପୁଣି ମୋର ଅବସ୍ଥା କରିଦେବ ।

 

ଦୁଇ ବନ୍ଧୁ ହୋ ହୋ କରି ହସି ଉଠିଲେ ।

 

ଲାଇଟ ଅଫ୍‍କରି ବିମଳ ବାବୁ କମଳଲୋଚନଙ୍କ କଥେ ଗୁଡ଼ିକ ଆଉ ଥରେ ପରଖି ଦେଖିଲେ ।

 

ବିମଳ ବାବୁ ଭାବିଲେ, କମଳ ଯାହା କହୁଛ ଏ ସମାଜ ବଡ଼ ଅନ୍ଧ । ଏକଥା ସତ । କିନ୍ତୁ ଯଦି ପୋଷ୍ୟପୁତ୍ର କରା ନ ଯାଏ । ପିଲାଟି ପକ୍ଷରେ ଅନିଷ୍ଟକାରକ ହୋଇପାରେ । କାରଣ ପିଲାଟି ବଡ଼ ହେଲା ପରେ ସେ ଯେତେବେଳେ ଜାଣିବ ଯେ ସେ ଅନାଥ, ନଳିନୀ ତାକୁ କେବଳ ଆଶ୍ରୟ ଦେଇଛି, ତାର ମନ ମଧ୍ୟରେ ନ୍ୟୂନଭାବ ଆସିଯାଇପାରେ । ସେ ଯେ ନିରାଶ୍ରୟ, ତାକୁ ଦୟା ପରବଶ ହୋଇ ଆଶ୍ରୟ ଦିଆଯାଇଛି, ସେ ସମସ୍ତଙ୍କ ଦୟାର ପାତ୍ର, ଏହି ଚିନ୍ତା ତାର ସମସ୍ତ ବ୍ୟକ୍ତିତ୍ୱକୁ ଗ୍ରାସ କରିଦେବ । କିନ୍ତୁ ଏ ପାଖରେ, ଯଦି ପୋଷ୍ୟପୁତ୍ର ବୋଲି ଜାଣିବେ ଆରମ୍ଭରୁ ତାକୁ ଈର୍ଷା କରିବେ, ଘୃଣା ମଧ୍ୟ ।

 

ବିମଳ ବାବୁ ଆଉ କିଛି ଭାବି ପାରିଲେ ନାହିଁ ।

 

କେବଳ ସତ୍ୟନାରାୟଣଙ୍କ ପୂଜାଟିଏ କରି ଅତି ନିରାଡ଼ମ୍ୱର ଭାବରେ ପିଲାଟିର ନାମକରଣ ହୋଇଗଲା ।

 

ପାଖ ପଡ଼ୋଶୀ ଦୁଇ ଚାରିଜଣଙ୍କ ବ୍ୟତୀତ ଆଉ କାହାରିକି ଡକା ଯାଇ ନ ଥିଲା । ଏପରିକି କମଳଲୋଚନ ତାଙ୍କର କୌଣସି ବନ୍ଧୁଙ୍କୁ ମଧ୍ୟ ଡାକି ନ ଥିଲେ ।

 

ତହିଁ ଆରଦିନ ବିମଳବାବୁ ଘରକୁ ବାହାରିଲେ ।

 

ଯିବା ଆଗରୁ ଝିଅକୁ ଡାକି କହିଲେ, ଦେଖ୍‍ ନଳିନୀ, ନାମକରଣ ତ ହୋଇଗଲା । ବର୍ତ୍ତମାନ ସରୋଜକୁ ମଣିଷ କରିବା ଭାର ତୋ ଉପରେ । ପର ପୁଅକୁ ନିଜର କରିଛୁ । ଅତି ଗେଲବସରର କରି ତାକୁ ନଷ୍ଟ କରିଦେବୁ ନାହିଁ । ଗେଲବସର ଅଭାବରେ ଯେପରି ପିଲା ନଷ୍ଟ ହୋଇ ଯାଆନ୍ତି, ଅତି ଗେଲବସର ପାଇଁ ମଧ୍ୟ ପିଲା ନଷ୍ଟ ହୋଇଯାଆନ୍ତି । ଏଇ କଥାଟି ସବୁବେଳେ ମନେ ରଖିଥିବୁ । ଆଉ ଗୋଟିଏ କଥା ସବୁବେଳେ ମନେ ରଖିଥିବୁ, ଯଦି କେହି ସରୋଜର ଅତ୍ୟଧିକ ପ୍ରଶଂସା କରେ କିମ୍ୱା କେହି ଯଦି ତା ବିରୁଦ୍ଧରେ କହେ, କାହାରି କଥାକୁ କାନ ଦେବୁ ନାହିଁ ।

 

ହଉ ମା’ ମୁଁ ଯାଉଛି । ବର୍ତ୍ତମାନ ତୋ କୋଳରେ ଦୁଇଟି ପୁଅ, ସରୋଜ ଆଉ କମଳ । ଦୁଇଜଣଙ୍କ ଯତ୍ନ ନେବୁ । ଦୁହେଁ ତତେ ଅନେଇ ରହିଛନ୍ତି ।

 

ଆସିଲାବେଳୁ ଏ ପର୍ଯ୍ୟନ୍ତ ବାପାଙ୍କୁ ମା’ଙ୍କ କଥା ପଚାରିବା ପାଇଁ ଚାହୁଁଥିଲେ ମଧ୍ୟ ପଚାରି ପାରି ନ ଥିଲେ । ବିମଳ ବାବୁ ମଧ୍ୟ ଝିଅ ମନରେ ଦୁଃଖ ନ ଦେବାକୁ ସେ ବିଷୟରେ କିଛି ହୁ ନ ଥିଲେ ।

 

ବର୍ତ୍ତମାନ ବାପା ଫେରିଯାଉଛନ୍ତି । ଢଳ ଢଳ ଆଖିରେ ନଳିନୀ ଦେବୀ କହିଲେ, ବାପା, ମା’ କଣ ମୋତେ ପୂରାପୂରି ଭୁଲିଗଲେ, ମତେ ଆଉ କ୍ଷମା କରିବେ ନାହିଁ ?

 

ତୁ ମା’ଙ୍କ କଥା ମୋଟେ ଚିନ୍ତା କର ନାହିଁ । ତୁ ତୋର କର୍ତ୍ତବ୍ୟ କରିଛୁ । ମା’ ମନ ବୁଝୁନାହିଁ, ବଳେ ସବୁ ଠିକ୍‍ ହୋଇଯିବ । ପୁଣି ସେ ତୋ ପାଖକୁ ଆସିବେ । ମୁଁ ନିଜେ ସାଙ୍ଗରେ ନେଇ କରି ଆସିବି । ସେଥିପାଇଁ ତୁ ମୋଟେ ଚିନ୍ତା କରନାହିଁ ।

 

ନଳିନୀ ଦେବୀ କଇଁ କଇଁ କରି କାନ୍ଦିବାକୁ ଲାଗିଲେ ।

 

ବିମଳ ବାବୁ ସରୋଜକୁ ପାଇ କରିଥିଲେ । ନଳିନୀ ଦେବୀଙ୍କ କାନ୍ଦିବା ଦେଖି କଣ ଭାବି ସେ ମଧ୍ୟ କାନ୍ଦିବାକୁ ଲାଗିଲା ।

 

—କାନ୍ଦନା ନଳିନୀ, ତୋର କାନ୍ଦିବା ଦେଖି ସରୋଜ ମଧ୍ୟ କାନ୍ଦିଲାଣି । ନେ’ ଧର । ମୋ ମା’ଟି ପରା, କାନ୍ଦନା । ତୋର ଆଖିରେ ଲୁହ ଦେଖିଲେ, କମଳର ଆଖିରୁ ଲୁହ ଝରିବ ।

 

ସରୋଜକୁ ଧରି ନଳିନୀ ଦେବୀ ପଣତ କାନିରେ ଲୁହ ପୋଛିଲେ ।

 

ସରୋଜ କାନ୍ଦିବା ଭୁଲିଯାଇ ହସିବାକୁ ଲାଗିଲା ।

 

ବିମଳ ବାବୁ ମୁହଁ ପୋଛିବା ବାହାନାରେ ରୁମାଲରେ ଆଖିର ଲୁହକୁ ପୋଛି ନେଲେ ।

 

ବେଗ୍‍ଟି ଧରି କହିଲେ, ଯାଉଛି ମା’ ବେଳ ହେଲାଣି ।

 

ମୁଣ୍ଡିଆ ମାରି ନଳିନୀ ଦେବୀ କହିଲେ, ମା’ଙ୍କୁ କହିବ ସରୋଜକୁ ଦେଖିବାକୁ ଆସିବେ-

 

ଆରେ ଆସିବାକୁ କହିବି କଣ, ମୁଁ ଯାଉଛି ନିଜେ ସାଙ୍ଗରେ ଧରି ଆସିବି ।

 

ଆଶୀର୍ବାଦ କରି ବିମଳ ବାବୁ ଚାଲିଗଲେ ।

 

ଝରକା ପାଖେ ଠିଆ ହୋଇ ନଳିନୀ ଦେବୀ ଅନେଇ ରହିଲେ ବାପାଙ୍କ ଯିବା ବାଟକୁ ।

 

କୋହ ସମ୍ଭାଳି ପାରୁନାହାନ୍ତି । ଆଖିରୁ ଝର ଝର ହୋଇ ବୋହି ଯାଉଛି ଲୁହ ।

 

ବିମଳ ବାବୁ ଅନେକ ଦୂର ଚାଲିଗଲେଣି । ରିକ୍‍ସା ଆଉ ଦେଖା ଯାଉନାହିଁ । କଇଁ କଇଁ କରି କାନ୍ଦିବାକୁ ଲାଗିଲେ ନଳିନୀ ଦେବୀ ।

 

ତାଙ୍କର କାନ୍ଦିବା ଦେଖି ସରୋଜ ମଧ୍ୟ କାନ୍ଦିବାକୁ ଲାଗିଲା ।

 

ସରୋଜର କାନ୍ଦ ଶୁଣି କମଳଲୋଚନ ପାଟି କଲେ । ଆରେ ତାକୁ କନ୍ଦାଉଛ କାହିଁକି ? ନେଇଆସ ତାକୁ ମୋ ପାଖକୁ ।

 

କମଳଲୋଚନଙ୍କ ପାଟି ଶୁଣି ନଳିନୀ ଦେବୀ ସରୋଜକୁ ଜୋରରେ ଛାତିରେ ଚାପି ଧରିଲେ । ଭୁଲେଇବା ପାଇଁ ଚେଷ୍ଟା କଲେ ।

 

ସରୋଜ କିନ୍ତୁ ଆହୁରି ଜୋରରେ କାନ୍ଦୁଛି ।

 

କଣ କରିବେ ନଳିନୀ ଦେବୀ ଭାବି ପାରିଲେ ନାହିଁ । ସେଆଡ଼େ କମଳଲୋଚନ ପାଟି କରୁଛନ୍ତି ।

 

ଭାରି କଷ୍ଟରେ ସରୋଜର କାନ୍ଦ ବନ୍ଦ ପଡ଼ିଲା ।

 

ମୁହଁକୁ ଭଲ ଭାବରେ ପୋଛି ନଳିନୀ ଦେବୀ ସରୋଜକୁ ନେଇ କମଳଲୋଚନଙ୍କ ପାଖକୁ ଗଲେ ।

 

କିଲୋ କଣ ହେଲା ଯେ ରାଜାବାବୁ କାନ୍ଦି କରି ପୃଥିବୀ କମ୍ପେଇ ଦେଉଛନ୍ତି ।

 

ନଳିନୀ ଦେବୀ ଆଉ କଣ ଜବାବ ଦେବେ । ଚୁପ୍‍ ହୋଇ ଠିଆ ହୋଇ ରହିଲେ ।

 

ଆଖିରୁ ଲୁହ ସିନା ପୋଛି ଦେଇଥିଲେ, ମୁହଁ ଦେଖି କମଳଲୋଚନଙ୍କୁ ବୁଝିବାକୁ ଡେରି ହେଲା ନାହିଁ ଯେ ନଳିନୀ ଦେବୀ ମଧ୍ୟ କାନ୍ଦୁଥିଲେ ।

 

ସାନ୍ତ୍ୱନା ଦେବାପାଇଁ କମଳଲୋଚନ କହିଲେ, ଶୁଣ ନଳିନୀ ମୁଁ ବିମଳକୁ କହିଛି ଆସନ୍ତା ମାସରେ ତୁ ଦିନେ ଦୁଇଦିନ ପାଇଁ ଯାଇ ଘରଆଡ଼ୁ ଥରେ ବୁଲିକରି ଆସିବୁ । ବିମଳ ଆସିବ ତତେ ନେଇ କରି ଯିବ । ଆଉ ଏବେ ତ ମୁଁ ଭଲ ଅଛି, ମୋର କିଛି ଅସୁବିଧା ହେବ ନାହିଁ-

 

ନାଇଁ ବାବା, ତୁମେ ବାପାଙ୍କୁ ଲେଖିଦିଅ, ମୁଁ ଯିବିନାହିଁ । ଅଭିମାନ ଭରା କଣ୍ଠରେ କହିଲେ ନଳିନୀ ଦେବୀ ।

 

ଧୂତ୍‍ପାଗଳୀ, ଅଭିମାନ କରିଛି । ମା’ଙ୍କ ପାଖରେ କି ଅଭିମାନ ଲୋ ? ମୁଁ ତୋ ପାଖରେ ଅଭିମାନ କଲେ ଚଳିବ ।

 

ମୁଣ୍ଡ ତଳକୁ କରି ଠିଆ ହୋଇ ରହିଲେ ନଳିନୀ ଦେବୀ ।

 

—ଦେ ଦେ ସରୋଜକୁ ମତେ ଦେ, ଆସ ରାଜାବାବୁ ଆସ ।

 

ନଳିନୀ ଦେବୀ ସରୋଜକୁ କମଳଲୋଚନଙ୍କ ପାଖରେ ଖଟରେ ବସେଇ ଦେଲା ।

 

ହଁ, ତୁ ଏବେ ଯା ମୋ ପାଇଁ ଗୋଟେ କପ ଚା’ ଆଣିଦେବୁ ।

 

କମଳଲୋଚନ ସକାଳୁ ଦୁଇ କପ୍‍ ଚା’ ଖାଇ ସାରିଲେଣି । ଅନ୍ୟଦିନ ହୋଇଥିଲେ ନଳିନୀ ଦେବୀ ମନା କରି ଦେଇଥାଆନ୍ତେ, ଆଜି କିନ୍ତୁ ମନା କଲେନାହିଁ ।

 

କିଛି ସମୟ ପରେ ନଳିନୀ ଦେବୀ ଚା’ ତିଆରି କରି ନେଇ ଆସିଲେ ।

 

ନଳିନୀ ଦେବୀଙ୍କ ହାତରେ ଖାଲି ଚା’ କପ୍‍ଟିଏ ଦେଖି କମଳଲୋଚନ କହିଲେ । ଆଉ ଆମ ରାଜାବାବୁଙ୍କ ଦୁଧ ?

 

ସେ ଦୁଧ ଖାଇ ସାରିଛି ।

 

ଚା’ କପ୍‍ଟି ହାତରେ ଧରି କମଳଲୋଚନ କହିଲେ ମୋ ପାଇଁ ଲେମ୍ୱୁ ଚା’ ତିଆରି କରିବୁ ।

 

—ଏ ବଦମାସ, ଏବେ ଦୁଧ ଖାଇଛି, ପୁଣି ଚା’ ଖାଇବ । ସରୋଜ ଚା’ କପ୍‍‍ ଦେଖି କମଳଲୋଚନଙ୍କ ହାତକୁ ଟାଣୁଥିଲା । ତାକୁ ଖଟରୁ ଉଠେଇ ନେଇ କୋଳରେ ଧରି କହିଲେ, ଦୁଧ ଚା’ କଣ ହେଲା ଯେ ଖାଲି ଲେମ୍ୱୁ ଚା’ ଖାଇବ ବାବା ।

 

—ଆମ ରାଜାବାବୁଙ୍କ ପାଇଁ ଦୁଧ ଦରକାର । ମୋର ଲେମ୍ୱୁ ଚା ହେଲେ ବି ଚଳିଯିବ ।

 

ସ୍ମିତ ହସି ନଳିନୀ ଦେବୀ କହିଲେ, ଠିକ୍‍ ଅଛି, ଡାକ୍ତର ବାବୁଙ୍କୁ ପଚାରିବା ।

 

—ଏଇତ ମୁସ୍କିଲ । ପ୍ରତ୍ୟେକ କଥାରେ ଡାକ୍ତରଙ୍କ ପରାମର୍ଶ ।

 

କ୍ରୋଧାଭିନୟ କରି କହିଲେ, ଶୁଣ ନଳିନୀ, ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଗଲିଣି । ତୁ ଆଉ ସେ ଡାକ୍ତରକୁ ଡାକନା । ବନ୍ଧୁ ବୋଲି ତାକୁ ଡାକିଲି, କିନ୍ତୁ ବର୍ତ୍ତମାନ ଦେଖୁଚି ସେ ମୋ ଉପରେ ଅଯଥା କଟକଣା ଜାରି କରି ବସିଛି । ଏଥର ମନୋରଞ୍ଜନ ଆସିଲେ ମୁଁ ତାକୁ ସଫା ସଫା ଶୁଣେଇ ଦେବି ଯେ ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଗଲିଣି । ମୋର ଆଉ କୌଣସି ଡାକ୍ତରର ପ୍ରୟୋଜନ ନାହିଁ । ସେ ମୋ ଘରକୁ ଆସିଲେ ବନ୍ଧୁ ହିସାବରେ ଆସିବ, ଡାକ୍ତର ଭାବରେ ନୁହେଁ ।

 

ଶ୍ୱଶୁର ରାଗିଯାଇଛନ୍ତି ବୋଲି ନଳିନୀ ଦେବୀ ଭୟଭୀତ ହୋଇ ପଡ଼ିଥିଲେ ।

 

ହୋ ହୋ କରି ହସି ଉଠିଲେ କମଳଲୋଚନ ।

 

ନଳିନୀ ଦେବୀଙ୍କ ଭୟାତୁର ମୁହଁରେ ହସ ଖେଳିଗଲା ।

 

ଘରେ ପହଞ୍ଚି ବିମଳ ବାବୁ ସ୍ତ୍ରୀଙ୍କୁ ସରୋଜର ନାମକରଣ, ନଳିନୀର ସରୋଜ ପ୍ରତି ସ୍ନେହ, କମଳଲୋଚନ ବାବୁଙ୍କ ସ୍ୱାସ୍ଥ୍ୟ ବିଷୟରେ ସବୁ କଥା ଟିକିନିଖି କରି ବର୍ଣ୍ଣନା କରିଗଲେ ।

 

ବାସନ୍ତୀ ଦେବୀ ସ୍ୱାମୀଙ୍କ ମୁହଁରୁ ସବୁ କଥା ଶୁଣି ସାରିଲା ପରେ ଦୀର୍ଘ ଶ୍ୱାସଟାଏ ଛାଡ଼ି କହିଲେ, ମୁଁ ଯେଉଁ କଥା ଆଶଙ୍କା କରୁଥିଲି......କଣ ଭାବି ଅଟକି ଗଲେ ।

 

ସ୍ତ୍ରୀଙ୍କ ମୁହଁରେ ଏପରି କଥା ଶୁଣି ବିମଳବାବୁ ବିରକ୍ତ କଣ୍ଠରେ କହିଲେ, କହିଯାଅ, ଅଟକିଗଲ କାହିଁକି, କଣ ତୁମର ଆଶଙ୍କା ଟିକିଏ ଶୁଣାଅ ।

 

ସ୍ୱାମୀଙ୍କ ପାଖକୁ ଲାଗି ଆସି ବାସନ୍ତୀ ଦେବୀ କହିଲେ ବୁଝିଲ ନଳିନୀ ବାପା, ଏତେଦିନ ହେଲା ଘର ସିନା କଲେଣି ଘରକରଣା କଥା ଟିକିଏ ଶିଖିଲ ନାହିଁ ।

 

ବିମଳ ବାବୁ ଆଉ ଟିକିଏ ବିରକ୍ତ ହୋଇଗଲେ । ମନେ ମନେ କହିଲେ, ହାୟରେ ଭଗବାନ, ଧନ୍ୟ ତୁମର ଏ ନାରୀ ସୃଷ୍ଟି ।

 

କିଛି ନ କହି ବିମଳ ବାବୁ ନୀରବତା ଶ୍ରେୟ ମନେ କଲେ ।

 

ବାସନ୍ତୀ ଦେବୀ କିନ୍ତୁ ଖାଣ୍ଟି ସ୍ତ୍ରୀ । ସ୍ୱାମୀଙ୍କ ମୁହଁ ଦେଖି ମନ କଥା ଜାଣି ପାରନ୍ତି ।

 

ସ୍ୱାମୀଙ୍କ ମୁହଁ ଦେଖି ସେ ଜାଣିଗଲେ ଯେ ସ୍ୱାମୀ ତାଙ୍କ କଥା ଶୁଣି ବିରକ୍ତ ହେଉଛନ୍ତି । ପ୍ରୟୋଗ କଲେ ଅସ୍ତ୍ର ।

 

ଗେଲେଇ ହୋଇ କହିଲେ, କଥା କହିଲେ ବିରକ୍ତ ହେଉଛ, ମୁଁ କଣ କହୁଛି ଆଗେ ଥରେ ଶୁଣ ।

 

ବିମଳ ବାବୁ ଆଉ ଧୈର୍ଯ୍ୟ ଧରି ପାରିଲେ ନାହିଁ । ଧୈର୍ଯ୍ୟ ଧରିବାର ଗୋଟାଏ ସୀମା ଅଛି । ସ୍ତ୍ରୀ ଏମିତି ମନ ଇଚ୍ଛା କହି ଯାଉଥିବ, ଆଉ ପୁରୁଷ ଖାଲି ଶୁଣୁଥିବ । ଅସମ୍ଭବ । ପୌରୁଷ ବୋଲି ତ ଗୋଟାଏ ଅଛି ।

 

—ହଉ କୁହ ତୁମର ପ୍ରଖର ଘରକରଣା କଥା । ତୁମର ପ୍ରବୀଣ ଘରକରଣା ବୁଦ୍ଧିର ପରିଚୟ ଦିଅ ।

 

ବାସନ୍ତୀ ଦେବୀ ଦେଖିଲେ ତାଙ୍କର ଅସ୍ତ୍ର ପ୍ରୟୋଗ ବିଫଳ ହୋଇଛି । ପ୍ରୟୋଗ କଳେ ଅମୋଘ ଅସ୍ତ୍ର ।

 

କଇଁ କଇଁ କରି କାନ୍ଦିବାକୁ ଲାଗିଲେ ବାସନ୍ତୀ ଦେବୀ ।

 

ବିମଳ ବାବୁ କିନ୍ତୁ ଅଟଳ । ଅମୋଘ ଅସ୍ତ୍ର ସୁଦ୍ଧା ସ୍ପର୍ଶ କରି ପାରିଲା ନାହିଁ ।

 

ରୁକ୍ଷ କଣ୍ଠରେ ବିମଳ ବାବୁ କହିଲେ, ବୁଝିଲ, ନଳିନୀର ମା, ଖାଲି କଇଁ କଇଁ କାନ୍ଦି କାନ୍ଦି ଘରକରଣା ବୁଦ୍ଧିର ପରିଚୟ ଦିଆହୁଏ ନାହିଁ । ମୁଁ କିଛି କହୁନାହିଁ ବୋଲି ଧୀରେ ଧୀରେ ତୁମେ ମୋ ଉପରେ ଚଢ଼ି ବସୁଛ । କିନ୍ତୁ ମନେରଖ, ମହାପାତ୍ର ବଂଶରେ ସେ କଥା ହୋଇପାରିବ ନାହିଁ । ସ୍ତ୍ରୀ ସ୍ତ୍ରୀ, ଆଉ ସ୍ୱାମୀ ସ୍ୱାମୀ । ସ୍ତ୍ରୀ ଅଧୀନରେ ରହିବା ମହାପାତ୍ର ବଂଶର ଖାନଦାନୀରେ ନାହିଁ ।

 

ବିମଳ ବାବୁ ରାଗରେ ଶାର୍ଟଟା ପିନ୍ଧି ଘରୁ ବାହାରିଗଲେ ।

 

ଘରେ ପହଞ୍ଚୁ ପହଞ୍ଚୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବାସନ୍ତୀ ଦେବୀ ଅନୁତାପ କଲେ । ଏତେ ଦୂରରୁ ଆସି ମୁହଁରେ ପାଣି ଟୋପାଏ ବି ପଡ଼ିନାହିଁ ପୁଣି ବାହାରିଗଲେ ।

 

କେତେଥର ସେ ପ୍ରତିଜ୍ଞା କରିଛନ୍ତି ସ୍ୱାମୀଙ୍କୁ କଡ଼ା କଥା ନ କହିବା ପାଇଁ । କିନ୍ତୁ ଏ କାଳତୁଣ୍ଡ ମୁହଁରୁ କଥା ବାହାରି ପଡ଼ନ୍ତୁ ।

 

ଠାଏ ଠାଏ ବସି କରି ଦୁଇ ଚାପୁଡ଼ା ଦୁଇ ଗାଲରେ ମାରି ହେଲେ, ନିଜର ଭୁଲ ପାଇଁ ।

 

ବାସନ୍ତୀ ଦେବୀଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା ।

 

ମନେ ମନେ ପ୍ରତିଜ୍ଞା କଲେ, ଯାହା ହୋଇଗଲେ ବି ଆଉ କିଛି କଡ଼ା କଥା କହିବେ ନାହିଁ । ସ୍ୱାମୀଙ୍କ ମନରେ ତିଳେ ହେଲେ ଦୁଃଖ ଦେବେ ନାହିଁ ।

 

ବେଦନା ଅନୁଶୋଚନାରେ ଝରୁଥିବା ଆଖିର ଲୁହକୁ ସେ ପାଛିଲେ ନାହିଁ । ଝରିଯାଉ, ସରିଯାଉ, ଅନ୍ତର ଭିତରଟା ନିର୍ମଳ ହୋଇଯାଉ ।

 

ସନ୍ଧ୍ୟାର ଆକାଶରେ ଟିକି ଟିକି ତାରଫୁଲ ସବୁ ଫୁଟିବାକୁ ଲାଗିଲେ । ସମୀକରଣ ସ୍ପର୍ଶରେ କୃଷ୍ଣଚୂଡ଼ା ଗଛରେ ମର୍ମର ଧ୍ୱନି ଉଠୁଛି ।

 

ଅନ୍ଧକାର ଘନେଇ ଆସୁଛି ।

 

ବାସନ୍ତୀ ଦେବୀ ବାରଣ୍ଡାର ଗୋଟିଏ ଚୌକିରେ ବସି ବିମଳ ବାବୁଙ୍କ ଆଗମନକୁ ପ୍ରତୀକ୍ଷା କରିଛନ୍ତି ।

 

ଚୁଲିରେ ଧୁ ଧୁ ନିଆଁ ଜଳୁଛି, ଡେକଚିରେ ପାଣି ଫୁଟୁଛି ।

 

ବୁଲି ବୁଲି ବିମଳ ବାବୁ ଫେରିଲେ । ଓଠରେ ସିଗାରେଟର ନିଆଁ ଦପ ଦପ କରୁଛି ।

 

ବାସନ୍ତୀ ଦେବୀ ଉଠି ଯାଇ ଗରମ ପାଣି, ଦୁଧ, ଚିନି, ଚା’ ଦେଇ କପ୍‍ଟିଏ ଧରି ଆସି ପହଞ୍ଚିଲେ ।

 

ସ୍ତ୍ରୀଙ୍କ ହାତରେ ଚା’ କପଟି ଧରି ପହଞ୍ଚିବାର ଅର୍ଥ ବିମଳ ବାବୁ ଜାଣନ୍ତି । କିନ୍ତୁ ସେ ଆଜି ସହଜରେ ଟଳିବେ ନାହିଁ । ଗମ୍ଭୀର ଘରେ ବସି ରହିଲେ ସେ ।

 

ବାସନ୍ତୀ ଦେବୀ ମଧ୍ୟ ବୁଝିଗଲେ ଯେ ସ୍ୱାମୀଙ୍କ ଅଭିମାନ ଏ ପର୍ଯ୍ୟନ୍ତ ଭାଙ୍ଗିନାହିଁ ।

 

ଯେମିତି କିଛି ଘଟଣା ଘଟି ନାହିଁ, ଟେବୁଲ ଉପରେ ଚା’ଟା ଥୋଇଦେଇ କହିଲେ, ଆରେ ବସିଲ କଣ, ମୁହଁ ହାତ ଧୂଅ ଚା’ ଖାଇବ ।

 

ବିମଳ ବାବୁ ଗମ୍ଭୀର ହୋଇ ବସି ଚିନ୍ତା କରୁଥିଲେ ସେ ଖାଇବେ କି ନାହିଁ । ସେଇ ବସରେ ଆସିଲାବେଳେ ଚା’ କିଏ ଖାଇଥିଲେ । ଘରୁ ରାଗିକରି ବଜାରରେ ବୁଲିଲାବେଳେ କେଟଲଟେ ଦେଖିବା ମାତ୍ରେ ଚା’ କପଟିଏ ଖାଇବା ପାଇଁ ତ ଇଚ୍ଛା ହୋଇଛି । କିନ୍ତୁ ରାଗରେ ସେ ଚା’ଖାଇ ନାହାନ୍ତି ।

 

ବର୍ତ୍ତମାନ ସେ ଆଖି ଆଗରେ ଚା’ କପଟି ଦେଖି ଲୋଭ ସମ୍ଭାଳି ପାରୁନାହାନ୍ତି । ବର୍ତ୍ତମାନ ରାଗଟା ଟିକିଏ ଶାନ୍ତ ପଡ଼ି ଆସୁଛି ।

 

ବିମଳ ବାବୁ ଭାବିଲେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି, ଏଥିରେ କରି ନ ଖାଇବାଟା ବୋକାମି । ନିଜ ରାଗ ନିଜକୁ ଖାଇବ । ଆଜି ନ ହେଲେ କାଲି ତ ସ୍ୱାମୀ ସ୍ତ୍ରୀ ପୁଣି ମିଳିମିଶି ଚଳିବେ । ପାନ ଚା’ ନଖାଇ ଆତ୍ମାକୁ କଷ୍ଟ ଦେବାଟା ବୃଥା ।

 

କିଛି କଥା ନ କହି ବିମଳ ବାବୁ ଯାଇ ଗୋଡ଼ ହାତ ଧୋଇ ଚା’ କପଟି ଧରି ଖଟରେ ବସି ଚା’ ଖାଇବାକୁ ଲାଗିଲେ ।

 

ବାସନ୍ତୀ ଦେବୀ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଲାଗିଗଲେ ।

 

ଟେବୁଲ ଉପରୁ ସିଗାରେଟ ଓ ଡିଆସିଲି ଆଣି ଖଟରେ ଥୋଇଲେ । ଚୌକିଟିଏ ଖଟ ପାଖକୁ ଆଣି ବସି ପଡ଼ିଲେ ।

 

ବିମଳ ବାବୁ ମନେ ମନେ ଗର୍ବ ଅନୁଭବ କଲେ । ସ୍ତ୍ରୀ ତାଙ୍କୁ ଡରୁଛନ୍ତି ।

 

ଚା’ ଖାଇସାରି ସିଗାରେଟର ଅଗ୍ନି ସଂଯୋଗ କଲେ ବିମଳ ବାବୁ ।

 

ବାସନ୍ତୀ ଦେବୀ ପୁଣି ଉଠିଯାଇ ପାନ ଡବାଟି ଆଣି ପାଖରେ ଥୋଇ ପୁଣି ଚୌକିରେ ବସିଲେ ।

 

ବିମଳ ବାବୁ ଖଟରୁ ଉଠିଯାଇ ଆରାମ ଚୌକିରେ ଗୋଡ଼ ଲମ୍ୱେଇ ଆରାମରେ ସିଗାରେଟ ଟାଣିବାକୁ ଲାଗିଲେ ।

 

ବାସନ୍ତୀ ଦେବୀ ଭାବିଲେ ଏହା ପ୍ରକୃଷ୍ଟ ସମୟ ।

 

—ତୁମେ ଆସିଲାବେଳକୁ ନଳିନୀ କଣ କହୁଥିଲା ।

 

କାଏଦାରେ ସିଗାରେଟ ଧୂଆଁ ଛାଡ଼ୁ ଛାଡ଼ୁ ବିମଳ ବାବୁ କହିଲେ, ହଁ ଅନେକ କଥା କହୁଥିଲା । ଟିକିଏ ନୀରବ ରହି ପୁଣି କହିଲେ, କିନ୍ତୁ ତୁମେ ତ ତାର କେହି ନୁହଁ, ତୁମକୁ କହି ଲାଭ କଣ ?

 

ହସି ହସି ବାସନ୍ତୀ ଦେବୀ କହିଲେ, ମଲାମୋର, ଦଶମାସ ଗର୍ଭରେ ଧରି ଜନ୍ମ କରିଛି ମୁଁ ତାର କେହି ନୁହେଁ ।

 

ଯଦି ସେଇଆ ହୋଇଥାଆନ୍ତା, ତୁମର ସେହି ପଣ ରଖି ପାରି ଥାଆନ୍ତ ।

 

ବାସନ୍ତୀ ଦେବୀ ସ୍ୱାମୀଙ୍କୁ ଖୁସି କରାଇବା ପାଇଁ ପ୍ରତିଜ୍ଞାବଦ୍ଧ ।

 

—ଖାଲି ସେହି ପୁରୁଣା କଥା । ଯାହା ହେବାରତ ହେଲା । ଖାଲି ସେହି ପୁରୁଣା କଥାକୁ ଘାଣ୍ଟିଲେ କଣ ହେବ । ସବୁବେଳେ ସେହି ପୁରୁଣା କଥାକୁ ଧରି ବସିଲେ ଚଳିବ ? ଘର କରିଥିଲେ ପଥର ପଡ଼ିଲେ ସହି ।

 

ବିମଳ ବାବୁ ଦେଖିଲେ ସ୍ତ୍ରୀଙ୍କ ମନ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଔଷଧ ଦେଲେ କାଟୁ କରିପାରେ ।

 

ମୁଁ ବି ସେଇଆ କହୁଛି ନଳିନୀର ମା’ ତୁମେ କିନ୍ତୁ ମୋର କଥା ମୋଟେ ଶୁଣୁନାହଁ, ମୋର କଥା ମୋଟେ ବୁଝୁ ନାହିଁ ।

 

—ମୁଁ ସବୁ ଶୁଣୁଛି, ସବୁ ବୁଝୁଛି । କିନ୍ତୁ ବୁଝି କରି ବି ବୁଝି ପାରୁନାହିଁ । ମା’ ମନ ବୁଝି ପାରୁନାହିଁ । ତୁମେ ମତେ ନ ବୁଝେଇଲେ ଆଉ ମତେ ବୁଝେଇବ କିଏ ? ଦଶ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଲି ତା’ର ଏପରି ଅବସ୍ଥା, ମୋର ଅନ୍ତର କାନ୍ଦୁଛି । ସହି ନ ପାରି ସେଦିନ କଣ ବୋଲି କଣ କହି ପକାଇଲି ।

 

ବାସନ୍ତୀ ଦେବୀଙ୍କ ଆଖିରେ ଲୁହ ଢଳ ଢଳ ହେଲା ।

 

ବିମଳ ବାବୁଙ୍କର ବାସନ୍ତୀ ଦେବୀଙ୍କ ପ୍ରତି କ୍ରୋଧ ବଦଳରେ ଦୟା ହେଲା । ଦଶ ମାସ ଗର୍ଭରେ ଧରି ଯେ ଜନ୍ମ କରିଛି ତା’ର ଏପର ଅବସ୍ଥା ହେବା ସ୍ୱାଭାବିକ ।

 

—ନଳିନୀ ବହୁତ କାକୁତି ମିନତି କରି ତୁମକୁ ଥରେ ଯିବ ପାଇଁ କହିଛି । ଆଉ ଯଦି ତୁମେ ଯିବାପାଇଁ ରାଜି ନ ହୁଅ ଚିଠି ଲେଖିଲେ ସେ ନିଜେ ଆସିବ ।

 

ନା ନା ମୁଁ ଯିବି, ସେ ବି ଆସିବ ମୁଁ ତାକୁ ସାଙ୍ଗରେ ନେଇ କରି ଆସିବି । କିଛି ଦିନ ମୋ ପାଖରେ ରହିକରି ଯିବ ।

 

ହଁ, ବର୍ତ୍ତମାନ ତା’ର ଆସିବାରେ କିଛି ଅସୁବିଧା ନାହିଁ । କମଳ ତ ଭଲ ହୋଇଗଲାଣି ।

 

ବାସନ୍ତୀ ଦେବୀ ଖୁସି ମନରେ ରୋଷେଇ ଘରକୁ ଗଲେ ।

 

ବିମଳ ବାବୁ ମନେ ମନେ ଭାବିଲେ ଯାହା ହେଉ ସ୍ତ୍ରୀଙ୍କ ମନ ପରିବର୍ତ୍ତନ ହୋଇଛି, ଜ୍ଞାନୋଦୟ ହୋଇଛି । ଭୁଲ ବୁଝାମଣାଟାଏ ଦୂର ହୋଇଯିବ ଏବେ । ବର୍ତ୍ତମାନ ସେ ସ୍ତ୍ରୀଙ୍କ ତରଫରୁ କମଳଲୋଚନ ପାଖରେ କ୍ଷମା ପ୍ରାର୍ଥନା କରିବେ ।

 

ଆଜି କାଲି ବିମଳ ବାବୁ ସନ୍ଧ୍ୟା ହୋଇଗଲେ ଆଉ ବାହାରେ ରହନ୍ତି ନାହିଁ । ଘରକୁ ଫେରି ଆସନ୍ତି ।

 

ଘରେ ବସି ବସି ବହି, ଖବର କାଗଜ, ପତ୍ରପତ୍ରିକା ପଢ଼ନ୍ତି । ମଝିରେ ମଝିରେ ଗଳ୍ପ କିମ୍ୱା କବିତାଟିଏ ଲେଖି ପକାନ୍ତି ।

 

ଆଗେ ସେ ପ୍ରତିଦିନ ଦୁଇ ତିନି ଘଣ୍ଟା କିଛି ନା କିଛି ଲେଖୁଥିଲେ ।

 

ଆଜି କାଲି ଖାଲି ସମ୍ପାଦକମାନଙ୍କ ଅନୁରୋଧରେ ବରାଦିଆ ଲେଖୁଛନ୍ତି ।

 

କେହି ବନ୍ଧୁ କାହିଁକି ଲେଖା ଲେଖି କରୁନ ବୋଲି ପ୍ରଶ୍ନ କଲେ କହନ୍ତି, ଆମର ଲେଖା ପଢ଼ିବ କିଏ ? ଯୁଗ ବଦଳି ଗଲାଣି । ସାମ୍ୱାଦିକତାର ପ୍ରସାର ଫଳରେ ସାହିତ୍ୟର ଧାରା ସଙ୍କୁଚିତ ହୋଇ ଯାଉଛି । ଆଉ ଲୋକେ ସାହିତ୍ୟର ଗଭୀର ଜଳରେ ପ୍ରବେଶ କରି ମୋତି ଦେଖାଇବ ପାଇଁ ପ୍ରୟାସ କରୁନାହାନ୍ତି । ସତ କଥା, ସହଜରେ, ବିନା ପ୍ରୟାସରେ ଆନନ୍ଦ ଟିକିଏ ମିଳି ଯାଉଛି, ହେଉପଛେ କ୍ଷଣିକ, ତାକୁ ଗ୍ରହଣ ନ କରି ଗଭୀର ଜଳରେ ପ୍ରବେଶ କରି ପ୍ରୟାସସିଦ୍ଧ ମୋତି ପାଇଁ ହାତ ପତେଇବେ କାହିଁକି ? ପୁଣି ସାମ୍ୱାଦିକତାରେ ଅର୍ଥ ବେଶୀ । ଫଳରେ ଇଂଲଣ୍ଡ ଆଦି ଦେଶରେ ବଡ଼ ବଡ଼ ଲେଖକ ସବୁ ସାମ୍ୱାଦିକତା କରିବା ଆରମ୍ଭ କରି ଦେଲେଣି । ଖାଲି ବହି ଲେଖି ପେଟ ଚଳୁ ନାହିଁ ।

 

ଆମେ କିନ୍ତୁ ପଛରେ ପଡ଼ି ଯାଇଛୁ । ଯୁଗ ସହିତ ତାଳ ଦେଇ ପାରୁ ନାହୁଁ । ଆମର ଲେଖା ଆଉ ଯୁଗୋପଯୋଗୀ ହୋଇ ପାରୁନାହିଁ । କିନ୍ତୁ ବଞ୍ଚି ରହିବାର ମୋହ ଛାଡ଼ି ପାରୁନାହୁଁ । କାଳେ ଲୋକେ ଭୁଲିଯିବେ, ପାଠକେ ଆଉ ନାଆଁଟି ମନେ ରଖିବେ ନାହିଁ ଭାବି ମଝିରେ ମଝିରେ ଲେଖାଟିଏ ପତ୍ରପତ୍ରିକାକୁ ପଠାଇ ଦେଉଛୁଁ । ଆଉ ସମ୍ପାଦକମାନେ ମଧ୍ୟ ଆମର ଲେଖା ଯାହା ହେଉ ପଛେ ସୂଚୀପତ୍ରରେ ଆମର ନାଆଁଟି ଦେଇ ପତ୍ରିକାକୁ ଶ୍ରୀମଣ୍ଡିତ କରିବାକୁ ଚାହୁଁଛନ୍ତି । ସେଥିପାଇଁ ମାଗି କରି ଆମ ପାଖରୁ ଲେଖା ନେଉଛନ୍ତି । ପାଠକମାନେ ମଧ୍ୟ ପ୍ରତିଷ୍ଠିତ ଲେଖକଙ୍କ ଲେଖା ବୋଲି ପଢ଼ୁଛନ୍ତି । ସମାଲୋଚକମାନେ ନାନା ପ୍ରକାର ଅର୍ଥ କରୁଛନ୍ତି ।

 

ସେଦିନ ସନ୍ଧ୍ୟାରେ ସ୍ତ୍ରୀଙ୍କ ମାନସିକ ପରିବର୍ତ୍ତନରେ ବିମଳ ବାବୁ ବଡ଼ ହାଲୁକା ବୋଧ କଲେ । ଏତେଦିନ ଧରି ଯେଉଁ ଚିନ୍ତା ତାଙ୍କୁ ବିବ୍ରତ କରି ପକାଉଥିଲା, ତାହା ଦୂର ହୋଇଯାଇଛି ।

 

ସ୍ତ୍ରୀଙ୍କୁ ଆଉ କପେ ଚା’ ପାଇଁ କହି ବାରଣ୍ଡାରେ ଆରାମ ଚୌକିରେ ବସି ଗୋଟିଏ ପରେ ଗୋଟିଏ ସିଗାରେଟ ଟାଣିବାକୁ ବସିଲେ ।

 

ଫଗୁଣର ଦ୍ୱିତୀୟା ଜହ୍ନ ଉଠିଲାଣି ଆକାଶରେ ।

 

ମଝିରେ ମଝିରେ ଝଲକାଏ ମଳୟ ସହକାର ବନ ସ୍ୱର୍ଶକରି ଆସି ସୁରଭିତ, ରୋମାଞ୍ଚିତ କରି ଦେଉଛି ।

 

ଶିହରି ଉଠୁଛନ୍ତି ବିମଳ ବାବୁ ।

 

ବାସନ୍ତୀ ଦେବୀ ଚା’ ଆଣି ଦେଇ ବୁଝିଗଲେ ଯେ ଏହା କିଛି ଲେଖିବାର ପୂର୍ବାଭାସ ।

 

ଚା’ କପଟି ଦେଇ କିଛି ନ କହି ଚାଲିଗଲେ । ରୋଷେଇ ଘରେ ଚୁଲିରେ ପୁଣି ପାଣି ବସେଇଲେ ।

 

କିଛି ସମୟ ଏମିତି ଗଲା ପରେ ବିମଳ ବାବୁ ସ୍ତ୍ରୀଙ୍କୁ ଆଉ କପେ ଚା’ ପାଇଁ ବରାଦ କରି ଉଠି ନିଜ କୋଠରୀକୁ ଯାଇ ଟେବୁଲ ଉପରୁ କବିତା ଖାତାଟି ଆଣି ଖଟରେ ବସିଲେ । ତା’ପରେ ମୁହଁ ମାଡ଼ି ହୋଇ ପେଟ ତଳେ ତକିଆଟି ଦେଇ ଲେଖିବାକୁ ଆରମ୍ଭ କଲେ ।

 

ଲେଖାଲେଖି କଲାବେଳେ ବିମଳ ବାବୁ ଏମିତି ଖଟରେ ଶୋଇ ଶୋଇ ଲେଖନ୍ତି ।

 

ଖଟ ପାଖରେ ଷ୍ଟୁଲରେ ଚା’ ରଖି ବାସନ୍ତୀ ଦେବୀ ଚାଲିଗଲେ ।

 

କବିତାଟିଏ ଲେଖି ସାରି ବିମଳ ବାବୁ ସ୍ତ୍ରୀଙ୍କୁ ଡାକିଲେ ।

 

ରୋଷେଇ ଘରେ ଥାଇ ବାସନ୍ତୀ ଦେବୀ ଜଣିଗଲେ ଯେ ଲେଖା ସରିଗଲା ବୋଲି । ବର୍ତ୍ତମାନ ପଢ଼ି ଶୁଣାଇବେ ।

 

ବିମଳ ବାବୁଙ୍କ ପ୍ରତ୍ୟେକ ଲେଖାର ପ୍ରଥମ ଶ୍ରୋତା ବାସନ୍ତୀ ଦେବୀ । ଇଚ୍ଛା ଥାଉ ବା ନଥାଉ, ବୁଝନ୍ତୁ ବା ନ ବୁଝନ୍ତୁ, ଯେତେ କାମ ଥିଲେ ବି ଛାଡ଼ିକରି ଆସି ଶୁଣିବାକୁ ବାଧ୍ୟ । ଖାଲି ସେତିକି ନୁହେଁ, ଭଲ ହୋଇଛି ବୋଲି କହିବାକୁ ପଡ଼ିବ । ନ ହେଲେ ଏହା ଯେ ଉତ୍କୃଷ୍ଟ ଲେଖାଟିଏ ସେଥିପାଇଁ ତର୍କ କରି ବସିବେ । ତେଣୁ ବାସନ୍ତୀ ଦେବୀ, ଶୁଣିଲାବେଳେ ରୋଷେଇ କଥା କିମ୍ୱା କଳିଗାଈ କଥା ଭାବୁଥିବେ ପଛେ ଶୁଣି ସାରିଲା ପରେ ପ୍ରଶଂସାରେ ଶତମୁଖ ହୋଇ ପଡ଼ନ୍ତି ।

 

ସ୍ତ୍ରୀଙ୍କୁ ଦେଖି ଗଦ୍‍ଗଦ୍‍ କଣ୍ଠରେ କହିଲେ ବିମଳ ବାବୁ, ବୁଝିଲ ନଳିନୀର ମା’, ତୁମେ ମତେ ଆଜି ମତୁଆଲା କରିଦେଲ ।

 

—ମଲା ମୋର, ମୁଁ କଣ କଲି ତୁମକୁ, କଉ ନିଶା ଦେଇ ମତୁଆଲା କଲି ।

 

—ଆଜିର ଏହି ବସନ୍ତ ବାସନ୍ତୀ ଦେବୀ, ଆଜିର ଏହି ବସନ୍ତ ମତେ ମତୁଆଲା କରିଦେଲା ।

 

—ଓହୋ, ସେଇଥିପାଇଁ ଏହି କବିତାଟି ଲେଖି ପକାଇଲ ?

 

—ଶୁଣ ଶୁଣ କେମିତି ସୁନ୍ଦର କବିତାଟିଏ ।

 

କବିତାଟି ପଢ଼ିବାକୁ ଆରମ୍ଭ କରିଦେଲା । ସତେ ଯେମିତି ସେ କୌଣସି ଏକ ବିରାଟ କବିତା ପାଠୋତ୍ସବରେ କବିତା ପଢ଼ୁଛନ୍ତି ।

 

ପଢ଼ିସାରି ପଚାରିଲେ, କେମିତି ଲାଗିଲା ?

 

—ଛି ଛି, ଏ ବୟସରେ ବି ଏମିତି କବିତା ଲେଖନ୍ତି । ତୁମର ମନେ ହେଉଛି ଯେପରି ଏବେ ବି ତୁମର ବୟସ ଯାଇନି, ବସନ୍ତ ଏବେ ବି ବସା ବାନ୍ଧିଛି ତୁମର ମନ ଉପବନରେ ।

 

ବୟସ ସିନା ଚାଲି ଯାଉଛି, ତୁମେ ଯେ ମୋ ସାଥେ ସାଥେ ରହିଛ ।

 

କିଛି ନ କହି ବାସନ୍ତୀ ଦେବୀ ହସି ଦେଲେ ।

 

ବିମଳ ବାବୁ ଅପଲକ ନୟନରେ ଅନେଇ ରହିଲେ ବାସନ୍ତୀ ଦେବୀଙ୍କୁ ।

 

—କଣ ଦେଖୁଛ ? ପ୍ରଶ୍ନ କଲେ ବାସନ୍ତୀ ଦେବୀ ।

 

—ତୁମକୁ ଦେଖୁଛି ।

 

ଖଟରୁ ଉଠି ଯାଇ ସ୍ତ୍ରୀଙ୍କ ହାତ ଦୁଇଟି ଧରି କହିଲେ ତୁମକୁ ଦେଖୁଚି ।

 

ହାତ ଦୁଇଟି ସ୍ୱାମୀଙ୍କ ହାତ ମୁଠାରୁ ଛଡ଼େଇବା ପାଇଁ ଚେଷ୍ଟା କରି, ହୁଁ, ବୟସ ଯେତିକି ବଢ଼ୁଚି ରସିକତା ବି ସେତିକି ବଢ଼ୁଚି, ଅସଭ୍ୟତା ବଢ଼ୁଛି । ହୁଁ, ସତେ ଯେମିତି ପିଲା ହୋଇଯାଉଛି ।

 

ଆହୁରି ଜୋରରେ ହାତ ଦୁଇଟିକୁ ଚାପି ଧରି କହିଲେ, ତୁମେ ଜାଣନା ବାସନ୍ତୀ ସଭ୍ୟ ମଣିଷ ଟିକିଏ ସୁଯୋଗ ପାଇଲେ ଅସଭ୍ୟ ହୋଇପଡ଼େ । ତୁମେ ଜାଣିନ ।

କହୁ କହୁ ବିମଳ ବାବୁ ପିଲାଖେଳ ଆରମ୍ଭ କରିଦେଲେ । ବାସନ୍ତୀ ଦେବୀଙ୍କ ମୁଣ୍ଡର ବାଳ ମୁକୁଳା କରିଦେଲେ, ମୁହଁ ଲାଲ କରିଦେଲେ ।

ଆଉ ବାସନ୍ତୀ ଦେବୀ ବିମଳ ବାବୁଙ୍କ ଶାର୍ଟର ବୋତାମ ଛିଣ୍ଡେଇ ଦେଲେ, ବେକରେ ନଖର ଦାଗ ବସେଇ ଦେଲେ ।

ମଝିରେ ମଝିରେ ସେମାନେ ଏହିପରି ଖେଳ ଖେଳନ୍ତି । ମାଳ ବାବୁ କହନ୍ତି ରସିକତା, ବାସନ୍ତୀ ଦେବୀ କହନ୍ତି ଅସଭ୍ୟତା, ପିଲା ଖେଳ ।

ଶେଷରେ ବାସନ୍ତୀ ଦେବୀ କହିଲେ, ଦିନକୁ ଦିନ ତୁମେ ଅସଭ୍ୟ ହୋଇ ପଡ଼ୁଛ।

ସିଗାରେଟରେ ନିଆଁ ଲଗେଇ ବିମଳ ବାବୁ କହିଲେ ବସନ୍ତ ଆସିଛି ନା’, ବାସନ୍ତୀକୁ ଧରି ରଖିବା ପାଇଁ ଚେଷ୍ଟା କରୁଛି ।

ବାସନ୍ତୀ ଦେବୀ ହସି ହସି ଯାଇ ଦର୍ପଣ ଆଗରେ ବସନ ସଜାଡ଼ିବାକୁ ଲାଗିଲେ ।

ମଣିଷ ମନ । କେତେବେଳେ କଣ ।

ଯେତେବେଳେ ମନଟା ଭଲ ଅଛି, ମିଜାଜଟା ଭଲ ଅଛି, କାମଟା ଅସୁଲ କରିନେବା କଥା ।

ପୁଣି ମିଜାଜଟା ବିଗିଡ଼ି ଗଲେ କଣ ବୋଲି କଣ । ହାତକୁ ଆସିଲା ଧନ ଛାଡ଼ିବା କଥା ନୁହେଁ ।

ଥରେ ହଁ କରି ସାରିଲା ପରେ ଆଉ ସହଜରେ ନାହିଁ କରି ହେବ ନାହିଁ । ହଁ କରେଇ ନେଇଥିବା ଭଲ ।

ଖାଇ ସାରିଲା ପରେ ବିମଳ ବାବୁ କଅଁଳେଇ କରି କହିଲେ, ନଳିନୀର ମା’, ଚାଲ ଶୀଘ୍ର ବାହାରିପଡ଼ ଯିବା ।

ଏଇ ଅଧରାତିରେ ପୁଣି କୁଆଡ଼େ ଯିବା ? ବିସ୍ମିତ ହୋଇ ପଚାରିଲେ ବାସନ୍ତୀ ଦେବୀ ।

ଏଇତ ତୁମର ନାରୀମାନଙ୍କ ବୁଝିବାର ଶକ୍ତି । ମୁଁ କଣ କହୁଛି କି ଶୀଘ୍ର ବାହାର ନଳିନୀ ଘରକୁ ଯିବା । କାରଣ ଏବେ କମଳର ଦେହ ଭଲ ଅଛି, ନଳିନୀକୁ କହିଲେ ଦୁଇ ଚାରିଦିନ ରହି ପାରିବ ।

ବାସନ୍ତୀ ଦେବୀଙ୍କ ମନକୁ କଥାଟି ପାଇଲା ।

ସମୁଧିଙ୍କ ଦେହ ବର୍ତ୍ତମାନ ଭଲ ଅଛି । ନଳିନୀକୁ କିଛିଦିନ ପାଇଁ ଛାଡ଼ିବାକୁ ରାଜି ହୋଇଯିବେ ସହଜରେ ।

କେଉଁ ମନରେ ସିନା କଣ କହିଦେଇଥିଲେ, ବର୍ତ୍ତମାନ ଝିଅକୁ ଥରେ ଦେଖିବା ପାଇଁ ବ୍ୟାକୁଳ ହେଉଛି ।

—କିନ୍ତୁ ମୁଁ କହିଦେଉଛି, ତୁମେ ମଝିରେ ଗେହ୍ଲେଇ ହେବ ନାହିଁ । ମୁଁ ଝିଅକୁ ମାସେରୁ କମରେ ଛାଡ଼ିବି ନାହିଁ ।

 

ଆସାମୀ ବିଚାରପତିଙ୍କ ରାୟ ଶୁଣିଲାପରି ବିମଳ ବାବୁ ବାସନ୍ତୀ ଦେବୀଙ୍କ ରାୟକୁ ଅନାଇ ରହିଥିଲେ ଆଶା ଓ ଆଶଙ୍କାର ଉଦ୍ଦେଳନରେ । ରାୟଟି ସପକ୍ଷରେ । ସ୍ୱସ୍ଥିର ନିଶ୍ୱାସ ଛାଡ଼ି କହିଲେ, ଆଚ୍ଛା କଥା । ମୁଁ କାହିଁକି ଗେହ୍ଲେଇ ହେବି । ତୁମ ଝିଅକୁ ତୁମେ ମାସେ କାହିଁକି ବର୍ଷେ ରଖୁନ, ମୁଁ କାହାଁକି ମନା କରିବି ।

 

ହୁଁ, ବର୍ଷଟିଏ ବି ରଖିବି । ହର୍ଷୋତ୍‍ଫୁଲ୍ଲ କଣ୍ଠରେ କହିଲେ ବାସନ୍ତୀ ଦେବୀ ।

 

ସିଗାରେଟରେ ନିଆଁ ଲଗେଇ ବିମଳ ବାବୁ କହିଲେ, କିନ୍ତୁ ବାସନ୍ତୀ, ଏହି ଯେଉଁ ବସନ୍ତ, ଟିକିଏ ବି ତୁମକୁ ପାଖରୁ ଛାଡ଼ିବାକୁ ମନ ହେଉନାହିଁ ।

 

ଥାଉ ଥାଉ ତୁମର ବସନ୍ତ, ରାତି ହେଲାଣି, ଶୋଇପଡ଼ ।

 

ନଳିନୀର ମା’ ଗୀତଟିଏ ଗାଆନ୍ତ ନାହିଁ ।

 

ମତେ ରଗାଅ ନାହିଁ ମୁଁ କହିଦେଉଛି, ମୁଁ କଣ ବୋଲି......

 

ମୋର ଗୋଟିଏ କଥା ମନେ ପଡ଼ିଗଲା ।

 

ହଁ, ତୁମର କଥାଟିଏ ମନେ ପଡ଼ିଗଲା ବୋଲି ମୁଁ ଗୀତ ଗାଇବି ?

 

ସତରେ ଭାରି ମଜାର କଥାଟିଏ । ତୁମର ମନେଅଛି ସଦାକୁ, ତା ସହିତ ଅନେକଦିନ ହେଲା ଆଉ ଦେଖା ହୋଇନାହିଁ ।

 

ଆଚ୍ଛା କଥା କହୁଛ, ସଦାନନ୍ଦଙ୍କୁ ମୋର ମନେ ନାହିଁ ।

 

ଖଟରେ ବସିପଡ଼ି ବିମଳ ବାବୁ କହିଲେ ସଦାର ବାହାଘର କଥା ମନେ ପଡ଼ିଗଲା । ବିମଳ ବାବୁ ହସିବାକୁ ଲାଗିଲେ ।

 

କଥାଟି ଶୁଣିବାପାଇଁ ବାସନ୍ତୀ ଦେବୀ ଆଗ୍ରହାନ୍ୱିତ ହୋଇ କହିଲେ, ଆଗେ କଥାଟି କୁହ, ତା’ପରେ ହସିବ ।

 

କହୁଛି କହୁଛି, ବହୁ କଷ୍ଟରେ ହାସ୍ୟ ସମ୍ୱରଣ କରି କହିଲେ, ସଦାର ମୁଧୁଶଯ୍ୟା ରାତିର କଥା ।

 

କଣ ଗୀତ ଗାଇଲେ ? ବାସନ୍ତୀ ଦେବୀ ପ୍ରଶ୍ନ କଲେ ।

 

ସେ ଗୀତ ଗାଇଥିଲେ କ କିଛି କଥା ନ ଥିଲା । କଣ ହୋଇଛି, ଜାଣିଛ ତ, ସଦା ନିହାତି ମଫସଲି ଝିଅଟାକୁ ବାହା ହେଲା । କିନ୍ତୁ ବିଚାର କଳ୍ପନା କରୁଥିଲା ଅନେକ କଥା । ଆଉ ନବବିବାହିତ ଯୁବକ ମଧୁଶଯ୍ୟା ରାତିରେ କଳ୍ପନାବିଳାସୀ ହେବା ସ୍ୱାଭାବିକ ।

 

ସିଧା ସିଧା କଥାଟି ନ କହି...... । ବାସନ୍ତୀ ଦେବୀଙ୍କ କଥାଟି ଶୁଣିବାପାଇଁ ଆଉ ତର ସହୁନାହିଁ ।

 

କହୁଚି କହୁଚି । ମଧୁଶଯ୍ୟା ରାତିରେ ଆମେ ସମସ୍ତେ ଭୋଜି ଖାଇ ବସିଛୁ, ସଦା ଆଗରୁ ଖାଇ ସାରି ଯାଇ କୋଠରୀ ଭିତରେ ଥାଏ । ତା’ର ଭାଉଜ ନେଇ ତା’ର ସ୍ତ୍ରୀକୁ ଛାଡ଼ି ଆସିଲେ ।

 

ସଦା ସ୍ତ୍ରୀକୁ ଦେଖିବାମାତ୍ରେ ପ୍ରଥମ ପ୍ରଶ୍ନ, ଡେନ୍‍ସ କରି ଜାଣ ?

 

ବାସନ୍ତୀ ଦେବୀ ଏହା ଶୁଣିବାମାତ୍ରେ ହସି ହସି ଗଡ଼ିଗଲେ ।

 

ବିମଳ ବାବୁ କହିଲେ, ଆରେ ଧୈର୍ଯ୍ୟ ଧର, ଏହା ତ ଆରମ୍ଭ ମାତ୍ର ।

 

ସଦାର ସ୍ତ୍ରୀ ବିଚାରୀ ଗାଉଁଲି ଝିଅ, ଘରେ ଘରେ ଅ ଆ ପଢ଼ିଚି, ଡେନ୍‍ସ ବୋଇଲେ ବୁଝିବ କଣ, ପୁଣି ପ୍ରଥମ ସାକ୍ଷାତରେ ଏଭଳି ଏକ ପ୍ରଶ୍ନ ଶୁଣି ବିସ୍ମିତ, ବିବ୍ରତ ହୋଇ ପଡ଼ିବା ସ୍ୱାଭାବିକ । ଭାଉଜ ଯେଉଁଠି ଛାଡ଼ି ଯାଇଥିଲେ ସେଇଠି ଠିଆ ହୋଇ ରହିଲା ।

 

ସଦା କିନ୍ତୁ ନଛୋଡ଼ବନ୍ଧା ।

 

ପୁଣି ପ୍ରଶ୍ନ କଲା, ଆଚ୍ଛା ଡେନ୍‍ସ ଯଦି ଜାଣିନ, ଗୀତଟିଏ ଗାଅ ।

 

ସଦାର ସ୍ତ୍ରୀ ଏଥର ଗୀତ କଥାଟି ବୁଝିଲା ଓ ଭାବିଲା ଯେ ସ୍ୱାମୀ ତାକୁ ଗୀତ ଗାଇବାକୁ କହି ଖେଚ୍ଚଡ଼ କରୁଛନ୍ତି । ମୁରୁକି ହସିଲା ।

 

ସ୍ତ୍ରୀ ମୁହଁରେ ସ୍ମିତହାସ୍ୟ ଦେଖି ସଦା ଭାବିଲା ଯେ ସ୍ତ୍ରୀକୁ ଗୀତ ଗାଇ ଆସେ । ଡେନ୍‍ସ ନ ଆସିଲେ ଗୀତ ତ ଗାଇ ଆସୁଛି ଆଶ୍ୱସ୍ତ ହେଇ ସେ ।

 

ତା’ପରେ ଥର ଥର କରି ଗୀତ ଗାଇବା ପାଇଁ ଅନୁରୋଧ କଲା ।

 

କିନ୍ତୁ ଗୀତ ଗାଇ ଜାଣିଲେ ତ ଗାଇବ । ବିଚାରୀ ଚୁପ୍‍ ହୋଇ ଠିଆ ହୋଇ ରହିଲା । ଗୀତ ଗାଇ ଆସେନାହିଁ ବୋଲି କହିବାକୁ ମଧ୍ୟ ସାହାସ ହେଉନାହିଁ । ପେଟରେ କଥା ମୁହଁ ପାଖକୁ ଆସି ଫେରି ଯାଉଛି ।

 

ସଦା ତା’ର ଶେଷ କଥା ଶୁଣାଇଦେଲା, ଗାଇବ ତ ଗାଅ, ନ ହେଲେ ସ୍ପର୍ଶ ସୁଦ୍ଧା କରିବି ନାହିଁ ।

 

ଆଉ ସତକୁ ସତ ସ୍ପର୍ଶ କଲାନାହିଁ । ସଦାର ସ୍ତ୍ରୀ ଯେଉଁଠି ଠିଆ ହୋଇଥିଲା ସେଇଠାରେ ତଳେ ପଣତ ପାରି ଶୋଇପଡ଼ିଲା ।

 

ବିଚାରୀ ଗାଉଁଲି ଝିଅ ସହରରେ ବାହା ହେବ ବୋଲି କେତେ ସୁନାର ସ୍ୱପ୍ନ ଦେଖୁଥିଲା-। କିନ୍ତୁ ତାର ସ୍ୱପ୍ନର ମୀନାର ଯେ ଏପରି ଭାଙ୍ଗି ଚୁରମାର ହୋଇଯିବ ସେ କଳ୍ପନା କରି ନଥିଲା-

 

ଦିନେ ଗଲା, ଦୁଇଦିନ ଗଲା, ତୃତୀୟ ଦିନ ରାତିରେ ମଧ୍ୟ ସଦା ସ୍ତ୍ରୀକୁ ସ୍ପର୍ଶ କଲନାହିଁ । କଥା କହିଲା ନାହିଁ । ସେ ଶୋଇଲା ପଲଙ୍କରେ, ସ୍ତ୍ରୀ ଭୂମି ଆସନ କଲା ।

ଚତୁର୍ଥ ଦିନ ସକାଳୁ ବାଧ୍ୟ ହୋଇ ସଦାର ସ୍ତ୍ରୀ ସବୁକଥା ଭାଉଜକୁ କହିଲା ।

ପ୍ରଥମେ ଭାଉଜ ସବୁକଥା ଶୁଣି ହସିହସି ଗଡ଼ିଗଲେ ।

ତା’ପରେ ସଦାକୁ ଡାକି ଖୁବ୍‍ ଗାଳିଦେଲେ ।

କିନ୍ତୁ ସଦାର ଗୋଟିଏ ଜିଦ୍‍। ସ୍ତ୍ରୀ ଗୀତ ନ ଗାଇଲେ ସ୍ପର୍ଶ କରିବି ନାହିଁ ।

ଶେଷକୁ ଏ କଥା ସମସ୍ତେ ଜାଣିଲେ ।

ସଦାର ମା’ ଯାଇ ସଦାକୁ ବହୁତ ବୁଝାସୁଝା କଲେ । କିନ୍ତୁ କିଛି ଫଳ ହେଲା ନାହିଁ । ସଦା ତା’ର କଥାରେ ଅଟଳ ।

ନିରୁପାୟ ହୋଇ ସଦାର ମା’ ଆମକୁ ଡାକିଲେ ସମସ୍ୟାର ସମାଧାନ କରିବା ପାଇଁ ।

ବହୁ କଷ୍ଟରେ ସଦା ଆମ କଥାରେ ରାଜି ହେଲା । ସେଦିନ ରାତିରେ ସଦା ଆଉ ତାର ସ୍ତ୍ରୀ ଗୋଟିଏ ଖଟରେ ଶୋଇଲେ ।

ସ୍ୱାମୀ ସ୍ତ୍ରୀ ଦୁହେଁ ହସିଲେ ।

ବାସନ୍ତୀ ଦେବୀ କହିଲେ, ଓହୋ, ସେଇଥିପାଇଁ ମତେ ଗୀତ ଗାଇବାକୁ କହୁଥିଲ । କାରଣ ମୁଁ ମଧ୍ୟ ଗାଉଁଲୀ ।

କିଛି ନ କହି ବିମଳ ବାବୁ ହସିଦେଲେ ।

—ବୁଝିଲ, ତୁମର ଏହି ଆଧୁନିକ ସହରୀ ଝିଅମାନଙ୍କ ଅପେକ୍ଷା ଆମେ ଖୁବ୍‍ ଭଲ ଗୀତ ଗାଇ ଜାଣୁ । ହୁଁ, ରାଗ ନାହିଁ ରାଗିଣୀ ନାହିଁ, ଖାଲି ଶସ୍ତା ଗୀତ ସବୁ । ବୁଝିଲ, କବିସୂର୍ଯ୍ୟ ଉପେନ୍ଦ୍ରଭଞ୍ଜଙ୍କ ଦୁଇଧାଡ଼ି ଦେଲେ ସେମାନଙ୍କ ଜିଭ ଲେଉଟିବ ନାହିଁ । ଆମ ଆଗରେ ଏମାନେ କି ଗୀତ ଗାଇବେ ।

ହଉ ହଉ ଲାଇଟ୍‍ଟା ଅଫ୍‍ କରିଦିଅ, ରାତି ହେଲାଣି ।

ମୁଁ ଆଉ ଉଠି ପାରିବି ନାହିଁ । ବାସନ୍ତୀ ଦେବୀ କଡ଼ ଲେଉଟାଇ ଶୋଇଲେ ।

ବାଧ୍ୟ ହୋଇ ବିମଳ ବାବୁ ଉଠି ଲାଇଟ୍‍ଟା ଅଫ୍‍ କରିଦେଲେ ।

ସକାଳେ ଚା’ ଖାଇଲା ବେଳକୁ ବିମଳ ବାବୁ କହିଲେ, ତା’ହେଲେ ମୁଁ ଆଜି ଚିଠି ଲେଖି ଦେଉଛି । ଆମେ ଯାଇ ରବିବାର ଦିନ ପହଞ୍ଚିବା ।

—ରବିବାର ? ଆଜି ହେଲା ଶୁକ୍ରବାର....ହଁ ଆମେ ରବିବାର ସକାଳ ବସରେ ଯିବା । ଓଳିଟିଏ ରହି ସୋମବାର ସକାଳେ ଫେରି ଆସିବା ନଳିନୀକୁ ନେଇ । ହଁ ନଳିନୀକୁ ଲେଖି ଦେଇଥାଅ ଯେପରି ଆସିବା ପାଇଁ ସଜ ହୋଇଥିବ ।

—ଏଇ ତ ତୁମର ମାଇକିନିଆ କଥା । ଆଗରୁ ଆମର ଲେଖିବାର କଣ ଦରକାର । କମଳ ମତେ ନିଜେ କହିଛି । ପୁଣି ତୁମେ ନିଜେ ତ ଯାଉଛ । ଆଉ ଆଗରୁ ଲେଖିବାର ପ୍ରୟୋଜନ କଣ । ତୁମେ ସାଙ୍ଗରେ ନେଇ କରି ଆସିଲେ ହେଲା ।

 

—ହଁ ସେଇଆ କର । ଖାଲି ଆମ ଯିବା କଥାଟି ଲେଖିଦିଅ ।

 

ବିମଳ ବାବୁ ଚା’ଟା ଖାଇ ସାରି ସଙ୍ଗେ ସଙ୍ଗେ ଚିଠିଟାଏ ଲେଖି ପକେଇଲେ ।

 

ଚିଠିଟି ନେଇ ବ୍ୟାଗ୍‍ଟିଏ ଧରି ବିମଳ ବାବୁ ବଜାରକୁ ବାହାରିଲେ ।

 

ଠାକୁର ଘରେ ଥାଇ ବାସନ୍ତୀ ଦେବୀ କହିଲେ, ଚିଠିଟା ନେଇଛ କି ନାହିଁ, ନେଇଯାଅ ପକେଇ ଦେବ । ଆଜି ପହଞ୍ଚିଯିବ ।

 

ସ୍ତ୍ରୀଙ୍କ କଥା ଶୁଣି ବିମଳ ବାବୁ ଭାବିଲେ, ଆଉ ଭୟନାହିଁ । ଏଥର ସ୍ତ୍ରୀ ନିଶ୍ଚୟ ଯିବେ ନଳିନୀ ଘରକୁ ।

 

ଝିଅ ଘରକୁ ଯିବା କଥା ସ୍ଥିର ହୋଇଗଲା ପରେ ବାସନ୍ତୀ ଦେବୀଙ୍କ ମନ ଡହଳ ବିକଳ ହେଲା । କେତେ କଥା ତାଙ୍କ ମନରେ ଉଦୟ ହେଲା । ଆଖି ଆଗରେ ତାଙ୍କର ଭାସି ଉଠିଲା ସେଦିନର ସେହି ଦୃଶ୍ୟଟି । ତାଙ୍କର ମୁଣ୍ଡ କଣ ବୋଲି କଣ ହୋଇ ଯାଇଥିଲା । ସେ ଏକେବାରେ ହିତାହିତ ଜ୍ଞାନ ହରେଇ ବସିଥିଲେ । ସମୁଧିଙ୍କୁ କଣ ବୋଲି କଣ କହି ପକାଇଲେ ।

 

ବର୍ତ୍ତମାନ ବାସନ୍ତୀ ଦେବୀଙ୍କ ମହାଚିନ୍ତା, ସମୁଧିଙ୍କୁ ସେ କିପରି ମୁହଁ ଦେଖାଇବେ । ନଳିନୀ କଣ ଭାବୁଥିବ । ପିଲା ମନ ସେ ସିନା ବୁଝି ପାରିଲା ନାହିଁ, ସେ କିନ୍ତୁ ମା’ ହୋଇ, ସିଆଣିଆ ହୋଇ ମଧ୍ୟ ବୁଝି ପାରିଲେ ନାହିଁ । ଜିଦ୍‍ ଧରି ବସିଲେ ।

 

ଅନୁଶୋଚନାରେ ବାସନ୍ତୀ ଦେବୀଙ୍କ ହୃଦୟ ବିଗଳିତ ହୋଇଗଲା । ଆଖିରୁ ତାଙ୍କର ଦୁଇ ଟୋପା ଲୁହ ଝରି ପଡ଼ିଲା ।

 

ତା’ପରେ ବାସନ୍ତୀ ଦେବୀଙ୍କ ମନେ ପଡ଼ିଲା ସରୋଜର କଥା ।

 

ମନେ ମନେ ସେ ସରୋଜର ରୂପ କଳ୍ପନା କରିବାକୁ ଲାଗିଲେ ।

 

ନଳିନୀ ଚିଠିରେ ଲେଖିଥିଲା ରାଜକୁମାର ପରି ପିଲାଟିଏ, ପୁଣି ବ୍ରାହ୍ମଣ କୁଳର । ପୁଅ କରିଦେଲେ.......

 

ବିମଳ ବାବୁ ବଜାରରୁ ଫେରିଲା ପରେ ପାଖକୁ ଯାଇ କହିଲେ, କଥାଟିଏ କହିବି ବୋଲି ଭାବୁଛି, ତୁମ ମନକୁ ପାଇବ କି ନାହିଁ କେଜାଣି !

 

ମୂଳରୁ ତ କିଛି କହିନ । ଆଗେ କଥାଟି କୁହ, ତା ପରେ ଜଣା ପଡ଼ିବ କଥାଟି ମନକୁ ପାଇବ କି ନାହିଁ । ହସି ହସି କହିଲେ ବିମଳ ବାବୁ ।

 

ସ୍ୱାମୀଙ୍କ ପାଖରେ ବସିପଡ଼ି କହିଲେ, ମନକୁ ନ ପାଇଲେ ରାଗିବି ନାହିଁ ଏକା । ନ ହେଲେ କହିବି ନାହିଁ । କଣ୍ଠରେ ଅନୁନୟ, ଅନୁରାଗ ।

 

କି ମୁସ୍କିଲ କଥା । କିଛି କଥା କହୁନ, ଖାଲି ମନକୁ ପାଇବ କି ନାହିଁ ସେଥିରେ ବିବ୍ରତ ହୋଇ ପଡ଼ୁଛ । କୁହ କଣ କଥାଟି ମନକୁ ନ ପାଇଲେ ବି ସେଥିରେ ରାଗିବାର କଣ ଅଛି ।

 

କହିବି ?

 

—ହଁ ହଁ ହଁ କୁହ, ରାଗିବି ନାହିଁ । ହସି ହସି କହିଲେ ବିମଳ ବାବୁ ।

 

—ମୁଁ କଣ କହୁଥିଲିକି ସେହି ପିଲାଟି........ନଳିନୀ ଯେଉଁ ରଖିଛି........

 

ଆଉ କଣ କହିବା ପାଇଁ ଚାହୁଁଥିଲେ, କହି ପାରିଲେନାହିଁ ।

Unknown

 

—ଅଟକି ଗଲ ଯେ, କୁହ । ବିମଳ ବାବୁ ବୁଝିଲେ ଯେ ସ୍ତ୍ରୀ କହିବା ପାଇଁ ଦ୍ୱିଧା ବୋଧ କରୁଛନ୍ତି । କହିବାକୁ ସାହସ କରୁନାହାନ୍ତି ।

 

କଣ କହିବେ କଛି ସ୍ଥିର କରି ନ ପାରି ନା’ଟି ଜାଣିଥିଲେ ମଧ୍ୟ ପଚାରିଲେ—ତା ନା’ଟି କଣ କି ?

 

—ସରୋଜ କଥା କହୁଛ ?

 

ହଁ, ଦେଖିବାକୁ ଭାରୀ ସୁନ୍ଦର ନା ?

 

ଗଲେ ନିଜ ଆଖିରେ ଦେଖିବ ନାହିଁ । ବୁଝିଲ ନଳିନୀର ମା’, ତାକୁ ଥରେ ଦେଖିଲେ ଆଖି ଫେରେଇବାକୁ ମନ ହେବନାହିଁ । ଆଉ ନଳିନୀର କୋଳରେ ଦେଖିଲେ ତ କେହି କହି ପାରିବ ନାହିଁ ପର ପୁଅ ବୋଲି । କହିସାରି ବିମଳ ବାବୁ ସ୍ତ୍ରୀଙ୍କ ମୁହଁକୁ ଅନାଇ ରହିଲେ ।

 

ବାସନ୍ତୀ ଦେବୀ ସିଧା ସଳଖ କିଛି କହିପାରୁନାହାନ୍ତି । ଖାଲି ବାଆଁରେଇ କଥା କହୁଛନ୍ତି-। ବିମଳ ବାବୁ ମଧ୍ୟ ସ୍ତ୍ରୀଙ୍କ ଅବସ୍ଥା ବୁଝି ପାରୁଛନ୍ତି ।

 

ଟିକିଏ କଣ ଚିନ୍ତା କରି ବାସନ୍ତୀ ଦେବୀ ପ୍ରଶ୍ନ କଲେ—ଆଚ୍ଛା ସେ ବ୍ରାହ୍ମଣ କୁଳର ନା ?

 

ମୁରୁକି ମୁରୁକି ହସି ବିମଳ ବାବୁ କହିଲେ, ହଁ ।

 

ବିମଳ ବାବୁ ସ୍ତ୍ରୀଙ୍କ ଏପରି ଅବସ୍ଥା ଉପଭୋଗ କରୁଛନ୍ତି ।

 

ଅନେକ ସାହାସ କରି ଅତି କଷ୍ଟରେ ମୁଣ୍ଡ ତଳକୁ ପୋତି ବାସନ୍ତୀ ଦେବୀ କହିଲେ, ମୁଁ ଭାବୁଥିଲି ଆମ ସୁମିତ୍ରାର ପିଲାଟିକୁ ନଳିନୀ ପୁଅ କରନ୍ତା ବୋଲି ।

 

କଥାଟି କହିସାରି କାଳେ ସ୍ୱାମୀ କଣ ଭାବିବେ ଭାବି କଥାଟିର ଗୁରୁତ୍ୱ ଟିକିଏ କମେଇ ଦେବାପାଇଁ କହିଲେ, କିନ୍ତୁ ସୁମିତ୍ରା କଣ କହିବ କେଜାଣି । ଆଉ ସୁମିତ୍ରା ହଁ କଲେ କଣ ହେବ, ତାର ସ୍ୱାମୀ ରାଜି ହେଲେ ତ ! ଜନ୍ମକଲା ପୁଅ ସହଜରେ କିଏ ପରକୁ ଦେଲାଣି ।

 

ବିମଳ ବାବୁ ଚୁପ୍‍କରି ଶୁଣୁଥିଲେ ଆଉ କଣ ଉତ୍ତର ଦେବେ ଚିନ୍ତା କରୁଥିଲେ ।

 

ସ୍ୱାମୀଙ୍କ ନୀରବତା ଦେଖି ବାସନ୍ତୀ ଦେବୀ ଭାବିଲେ ସେ ପ୍ରସ୍ତାବଟି ଗ୍ରାହ୍ୟ ହେଉନାହିଁ-। କହିଲେ, ଆଚ୍ଛା ନଳିନୀ ଯଦି ସରୋଜକୁ ପୁଅ କରି ନିଏ କ୍ଷତି କଣ ?

 

ଆହୁରି ଅଡ଼ୁଆରେ ପଡ଼ିଲେ ବିମଳ ବାବୁ ।

 

କମଳଲୋଚନଙ୍କ କଥା ମନେ ପଡ଼ିଲା—କଥାଟି ଯେପରି ଆଉ କେହି ନଜାଣନ୍ତି । ବାସନ୍ତୀ ଦେବୀ ଯେତେହେଲେ ନାରୀ, ନାରୀକୁ ଗୁପ୍ତ କଥା କହିବାପାଇଁ ଶାସ୍ତ୍ର ବି ମନା କରୁଛି । ଶେଷରେ କଥାଟି ଜଣା ପଡ଼ିବ । ବର୍ତ୍ତମାନ ଗୋପନ ରଖିବା ଭଲ ।

 

ନିଜକୁ ବଞ୍ଚେଇ କହିଲେ, ଦେଖ ନଳିନୀର ପୋଷ୍ୟପୁତ୍ର ରଖିବା କଥାଟା ଆମେ କହିବାଟା ମୋ ମତରେ ଠିକ୍‍ ହେବ ନାହିଁ । କାରଣ ଆମେ ପ୍ରସ୍ତାବ ଦେଲେ କମଳଲୋଚନ ହୁଏ ତ ଅନ୍ୟ ରକମ ଭାବିପାରେ । ଆଉ ସରୋଜ ବିଷୟରେ ବର୍ତ୍ତମାନ ତ ପାଖରେ ଅଛି । କେଜାଣି ନଳିନୀର ମାୟା ଲାଗି ଯାଇପାରେ ହୁଏତ । ବର୍ତ୍ତମାନ କିଛିଦିନ ପାଇଁ ଅବସ୍ଥା ସ୍ଥିର କରାଯାଉ । କଣ କହୁଛ ?

 

ସ୍ୱାମୀଙ୍କ କଥାଟିକୁ ବାସନ୍ତୀ ଦେବୀ ମଧ୍ୟ ପସନ୍ଦ କରେ ଠିକ୍‍ କହୁଛନ୍ତି । ପୁଣି ଭାବିଲେ, ନଳିନୀ ତ ସାଙ୍ଗରେ ଆସିବ ତା’ର ମତଟା କୌଣସି ପ୍ରକାରେ ଜାଣି ସୁମାତ୍ରାର ପୁଅର ପରୋକ୍ଷ ଭାବରେ ପ୍ରସ୍ତାବ ଦେଇ ଦେଇଥିଲେ ହେବ ।

 

କହିଲେ ହଁ, ଆମେ ଆଗେ ପ୍ରସ୍ତାବ ଦେଲେ ସମୁଧି ହୁଏତ ଭାବି ପାରନ୍ତି ଯେ ଆମର ଝିଅ ବୋଲି ଆମର ସ୍ୱାର୍ଥ ପାଇଁ କହୁଛୁ, କିଛିଦିନ ଯାଉ । ପିଲାଟି ପ୍ରତି ନଳିନୀର ବଳେ ମାୟା ଲାଗିଯିବ । ସେ ନିଜେ ପୁଅ କରିବା କଥା ଉଠାଇବ ।

 

ବାସନ୍ତୀ ଦେବୀଙ୍କ ଆଖି ଛଳ ଛଳ ହେଲା ।

 

ପୋଡ଼ା କପାଳି, ନିଜ କୋଳରେ ତ ଭାଗବାନ ଦେଲେ ନାହିଁ, ଅନ୍ୟର ପୁଅକୁ କୋଳକୁ ନ ନେଇ ଉପାୟ କଣ ।

 

ବିମଳ ବାବୁ ଆଉ ଅଧିକ କିଛି କହିବା ପାଇଁ ଉଚିତ ମନେ କଲେ ନାହିଁ ।

 

ବାପାଙ୍କ ପାଖରୁ ଚିଠି ପାଇ ନଳିନୀ ଦେବୀଙ୍କ ଅନ୍ତର ଆନନ୍ଦରେ ଉଚ୍ଛ୍ୱସିତ ହୋଇଗଲା । ମା’ ଆସୁଛନ୍ତି ।

 

ସରୋଜ ପାଖରେ ବସିଥିଲା । ତାକୁ କହିଲେ, ଜେଜେମା ଆସିବେ, ବୁଝିଲୁ ଜେଜେମା ଆସିଲା ।

 

କିନ୍ତୁ ସେ ତ ଅବୋଧ ବାଳକ । ଖାଲି ତାକୁ ମନ କଥା କହି କଣ ଶାନ୍ତି ମିଳିବ !

 

ଚିଠିଟି ଧରି ଯାଇ କମଳଲୋଚନଙ୍କ ପାଖରେ ପହଞ୍ଚିଲେ ଖବରଟି ଦେବା ପାଇଁ ।

 

କମଳଲୋଚନ ଖବର କାଗଜ ପଢ଼ୁଥିଲେ । ମୁହଁ ଫେରାଇ ଚାହିଁଲେ ।

 

—ବାବା, ବାପା ଚିଠି ଦେଇଛନ୍ତି ।

 

—କଣ ଲେଖିଛି ମା’ ।

 

—ରବିବାର ଦିନ ସକାଳେ ଆସିବେ । ମା ମଧ୍ୟ ସାଙ୍ଗରେ ଆସୁଛନ୍ତି ଆଉ କଣ କହିବା ପାଇଁ ଚାହୁଁଥିଲେ, କହିଲେ ନାହିଁ ।

 

ଖାଲି ଓଠ ଦୁଇଟି ଥରି ଯାଉଥାଏ ।

 

କମଳଲୋଚନ ନଳିନୀ ଦେବୀଙ୍କ ମାନସିକ ଅବସ୍ଥା ଲକ୍ଷ୍ୟ କରି କହିଲେ, ମା’ ମନ, ଶୋକାବିଭୂତ ହୋଇ କଣ ବୋଲି କଣ କହି ପକେଇଲେ, ପଣ କଲେ, କିନ୍ତୁ ସେ ପଣ କଣ ସବୁଦିନ ରହିବ । ଯେତେହେଲେ ମା’ ମନ । ତୁ ମଧ୍ୟ ସବୁ ଭୁଲି ଯା ମା’ । କିଛିଦିନ ପାଇଁ ମାଆଙ୍କ ସଙ୍ଗରେ ଯାଇ କରି ରହି ଆସ । ତାଙ୍କର ମନ ସନ୍ତୋଷ ହେବ ।

 

ନଳିନୀ ଦେବୀ ଚୁପ୍‍ ହୋଇ ସବୁ ଶୁଣୁ ଥାଆନ୍ତି ।

 

କଥାର ସୁଅ ବଦଳାଇବା ପାଇଁ କମଳଲୋଚନ କହିଲେ, କଣ ସରୋଜ ଶୋଇଛି ।

 

ହଁ ଦୁଧ ଖାଇ ଶୋଇଛି ।

 

ଆରେ ଆଉ ଦିନେ ଅପେକ୍ଷା କର ଦେଖିବ ସରୋଜକୁ ଦେଖି ତୋର ମା’ ଆଉ ଏଠାରୁ ଯିବାପାଇଁ ମଧ୍ୟ ମନ କରିବେ ନାହିଁ ।

 

ବାପା ସେ କଥା ଲେଖିଛନ୍ତି । ମା’ ସରୋଜ କଥା ଶୁଣିଲା ପରଠୁ ଖାଲି ସରୋଜ ସରୋଜ ହେଉଛନ୍ତି ।

 

କମଳଲୋଚନ ଜାଣନ୍ତି, ସରୋଜର କଥା କହିଲେ ନଳିନୀ ଦେବୀ ସବୁ ଭୁଲି ଯାଆନ୍ତି-। ସରୋଜ ଆଜି ନଳିନୀର ଶୋକପାଶୋରା ।

 

—ଆଲୋ ନଳିନୀ, ନ ଦେଖିକରି ଯଦି ସେ ଏମିତି ହେଉଛନ୍ତି ଥରେ ନିଜ ଆଖିରେ ଦେଖନ୍ତୁ ଆମ ରାଜାବାବୁଙ୍କୁ, ଦେଖିବୁ ରାଣୀ ହେବାକୁ ମନ କରିବେ ।

 

କହି ସାରି ହୋ ହୋ କରି ହସି ଉଠିଲେ ।

 

ଠିକ୍‍ ଏତିକିବେଳେ ସରୋଜର କାନ୍ଦ ଶୁଣାଗଲା ।

 

ନଳିନୀ ଦେବୀ ଧାଇଁ ଧାଇଁ ପଳାଇଗଲେ ।

 

ମନେ ମନେ କମଳଲୋଚନ ହସିଲେ ।

 

ପିଲାଟି ପ୍ରତି ମାୟା ଲାଗି ଗଲାଣି । ଆଉ କିଛି ଚିନ୍ତା ନାହିଁ । ଖାଲି ଭଗବାନ ସାହା ହେଲେ ହେଲା ।

 

ଖବର କାଗଜ ଧରି ପୁଣି ପଢ଼ି ବସିଲେ ।

 

ଆଜିକାଲି କମଳଲୋଚନ ଆଉ ଗୋଟିଏ ବିଷୟକୁ ବେଶୀ ସମୟ ଭାବନ୍ତି ନାହିଁ । ଭାବି ପାରନ୍ତି ନାହିଁ । ରକ୍ତଚାପ ବୃଦ୍ଧିପାଏ, ମୁଣ୍ଡ ଝିମ୍‍ ଝିମ୍‍ କରେ ।

 

ଡାକ୍ତର ବନ୍ଧୁଙ୍କ କଡ଼ା ନିର୍ଦ୍ଦେଶ କୌଣସି ଚିନ୍ତା ମୁଣ୍ଡରେ ନ ପଶେଇବା ପାଇଁ । ସର୍ବ ଚିନ୍ତା ପରିତ୍ୟାଯ୍ୟ ।

 

ବିଶେଷ କରି ନଳିନୀ ବିଷୟରେ ଭାବିବାକୁ ସେ ସତର୍କ ରହନ୍ତି । କାରଣ ନଳିନୀ କଥା ଚିନ୍ତା କଲାବେଳେ ମୃତ ପୁତ୍ର ଶୁଭେନ୍ଦୁର ମୁହଁ ଆଖି ଆଗରେ ଭାସି ଉଠେ । ତା’ ସହିତ ପତ୍ନୀଙ୍କ ମୁହଁ, ଲମ୍ୱ ମୁହଁ, ନାକ, ଆଖି ସବୁ କିଛି ମନେ ପଡ଼ିଯାଏ । ସମସ୍ତ ଅତୀତ ଆସି ସାମନାରେ ଠିଆ ହୁଏ ।

 

ଏଇ କିଛି ଦିନ ହେଲା ଖବର କାଗଜ ଗୁଡ଼ିକ ଖାଲି ଛାତ୍ର ଅଶାନ୍ତି, ଛାତ୍ର ବିଶୃଙ୍ଖଳା ଖବରରେ ଭରପୂର ।

 

ଏହି ଖବର ଗୁଡ଼ିକ କମଳଲୋଚନ ମନ ଦେଇ ପଢ଼ୁଛନ୍ତି, ଅନୁଧ୍ୟାନ କରୁଛନ୍ତି ।

 

କମଳଲୋଚନ ବାବୁ କଲେଜରେ ପଢ଼ିଲାବେଳେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । କାରାବରଣ କରିଥିଲେ । ସେ ତୁଳନା କରି ଦେଖୁଛନ୍ତି ଯେ ସେ ସମୟରେ ଆନ୍ଦୋଳନ ଓ ଆଜିର ଆନ୍ଦୋଳନ ମଧ୍ୟରେ ଫରକ କେତେ !

 

ସେବର ଆନ୍ଦୋଳନ ଥିଲା ସୁସଙ୍ଗଠିତ ସୁନିର୍ଦ୍ଦିଷ୍ଟ, ଶାନ୍ତିପୂର୍ଣ୍ଣ । କିନ୍ତୁ ଏବର ? କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ, ସୁସଙ୍ଗଠନ ନାହିଁ ।

 

ବିଶେଷ କରି ଛାତ୍ର ଆନ୍ଦୋଳନ ସେ ପର୍ଯ୍ୟନ୍ତ ସଙ୍ଗଠିତ ହୋଇ ରହେ ଯେ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ତାକୁ ପରିଚାଳନା କରୁନାହାନ୍ତି । କିନ୍ତୁ ତାହା ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ଯଦି ତାହା ରାଜନୈତିକ ଦଳଦ୍ୱାରା ପରିଚାଳିତ ହୁଏ, ସେଥିରେ ଆନ୍ଦୋଳନ ଲକ୍ଷ୍ୟଭ୍ରଷ୍ଟ ହୁଏ । ରାଜନୈତିକଦଳ ନିଜର ଫାଇଦା ଉଠାଇବାରେ ଲାଗନ୍ତି ।

 

କମଳଲୋଚନ ସ୍ୱାଧୀନତା ଆନ୍ଦୋଳନର ଜଣେ ପୁରୁଖା ନେତା । ଅନେକ ତ୍ୟାଗ କରିଛନ୍ତି ସେ । ତେଣୁ ସମାଜରେ ଆଜି ବି ତାଙ୍କର ସମ୍ମାନ ରହିଛି । ତାଙ୍କ କଥାର ମୂଲ୍ୟ ଅଛି ।

 

ଦୁଇ ତିନିଜଣ ବନ୍ଧୁ ଆସି ଛାତ୍ର ଆନ୍ଦୋଳନ ସପକ୍ଷରେ ଓ ସରକାରଙ୍କ ବିରୁଦ୍ଧରେ ବିବୃତିଟାଏ ଦେବାପାଇଁ ଅନୁରୋଧ କଲେଣି ।

 

କମଳଲୋଚନ କିନ୍ତୁ ରାଜି ହେଉନାହାନ୍ତି ।

 

ତାଙ୍କ ମତରେ ଛାତ୍ର ଆନ୍ଦୋଳନକୁ ସମର୍ଥନ କରି ସରକାରଙ୍କ ବିରୁଦ୍ଧରେ ବିବୃତିଟାଏ ଦେଇଦେଲେ ସମସ୍ୟାର ସମାଧାନ ହେବ ନାହିଁ । ବରଂ ଏଭଳି ବିବୃତି କେବଳ ସମସ୍ୟାକୁ ଜଟିଳ କରିବ । ବର୍ତ୍ତମାନ ଦରକାର ସମସ୍ୟାର ଆଶୁ ସମାଧାନ । ସମସ୍ୟାକୁ ଆହୁରି ଜଟିଳ କରି କିଛି ଲାଭ ନାହିଁ ।

 

ବର୍ତ୍ତମାନ ଦେଶରେ ଯେ ସମସ୍ତ ସମସ୍ୟା ରହିଛି ସେ ସମସ୍ତ ଯଦି ଜଣେ ଚିନ୍ତା କରେ ସେ ଉପଲବ୍ଧି କରିବ ଯେ ଛାତ୍ର ଆନ୍ଦୋଳନ ଏକ ସାମାନ୍ୟତମ ସମସ୍ୟା । ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଲା ଉତ୍କଟ ଖାଦ୍ୟ ସମସ୍ୟା, ଖାଦ୍ୟଦ୍ରବ୍ୟର ଦର ବୃଦ୍ଧି । ଆଉ ଏହା ଗଣତନ୍ତ୍ରର ଚରମ ପରୀକ୍ଷା ରୂପେ ଦଣ୍ଡାୟମାନ ହୋଇଛି । କାରଣ ଇତିହାସ ପଢ଼ିଲେ ଜଣାଯାଏ ଯେ ଯଦି କୌଣସି ଦେଶରେ ଏପରି ସମସ୍ୟା ଦେଖାଯାଇଛି, ସେ ଦେଶରେ ବିପ୍ଲବ ହୋଇଛି । ପୁଣି ନେହେରୁଙ୍କ ଭଳି ଏକ ନେତୃତ୍ୱର ଅବସାନ ପରେ ଦେଶରେ ନୂତନ ନେତୃତ୍ୱର ମଧ୍ୟ ପରୀକ୍ଷା ଚାଲିଛି । ସର୍ବୋପରି ଦେଶଦ୍ରୋହୀ ଚୀନା ସମର୍ଥକଙ୍କ ପଞ୍ଚମବାହିନୀ କାର୍ଯ୍ୟକଳାପ ଓ ଚୀନ ପାକିସ୍ଥାନର କ୍ଷୀର-ନୀର ସମ୍ପର୍କ ।

 

କମଳଲୋଚନ ବନ୍ଧୁମାନଙ୍କୁ କିଛିଦିନ ତଳେ ଜଣେ ବିରୋଧିଦଳର ନେତା ଭାଷଣ ପ୍ରସଙ୍ଗରେ ବିରୋଧିଦଳଗୁଡ଼ିକ କିପରି ଶୃଗାଳର ଭୂମିକା ଗ୍ରହଣ କରି ଅସନ୍ତୁଷ୍ଟ ସରକାରୀ ଦଳର ନେତାମାନଙ୍କ ହାତବାରେସୀ ହେଉଛନ୍ତି ପଢ଼ି ଶୁଣାଇଦେଲେ ।

 

ତାଙ୍କ ମତରେ ଖାଦ୍ୟ ସମସ୍ୟା ଭଳି ସମାଧାନ ପାଇଁ ଏକଛତ୍ରବାଦୀ ପନ୍ଥା ଗ୍ରହଣ କରିବାକୁ ପଡ଼ିବ । ମୁନାଫାଖୋର ମାନଙ୍କୁ ନିର୍ମମ ଭାବରେ ଦମନ କରିବାକୁ ପଡ଼ିବ ।

 

କିନ୍ତୁ ସେଥିପାଇଁ ଆମ ଦେଶରେ ଗୋଟିଏ ବଡ଼ ବିପଦ ହେଉଛି ଦୁର୍ବଳ ବିରୋଧି ଦଳ । ଆମ ଦେଶରେ ବିରୋଧି ଦଳ ବୋଲି କିଛି ନାହିଁ । ତେଣୁ ଏକ ସୁସଙ୍ଗଠିତ ବିରୋଧି ଦଳ ଯଦି ନାହିଁ କୌଣସି ଏକ ଜାତୀୟ ସମସ୍ୟାର ସମାଧାନ କରିବାପାଇଁ ଏକଛତ୍ରବାଦୀ ପନ୍ଥା ଗ୍ରହଣ କରୁ କରୁ ଶେଷରେ ସରକାର ଏକଛତ୍ର ଶାସକ ପାଲଟି ଯିବାର ଆଶଙ୍କା ବେଶୀ ।

 

ଜଣେ ବନ୍ଧୁ ପ୍ରଶ୍ନ କଲେ, ତା’ହେଲେ କଣ ଆପଣ କହିବାକୁ ଚାହାନ୍ତି ଯେ ବର୍ତ୍ତମାନର ଏହି ଛାତ୍ର ଆନ୍ଦୋଳନର କୌଣସି ବିଶେଷତ୍ୱ ନାହିଁ, ଗୁରୁତ୍ୱ ଏହାର କିଛି ନାହିଁ । ଏହି ଛାତ୍ର ଆନ୍ଦୋଳନକୁ ସମର୍ଥନ କରିବା ବାଞ୍ଛାନୀୟ ନୁହେଁ ।

 

କମଳଲୋଚନ ବାବୁ କହିଲେ, ଆପଣମାନେ ମୋର କଥାକୁ ମୋଟେ ବୁଝି ପାରିଲେ ନାହିଁ । ମୁଁ ଛାତ୍ର ଆନ୍ଦୋଳନକୁ ବିରୋଧ କିମ୍ୱା ସମର୍ଥନ କରୁନାହିଁ । ମୁଁ କହିବାକୁ ଚାହେଁ ବର୍ତ୍ତମାନ ଦେଶର ଅନ୍ୟାନ୍ୟ ସମସ୍ୟାଗୁଡ଼ିକ ତୁଳନାରେ ଛାତ୍ର ଆନ୍ଦୋଳନ ଏକ ଛୋଟ ସମସ୍ୟା । ବିଶେଷ କରି ବର୍ତ୍ତମାନ ପାଇଁ ।

 

ତା’ପରେ ଛାତ୍ର ଆନ୍ଦୋଳନର କାରଣ ନେଇ ମଧ୍ୟ ମୋର ଆପଣମାନଙ୍କ ସହିତ ମତବିରୋଧ ।

 

ବିମଳ ବାବୁ ନିଜେ ଖଣ୍ଡେ ସିଗାରେଟରେ ନିଆଁ ଲଗାଇ ବନ୍ଧୁମାନଙ୍କୁ ସିଗାରେଟ ଖଣ୍ଡେ ଲେଖା ବଢ଼େଇଦେଲେ ।

 

ମୋ ମତରେ ବର୍ତ୍ତମାନ ଆମ ଦେଶରେ ଯେଉଁ ଛାତ୍ର ଆନ୍ଦୋଳନ ଚାଲିଛି, ଆମ ଦେଶରେ କାହିଁକି ସମଗ୍ର ବିଶ୍ୱରେ, ତାର ପ୍ରଧାନ କାରଣ ଏବର ଯୁବମାନସ ଅଶାନ୍ତ, ଅତୃପ୍ତ । ପ୍ରତ୍ୟେକ ଯୁବକ ଆଜି ଅଶାନ୍ତ, ଅତୃପ୍ତିର ଘୂର୍ଣ୍ଣିବାତ୍ୟାରେ ଘୂର୍ଣ୍ଣାୟମାନ । କିନ୍ତୁ ଛାତ୍ରମାନେ ଗୋଟାଏ ଶ୍ରେଣୀବଦ୍ଧ ବୋଲି, ଗୋଟିଏ ଗୋଷ୍ଠୀ ବୋଲି ସହଜରେ ଆନ୍ଦୋଳନ କରିବା ପାଇଁ ସକ୍ଷମ ହେଉଛନ୍ତି ଏବଂ ଯୁବକ ଯୁବତୀମାନଙ୍କର ଏପରି ମାନସିକ       ଅବସ୍ଥାର ଏକ ପ୍ରଧାନ କାରଣ ହଠାତ୍‍ ଜ୍ଞାନ ବିଜ୍ଞାନର ଏତେ ପ୍ରଗତି ହୋଇ ଯାଇଛି ଯେ ଯୁଗମାନସ ଆଧ୍ୟାତ୍ମିକତାରୁ ବସ୍ତୁବାଦ ଦିଗକୁ କ୍ଷିପ୍ର ବେଗରେ ଗତି କରୁଛି ।

 

ସିଗାରେଟ ଦମେ ଟାଣି କହିଲେ, କିନ୍ତୁ ପ୍ରକୃତରେ ଜ୍ଞାନ ବିଜ୍ଞାନର ପ୍ରଗତି ସହିତ ବୈଷୟିକ ଉନ୍ନତିର ସମତା ରକ୍ଷା ହୋଇ ପାରୁନାହିଁ । ଆଦର୍ଶ ସହିତ ବାସ୍ତବର ସମତା ରହୁନାହିଁ । ଫଲରେ ମାନସିକ ଜଗତରେ ବିପ୍ଲବ ସୃଷ୍ଟି ହେଉଛି ଏବଂ ଏହା ଯୁବ ମାନସକୁ ବେଶି ପ୍ରଭାବିତ କରୁଛି । ଯୁବକ ଯୁବତୀମାନଙ୍କ ସମ୍ମୁଖରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ଏହା ହେଉଛି ସବୁଠାରୁ ବଡ଼ ବିପଦ ।

 

ତେଣୁ ବର୍ତ୍ତମାନ ରାଷ୍ଟ୍ରନେତାମାନଙ୍କ, ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିର କର୍ତ୍ତବ୍ୟ କିପରି ଏହି ଲକ୍ଷ୍ୟ ହୀନ, ଆଦର୍ଶହୀନ ଯୁବମାନସକୁ ଏକ ନିର୍ଦ୍ଦିଷ୍ଟ ଆଦର୍ଶ, ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରେ କଢ଼େଇ ନେବା । ଆଉ ଯଦି ଏହା ନ ହୁଏ, ସମଗ୍ର ବିଶ୍ୱରେ ଏକ....(chaos) ସୃଷ୍ଟି ହେବ । ଯୁଗ ଯୁଗ ଧରି ଗଢ଼ିଥିବା ମଣିଷର ସମାଜ, ସଭ୍ୟତା ଧୂଳିସାତ୍‍ ହୋଇଯିବ ।

 

କମଳଲୋଚନଙ୍କ ଯୁକ୍ତିକୁ ଖଣ୍ଡନ କରି ଅନ୍ୟ ଯୁକ୍ତି ବାଢ଼ିବା ପାଇଁ ବନ୍ଧୁମାନଙ୍କ ପାଖରେ କିଛି ନଥିଲା ।

 

ସେମାନେ ବିଦାୟ ନେଲେ ।

 

ରବିବାରଦିନ ସକାଳୁ ନଳିନୀ ଦେବୀ ଗାଧୋଇ ସାରି ତୁଳସୀ ଗଛରେ ପାଣି ଢାଳୁଥିଲେ । ଛାତ ଉପରେ ବସି କୁଆଟିଏ କା କା କଲା ।

 

ନଳିନୀ ଦେବୀଙ୍କ ମନ ପୁଲକି ଉଠିଲା । ସମସ୍ତ ଶରୀରରେ ଗୋଟାଏ ଶିହରଣ ଖେଳିଗଲା ।

 

ତା’ ହେଲେ ମା’ ଆଜି ନିଶ୍ଚୟ ଆସୁଛନ୍ତି । ସକାଳୁ ଆସି କୁଆ ରାବିଲାଣି ।

 

ବେଗୀ ବେଗୀ ସବୁ କାମ ସାରିବାକୁ ଲାଗିଲେ ।

 

ଥରକୁ ଥର ଯାଇ ଝରକାରୁ ସଡ଼କକୁ ଅନାଇ ଆସୁଛନ୍ତି ।

 

ବାଟ ଆଡ଼େ ଟିକିଏ ଖଡ଼ ଖଡ଼ କଲେ କାଳେ ଆସିଲେ ବୋଲି ଦେଖିକରି ଆସୁଛନ୍ତି ।

 

ଆଜି ଆଉ କିଛି କରିବାକୁ ମନ ଲାଗୁନାହିଁ ।

 

ଆଖି ଆଗରେ ଜଳଜଳ କରି ଭାସି ଉଠୁଛି ମା’ଙ୍କର ମୁହଁ ।

 

ରାଗିକରି କଣ ବୋଲି କଣ କହିଗଲେ ମା’ ସେଦିନ । କିଛି ଠିକ୍‍କରି ମନେନାହିଁ । ଖାଲି ମନେଅଛି, ମା’ ରାଗିକରି କଣ ସବୁ କହିଲେ ତାଙ୍କୁ ସାଙ୍ଗରେ ନେଇ କରି ଯିବାପାଇଁ । ଆଉ ସେ ଯିବିନାହିଁ ବୋଲି କମଳଲୋଚନଙ୍କ ଛାତି ଉପରେ ମଥାଗୁଞ୍ଜି ହେକି ହେକି କାନ୍ଦିଲେ ।

 

ସେଦିନ ସେ ଯିବିନାହିଁ ବୋଲି କହିବାରୁ ମା’ କେତେ ରାଗିଲେ, ଅଭିମାନ କଲେ, ଶେଷକୁ ତାଙ୍କ ମୁହଁ ନ ଦେଖିବା ପାଇଁ ମଧ୍ୟ ପଣ କଲେ । ଚିଠିପତ୍ର ଖଣ୍ଡେ ମଧ୍ୟ ପଠେଇଲେ ନାହିଁ-

 

କିନ୍ତୁ ଗୋଟାଏ ଗୋଟାଏ ମୁହୂର୍ତ୍ତର ଘଟନା ଜୀବନକୁ କେତେ ଓଲଟ ପାଲଟ କରିଦିଏ-! ଜୀବନର ଗତିପଥକୁ ବଦଳାଇ ଦିଏ !

 

ଯଦି ସେଦିନ ସେ ମା’ଙ୍କ ସାଙ୍ଗରେ ଚାଲି ଯାଇଥାଆନ୍ତେ, ହୁଏତ.....ଆଜି ଯେଉଁ ପୁଅଟିଏ ପାଇଛନ୍ତି ପାଇପାରିନଥାନ୍ତେ । ଜୀବନର ଗତି ଅନ୍ୟ କେଉଁ ଦିଗକୁ ଚାଲି ଯାଇଥାଆନ୍ତା । ସେ ହୁଏତ ଆଉ ଏ ଘରକୁ ଫେରି ଥାଆନ୍ତେ କି ନାହିଁ କେଜାଣି । କମଳଲୋଚନଙ୍କ ଅବସ୍ଥା ବି କଣ ହୋଇଥାଆନ୍ତା କେଜାଣି ।

 

ସରୋଜକୁ ଆଜି ନୂଆ ଜାମା ପିନ୍ଧାଇଛନ୍ତି । ମୁହଁରେ ସ୍ନୋ, ପାଉଡର ଲଗେଇ କପାଳରେ ଟିକାଟିଏ ମାରି ଦେଇଛନ୍ତି । ଆଖିରେ କଜ୍ୱଳ ମଖେଇଛନ୍ତି । କାଳେ କା’ର ଦୃଷ୍ଟି ପଡ଼ଯିବ ବୋଲି କପାଳରେ ମଧ୍ୟ କଜ୍ୱଳ ଟିକେ ଲେପି ଦେଇଛନ୍ତି ।

 

ସରୋଜକୁ କାଖରେ ଧରି ଯାଇ ଝରକା ପାଖରେ ଠିଆ ହେଲେ ।

 

ସତକୁ ସତ ଗୋଟିଏ ରିକ୍‍ସାରେ ବାପା ଓ ମା’ ଆସୁଛନ୍ତି ।

 

ଧାଇଁ ଧାଇଁ ଯାଇ କମଳଲୋଚନଙ୍କୁ କହିଲେ, ବାବା, ବାବା, ବାପା ଆସୁଛନ୍ତି, ମା’ ମଧ୍ୟ ସାଙ୍ଗରେ ଆସୁଛନ୍ତି ।

 

କମଳଲୋଚନଙ୍କ ଉତ୍ତରକୁ ଅପେକ୍ଷା ନ କରି ପୁଣି ଧାଇଁ ଧାଇଁ ଯାଇ ଦୁଆର ପାଖରେ ପହଞ୍ଚିଲେ ।

 

ରିକ୍‍ସା ଠିକ୍‍ ସେତେବେଳକୁ ବାଟରେ ଅଟକିଲା ।

 

ରିକ୍‍ସାରୁ ଓହ୍ଲାଇ ବାସନ୍ତୀ ଦେବୀ ଝିଅକୁ ଜାବୁଡ଼ି ଧଇଲେ ।

 

ହସି ହସି ବିମଳ ବାବୁ କହିଲେ, ଆରେ ଘରକୁ ଚାଲ ଆଗେ । ଏହି ଦାଣ୍ଡ ଦୁଆରଟାରେ....

 

କିନ୍ତୁ ବିମଳ ବାବୁଙ୍କ କଥାକୁ ଶୁଣୁଛି କିଏ ।

 

ଦୁହେଁ ଦୁହିଁଙ୍କୁ ଯେପରି ହଜେଇ ଦେଇଥିଲେ, ଖୋଜି ପାଇଛନ୍ତି ।

 

ଦୁଇଜଣଙ୍କ ଜାବୁଡ଼ା ଜାବୁଡ଼ିରେ ଚିପା ଚିପି ହୋଇ ଯାଇ ସରୋଜ କାନ୍ଦିବାକୁ ଆରମ୍ଭ କରିଦେଲା ।

 

ବାସନ୍ତୀ ଦେବୀ ଝିଅକୁ ଛାଡ଼ି ଦେଇ ସରୋଜକୁ ଦୁଇ ହାତରେ ଟେକି ଧରି ହସି ହସି କହିଲେ, ମୋ ସୁନାଟା ପରା ମୁଁ ତୋ ପାଖକୁ ଆସିଛି ଆଉ ତୁ କାନ୍ଦୁଛୁ !!

 

ଅଶ୍ରୁ ଗଦ୍‍ଗଦ କଣ୍ଠରେ ସେ କଥା କହି ଯାଉଥାଆନ୍ତି । ସତେ ଯେମିତି ସେ ନଳିନୀ ଦେବୀଙ୍କୁ କୋଳ କରି ଧରିଛନ୍ତି, ଗେଲ କରୁଛନ୍ତି ।

 

ମା’ ଝିଅ ଉଭୟଙ୍କ ଆଖିରୁ ଲୁହ ଝରୁଛି, ମୁହଁରେ ହସର ଫୁଆରା; ହସ ଆଉ କାନ୍ଦର ଏକ ଅପୂର୍ବ ମିଳନ ।

 

ବିମଳ ବାବୁ ଦେଖି ଦେଖି ଭାବୁଥାଆନ୍ତି, ଭଗବାନଙ୍କ ସୃଷ୍ଟିର କି ଅପୂର୍ବ ଲୀଳା । ହଜିଲା ଧନ ପାଇଲେ ମଧ୍ୟ ମଣିଷର ଆଖିରୁ ଲୁହ ଝୁରୁଛୁ । କିନ୍ତୁ ଏହି ଲୁହ ହସରୁ ବଳିକେତେ ମଧୁର, ଆଉ ଏହି ହସ କାନ୍ଦରୁ ବଳି କେତେ କରୁଣ ।

 

ବିମଳ ବାବୁ ସୁଟକେଶଟି ଧରି ଠିଆ ହୋଇଥିଲେ ।

 

ସୁଟକେଶର ଓଜନ ଅନୁଭବ କଲେ । ଆଉ ଅପେକ୍ଷା ନ କରି ସିଧା ଯାଇ କମଳଲୋଚନଙ୍କ କୋଠରୀରେ ପହଞ୍ଚିଲେ ।

 

କମଳଲୋଚନ ବସି ବସି ବହିଟିଏ ପଢ଼ୁଥିଲେ ।

 

ବହିଟିକୁ ରଖିଦେଇ କହିଲେ, ବିମଳ, ଶେଷକୁ ସମୁଧୁଣୀଙ୍କି ସାଙ୍ଗରେ ଆଣିଲୁ ଆଉ ଛାଡ଼ିଲୁ !

 

—ଆରେ ଛାଡ଼ ଭାଇ ସେକଥା । କେତେ ପଟାପଟି କରି ଆଣିଛି । ଶେଷକୁ ବସ୍‍ବି ଦାଉ ସାଧିଲା । ଫାଷ୍ଟ ବସରେ ଆସି ସେକେଣ୍ଡ ବସ୍‍ର ପଛରେ ଆସି ପହଞ୍ଚିଲୁ ।

 

କଣ ବସ୍‍ ବାଟରେ ଖରାପ ହେଲା ?

 

ହଁ, ଦୁଇଘଣ୍ଟା ବ୍ରେକ୍‍ଡାଉନ୍‍। ସରକାରଙ୍କ ବସ୍‍ ଖରାପ ହେଲା, ଆଉ ଗାଳି ଯେତେକ ଖାଇଲି ମୁଁ ।

 

ଦୁଇ ବନ୍ଧୁ ହସିବାକୁ ଲାଗିଲେ ।

 

ସିଗାରେଟ ପେକେଟ ଖୋଲି ବିମଳ ବାବୁଙ୍କ ଆଡ଼େ ବଢ଼େଇଦେଲେ କମଳଲୋଚନ ।

 

—କିରେ ପୁଣି ଆରମ୍ଭ କରି ଦେଲୁଣି ? ସିଗାରେଟ ଖଣ୍ଡେ ନେଉ ନେଉ କହିଲେ ବିମଳ ବାବୁ ।

 

ଆଉ କଣ କରିବି । ପୁଣି ସେହି ପଢ଼ା ରୋଗ ଆରମ୍ଭ ହୋଇଗଲାଣି । ତେଣୁ ଗୋଟେ ଗୋଟେ କରି ପେକେଟ କିଣିବା ଆରମ୍ଭ କରିଦେଲେଣି । କିନ୍ତୁ ନଳିନୀ ଭାରୀ ଷ୍ଟ୍ରିକ୍ଟ, ଦିନକୁ ପେକେଟରୁ ବେଶି ପାଇଁ ପରମିସନ ଦେଉନାହିଁ, ସେ ପୁଣି ଡାକ୍ତରଙ୍କ ପରାମର୍ଶକ୍ରମେ । ହାଃ ହାଃ ହାଃ ।

 

—କିଏ ଡାକ୍ତର ମନୋରଞ୍ଜନ ? ଶଳା ନିଜେ ଦିନକୁ ଦଶ ପେକେଟ ଖାଉଛି, ସେ ପୁଣି ବେଶୀ ନ ଖାଇବାପାଇଁ ପରାମର୍ଶ ଦେଉଛି ।

 

—ଆରେ, ଇସ୍‍ ମୁଁ କେଡ଼େ ବୋକା, ସୁଯୋଗ ପାଇ ମଧ୍ୟ ତାକୁ ହରେଇ ବସୁଛି ।

 

ବିସ୍ମିତ ହୋଇ ବିମଳ ବାବୁ କମଳଲୋଚନଙ୍କ ଆଡ଼େ ଅନାଇ ରହିଲେ ।

 

ଆରେ ତୁ ଆସିଛୁ, ତୋ ନାଆଁରେ ଚା’ କପ୍‍ଟିଏ ମତେ ବି ମିଳିଯିବ । ମୋର ସକାଳର କୋଟା ଦୁଇ କପ୍‍ ଖାଇସାରିଲିଣି ।

 

ଦୁଇବନ୍ଧୁଙ୍କ ହସରେ ଘର ଫାଟି ପଡ଼ିଲା ।

 

କମଳଲୋଚନ ପାଟି କଲେ, କିଲୋ, ମା’ଙ୍କୁ ଦେଖି ବାପାଙ୍କୁ ଭୁଲିଗଲୁଣି କିଲୋ ।

 

ନଳିନୀ ଦେବୀ ଆସି ଦୁଆର ପାଖରେ ଠିଆ ହେଲେ ।

 

—ଆଲୋ ତୋର ବାପା ଏତେ ଦୂରରୁ ଏତେ ବଡ଼ ବୋଝଟାଏ ବୋହି ଆସିଛି, ତାକୁ ଜଳଖିଆ ଟିକେ ଦେବୁ ନାହିଁ, ଚା’ ଟିକେ ଦେବୁନାହିଁ ?

 

ନଳିନୀ ଦେବୀ ବୁଝିଲେ ଯେ କମଳଲୋଚନ ମା’ଙ୍କୁ ଏତେ ବଡ଼ ବୋଝ ବୋଲି କହୁଛନ୍ତି । ହସିଦେଇ ଚାଲିଗଲେ ।

 

କମଳଲୋଚନ ପୁଣି ପଛରୁ ଡାକିଲେ ।

 

ଖୁସମୁସ ହୋଇ କହିଲେ, ମୋ ପାଇଁ କିଛି ନାହିଁ, ସିଙ୍ଗଲ ଚା’ ହେଲେ ଚଳିଯିବ ।

 

ଚା’ ଆଣିବାପାଇଁ ନଳିନୀ ଦେବୀ ଚାଲିଗଲେ ।

 

ଗୋଟିଏ ପ୍ଲେଟରେ କିଛି ବିସ୍କୁଟ ଆଉ ଦୁଇ କପ୍‍ ଚା’ ଆଣି ନଳିନୀ ଦେବୀ ଗୋଟିଏ ଷ୍ଟୁଲ୍ ଟାଣି ଆଣି ତା ଉପରେ ରଖିଲେ ।

 

ଚା’ କପ୍‍ଟିଏ ନେଇ କମଳଲୋଚନ କହିଲେ, ବୁଝିଲୁ ବିମଳ ଆମ ନଳିନୀ ପରି ସବୁ ଘରଣୀ ଯଦି ହୁଅନ୍ତେ ନା, ଦେଶର ଖାଦ୍ୟ ସମସ୍ୟା ଦୂର ହୋଇଯାଆନ୍ତା ।

 

ମୁହଁରେ ଗୋଟିଏ ବିସ୍କୁଟ ଦେଉ ଦେଉ ବିମଳ ବାବୁ କହିଲେ, କିନ୍ତୁ ତୋ ପରି ନାଗରିକ ରହିଲେ ନା ଯେମିତି ସରକାର ଆସିଲେ ବି ଫେଲ ମାରିଦେବ !

 

ଏତିକି ବେଳକୁ ସରୋଜକୁ କାଖରେ ଧରି ବାସନ୍ତି ଦେବୀ ଦୁଆର ମୁହଁରେ ଠିଆ ହେଲେ ।

 

ତାଙ୍କୁ ଦେଖି କମଳଲୋଚନ ସ୍ମିତ ହସି କହିଲେ, ସମୁଦୁଣୀ ତୁମେ ଶେଷକୁ ହାରିଗଲ ।

 

ଲାଜରେ ବାସନ୍ତୀ ଦେବୀଙ୍କ ମୁହଁ ଲାଲ ପଡ଼ିଗଲା ।

 

ଓଡ଼ଣା ଆଉ ଟିକିଏ ଟାଣି ଆଣି କହିଲେ, ମୁଁ କାହିଁକି ହାରନ୍ତି, ମୁଁ ତ ସରୋଜ ପାଖକୁ ଆସିଛି ।

 

ଚା’ କପରେ ଚୁମ୍ୱକ ଦେଇ କମଳଲୋଚନ କହିଲେ ହଉ ସମୁଧୁଣୀ ମୁଁ ହାରିଲି କିନ୍ତୁ ଦୟା କରି ସରୋଜକୁ ଆମ ଆଗରୁ ନେଇ ଯାଅ । ବାବୁଙ୍କ ଆଖି ଲାଖି ରହିଛି ବିସ୍କୁଟ ପ୍ଲେଟରେ ।

 

ହସି ହସି ପୁଣି କହିଲେ, ମୁଁ ତ ଗୋଟିଏ କପ ଚା’ ଅଧିକା ଖାଉଛି ବୋଲି କେତେ କଥା ଶୁଣିଲିଣି । ଆଉ ଆମ ରାଜାବାବୁ ଯଦି ଗୋଟିଏ ବିସ୍କୁଟ ଅଧିକା ଖାଇ ଦିଅନ୍ତି ନା’ ଅବସ୍ଥା ଅସମ୍ଭାଳ ।

 

ବିମଳ ବାବୁ କହିଲେ ନାଇଁ କମଳ, ଆଜି ତମ ଦୁଇ ଜଣଙ୍କୁ ମାଫ କରି ଦିଆଯିବ । ଦେଲୁ ମା’ ନଳିନୀ ଆଉ ଗୋଟିଏ ପ୍ଲେଟ ସରୋଜ ଆଉ ମୁଁ ଏକା ସାଙ୍ଗରେ ଚା’ ବିସ୍କୁଟ ଖାଇବୁ ।

 

ଏତେବେଳକୁ ସରୋଜ ସତକୁ ସତ ବାସନ୍ତୀ ଦେବୀଙ୍କ କାଖରୁ ମାମ୍‍ମାମ୍‍ କହି ଲହଁପି ପଡ଼ୁଥାଏ ।

 

—ନାଇଁ ବାପା, ସେ ଏତେ ଦୁଧ ଖାଇଛି ।

 

—ସେଥିରେ କଣ ହେଲା । ବିମଳ ବାବୁ ଉଠିଯାଇ ସ୍ତ୍ରୀଙ୍କ କାଖରୁ ସରୋଜକୁ ନେଇ ଆସିଲେ ।

 

କମଳଲୋଚନ ବାବୁ ସମୁଧୁଣୀଙ୍କି କହିଲେ, ଯାଅ ସମୁଧୁଣୀ ଆଜି କମ ପଇସା ଦେଇ ବେଶି ସମୟ ବସରେ ବସିଛ, ଆମର ଚା’ ଖିଆ ଦେଖି ତୁମର ବି ଲାଳ ଗଡ଼ିବଣି, ଯାଅ ତୁମେ ବି ଚା’ କପଟିଏ ଖାଇନିଅ ।

 

ନଳିନୀ ଦେବୀଙ୍କୁ କହିଲେ, ଯାଆ ମାଁ, ମା’ଙ୍କୁ ଭୋକ ହେଲାଣି ଭଲକରି ଖାଇବା ପିଇବାକୁ ଦେ ।

 

ସମସ୍ତଙ୍କ ହସରେ ଘର କମ୍ପି ଉଠିଲା ।

 

ଭୁଲ ବୁଝାମଣା ଦୂର ହୋଇ ଯାଇଛି ।

 

ସମସ୍ତଙ୍କ ମୁହଁରେ ହସର ଫୁଆରା ।

 

ସମସ୍ତଙ୍କ ହସର ଗଙ୍ଗାଧର ସରୋଜ ଏ କୋଳରୁ ସେ କୋଳ ହେଉଛି । ଶୋଇବା ସମୟ ଟିକକ ଛାଡ଼ି ଦେଲେ ଆଉ ସେ ତଳେ ବି ବସି ପାରୁନାହିଁ ।

 

ଦୁଇ ଦିନ ରହି ବାସନ୍ତୀ ଦେବୀ ଝିଅକୁ ସାଙ୍ଗରେ ନେଇ ଘରକୁ ଫେରିଲେ ।

 

କମଳଲୋଚନ ହସି ହସି ସେମାନଙ୍କୁ ବିଦାୟ ଦେଲେ ।

 

ଘରକୁ ଫେରି ଆସି ତାଙ୍କର ମନେ ହେଲା ଏତେ ବଡ଼ ଘରଟାରେ ଆଉ କେହି ନାହିଁ, ସେ ଏକା । ନଳିନୀ ଚାଲି ଯାଇଛି । ସରୋଜ ଚାଲି ଯାଇଛି ।

 

ସେମାନେ ଫେରିବା ପର୍ଯ୍ୟନ୍ତ ଏହି ଦିନ କେତୋଟି ସେ ଯେ କିପରି ଅତିବାହିତ କରିବେ ସେ ଚିନ୍ତାରେ ତାଙ୍କର ଅନ୍ତର ଭାରି ହୋଇଗଲା ।

 

ଆଖିରେ ଲୁହ ଢଳ ଢଳ ହେଲା ।

 

ଟେବୁଲ ଉପରୁ ଗଙ୍ଗାଧରଙ୍କ ତପସ୍ୱିନୀ ବହିଟା ଆଣି ପଢ଼ି ବସିଲେ ।

 

ସ୍ୱାମୀଙ୍କ ମୃତ୍ୟୁ ପରେ ନଳିନୀ ଦେବୀ ପ୍ରଥମଥର ପାଇଁ ଘରକୁ ଆସିଲେ । ତା’ ପୂର୍ବରୁ ଦୁଇ ତିନି ଥର ଆସିଥିଲେ ।

 

କିନ୍ତୁ କି ପରିବର୍ତ୍ତନ !

 

ଯେଉଁ ଘରେ ଜନ୍ମ ହୋଇ ଖେଳିବୁଲି ଏଡ଼ୁଟେ ହୋଇଛ, ଆଜି ମାତ୍ର କେତୋଟି ବର୍ଷର ଅନୁପସ୍ଥିତିରେ ନିଜର ବୋଲି ମନେ ହେଉନାହିଁ । ପ୍ରତ୍ୟେକ କଥାରେ ପର ଘର ବୋଲି ମନେ ହେଉଛି । ଚେଷ୍ଟା କରି ମଧ୍ୟ ନିଜର ବୋଲି ଭାବି ପାରୁନାହାନ୍ତି ।

 

ନାରୀ ନିଜର ବାପ ଘରକୁ ମଧ୍ୟ ବିବାହ ପରେ ନିଜର ବୋଲି ଭାବି ପାରୁନାହିଁ । ତାର ସଂସାର ସ୍ୱାମୀର ସଂସାର । ତାର ଦୁନିଆ ସ୍ୱାମୀର । ବିବାହ ବନ୍ଧନ ଚିରନ୍ତନ । ଆଜି ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ସେ ବନ୍ଧନ ଅତୁଟ ରହିଛି । ନାରୀର ଜୀବନରେ ଏହି ବନ୍ଧନରୁ ମୁକ୍ତି ନାହିଁ ।

 

ଘରୁ ଆସିଲାବେଳକୁ କମଳଲୋଚନ କହିଥିଲେ, ଯା’ ମା’, ମାସେ ଦୁଇମାସ ରହିକରି ଆସିବୁ । ମୋପାଇଁ କିଛି ଚିନ୍ତା କରିବୁ ନାହିଁ । କିନ୍ତୁ ଦେଖିବୁ ସରୋଜର ଲାଳନପାଳନରେ କିଛି ଅସୁବିଧା ନ ହୁଏ ।

 

ଆଉ କଣ କହିବାକୁ ଯାଇ କହିଲେ ନାହିଁ ।

 

ନଳିନୀ ଦେବୀ କହିଲେ, ନାଇଁ ବାବା, ଗୋଟିଏ ମାସ ରହି ମୁଁ ଫେରି ଆସିବି । ତୁମର ଔଷଧ ଖାଇବାରେ ହେଳା କରିବ ନାହିଁ । ଠିକ୍‍ ସମୟ ଅନୁସାରେ ଖାଉଥିବ । ସିଗାରେଟ୍‍ ଚା’ ବେଶି ଖାଇବ ନାହିଁ । ରାତିରେ ପଢ଼ାପଢ଼ି ବନ୍ଦ ।

 

କମଳଲୋଚନ ହସିଦେଲେ ।

 

ମନେ ମନେ ଭାବିଲେ, ମୋ ପାଇଁ କେତେ ଚିନ୍ତା କରୁଛି । ମୁଣ୍ଡିଆ ମାରି ନଳିନୀ ଦେବୀ ଚାଲିଆସିଲେ ।

 

ଆସିଲାବେଳକୁ ସେ ଖାଲି କମଳଲୋଚନଙ୍କ କଥା ଭାବୁଥାଆନ୍ତି ।

 

ବିବାହ ପରେ ପ୍ରଥମ ଥର ସେ ଯେତେବେଳେ ଘରକୁ ଆସୁଥିଲେ କମଳଲୋଚନଙ୍କ କଥା ମୋଟେ ତାଙ୍କର ମନେ ପଡ଼ି ନଥିଲା ।

 

ନିଜର ସାଙ୍ଗ ସାଥୀ, ଘର ଦ୍ୱାର, ଘରର ପ୍ରତ୍ୟେକ ଧୂଳିକଣା ଦେଖିବା ପାଇଁ ସେ ଏତେ ବ୍ୟଗ୍ର ହୋଇ ପଡ଼ିଥିଲେ ଯେ ସ୍ୱାମୀଙ୍କ କଥା ତାଙ୍କର ମନେ ପଡ଼ୁନଥିଲା । ଘର କଥା ଭାବି ଭାବି ମନ ଉଲସି ଉଠୁଥିଲା ।

 

ବିବାହ ପରେ ମଧ୍ୟ କୁମାରୀ ମନର ଚଞ୍ଚଳତା ।

 

ସ୍ୱାମୀଙ୍କ ମୃତ୍ୟୁ ପରେ ଶଯ୍ୟାଶାୟୀ ଶ୍ୱଶୁରଙ୍କ ସେବା କରି କରି ତାଙ୍କ ପ୍ରତି ଏକ ବାତ୍ସଲ୍ୟ ସ୍ନେହ ଆସିଯାଇଛି ।

 

ତେଣୁ ଛାଡ଼ି କରି ଆସିଲାବେଳକୁ ବତ୍ସହରା ଗାଈ ପରି ବିବ୍ରତ ହୋଇ ପଡ଼ୁଥିଲେ ।

 

କୋଳରେ ସରୋଜ ଘୁମେଇ ପଡ଼ିଛି ।

 

ଘରେ ପହଞ୍ଚୁ ପହଞ୍ଚୁ ପାଖ ପଡ଼ୋଶୀ ସ୍ତ୍ରୀଲୋକମାନେ ଆସି ରୁଣ୍ଡ ହୋଇଗଲେ ।

 

ବାସନ୍ତୀଦେବୀ ସରୋଜକୁ ଧରି ଜଣ ଜଣ କରି ସମସ୍ତଙ୍କୁ ଦେଖେଇ ଦେଉଛନ୍ତି ।

 

ସମସ୍ତେ ଏକ ମୁଖରେ ପ୍ରଶଂସା କରୁଛନ୍ତି ।

 

ଦେଖିବାକୁ ଆସିଛନ୍ତି, ମନ ଭିତରେ ଯାହା ଭାବନ୍ତୁ ପଛକେ ପ୍ରଶଂସା କରିବାକୁ ହେବ ।

 

ନଳିନୀ ଦେବୀ ଚୁପ୍‍ ହୋଇ ବସିଥାଆନ୍ତି । ନିହାତି ନ ହେଲେ ମୁହଁ ଖୋଲୁ ନ ଥାନ୍ତି ।

 

କାହିଁକି କେଜାଣି ମୋଟେ କଥା କହିବାକୁ ଭଲ ଲାଗୁନାହିଁ । ଟିକିଏ ବସିଲେ କମଳଲୋଚନଙ୍କ କଥା ମନେ ପଡ଼ିଯାଉଛି । ଖାଇବା ପିଇବା କେମିତି କରୁଥିବେ, ଔଷଧ ଠିକ୍‍ ସମୟରେ ଖାଉଥିବେ କି ନାହିଁ, ଚା’ ସିଗାରେଟ ବେଶୀ ଖାଉଥିବେ କି ? ଏମିତି ନାନା ଚିନ୍ତାରେ ତାଙ୍କର ମନ ଭାରାକ୍ରାନ୍ତ ହୋଇଯାଉଛି ।

 

ରାତିରେ ଖାଇଲାବେଳକୁ ବିମଳ ବାବୁ କହିଲେ, କମଳ କିଛିଦିନ ତୀର୍ଥ କରି ଆସିବ ବୋଲି କହୁଥିଲା ।

 

ନଳିନୀ ଦେବୀ ପାଖରେ ବସିଥିଲେ ।

 

ବାପାଙ୍କ ମୁହଁରୁ ଶ୍ୱଶୁରଙ୍କ ତୀର୍ଥ ଯିବା କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ, କାହିଁ ମତେ ତ କିଛି କହି ନାହାନ୍ତି । କେବେ ଯିବେ କିଛି କହୁଥିଲେ ?

 

ହସି ହସି ବିମଳ ବାବୁ କହିଲେ, ଆଲୋ ସେ ତତେ ଯେମିତି ଡରୁଛି, ତା’ର ନିଜ ମା’କୁ ମଧ୍ୟ ସେତିକି ଡରୁ ନଥିଲା । ସେଇଥିପାଇଁ ମତେ କହିଲା । କହିଲା ନଳିନୀ ତ ଯାଉଛି, ମୁଁ ମଧ୍ୟ ଯିବି କିଛିଦିନ ପାଇଁ ବୁଲି ଆସିବି ଏଲ୍‍ହାବାଦ, ବନାରସ ଆଡ଼ୁ, ପୁରୁଣା ବନ୍ଧୁମାନଙ୍କ ସଙ୍ଗେ ଦେଖାହେବ, ତୀର୍ଥ କି ହୋଇଯିବ ।

 

ପାଣି ପିଇ ସାରି ଗ୍ଲାସ ଭିତରେ ହାତ ପଶେଇ ଧୋଉ ଧୋଉ କହିଲେ, ମୁଁ ପଚାରିଲି, ତତେ କହିଛି କି ନାହିଁ ବୋଲି । କହିଲା ତାକୁ କହିଲେ ସେ ମୋଟେ ଛାଡ଼ିବ ନାହିଁ । ଏପରିକି ସେ ଯିବାପାଇଁ ଯେଉଁ ମଙ୍ଗିଛି ଯିବାକୁ ବି ମନା କରିଦେବ ।

 

ମୁଁ ଆଉ ବେଶି କିଛି କହିଲି ନାହିଁ ।

 

ଆସିଲା ବେଳକୁ ତତେ ବୁଝେଇ କରି କହିବା ପାଇଁ କେତେ କରି କହିଛି ।

 

ଅଭିମାନ ମିଶା କଣ୍ଠରେ ନଳିନୀ ଦେବୀ କହିଲେ, ମୁଁ କିଏ ଯେ ମତେ କହିବେ । ଯାଆନ୍ତୁ, ପୁଣି ଦେହ ଖରାପ ହେଲେ ଜାଣିବେ ।

 

ଝିଅକୁ ସାନ୍ତ୍ୱନା ଦେବାପାଇଁ କହିଲେ, ସ୍ୱାଧିନତା ଆନ୍ଦୋଳନ ସମୟରେ ସେ ଭାରତ ସାରା ବୁଲିଛି, ଅନେକ ଥର ଜେଲ ଭୋଗିଛି । ତାର କିଛି ଅସୁବିଧା ହେବ ନାହିଁ । ପୁଣି ପ୍ରତ୍ୟେକ ଜାଗାରେ ତ ତାର ଚହ୍ନା ପରିଚୟର ଲୋକ ଅଛନ୍ତି । କାହାରି ହେଲେ ଘରେ ଯାଇ ରହିବ ।

 

ବାପାଙ୍କର ଏ କଥା ଶୁଣି ନଳିନୀ ଦେବୀଙ୍କ ଚିନ୍ତାର ଟିକିଏ ବି ଅବସାନ କଲାନାହିଁ ।

 

ବିଷଣ୍ଣ ବଦନରେ ଚୁପ୍‍ ହୋଇ ବସି ରହିଲେ ।

 

ତିନିଦିନ ପରେ ନଳିନୀ ଦେବୀ ଚିଠି ପାଇଲେ ଯେ କମଳଲୋଚନ ଯାତ୍ରା ଆରମ୍ଭ କରିଛନ୍ତି । ଗାଁରୁ ଅନନ୍ତ ଆସି ଘର ଜଗୁଛି ।

 

ଚିଠିଟି ପଢ଼ି ସାରିଲା ପରେ ଏକ ଅଜଣା ଆତଙ୍କରେ ତାଙ୍କର ଛାତି ଥରିଗଲା । କେତେ ପ୍ରକାର ଅମଙ୍ଗଳ ଚିନ୍ତା ଆସି ଉଙ୍କି ମାରିଲା ମନ ମଧ୍ୟରେ ।

 

ନଳିନୀ ଦେବୀ ପୁଣି ନିଜେ ନିଜକୁ ବୁଝେଇବା ପାଇଁ ଚେଷ୍ଟା କଲେ ।

 

ଏତେ ବଡ଼ ମଣିଷଟାଏ ଯାତ୍ରା କରୁଛନ୍ତି, ସେଥିରେ ଏତେ ଭାବିବାର କଣ ଅଛି । ପୁଣି ଚାକର ପିଲାଟିଏ ତ ସାଙ୍ଗରେ ରହିଛି । ସୁବିଧା ଅସୁବିଧା ଦେଖିବ ।

 

ପୁଅର ମୃତ୍ୟୁ ପରେ କମଳଲୋଚନ ଆଉ କୁଆଡ଼େ ବାହାରି ନାହାନ୍ତି । ଏପରିକି ବୁଲାବୁଲି ମଧ୍ୟ ପ୍ରାୟ ବନ୍ଦ କରିଦେଇଥିଲେ । ଯାଆନ୍ତୁ କିଛି ଦିନ ପାଇଁ ବୁଲାବୁଲି କରି ଆସନ୍ତୁ । ମନଟା ଟିକିଏ ପରିବର୍ତ୍ତନ ହେବ । ହାଓ୍ୟା ପରିବର୍ତ୍ତନରେ ସ୍ୱାସ୍ଥ୍ୟଟା ମଧ୍ୟ ଭଲ ରହିବ ।

 

ବାସନ୍ତୀ ଦେବୀ ସରୋଜକୁ ଆଉ ପାଖରୁ ଛାଡ଼ୁ ନାହାନ୍ତି ।

 

ରାତିରେ ଶୋଇବା ସମୟତକ ଛାଡ଼ିଦେଲେ ଦିନ ସାରା ସେ ସରୋଜକୁ କାଖେଇଛନ୍ତି-। ଗୁଧେଇବା, ଖୁଏଇବା ସବୁ କିଛି ନିଜ ହାତରେ କରୁଛନ୍ତି ।

 

ଫଳରେ ନଳିନୀ ଦେବୀ ଅଧିକାଂଶ ସମୟ ଏକାକୀ ବସି ରହୁଛନ୍ତି । ଆଉ ଏକାକୀ ବସି ରହିଲେ ନାନା କଥା ଆସି ମୁଣ୍ଡରେ ବସା ବାନ୍ଧେ ।

 

ସେ ବେଶି ସମୟ କମଳଲୋଚନଙ୍କ କଥା ଭାବୁଛନ୍ତି ।

 

କମଳଲୋଚନ ପ୍ରାୟ ପ୍ରତିଦିନ ଗୋଟିଏ ଗୋଟିଏ ଚିଠି ଲେଖୁଥାଆନ୍ତି । ପ୍ରତ୍ୟେକ ଚିଠିରେ ସରୋଜ କିପରି ଅଛି, କଣ କଣ ସବୁ କଥା କହିଲାଣି ସେ ବିଷୟରେ ନାନା ପ୍ରଶ୍ନ ।

 

ନଳିନୀ ଦେବୀଙ୍କର ମଧ୍ୟ ଇଚ୍ଛା ପ୍ରତିଦିନ ସରୋଜ ବିଷୟରେ ଚିଠି ଖଣ୍ଡେ ଲେଖାଏଁ ଲେଖନ୍ତେ ।

 

କିନ୍ତୁ କିପରି ଲେଖିବେ, କେଉଁ ଠିକଣାରେ ଲେଖିବେ । ଚିଠି ଯାଇ ଗୋଟିଏ ଯାଗାରେ ପହଞ୍ଚିଲା ବେଳକୁ ସେ ଯାଇ ଆଉ ଗୋଟିଏ ଯାଗାରେ ପହଞ୍ଚିବେଣି ।

 

ଦିଲ୍ଲୀରେ ପହଞ୍ଚି କମଳଲୋଚନ ଚିଠି ଲେଖିଲେ ଯେ ସେ ତାଙ୍କର ଯାତ୍ରା ଶେଷ କରିଛନ୍ତି । ପୁରୁଣା ବନ୍ଧୁ ମେଳାରେ କିଛିଦିନ ରହ କଲିକତା ବାଟ ଦେଇ ଘରକୁ ଫେରିଯିବି ।

 

ଚିଠିଟି ପଢ଼ି ନଳିନୀ ଦେବୀ ସ୍ୱସ୍ତିର ନିଶ୍ୱାସ ମାରିଲେ ।

 

ଯାହା ହେଉ ଆଉ କିଛିଦିନ ମଧ୍ୟରେ ଫେରି ଆସିବେ ।

 

କମଳଲୋଚନ ଫେରି ଆସିଲେ ସେ ଆଉ ରହିବେ ନାହିଁ, ଫେରିଯିବେ ।

 

ସେ ଲକ୍ଷ୍ୟ କରିଛନ୍ତି, କମଳଲୋଚନ ସମ୍ୱଲପୁର ଛାଡ଼ିବା ଦିନଠାରୁ ନଳିନୀ କିପରି ଚିନ୍ତିତ, ଉଦାସୀନ, ବିଷଣ୍ଣ ହୋଇଯାଇଛନ୍ତି ।

 

ଚିଠିଟି ପାଇବା ପରେ ମୁହଁରେ ଟିକିଏ ପାଣି ଆସିଛି ।

 

ବିମଳ ବାବୁ ଚିଠିଟି ପଢ଼ି ଫେରେଇ ଦେଲେ ।

 

ନଳିନୀ ଦେବୀ କହିଲେ, ବାପା, ବାବା ଫେରି ଆସିଲେ ମୁଁ ଚାଲିଯିବି ।

 

—ହଁ, ଯିବୁ ତ, ଏତେ ତରତର କାହିଁକି । ମୁଁ ଭାବୁଛି କମଳଲୋଚନ ଫେରିଲେ ଏଠାରେ ଆସି ଆମ ସାଙ୍ଗରେ କିଛିଦିନ ରହିବା ପାଇଁ ଲେଖିବି ।

 

ନଳିନୀ ଦେବୀ ଆଉ କିଛି କହିଲେ ନାହିଁ ।

 

ଚାରି ପାଞ୍ଚ ଦିନ ପାଇଁ ଆଉ କିଛି ଚିଠିପତ୍ର କମଳଲୋଚନଙ୍କ ପାଖରୁ ଆସିଲା ନାହିଁ ।

 

ଶନିବାର ଦିନ ସକାଳେ ନଳିନୀ ଦେବୀ ଚା’ ଜଳଖିଆ ଖାଇ ବାରଣ୍ଡାରେ ବସି ଥଆାନ୍ତି-। ସରୋଜ ଜେଜେବାପା ଆଣି ଦେଇଥିବା ଖେଳନା ସବୁ ଧରି ଖେଳୁଥାଏ । ବାସନ୍ତୀ ଦେବୀ ରୋଷେଇ ଘରେ ରନ୍ଧା ବଢ଼ା କରୁଥିଲେ । ମଝିରେ ମଝିରେ ଆସି ସରୋଜ ସାଙ୍ଗରେ ଟିକିଏ ଗେଲ ହୋଇ ଚାଲି ଯାଉଥାଆନ୍ତି ।

 

ଅନନ୍ତ ଆସି ପହଞ୍ଚିଲା ।

 

ଅନନ୍ତକୁ ଦେଖି ନଳିନୀ ଦେବୀ କିପରି ଆତଙ୍କିତ ହୋଇଗଲେ । ମୁହଁରେ ତାଙ୍କର ଆତଙ୍କର ଛାୟା ଘନୀଭୂତ ହୋଇଗଲା । ଆଶା ଓ ଆଶଙ୍କାର ଦ୍ୱନ୍ଦ୍ୱରେ ସେ ପ୍ରଥମେ କିଛି କହି କରିଲେ ନାହିଁ ।

 

ଅନନ୍ତ ମଧ୍ୟ କିଛି କଥାନାହିଁ କିଛିକ୍ଷଣ ପାଇଁ ଠିଆ ହୋଇଥିଲା । ତା’ପରେ ସରୋଜ ପାଖକୁ ଯାଇ ତାକୁ କୋଳ କରିବା ପାଇଁ ହାତ ଲମ୍ୱେଇଲା ।

 

ସରୋଜ କିନ୍ତୁ ନୂଆ ଲୋକ ଦେଖି ମା’ ମା’ କହି ନଳିନୀ ଦେବୀଙ୍କ ପାଖକୁ ରଙ୍ଗି ରଙ୍ଗି ଚାଲିଗଲା ।

 

ଏତେବେଳକୁ ନଳିନୀ ଦେବୀଙ୍କ ଆତଙ୍କ ଦୂର ହୋଇଯାଇଛି । ସାହାସର ସହିତ ପଚାରିଲେ, ଅନନ୍ତ, ବାବା ଆସିଲେଣି ?

 

ହଁ, କାଲି ସନ୍ଧ୍ୟାରେ ଆସି ପହଞ୍ଚିଲେ ।

 

ନଳିନୀ ଦେବୀ ଆଶା କରୁଥିଲେ ଅନନ୍ତ ଆଉ କିଛି କହିବ । କିନ୍ତୁ ତା’ର ଏପରି ସଂକ୍ଷିପ୍ତ ଉତ୍ତର ଶୁଣି କ୍ଷୁବ୍ଧ ହେଲେ ।

 

ପୁଣି ପଚାରିଲେ, ଦେହପା କେମିତି ? ସବୁ ଭଲ ?

 

—ହଁ ଭଲ ନୁହେଁ ଆଉ କଣ, ପୁଣି ରକ୍ତଚାପ ।

 

ନଳିନୀ ଦେବୀ ଯେପରି ଚମକି ପଡ଼ିଲେ । ସତେ ଯେମିତି ବଜ୍ରପାତ ହୋଇଗଲା । ଠିଆ ହୋଇପଡ଼ି କହିଲେ, ପୁଣି ସେହି ରକ୍ତଚାପ ?

 

ହଁ, କାଲି ସନ୍ଧ୍ୟାରେ ପହଞ୍ଚିଲେ । ଖାଇ ପିଇ ଶୋଇଲେ । ଖାଇବା ଆଗରୁ ମତେ ପାଖକୁ ଡାକିଲେ । ତୁମ କଥା, ସରୋଜ କଥା ପଚାରିଲେ । ନାହିଁ ନାହିଁ କରୁଥିଲେ ମୁଁ ଗୋଡ଼ ହାତ ଚିପି ଦେଲି ।

 

ରାତିରେ ତ ଆରମ୍ଭ ହେଲା । ସାଢ଼େ ଗୋଟାଏ ବାଜିଥିଲା । ଯାଇ ଡାକ୍ତର ବାବୁଙ୍କୁ ଡାକି ଆଣିଲି । ଔଷଧ ଦେଇ କରି ଗଲେ ।

 

—ସେଇଠୁ ?

 

—ରାତିରେ ଡାକ୍ତର ବାବୁ ଔଷଧ ଦେଲା ପରେ ଶୋଇପଡ଼ିଲେ । ଆଜି ସକାଳେ ପୁଣି ଡାକ୍ତର ବାବୁ ଆସିଥିଲେ । ମୁଁ ଆପଣଙ୍କୁ ଡାକିବାକୁ ଆସିବାପାଇଁ କହିଲାରୁ ବାବୁ ମନା କଲେ । ଡାକ୍ତର ବାବୁ ମୋତେ ଅଲଗା ଡାକି ତୁମକୁ ଡାକିକରି ନେବାକୁ କହିଲେ । କହିଲେ ଏ ରୋଗ ପରା ଚିନ୍ତା କଲେ ବେଶି ବଢ଼ିଯାଏ । ଆଉ ତୁମେ ପାଖରେ ରହିଲେ ଶୀଘ୍ର କମିଯିବ । ମୁଁ ବାବୁଙ୍କୁ ନ କହି ପଳେଇ ଆସିଛି ।

 

ମ୍ଳାନ କଣ୍ଠରେ ନଳିନୀ ଦେବୀ ପ୍ରଶ୍ନ କଲେ, କଥାବାର୍ତ୍ତା କେମିତି କରୁଛନ୍ତି ?

 

ହଁ, କଥାବାର୍ତ୍ତା ସବୁ ଠିକ୍‍ କରୁଛନ୍ତି । ଡାକ୍ତର ବାବୁ କହିଲେ ଭୟର କିଛି କାରଣ ନାହିଁ । ଖାଲି ଏହି ରେଳଗାଡ଼ିରେ ଆସିଥିବା ପାଇଁ ସେମିତି ହେଲା ।

 

ନଳିନୀ ଦେବୀ ଟିକିଏ ଆଶ୍ୱସ୍ତ ହେଲେ ।

 

ତଥାପି ସନ୍ଦେହ ସଂପୂର୍ଣ୍ଣ ଦୂର ହେଲାନାହିଁ ।

 

ପଚାରିଲେ, ତୁମେ ମତେ ଲୁଚଉ ନାହିଁ ତ ?

 

ଅତନ୍ତ ହସି କହିଲା, ନା ନା ମା’ ତୁମକୁ ଲୁଚେଇବି କାହିଁକି, ସତରେ ଭଲ ଅଛନ୍ତି ।

 

—ମୁଁ ଏହା ସନ୍ଦେହ କରୁଥିଲି । ଦେହ ପୂରା ଭଲ ହୋଇନାହିଁ ପୁଣି ବାହାରି ପଡ଼ିଲେ । ମୋଟେ କାହାରି କଥା ଶୁଣିବେ ନାହିଁ । ଆଉ କାଳେ ମୁଁ ମନା କରିବି ଭାବି ମତେ ବି ତାଙ୍କର ଯିବା କଥା କହିଲେ ନାହିଁ ।

 

ହଁ, ଅନନ୍ତ କହିଲା, ମତେ ସେ କଥା କହୁଥିଲେ । ମୁଁ ଗାଁରୁ ଆସିଲା ପରେ କହିଲେ, ମୁଁ ଯିବା କଥା ନଳିନୀକୁ କହିନାହିଁ । ମୁଁ ଫେରିଲେ ସେ ଖୁବ୍‍ ଗାଳିଦେବ ।

 

ଠିକ୍‍ ଅଛି ଅନନ୍ତ, ତୁମେ ରୁହ । ଆଜି ସନ୍ଧ୍ୟା ଗାଡ଼ିରେ ଦୁହେଁ ଯିବା ।

 

ଅନନ୍ତ କହିଲା, ନାଇଁ ମା’, ମୁଁ ଏଇ ବସରେ ବର୍ତ୍ତମାନ ଚାଲିଯିବି । ମୋ ଆସିବା କଥା କହିନାହିଁ । ମତେ ଖୋଜୁଥବେ । ମୋର ଏଇଠିକି ଆସିବା କଥା ଜାଣିଗଲେ ଖୁବ୍‍ ଗାଳି କରିବେ । ତୁମେ ବାପାଙ୍କ ସାଙ୍ଗରେ କାଲି ଆଡ଼କୁ ଚାଲିଯିବ ।

 

ନଳିନୀ ଦେବୀ କଣ ଟିକିଏ ଭାବିଲେ । ତା ପରେ କହିଲେ, ଠିକ୍‍ ଅଛି । ମୁଁ ବାପାଙ୍କ ସାଙ୍ଗରେ ଯିବି । ତୁମେ କଣ ଟିକିଏ ଖାଇକରି ଚାଲିଯାଅ । ଆଜି ନ ହେଲେ କାଲି ସକାଳ ପ୍ରଥମ ବସରେ ଯାଇ ପହଞ୍ଚିବି ।

 

ଅନନ୍ତ ଜଳଖିଆ ଖାଇ ଚାଲିଗଲା ।

 

ନଳିନୀ ଦେବୀଙ୍କ ମୁଣ୍ଡରେ ପୁଣି ଚିନ୍ତା ମାଡ଼ି ବସିଲା ।

 

କେତେ କଷ୍ଟରେ ଭଲ ହୋଇଥିଲେ । ପୁଣି ଏହି ଯାତ୍ରାଟାଏ କରି ଖଟରେ ପଡ଼ିଲେଣି ।

 

ବିମଳ ବାବୁ ଘରେ ନ ଥିଲେ ।

 

କମଳଲୋଚନଙ୍କ ଅସୁସସ୍ଥା ଖବର ପାଇବାମାତ୍ରେ ବାସନ୍ତୀ ଦେବୀ ଅସ୍ଥିର ହୋଇ ପଡ଼ିଲେଣି ।

 

ତାଙ୍କର ଅସ୍ଥିରତାର ପ୍ରଧାନ କାରଣ ନଳିନୀ ଫେରିଯିବ, ଆଉ ନଳିନୀ ଫେରିଯିବା ମାନେ ସରୋଜ ମଧ୍ୟ ଚାଲିଯିବ ।

 

ଏଇ ଦିନ କେତୋଟି ଭିତରେ ବାସନ୍ତୀ ଦେବୀଙ୍କ ସରୋଜ ପ୍ରତି ମାୟା ଲାଗିଗଲାଣି । ନିଜ ଭଉଣୀର ପୁଅକୁ ପୋଷ୍ୟପୁତ୍ର କରିବା ମସୁଧା ପ୍ରାୟ ମନ ମଧ୍ୟରୁ ପାଶୋରି ଦେଲେଣି ।

 

ବିମଳ ବାବୁ ଘରକୁ ଫେରିବା ପରେ ନଳିନୀ ଦେବୀ ଯାଇ ବାପାଙ୍କୁ କମଳଲୋଚନଙ୍କ ଅସୁସ୍ଥତା ଖବର ଦେଲେ ।

 

—ହଁ, ମୁଁ ଶୁଣିଲିଣି । ଅନନ୍ତ ସାଙ୍ଗରେ ରାସ୍ତାରେ ଦେଖା ହୋଇଥିଲା । କିନ୍ତୁ ଏଥିରେ ବିବ୍ରତ ହେବାର କଣ ଅଛି । ମୁଁ ଟେଲିଫୋନରେ ମନୋରଞ୍ଜନ ସାଙ୍ଗରେ କଥାବର୍ତ୍ତା ହେଉଥିଲି ।

 

ବାସନ୍ତୀ ଦେବୀ ପାଖରେ ଠିଆ ହୋଇଥିଲେ । କହିଲେ, ମନୋରଞ୍ଜନ ପୁଣି କିଏ ।

 

—ଆରେ ମନୋରଞ୍ଜନକୁ ଜାଣିନ, ମନୋରଞ୍ଜନ ପଟ୍ଟନାୟକ—ଡାକ୍ତର....

 

—ଓହୋ ମାନୁ ଡାକ୍ତର, କଣ କହିଲେ ସେ ।

 

ସେ କହିଲା, କିଛି ନାହିଁ । ଏହି ଜର୍ଣ୍ଣି ପାଇଁ ସାମାନ୍ୟ ରକ୍ତଚାପ ବୃଦ୍ଧି ପାଇଥିଲା । ସେ ଖାଲି ଘାବରେଇ ଯାଇଥିଲେ । ବର୍ତ୍ତମାନ ମୋଟେ କିଛି ଭୟର କାରଣ ନାହିଁ । ତା’ପରେ ରକ୍ତଚାପ ରୋଗ, ମଝିରେ ମଝିରେ ସେମିତି ହେବ । ତା ପାଇଁ ଚିନ୍ତାର କିଛି କାରଣ ନାହିଁ ।

 

—ତାହାହେଲେ ସମୁଧି ଭଲ ଅଛନ୍ତି ତ ?

 

କଥାଟି କହିସାରି ବାସନ୍ତୀ ଦେବୀ ମନେ ମନେ ଭାବିଲେ ନଳିନୀ ନ ଯାଆନ୍ତା କି । ଦେହ ତ ଭଲ ଅଛି, ଆଉ ଯିବାପାଇଁ ତରତର କାହିଁକି !

 

ମ୍ଳାନ କଣ୍ଠରେ ନଳିନୀ ଦେବୀ କହିଲେ, ଅନନ୍ତ କହିଲା ମତେ ଫେରିଯିବା ପାଇଁ, ଡାକ୍ତର ବାବୁ ପଠାଇଛନ୍ତି । ମୁଁ ତାକୁ କାଲି ଯିବାପାଇଁ କହିଛି ।

 

ବାସନ୍ତୀ ଦେବୀ ନିରାଶ ହୋଇଗଲେ । ତା ହେଲେ ନଳିନୀ କାଲି ଯିବ । ସରୋଜ କାଲି ଚାଲିଯିବ ।

 

ବିମଳ ବାବୁ କହିଲେ, ଠିକ୍‍ ଅଛି କାଲି ସକାଳୁ ଯିବ ।

 

ମୁହଁ ଶୁଖେଇ ବାସନ୍ତୀ ଦେବୀ କହିଲେ, ତମେ ଗୋଟେ କାମ କର । କାଲି ସକାଳୁ ତମେ ଚାଲିଯାଅ, ଦେଖିବ କେମିତି ଅଛନ୍ତି । ଯଦି ଭଲ ଥିବେ ଆଉ କିଛିଦିନ ରହି ନଳିନୀ ଚାଲିଯିବ । କେତେ ଦିନରୁ ଆସିଛି । ଗଲେ ପୁଣି କେବେ ଆସିବ କେଜାଣି ।

 

ମା’ଙ୍କ କଥା ଶୁଣି ନଳିନୀ ଦେବୀ ମନେ ମନେ ବିରକ୍ତ ହେଲେ । ଜଣକର ଦେହ ଖରାପ, ତାର ଗୁରୁତ୍ୱ ମୋଟେ ବୁଝିପାରୁନାହାନ୍ତି ।

 

—ନା ବାପା, କାଲି ମୁଁ ମଧ୍ୟ ତୁମ ସାଙ୍ଗରେ ଯିବି ।

 

—ଠିକ୍‍ ଅଛି, କାଲି ସକାଳୁ ଯିବା ।

 

ନଳିନୀ ଦେବୀ ଚାଲିଗଲେ ।

 

ବାସନ୍ତୀ ଦେବୀ କହିଲେ, ତୁମେ ଯେଉଁ ମଣିଷ ନା, ଚଟ୍‍କି ହଁ କରିଦେଲ । ତୁମେ ତ ନିଜେ ଟେଲିଫୋନରେ ମାନ ସାଙ୍ଗରେ କଥାବାର୍ତ୍ତା ହେଲା । ସମୁଧି ଭଲ ଅଛନ୍ତି । ଆଉ ନଳିନୀ ଯିବାକୁ କହିଲାରୁ କାହିଁକି ହଁ କରିଦେଲ ।

 

ସେ ତ ନିଜେ ଯିବ କହୁଛି, ମୁଁ କେମିତି ନାହିଁ କରନ୍ତି ।

 

କ୍ଷୁଣ୍ଣ କଣ୍ଠରେ ବାସନ୍ତୀ ଦେବୀ କହିଲେ, ଯାଅ ଯାଅ ସମସ୍ତେ ଯାଅ । ସେ ନଳିନୀ ଯାଉ, ସରୋଜ ବି ଯାଉ । ମୁଁ ଏକା ରହିବି ।

 

ବିମଳ ବାବୁ ଲକ୍ଷ୍ୟ କଲେ ସ୍ତ୍ରୀ ସରୋଜର ନାଆଁ କହିଲେ ବେଳକୁ ବେଶୀ ଜୋର ଦେଲେ । କଥାର ଗୁରୁତ୍ୱ ହ୍ରାସ କରିବା ପାଇଁ କହିଲେ, କଣ ହେଲା ବାସନ୍ତୀ, ମୋ ପ୍ରତି ହଠାତ୍‍ ଏପରି ବିତସ୍ମୃହ ହୋଇ ପଡ଼ିବାର କାରଣଟା କଣ ? ମୋ ସାଙ୍ଗରେ ରହିବାକୁ ଆଉ ମନ କରୁନାହିଁ-? କଥା କଣ ?

 

ବାସନ୍ତୀ ଦେବୀ ହସି ପକେଇଲେ ।

 

—ସତେ, ସରୋଜ ପ୍ରତି କେମିତି ମାୟା ଲାଗିଗଲାଣି । ଛାଡ଼ିବାକୁ ମନ ହେଉନାହିଁ ।

 

—ଯାଅ ତା ହେଲେ ତା ସାଙ୍ଗରେ ରହିବ । ସ୍ମିତ ହସି କହିଲେ ବିମଳ ବାବୁ ।

 

—ସତରେ ତ, ସରୋଜକୁ ମୁଁ ପାଖରେ ରଖିବି ।

 

—ସେ କାହିଁକି ତୁମ ପାଖରେ ରହିବ । ଯେତେବେଳେ ପୁଅ ପିଲା, ତୁମେ ଯାଅ ତା ପାଖରେ ରହିବ ।

 

—ଯିବି ତ ତା ସାଙ୍ଗରେ । ତା ପାଖରେ ରହିଗଲେ ବୁଝିବ । ବାସନ୍ତୀ ଦେବୀ ଚାଲିଗଲେ ।

 

ବିମଳ ବାବୁ ମନେ ମନେ ହସିଲେ ।

 

କି ବିଚିତ୍ର ଏ ମଣିଷର ମନ । ଯାହାକୁ ଘୃଣା କରିବ ତା’ର ମୃତ୍ୟୁ ପର୍ଯ୍ୟନ୍ତ ଚିନ୍ତା କରିପାରେ । ଆଉ ଯାହାକୁ ଭଲ ପାଇବ ତା ପାଇଁ ଜୀବନ ଉତ୍ସର୍ଗ କରିବା ପାଇଁ ମଧ୍ୟ ତିଳେ ହେଲେ କୁଣ୍ଠା ବୋଧ କରେ ନାହିଁ । ଏଇ ବାସନ୍ତୀ ସରୋଜର କଥା ପଡ଼ିଗଲେ କେତେ ବିରକ୍ତ ହେଉଥିଲେ । ଆଉ ଆଜି ତାର ଅନୁପସ୍ଥିତିରେ ଜୀବନକୁ ତୁଚ୍ଛ ମଣୁଛନ୍ତି, କିପରି ରହିବେ କଳ୍ପନା କରି ପାରୁନାହାନ୍ତି ।

 

କମଳଲୋଚନଙ୍କ ଅସୁସ୍ଥତା ଖବର ପାଇବାବେଳୁ ନଳିନୀ ଦେବୀଙ୍କ ମନ ସ୍ଥିର ରହୁନାହିଁ । ରକ୍ତଚାପ ବେଶୀ ହେଲେ ହାଟଫେଲର ମଧ୍ୟ ସମ୍ଭାବନା ।

 

କମଳଲୋଚନଙ୍କ କଥା ଚିନ୍ତା କରି କରି ନଳିନୀ ଦେବୀଙ୍କୁ ରାତିରେ ଭଲ ନିଦ ବି ହେଲା ନାହିଁ । ନାନା ପ୍ରକାର ଖରାପ ସ୍ୱପ୍ନ ଦେଖି ଥରକୁ ଥର ନିଦ ଭାଙ୍ଗିଯାଉଥାଏ ।

 

କେମିତି ସକାଳ ପାଇବ, କେମିତି ଯାଇ ସେ ତାଙ୍କ ପାଖରେ ପହଞ୍ଚିବେ, ସେଥିପାଇଁ ମନଟା ବ୍ୟାକୁଳ ହୋଇଯାଏ ।

 

ପାହାନ୍ତିଆରୁ ଉଠି ଯିବା ପାଇଁ ସଜବାଜ ହୋଇ ପଡ଼ିଲେ ।

 

ବାସନ୍ତୀ ଦେବୀ ମନା କରି ଥାଆନ୍ତେ କି ନାହିଁ, ସକାଳୁ ବିମଳ ବାବୁ ସ୍ତ୍ରୀଙ୍କୁ ଡାକି କହିଲେ, କମଳର ଅସୁସ୍ଥତା ଖବର ପାଇ ନଳିନୀର ମନ ଠିକ୍‍ ନାହିଁ । ତାକୁ ଯିବାପାଇଁ ମନା କରିବ ନାହିଁ । ମୁଁ ତା ସାଙ୍ଗରେ ଯାଉଛି, ଯଦି ସେ ଭଲଥିବ ମୁଁ ନଳିନୀକୁ ସାଙ୍ଗରେ ନେଇ ଫେରି ଆସିବି । କମଳକୁ ବି କହିବି ଆମ ସାଙ୍ଗରେ ଆସିବାକୁ । ଏଇଠି କିଛିଦିନ ରହିକରି ଯିବ ।

ବାସନ୍ତୀ ଦେବୀ ସ୍ୱାମୀଙ୍କ କଥା ବିଶ୍ୱାସ କଲେ ନାହିଁ । ନଳିନୀ ଯାଇ ଯେ ପୁଣି ବାପାଙ୍କ ସାଙ୍ଗରେ ଫେରି ଆସବ ତୁଚ୍ଛା କଥା ।

—ମୁଁ ବି ସାଙ୍ଗରେ ଯିବି । ସମୁଧିଙ୍କୁ ଦେଖି ଆସିବି ।

ବିମଳ ବାବୁ ବୁଝିଲେ ସ୍ତ୍ରୀଙ୍କ ଯିବାର ଉଦ୍ଦେଶ୍ୟଟା ।

କିନ୍ତୁ କିଛି ସେ ବିଷୟରେ କହିଲେ ନାହିଁ । ଶୀଘ୍ର ବାହାରିବା ପାଇଁ କହିଲେ ।

ବସରେ ଗଲାବେଳକୁ ନଳିନୀ ଦେବୀଙ୍କ ମନେ ହେଉଥାଏ ଯେପରି ବସ୍‍ଟା ଅଯଥା ବିଳମ୍ୱ କରୁଛି ।

ବାହାରେ କଅଁଳ ଖରା ପଡ଼ିଛି । ବସନ୍ତର ଶେଷ ପ୍ରାୟ । ତଥାପି ବସନ୍ତର ପ୍ରାଚୁର୍ଯ୍ୟ ରହିଛି ପ୍ରକୃତି ବକ୍ଷରେ । ମଝିରେ ମଝିରେ ପଳାଶର ରକ୍ତିମ ଆଭାରେ ଆଖି ଝଲସି ଯାଉଛି । ଆମ୍ୱ ବକୁଳର ସୁରଭୀ ପବନରେ ଭାସି ଆସୁଛି ବସ୍‍ ଭିତରକୁ ।

ନଳିନୀ ଦେବୀ ବାହାରକୁ ଅନେଇ ରହିଛନ୍ତି । କିନ୍ତୁ ତାଙ୍କ ଆଖିରେ ପ୍ରକୃତିର ଶୋଭା ଦେଖାଯାଉନାହିଁ । କେମିତି ସେ ଯାଲ ଘରେ ପହଞ୍ଚିବେ ସେଥିପାଇଁ ସେ ବ୍ୟାକୁଳ ହେଉଛନ୍ତି ।

ଟିକିଏ କେଉଁଠି ଗାଡ଼ି ଆସ୍ତେ ହୋଇଗଲେ ମନେ ମନେ ଡ୍ରାଇଭର ପ୍ରତି ବିରକ୍ତ ହେଉଛନ୍ତି । ବାଟରେ କେହି ରୋଡ଼ ପେସେଞ୍ଜର ହାତ ଦେଖାଇଲେ ତାଙ୍କୁ ଗାଳି ଦେଉଛନ୍ତି ମନେ ମନେ ।

ସରୋଜ ବାସନ୍ତୀ ଦେବୀଙ୍କ କୋଳରୁ ବିମଳ ବାବୁଙ୍କ କୋଳକୁ ପୁଣି ବିମଳବାବୁଙ୍କ କୋଳରୁ ନଳିନୀ ଦେବୀଙ୍କ କୋଳକୁ ହେଉଛି । ବସ୍‍ ଟିକିଏ କେଉଁଠି ଅଟକି ଗଲେ ତଳକୁ ଓହ୍ଲାଇବା ପାଇଁ ଜିଦ୍‍ ଧରୁଛି । ନ ହେଲେ କାନ୍ଦୁଛି ବାଧ୍ୟ ହୋଇ ବିମଳ ବାବୁ ତାକୁ ଧରି ତଳକୁ ଓହ୍ଲାଉଛନ୍ତି ।

ଘରେ ଯାଇ ପହଞ୍ଚିଲା ବେଳକୁ ନ’ଟା ବାଜି ସାରିଥିଲା ।

ଏ ସମସ୍ତଙ୍କୁ ଦେଖି କମଳଲୋଚନ ଆଶ୍ଚର୍ଯ୍ୟ ହୋଇଗଲେ ।

—ଆରେ ବିମଳ, ତୁମେ ସମସ୍ତେ କେମିତି ଆସିଗଲ ?

—ତୁ ତୀର୍ଥ କରି ଫେରିଛୁ, ଆସନ୍ତୁ ନାହିଁ ।

—କିନ୍ତୁ ଫେରିଲିଣି ବୋଲି ଜାଣିଲ କେମିତି ? ମୋର ଚିଠି ତ ଆଜି ଯାଇ ପହଞ୍ଚିଥିବ-

କେହି କିଛି କହିଲେ ନାହିଁ । ସମସ୍ତେ ମୁରୁକି ମୁରୁକି ହସୁଛନ୍ତି ।

ଅନନ୍ତ କମଳଲୋଚନଙ୍କ ଗୋଡ଼ ଘସୁଥିଲା । ସେ ମଧ୍ୟ ମୁରୁକି ହସୁଛି ।

କମଳ ବାବୁଙ୍କୁ ବୁଝିବା ପାଇଁ ଡେରି ହେଲାନାହିଁ ଯେ ଏହା ଅନନ୍ତର କାରସାଦି ବୋଲି-

 

କିବେ ଅନନ୍ତ, ତୋର ସମୁଧି ଘରକୁ ଯାଇଥିଲି କହି ମୋର ସମୁଧି ଘରେ ପହଞ୍ଚିଥିଲୁ-?

ଅନନ୍ତ ବିଚାରା ମୁଣ୍ଡ ଆଉଁସୁଥାଏ ।

ନଳିନୀ ଦେବୀ ଅଭିମାନଭରା କଣ୍ଠରେ କହିଲେ, ଆମେ କିଏ ଯେ ଆମକୁ ଡକେଇ ପଠେଇବ ।

କମଳଲୋଚନ ନଳିନୀ ଦେବୀଙ୍କ ଅଭିମାନ ଦେଖି କଥାଟିକୁ ହେଳା କରିବା ପାଇଁ କହିଲେ, ଆଲୋ ସେ କଥା ନୁହେଁ । ତୁ ଆଉ କିଛିଦିନ ସେଠାରେ ରହିବୁ ବୋଲି ଡକେଇ ପଠେଇଲି ନାହିଁ । ମୋର ସମୁଧିଣୀଙ୍କି ଭାରି ଡର !

ସମସ୍ତେ ହସିଲେ । ନଳିନୀ ଦେବୀ ମଧ୍ୟ ହସି ପକେଇଲେ । ବାସନ୍ତୀ ଦେବୀ ଲାଜରେ ଓଢ଼ଣାଟିକୁ ଆଉ ଟିକିଏ ତଳକୁ ଟାଣି ଦେଇ ହସିଲେ ।

ସରୋଜ ଶୋଇ ପଡ଼ିଥିଲା ।

ତାକୁ ଶୁଆଇ ଦେବାକୁ ଗଲାବେଳକୁ କମଳଲୋଚନ କହିଲେ, ଆଣ୍‍ଆଣ୍, ଆମ ରାଜାବାବୁଙ୍କୁ ମୋର ଖଟରେ ଶୁଆଇ ଦେ ।

ନଳିନୀ ଦେବୀ ଶ୍ୱଶୁରଙ୍କୁ ସୁସ୍ଥ ଥିବାର ଦେଖି ଟିକିଏ ନିଶ୍ଚିନ୍ତ ହେଲେ । ଯାହାବି ହେବ ଆଉ ରକ୍ତଚାପ ନାହିଁ ।

ତଥାପି ତାଙ୍କୁ ଖବର ଦେଇ ନ ଥିବା ଯୋଗୁଁ ଗାଳିଦେବାକୁ ଛାଡ଼ିଲେ ନାହିଁ ।

କମଳଲୋଚନ ହସି ହସି ସମସ୍ତ ଗାଳି ସହିନେଲେ ।

ନଳିନୀ ଦେବୀ ସବୁ ଗାଳି ଦେଇ ସାରିଲା ପରେ କମଳଲୋଚନ କହିଲେ, ବିମଳ ଦେଖିଲୁ, ଏତିକି ଗାଳି ଖାଇଲି ସତ, କିନ୍ତୁ ଥରେ କିଛିଦିନ ପାଇଁ ବୁଲିକରି ଆସି ପାରିଲି ତ । କିନ୍ତୁ ଯଦି ତୋ କଥା ମାନି ଥାଆନ୍ତି ଆଉ ଯିବା ଆଗରୁ ମୋ ମା’କୁ କହି ଥାଆନ୍ତି ? ଯିବାର କଥା ତ ଛାଡ଼, ଖାଲି ଗାଳି ଖାଇବା ସାର ହୋଇଥାଆନ୍ତା ।

ନଳିନୀ ଦେବୀଙ୍କ ଅଭିମାନ ଉଭେଇ ଯାଇଥିଲା ।

—ଯାଅ ମା’ ଦେଖ୍‍, ନୂଆ ପୂଜାରୀ ପିଲାଟା, କଣ ସବୁ ରନ୍ଧାବଢ଼ା କରୁଛି । ତୁମ ସମସ୍ତଙ୍କ ପାଇଁ ରନ୍ଧାବଢ଼ା କର । ତୋ ବା ପାଇଁ ଚା’ ଟିକେ ଦେ ।

ଅନନ୍ତ ପାଖରୁ ପୂଜାରୀ ରଖିବା କଥା ନଳିନୀ ଦେବୀ ଶୁଣିଥିଲେ ।

ତଥାପି ପଚାରିଲେ, ତା’ ହେଲେ ପୂଜାରୀଟିଏ ବି ରହିଲାଣି ?

ଆରେ ସତରେ ତ, କମଳଲୋଚନ ନଳିନୀକୁ ନ ପଚାରି ପୂଜାରୀଟାକୁ ରଖିଛନ୍ତି ।

ଦୋଷୀମାନଙ୍କ ପରି କହିଲେ, ତାକୁ ମୁଁ ରଖିଛି କି, ସେ ତ ଜବରଦସ୍ତି ଆସି ରହିଛି । ତା’ର ବାପା ମୋର ବାପାଙ୍କ ପାଖରେ ଶେଷ ପର୍ଯ୍ୟନ୍ତ ଥିଲା । ଆଉ ଇଏ କଉଁଠି କିଛି ଚାକିରୀ ନ ପାଇ ଆସି ମୋ ପାଖରେ ହାଜର ହୋଇଛି । ମୁଁ ବି ଭାବିଲି, ସବୁ କାମ ତତେ କରିବାକୁ ପଡ଼ୁଛି । ପୂଜାରୀଟିଏ ରଖିଲେ ତୋର ଟିକିଏ ସୁବିଧା ହେବ ଭାବି ତାକୁ ତଡ଼ିଲି ନାହିଁ । କିନ୍ତୁ ତାକୁ ଶୁଣାଇ ଦେଇଛି, ତାର କାମ ଯଦି ତୋର ପସନ୍ଦ ନ ହୁଏ ରଖିବି ନାହିଁ ବୋଲି ।

 

କିଛି ନ କହି ମୁହଁ ଫୁଲେଇ ନଳିନୀ ଦେବୀ ଚାଲିଗଲେ ।

 

ବାସନ୍ତୀ ଦେବୀ ମଧ୍ୟ ଝିଅର ପଛେ ପଛେ ଗଲେ ।

 

କମଳଲୋଚନ କହିଲେ, ତାକୁ ନ କହି ଯାଇଥିଲି ତ, ଦିନେ ଦୁଇଦିନ ଏମିତି ଅଭିମାନ କରିବ । ପ୍ରତି କଥାରେ ଟାଣି ଓଟାରି ମୋର ନ କହି ପିଲାଟା ଭୁଲ ହୋଇଛି ବୋଲି ପ୍ରମାଣ କରିବ-

 

ଆରେ ଦେ ସିଗାରେଟ ଖଣ୍ଡେ ।

 

ସିଗାରେଟ ପେକେଟଟା ବଢ଼ାଇଦେଲେ ବିମଳ ବାବୁ ।

 

ସିଗାରେଟ୍‍ ପକେଟରୁ ସିଗାରେଟ କାଢ଼ୁ କାଢ଼ୁ କହିଲେ, ତୋର ଝିଅ ବୋଲି କହୁନାହିଁ ବିମଳ, ନଳିନୀ ପରି ବୋହୁ ହଜାରକେ ଗୋଟେ । ଦେଖ ତୋର ନିଜ ବୋହୁ କଥା ? ବିବାହର ବର୍ଷେ ବି ପୂରିନାହିଁ, ଯାଇ ସ୍ୱାମୀକୁ ନେଇ ଅଲଗା ଘର କଲା । ଘର ମୁହଁ ମଧ୍ୟ ଦେଖିଲା ନାହିଁ ।

 

ବିଷଣ୍ଣ କଣ୍ଠରେ ବିମଳ ବାବୁ କହିଲେ, ସେ କଥା ଆଉ କହନା କମଳ, ମୁଁ ଆଉ ମୋର ପୁଅ ବୋହୁ ଅଛନ୍ତି ବୋଲି ଭାବୁନାହିଁ । ଆଜିକାଲି ଆଉ ମୁଁ ମୋଟେ ସେମାନଙ୍କ କଥା ଭାବେ ନାହିଁ-। ପ୍ରଥମେ ପ୍ରଥମେ ନଳିନୀର ମା’ କନ୍ଦାକଟା କରୁଥିଲେ । ମୁଁ ତାଙ୍କୁ ବୁଝେଇଲି, ଆମେ ଆମର କର୍ତ୍ତବ୍ୟ କରିଛୁ, ପିଲା ଖୁଏଇ ପିଏଇ ବଢ଼େଇଛୁ, ପାଠ ପଢ଼େଇ ଉପଯୁକ୍ତ ଚାକିରି ଖଣ୍ଡେ ପାଇଲା ପରେ ବୋହୁଟିଏ ଆଣି ଦେଇଛୁ । ଆମର କର୍ତ୍ତବ୍ୟରେ ଅବହେଳା ହୋଇନାହିଁ । ବର୍ତ୍ତମାନ ସେମାନେ ଯଦି ତାଙ୍କର କର୍ତ୍ତବ୍ୟରେ ଅବହେଳା କଲେ ଆମେ ଦୁଃଖ କରିବା କାହିଁକି ? ସେମାନେ ସୁଖରେ ସଂସାର କରି ରହନ୍ତୁ ସେତିକି ଆମର କାମନା କରିବା କଥା ।

 

—ସବୁ ଠିକ୍‍ ହୋଇଯିବ ବିମଳ । ସେମାନେ ବଳେ ନିଜର ଭୁଲ ବୁଝିବେ । ପୁଣି ସେହି Prodigal Son ପରି ଘରକୁ ଫେରି ଆସିବେ । ବନ୍ଧୁକୁ ସାନ୍ତ୍ୱନା ଦେବାପାଇଁ କମଳଲୋଚନ କହିଲେ ।

 

ବିମଳ ବାବୁ କିଛି ନ କହି ସିଗାରେଟରେ ନିଆଁ ଲଗେଇଲେ ।

 

ସେ ପୁଅ ବୋହୁ କଥା ଭାବିବାକୁ ମଧ୍ୟ ଚାହାନ୍ତି ନାହିଁ । ଯେତେହେଲେ ପୁଅ, ସେ ପୁଣି ଏକମାତ୍ର ବଂଶପ୍ରଦୀପ । ତାର କଥା ମନେ ପଡ଼ିଲେ ଦୁଃଖ ଲାଗେ । ତେଣୁ ତା କଥା ମୋଟେ ନ ଭାବିଲେ ଭଲ ।

 

ବାସନ୍ତୀ ଦେବୀ ମଧ୍ୟ ପୁଅ ବୋହୁ କଥା ଆଜିକାଲି ସ୍ୱାମୀଙ୍କ ଆଗରେ କହନ୍ତି ନାହିଁ ।

 

କାରଣ ଯେଉଁଦିନ ପୁଅ ବୋହୁ କଥା ପଡ଼େ ସେଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ । ପ୍ରଥମେ ପୁଅ ବୋହୁକୁ ଦୋଷ ଦେଉ ଦେଉ ଶେଷରେ ସ୍ୱାମୀ ସ୍ତ୍ରୀଙ୍କୁ ଦୋଷ ଦିଅନ୍ତି, ସ୍ତ୍ରୀ ସ୍ୱାମୀଙ୍କୁ ଦୋଷ ଦିଅନ୍ତି । ତା ପରେ ଯାହା ହେବାର କଥା, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଧୁମାଧୁମ ଝଗଡ଼ା ଚାଲେ ।

 

ବନ୍ଧୁଙ୍କ ମୁହଁରେ ବିଷାଦର କାଳିମା ଦେଖି ତାଙ୍କର ଯାତ୍ରାର ବିବରଣୀ ଦେବାକୁ ଆରମ୍ଭ କଲେ ।

 

ଦେଖୁଁ ଦେଖୁଁ ଦିନ ଚାଲିଯାଉଛି ।

 

ସରୋଜ ଲୋଅର ପ୍ରାଇମେରୀ ଛାଡ଼ ଅପର ପ୍ରାଇମେରୀରେ ପାଦ ଦେଲାଣି ।

 

କମଳଲୋଚନ ଲାଗିଛନ୍ତି ସରୋଜ ପାଠ ପଢ଼ି କିପରି ମଣିଷ ହେବ । ଖାଣ୍ଟି ମଣିଷ ହେବ । ପାଞ୍ଚଜଣରୁ ପ୍ରଥମ ନ ହେଲେ ବି ଜଣେ ହେବ ।

 

ଏଇ କିଛିଦିନ ହେଲା କମଳଲୋଚନ ବଗିଚାରେ ମାତିଛନ୍ତି ।

 

ଆଗେ କେବେ ତାଙ୍କର ଫୁଲ ଫଳ ପ୍ରତି ସେମିତି ସଉକ ନ ଥିଲା । ଏବେ ସବୁବେଳେ ବଗିଚା ବଗିଚା ହେଉଛନ୍ତି । ଟିକିଏ ସମୟ ପାଇଲେ ଯାଇ ବଗିଚାରେ ହାଜର ।

 

ଘର ଆଗରେ ଯେଉଁ ଜାଗା ଟିକକ ଥିଲା ତାକୁ ସୁନ୍ଦର ଫୁଲ ବଗିଚାରେ ପରିଣତ କରିଛନ୍ତି । କେତେ ରଙ୍ଗର କେତେ ଜାତିର ଫୁଲଗଛର ସମ୍ଭାର ।

 

ଖାଲି ସେତିକି ନୁହେଁ ଘର ପଛପଟେ ଫଳ ବଗିଚାଟିଏ କରିଛନ୍ତି । ନାନା ଜାତିର ଫଳଗଛ ରୋଇଲେଣି । ଶାକସବଜି ମଧ୍ୟ ଲଗେଇଛନ୍ତି ।

 

ନଳିନୀଦେବୀ ମଝିରେ ମଝିରେ ବିରକ୍ତ ହେଉଛନ୍ତି କମଳଲୋଚନ ସବୁବେଳେ ବଗିଚାରେ ଲାଗୁଥିବାରୁ ।

 

କମଳଲୋଚନ କହନ୍ତି, ଆଲୋ ମା’ ଆମର ଦେଶର ଯେଉଁ ଖାଦ୍ୟ ସମସ୍ୟା, ଏହିପରି ଯଦି ଆମେ ସମସ୍ତେ ନିଜ ନିଜ ବାଡ଼ି ବଗିଚାରେ ପର ପାଇଁ ନ ପାରିଲେ ମଧ୍ୟ ଯଦି ନିଜ ଘରର ଖର୍ଚ୍ଚ କରିବା ଭଳି ଉତ୍ପାଦନ କରିପାରୁଁ, ଖାଦ୍ୟ ସମସ୍ୟା ଅଧେ କମିଯିବ ।

 

ନଳିନୀ ଦେବୀ ଆଉ କିଛି କହନ୍ତି ନାହିଁ । ଖାଲି ତାଙ୍କର ଭୟ ଅତ୍ୟଧିକ ପରିଶ୍ରମ କରି ସ୍ୱାସ୍ଥ୍ୟଟାକୁ ପୁଣି ନଷ୍ଟ କରି ନ ଦିଅନ୍ତୁ ।

 

ବର୍ତ୍ତମାନ କମଳଲୋଚନଙ୍କ ସ୍ୱାସ୍ଥ୍ୟ ଖୁବ୍‍ ଭଲ ଅଛି । ପ୍ରତ୍ୟହ ଶାରୀରିକ ପରିଶ୍ରମ, ନିୟମିତ ଭୋଜନ ଓ ଶୟନ କରୁଥିବାରୁ ରକ୍ତଚାପ ପ୍ରାୟ ଭଲ ହୋଇଗଲାଣି ।

 

ନଳିନୀ ଦେବୀଙ୍କ ସମୟର ଆଉ ଅଭାବ ନାହିଁ । ସରୋଜ ବଡ଼ ହେଲାଣି, କମଳଲୋଚନଙ୍କ ତାଗିଦା ନାହିଁ କହିଲେ ଚଳେ, ଘରେ ପୂଜାରୀ ପିଲାଟି ଅଛି । ସେ ଖାଲି ବସି ବସି ପୂଜା କରୁଛନ୍ତି ଖାଲି ।

 

ଯଦିଓ କମଳଲୋଚନ ମୁହଁରେ କିଛି କହୁନାହାନ୍ତି, ତଥାପି ପରୋକ୍ଷରେ ସେ ନଳିନୀ ଦେବୀଙ୍କୁ ଉତ୍ସାହିତ କରୁଛନ୍ତି ।

 

ପ୍ରତିଦିନ ଦି’ପହରେ ଖାଇ ସାରିଲା ପରେ ନଳିନୀ ଦେବୀ ମହାଭାରତ, ରାମାୟଣ ଆଦି ପୁରାଣ ଘଣ୍ଟେ ଘଣ୍ଟେ ପଢ଼ି ଶୁଣାଉଛନ୍ତି ।

 

ପ୍ରଥମେ ପ୍ରଥମେ ସରୋଜ ଯେତେବେଳେ ସ୍କୁଲକୁ ଯିବାକୁ ଆରମ୍ଭ କଲା ନଳିନୀ ଦେବୀ ଘରେ ଏକାକୀ ବସି ରହିଲେ ।

 

ଏପାଖେ କମଳଲୋଚନ ବଗିଚାରେ ବ୍ୟସ୍ତ, ସେପାଖେ ସରୋଜ ତା’ର ପଢ଼ାରେ ବ୍ୟସ୍ତ । ସକାଳେ ସଞ୍ଜରେ ମାଷ୍ଟର ଆସି ପଢ଼ାଉଛନ୍ତି । କମଳଲୋଚନ ଲକ୍ଷ୍ୟ କଲେ ନଳିନୀ ଦେବୀ ବଡ଼ ଏକାକିନୀ ହୋଇଯାଉଛନ୍ତି । ହାତରେ କିଛି କାମ ନାହିଁ, ବସି ବସି ଚିନ୍ତାମଗ୍ନ ରହୁଛନ୍ତି-

 

ମନେ ମନେ କମଳଲୋଚନ ନଳିନୀଦେବୀଙ୍କୁ ଏହି ଚିନ୍ତାରୁ ମୁକ୍ତ କରିବା ପାଇଁ ଉପାୟ ଚିନ୍ତା କଲେ । ଶେଷରେ ନଳିନୀଦେବୀଙ୍କୁ ଧର୍ମକର୍ମରେ ରତ କରିବା ପାଇଁ ସ୍ଥିର କଲେ । ମୂଳରୁ ତ ତାଙ୍କର ଧର୍ମକର୍ମ ପ୍ରତି ଝୁଁକ ଥିଲା, ତେଣୁ ବର୍ତ୍ତମାନ ସେ ଭିତରକୁ ଟାଣିବା ପାଇଁ ବିଶେଷ କଷ୍ଟ ହେଲା ନାହିଁ ।

 

ଦିନେ ନଳିନୀ ଦେବୀଙ୍କୁ ପାଖକୁ ଡାକି କହିଲେ, ମାଁ ନଳିନୀ, ମୋର ତ ବୟସ ଗଲା । ଜୀବନସାରା ପୂଜାପାଠ, ଧର୍ମକ କିଛି ହେଲା ନାହିଁ ଅନ୍ତତଃ ମରିବା ପୂର୍ବରୁ କିଛି ହେଲେ କରି ପାରିଲେ କିଛି ପୁଣ୍ୟ ଅର୍ଜିବି । ଭଗବାନଙ୍କ ନାମ ନିଜେ ନ ନେଲେ ମଧ୍ୟ ଯଦି କାନରେ ପଡ଼େ, ତହିଁରେ ମଧ୍ୟ ମୁକ୍ତି ମିଳିବ । ଶ୍ୱଶୁରଙ୍କ ପାଖରୁ ଏପରି ବକ୍ତୃତା ଶୁଣି ନଳିନୀ ଦେବୀ କିଛି ବୁଝି ପାରୁ ନ ଥାନ୍ତି ।

 

ପୁଣି କମଳଲୋଚନ କହିଲେ, ତୁ ମା’ ଗୋଟେ କାମ କର, ପ୍ରତିଦିନ ଖାଇ ସାରିଲା ପରେ ଦି’ପହରେ ରାମାୟଣ, ମହାଭାରତ ଅଧ୍ୟାୟେ ଅଧ୍ୟାୟେ ପଢ଼ିକରି ଶୁଣାଇବୁ ।

 

ତା’ପରେ ପ୍ରତିଦିନ ନଳିନୀ ଦେବୀ ଦି’ପହରେ ଶ୍ୱଶୁରଙ୍କୁ ଧର୍ମଗ୍ରନ୍ଥରୁ କିଛି କିଛି ପଢ଼ି କରି ଶୁଣାନ୍ତି । ଶ୍ୱଶୁର ଯାଇ ବଗିଚାରେ ବ୍ୟସ୍ତ ଥିଲାବେଳେ କିଛି କାମ ହାତରେ ନ ଥିଲେ ନିଜେ ନିଜେ ବସି ପଢ଼ନ୍ତି ।

 

ଧୀରେ ଧୀରେ ନଳିନୀ ଦେବୀଙ୍କ ମନ ଧର୍ମକର୍ମ ପ୍ରତି ବେଶୀ ବେଶୀ ଆକୃଷ୍ଟ ହେବାକୁ ଲାଗିଲା ।

 

ଘର ପାଖରେ ମଠଟିଏ । ପ୍ରତିଦିନ ସକାଳେ ସଞ୍ଜରେ ମଠକୁ ଦର୍ଶନ କରିବାକୁ ଯାଆନ୍ତି ।

 

ମଠଟି ଅତି ପୁରୁଣା, ଭାଙ୍ଗିବା ଉପରେ ଥିଲା । ନଳିନୀଦେବୀ ଶ୍ୱଶୁରଙ୍କୁ କହି ମରାମତ କରାଇଦେଲେ ।

 

ଏହା ଭିତରେ ନଳିନୀ ଦେବୀ ବୈଷ୍ଣବ ଦୀକ୍ଷା ନେଇ ସାରିଲେଣି ଯଦିଓ କେହି ସେ କଥା ଜାଣିନାହାନ୍ତି ।

 

ପ୍ରଥମେ ସେ ଯେତେବେଳେ ଏହି ଦୀକ୍ଷା ନେବା କଥା ଉଠିଲା, ତାଙ୍କର ଚିନ୍ତା ହେଲା, ଦୀକ୍ଷା ନେଲେ ସେ ଘରେ ରହିପାରିବେ କି ନାହିଁ । କାରଣ ସେ ଘର ଛାଡ଼ି ପାରିବେ ନାହିଁ । ଯଦି ଘର ଛାଡ଼ିବା କଥା ଉଠେ, ସେ ଦୀକ୍ଷା ନେବେ ନାହିଁ । ସେ ଘର ଛାଡ଼ି, ସରୋଜ ଓ ଶ୍ୱଶୁରଙ୍କୁ ଛାଡ଼ି ମଠରେ ରହି ପାରିବେ ନାହିଁ ।

 

ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର ମାନସିକ ଦ୍ୱନ୍ଦ ଚାଲିଲା । କାହାକୁ ଯାଇ ଏକଥା ପଚାରିବେ । ଏ ବିଷୟରେ ଶ୍ୱଶୁରଙ୍କୁ ସେ କିପରି ପଚାରିବେ ।

 

ଶେଷରେ ନଳିନୀ ଦେବୀ ମଠର ମହନ୍ତ ସ୍ୱାମୀ ଅଚ୍ୟୁତାନନ୍ଦଙ୍କୁ ମନ କଥା ଖୋଲି କହିଲେ ।

 

ସ୍ୱାମୀ ଅଚ୍ୟୁତାନନ୍ଦ ଭାରୀ ଜ୍ଞାନୀ ମଣିଷ । ବୟସ ସତୁରୀ ଉପରେ । କିନ୍ତୁ ଏ ବୟସରେ ବି ତାଙ୍କର ନିଷ୍ଠା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।

 

ନଳିନୀ ଦେବୀଙ୍କ କଥା ଶୁଣିବା ପରେ ସ୍ୱାମୀ ଅଚ୍ୟୁତାନନ୍ଦଙ୍କ ମୁଖଶ୍ରୀ ଉଜ୍ୱଳ ହୋଇଗଲା । ସ୍ମିତ ହସି କହିଲେ, ମା’ ଏହି ମନ ବୃନ୍ଦାବନ । ବଡ଼ କଥା ହେଲା ହୃଦୟରେ ଦୃଢ଼ ବିଶ୍ୱାସ ସ୍ଥାପନ କରିବା । ମନରେ ବିଶ୍ୱାସ ନାହିଁ, ନିଷ୍ଠା ନାହିଁ, କିନ୍ତୁ ବିରାଡ଼ି ସାଜି, ଗେରୁଆ ବସ୍ତ୍ର ପିନ୍ଧି, ବେକରେ ତୁଳସୀ ମାଳି ପିନ୍ଧି ହାତରେ ମାଳି ଗଡ଼ାଇଲେ କିଛି ଲାଭ ନାହିଁ । ଇଏ ଖାଲି ଦୁନିଆ ଆଖିରେ ଧୂଳି ଦେବା କଥା । ବଡ଼ କଥା ହେଲା ମା’ ଭକ୍ତି, ବିଶ୍ୱାସ, ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର ।

 

ମନ ଦେଇ ନଳିନୀ ଦେବୀ କଥାଗୁଡ଼ିକ ଶୁଣୁଥାଆନ୍ତି । ତାଙ୍କର ମନେ ହେଉଥାଏ ଯେପରି ମହନ୍ତ ମହାରାଜ କହୁନାହାନ୍ତି, ଆଉ କିଏ ଆସି ତାଙ୍କ ମୁହଁରେ କହି ଦେଉଛନ୍ତି । କଥା ତ ନୁହେଁ, ଅମୃତ ଝୁରୁଛି ।

 

ଶେଷରେ ମହନ୍ତ ମହାରାଜ କହିଲେ, ମା’, ମଣିଷ ଘରେ ରହି ମଧ୍ୟ ଯୋଗୀ ହୋଇପାରେ, ଆଉ ମନ୍ଦିରରେ ରହି ମଧ୍ୟ ଭୋଗୀ ହୋଇପାରେ । ତେଣୁ ବଡ଼ ହେଲା ମନ ମଧ୍ୟରେ ରାଧାମାଧବଙ୍କ ପ୍ରତି ବିଶ୍ୱାସ ନିଷ୍ଠା ।

 

ନଳିନୀ ଦେବୀ ପ୍ରଶ୍ନ କଲେ, କିନ୍ତୁ ମହାରାଜ, ଘରେ ରହିଲେ ତ ସାଂସାରିକ ମୋହ ମାୟାରେ ଜଡ଼ିତ ହୋଇ ପଡ଼ିବି ।

 

ହସିଲେ ମହନ୍ତ ମହାରାଜ । ସଂସାର ଭିତରେ ରହି ସାଂସାରିକ ମାୟାରେ ଜଡ଼ିତ ହୋଇ ରହିବା ସ୍ୱାଭାବିକ । କିନ୍ତୁ ପଦ୍ମ ପତ୍ରରେ ଜଳବିନ୍ଦୁ ପରି ନିର୍ଲିପ୍ତ ହେବାକୁ ପଡ଼ିବ । ସେ’ତ ସାଧନା ସାପେକ୍ଷ ମା’, ଧୀରେ ଧୀରେ ସବୁ ଠିକ୍‍ ହୋଇଯିବ ।

 

ଆଶୀର୍ବାଦ କରନ୍ତୁ ମହାରାଜ, ସାଧନା କରିବା ପାଇଁ ଶକ୍ତି ପାଏ ଯେପରି ।

 

ହାତ ଟେକି ଆଶୀର୍ବାଦ କଲେ ମହନ୍ତ ମହାରାଜ । ଆଶୀର୍ବାଦ କରୁଛି ମା’ ତୋର ସାଧନା ସଫଳ ହେଉ ।

 

ମହନ୍ତ ମରାରାଜଙ୍କୁ ମୁଣ୍ଡିଆ ମାରି ପ୍ରଣାମ କରି ନଳିନୀ ଦେବୀ ଘରକୁ ଫେରି ଆସିଲେ-

 

ପୁଣି ଏକ ନୂଆ ଚିନ୍ତା ନଳିନୀ ଦେବୀଙ୍କୁ ଘାରିଲା । ଏହି କଥାଟି ସେ ଶ୍ୱଶୁରଙ୍କୁ କହିବେ କି ନାହିଁ ! ଯଦି ନ କହନ୍ତେ କପଟ ହେବ, କହିଲେ ଯଦି ସେ ନାହିଁ କରି ଦିଅନ୍ତି ?

 

ସେଦିନ ରାତିରେ ଖଟରେ ଶୋଇ ଶୋଇ ନଳିନୀ ଦେବୀ ଖାଲି ସେଇ ଗୋଟିଏ କଥା ଚିନ୍ତା କରିବାକୁ ଲାଗିଲେ । ଶେଷରେ ଭାବି ଭାବି ଠିକ୍‍ କଲେ ଯେ ଶ୍ୱଶୁରଙ୍କୁ ସବୁକଥା ଖୋଲି କରି କହିବେ । ସେ ଯାହା କହିବେ ତାହା କରିବେ ।

 

ତା ପରଦିନ ସକାଳେ କମଳଲୋଚନଙ୍କୁ ଚା’ ଦେଲାବେଳେ ଖୁବ୍‍ ସାହାସ କରି ସବୁକଥା କହିଲେ । କମଳଲୋଚନ ଚୁପ୍‍ କରି ସବୁ ଶୁଣୁଥାଆନ୍ତି । ଚା’ ଖାଇସାରି କମଳଲୋଚନ ସିଗାରେଟରେ ଅଗ୍ନି ସଂଯୋଗ କଲେ ।

 

କୌଣସିମତେ ଦମ୍ଭ କରି କଥାଗୁଡ଼ିକ କହିଦେଲେ ସିନା, ବର୍ତ୍ତମାନ ଶ୍ୱଶୁରଙ୍କ ଏପରି ଗାମ୍ଭର୍ଯ୍ୟ ଦେଖି ଭୟରେ ତାଙ୍କ ଛାତି ଥରିବାକୁ ଲାଗିଲା । ଶ୍ୱଶୁରଙ୍କ ଆଗରୁ ପଳେଇ ଯିବାପାଇଁ ଚାହୁଁଥିଲେ ବି ପଳେଇ ଯାଇ ପାରୁନାହାନ୍ତି ।

 

କମଳଲୋଚନ ସିଗାରେଟ ଧୂଆଁର ମେଘ ସୃଷ୍ଟି କରିବାକୁ ଲାଗିଲେ ।

 

ନଳିନୀ ଦେବୀ ଆଉ ସହ୍ୟ କରି ପାରିଲେ ନାହିଁ । ଭୟରେ ମୁହଁ ତାଙ୍କର ଶେତା ପଡ଼ିଗଲାଣି । ଶ୍ୱଶୁର ଖାଇଥିବା କପ୍‍ ପ୍ଲେଟ୍‍ ସବୁ ଧରି ଠିଆ ହେଲେ । କପ୍‍ ପ୍ଲେଟ୍‍ଗୁଡ଼ିକୁ ଜୋରରେ ଚାପି ଧରି ଥାଆନ୍ତି କାଳେ ପଡ଼ିଯିବ ବୋଲି । ଭୟରେ ଛାତି ଧଡ଼ଧଡ଼ ହେଉଛି, ହାତ ଗୋଡ଼ ଥରି ଯାଉଛି ।

 

—ମା’, ତୁ ଆଉ ଥରେ ଭାବି ଦେଖ । କାରଣ ଥରେ ଦୀକ୍ଷା ନେଲା ପରେ ନିଷ୍ଠାର ସହିତ ଚଳିବାକୁ ପଡ଼ିବ । ଆଉ ଯଦି ନିଷ୍ଠାର ସହିତ ଚଳି ପାରିବୁ ମୋର କିଛି ଆପତ୍ତି ନାହିଁ । ମହନ୍ତ ମହାରାଜ ଠିକ୍ କହିଛନ୍ତି, ଯୋଗୀ ହେବାପାଇଁ ଘର ଛାଡ଼ି ଯିବାର କିଛି ପ୍ରୟୋଜନ ନାହିଁ । ମନରେ ବଳ ଥିଲେ ସବୁକିଛି ସମ୍ଭବ ।

 

ପୁଣି କମଳଲୋଚନ ସିଗାରେଟ ଟାଣିବାକୁ ଲାଗିଲେ ।

 

ନଳିନୀ ଦେବୀ ଆନନ୍ଦରେ ଆତ୍ମହରା ହୋଇଗଲେ ।

 

ନଳିନୀ ଦେବୀ ବୈଷ୍ଣବ ଦୀକ୍ଷା ନେଲେ ।

 

କମଳ ଲୋଚନ ନଳିନୀ ଦେବୀଙ୍କୁ ଅବସରଜନିତ ଚିନ୍ତାରୁ ମୁକ୍ତି ପାଇବା ପାଇଁ ଧର୍ମର ଜାଲରେ ଛନ୍ଦି ଦେଲେ । କିନ୍ତୁ ନିଜେ ସେପରି ଧର୍ମପ୍ରାଣ ନଥିଲେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ନାସ୍ତିକ ଥିଲେ । ସେ ସମ୍ପୂର୍ଣ୍ଣ ଆସ୍ତିକ, ଭଗବାନଙ୍କ ପ୍ରତି ଦୃଢ଼ ବିଶ୍ୱାସ ! ଧର୍ମକର୍ମ, ପୂଜାପାର୍ବଣ ଆଦିରେ କିନ୍ତୁ ତାଙ୍କର ସେପରି ଆନ୍ତରିକତା ନ ଥିଲା । ଅନ୍ଧବିଶ୍ୱାସ ବୋଲି ଭାବୁଥିଲେ ।

 

ଶେଷରେ କମଳଲୋଚନ ମଧ୍ୟ ସେହି ଅନ୍ଧବିଶ୍ୱାସର ଜାଲରେ ଛନ୍ଦି ହୋଇଗଲେ । କାରଣ ସେ ଉପଲବ୍ଧି କଲେ ଯେ ଧର୍ମ ଆଧ୍ୟାତ୍ମିକତାର ଭିତ୍ତି ଅନ୍ଧବିଶ୍ୱାସ ଉପରେ ସ୍ଥାପିତ ।

 

ଧର୍ମସ୍ଥାନ, ମନ୍ଦିରମାନଙ୍କରେ ସରକାର ଅନ୍ଧବିଶ୍ୱାସ ଦୂର କରିବା ପାଇଁ ଯେଉଁ ଅଯଥା ହସ୍ତକ୍ଷେପ କରୁଛନ୍ତି, ସେ ତାହା ପସନ୍ତ କରୁନାହାନ୍ତି । ଏହି କଥା କହିବାକୁ ଗଲାବେଳେ ସେ ପୁରୀ ମନ୍ଦିର କଥା ଉଦାହରଣ ଦିଅନ୍ତି । କମଳଲୋଚନଙ୍କ ମତରେ ପୁରୀ ମନ୍ଦିର ହେଉଛି ଓଡ଼ିଆ ସଂସ୍କୃତିର ପୀଠସ୍ଥଳୀ ! ଓଡ଼ିଶାବାସୀଙ୍କ ଆଖିରେ ପୁରୀ ରାଜା ଚଳନ୍ତି ଜଗନ୍ନାଥ । ତେଣୁ ପୁରୀ ରାଜାଙ୍କ ହାତରୁ ପୁରୀ ମନ୍ଦିରର ପରିଚାଳନା ଭାର ସରକାର ନିଜ ହାତକୁ ନେଇ ଲୋକଙ୍କୁ ବେଶୀ ସୁବିଧା କରିଦେଲୁଁ ବୋଲି ଯେଉଁ ଆତ୍ମସନ୍ତୋଷ ଲାଭ କରୁଛନ୍ତି, ତାହାଦ୍ୱାରା ପରୋକ୍ଷରେ ଓଡ଼ିଆ ସଂସ୍କୃତି ପ୍ରତି କୁଠାରଘାତ କରୁଛନ୍ତି । କାରଣ ଆଜି ଓଡ଼ିଆ ଘରେ ଶିଶୁଟିଏ ଜନ୍ମ ହେଲେ ତାର ଜାତକରେ ପୁରୀ ରାଜାଙ୍କ ଅଙ୍କ ଓ ରାଜାଙ୍କ ନାମ ଲେଖା ହେଉଛି । ଆଜି ବି ଭକ୍ତ ଅଛନ୍ତି ପୁରୀ ଦର୍ଶନ ପାଇଁ ଗଲାବେଳେ ଯେତେ ଦୂରରୁ ପୁରୀ ମନ୍ଦିରର ଧ୍ୱଜା ଦେଖୁଛନ୍ତି, ସେଇଠାରୁ ତଳେ ଗଡ଼ି ଗଡ଼ି ଯାଇ ମନ୍ଦିରରେ ପହଞ୍ଚୁଛନ୍ତି । ସରକାରଙ୍କ ହସ୍ତକ୍ଷେପ ଫଳରେ ହୁଏତ ପରିଚାଳନାରେ ଉନ୍ନତି ଘଟି ମହାପ୍ରସାଦ ପ୍ଲେଷ୍ଟିକର ବାକ୍‍ସରେ ଥୁଆ ହୋଇ କାଚ ଘେରା ଶୋ-କେଶରେ ଥୁଆ ହୋଇ ବିକ୍ରି ହୋଇପାରେ । କିନ୍ତୁ ଲୋକେ ଯେଉଁ ମହାପ୍ରସାଦ ଖାଇଲେ ମୁକ୍ତିଲାଭ କରିବାର ଯେଉଁ ବିଶ୍ୱାସ ସେ ବିଶ୍ୱାସ ଆଉ ରହିବ । ହୁଏତ ଆଉ କିଛିଦିନ ଗଲେ ଲୋକେ ପୁରୀ ମନ୍ଦିରକୁ ମ୍ୟୁଜିୟମ ଦେଖିଗଲା ପରି ଯିବେ, କିନ୍ତୁ ଦର୍ଶନ ପାଇଁ ଯିବେ ନାହିଁ । ରଥଯାତ୍ରାକୁ ଲୋକେ ଅଗଷ୍ଟ ପନ୍ଦର କିମ୍ୱା ଛବିଶ ଜାନୁୟାରୀରେ ଉତ୍ସବ ଦେଖିବାକୁ ଗଲାପରି ଯିବେ ।

 

ପୁରୀରେ କମଳଲୋଚନଙ୍କ ଘରଟିଏ ଥିଲା । ଘରଟି କମଳଲୋଚନଙ୍କ ପିତା ତିଆରି କରିଥିଲେ । ସେ ପ୍ରତି ଖରା ମାସରେ ଯାଇ ପୁରୀରେ ରହୁଥିଲେ । କମଳଲୋଚନଙ୍କ ମା’ ମଧ୍ୟ ଭାରି ଧର୍ମପ୍ରାଣ ଥିଲେ । ପ୍ରତି କାର୍ତ୍ତିକ ମାସରେ ଯାଇ ସେ ପୁରୀରେ ରହୁଥିଲେ । ତିଳ ସପ୍ତମୀ ପାଇଁ ନ ଗଲେ ନ ଚଳେ ।

 

ଛୋଟିଆ ଚାରି ବଖରିଆ ଘରଟିଏ । ପ୍ରଥମେ କିଛି ଦିନ କମଳଲୋଚନ ଘରଟିକୁ ଭଡ଼ାରେ ଦେଇ ଦେଇଥିଲେ । କିନ୍ତୁ ଶେଷରେ ଭଡ଼ାବାଲା ଭଡ଼ା ଦେଲାନାହିଁ କି ଘର ଛାଡ଼ିଲା ନାହିଁ-। ଶେଷକୁ କଚେରୀ ପର୍ଯ୍ୟନ୍ତ ଯିବାକୁ ପଡ଼ିଲା । ତେଣୁ ଆଉ ଘରଟିକୁ ଭଡ଼ା ଦେଲେନାହିଁ-। ସବୁଦିନ ଖାଲି ପଡ଼ିଛି । ମଝିରେ ମଝିରେ କେହି ବନ୍ଧୁବାନ୍ଧବ ପୁରୀ ଗଲେ ସେଇନ ରହିବା ପାଇଁ ତାଙ୍କଠୁ ଚାବି ନେଇକରିଯାଆନ୍ତି । ତାହା ବର୍ତ୍ତମାନ ଗୋଟିଏ ଡେରା ଘର ପରି ହୋଇଛି-। ସମ୍ୱଲପୁରରୁ ଯେ କେହି ଗଲେ ବି ତାଙ୍କୁ ଚାବି ମାଗିଲେ ସେ ନାହିଁ କରନ୍ତି ନାହିଁ । ଘରଟି ଭୂତକୋଠରୀ ପରି ଖାଲି ନ ପଡ଼ି ବ୍ୟବହୃତ ହେଉଥାଉ, ଏହା କମଳଲୋଚନଙ୍କ ଇଚ୍ଛା ।

 

ଏଇ କିଛିଦିନ ହେଲା ନଳିନୀ ଦେବୀ ଖାଲି ପୁରୀ କଥା ଭାବୁଛନ୍ତି । ଘର ଖଣ୍ଡେ ତ ନିଜର ଅଛି, ରହିବାରେ କିଛି ଅସୁବିଧା ହେବ ନାହିଁ । ସମୁଦ୍ରକୁଳିଆ ଜଳବାୟୁରେ କମଳ ଲୋଚନଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ନିଜେ ଧର୍ମକର୍ମରେ ସମୟ ଅତିବାହିତ କରିବେ ।

 

କିନ୍ତୁ ଏଥିରେ କଣ ଶ୍ୱଶୁର ରାଜି ହେବେ ? ଦଶ ପୁରୁଷର ଏହି ମାଟିର ମାୟା ଛାଡ଼ି ସେ କଣ ଏହି ଶେଷ ଜୀବନରେ ପୁରୀ ଯିବାପାଇଁ ରାଜି ହେବେ ? ମଣିଷ ଶେଷ ଜୀବନ ଯାପନ କରିବା ପାଇଁ ନିଜ ଜନ୍ମମାଟିକୁ ଫେରି ଆସୁଛନ୍ତି, ଆଉ ସେ ଜନ୍ମମାଟି ଛାଡ଼ି ବାହାରକୁ ଯିବେ ?

 

ନଳିନୀ ଦେବୀ କଥାଟିକୁ ନିଜେ ନ କହି ସରୋଜ ହାତରେ ଶ୍ୱଶୁରଙ୍କ କାନରେ ପକେଇବା ପାଇଁ ସ୍ଥିର କଲେ ।

 

ଟିକିଏ ସୁବିଧା ପାଇଲେ ନଳିନୀ ଦେବୀ ସରୋଜକୁ ପୁରୀ କଥା କହନ୍ତି । ପୁରୀ ମନ୍ଦିର, ପୁରୀର ସମୁଦ୍ରକୂଳ, ସେମାନଙ୍କର ଘରଟି କିପରି ସମୁଦ୍ରକୂଳରେ ଅଛି, ପୁରୀ ଜଳବାୟୁ କିପରି ସ୍ୱାସ୍ଥ୍ୟକର ଦି ନାନାକଥା ।

 

ସେଦିନ ସରୋଜ ସ୍କୁଲରୁ ଫେରିଲାବେଳେ କମଳଲୋଚନ ବଗିଚାରେ ବସି ଫୁଲଗଛ ତଳର ଘାସ ବାଛୁଥିଲେ ।

 

ପାଖରେ ଠିଆ ହୋଇ କହିଲା, ବଡ଼ବାପା, ଖରାଛୁଟିରେ ଆମେ ପୁରୀ ଯିବା ।

 

ପୁରୀ ? ଟିକିଏ ଆଶ୍ଚର୍ଯ୍ୟ ହୋଇ କମଳଲୋଚନ ଅନାଇ ରହିଲେ ସରୋଜର କୌତୁହଳଭରା ମୁହଁକୁ ।

 

ସରୋଜ ପୁଣି କହିଲା, ବଡ଼ବାପା, ଆମର ଘର ତ ସେଇଠି ଅଛି ଆମେ ଯାଇ ସେଇଠାରେ ରହିବା; ସମୁଦ୍ରକୂଳରେ ତୁମେ ଓ ମୁଁ ବୁଲିବା । ମା’ ଯିବେ ମନ୍ଦିରକୁ ।

 

ହସି ହସି କମଳଲୋଚନ କହିଲେ ଆମେ ମନ୍ଦିରକୁ ଯିବା ନାହିଁ ଖାଲି ସମୁଦ୍ରକୂଳରେ ବୁଲିବା ?

 

—ଆରେ ଆମେ ମନ୍ଦିରକୁ କାହିଁକି ଯିବା । ମା’ ସିନା ପୂଜା କରିବା ପାଇଁ ଯିବେ ।

 

କମଳଲୋଚନ ହସିବାକୁ ଲାଗିଲେ ।

 

ସରୋଜ ପୁଣି ପ୍ରଶ୍ନ କଲା, ଆଚ୍ଛା, ପୁରୀରେ ରହିଲେ ସ୍ୱାସ୍ଥ୍ୟ କାହିଁକି ଭଲ ରହେ ?

 

ସରୋଜର ଅନୁସନ୍ଧିତ୍ସା ଦେଖି ମନେ ମନେ ଖୁସି ହେଲେ । କହିଲେ, ପୁରୀ ସହର ସମୁଦ୍ର କୂଳରେ ଅବସ୍ଥିତ । ସମୁଦ୍ର କୂଳର ଜଳବାୟୁ ସ୍ୱାସ୍ଥ୍ୟ ପକ୍ଷରେ ଭଲ ।

 

—ତୁମର ତ ବ୍ଲଡପ୍ରେସର ଅଛି, ପୁରୀରେ ରହିଲେ ଭଲ ହୋଇଯିବ । ସବୁଦିନ ପାଇଁ ରହିଲେ ଆଉ ମୋଟେ ବ୍ଲଡପ୍ରେସର ହେବନାହିଁ ।

 

ମୁଁ ଯାଇ ସେଠାରେ ରହିଲେ ମୋର ସେବା ଶୁଶ୍ରୁଷା କରିବ କିଏ, ତୁମକୁ ଛାଡ଼ି ମୁଁ ସେଠାରେ ଏକାକୀ ରହିବି କେମିତି ?

 

ମା’ବି ଯିବେ, ମୁଁ ବି ଯିବି । ତୁମର ଆଉ ଅସୁବିଧା କଣ ?

 

ହଉ ହଉ ଯିବା ଚାଲ ଘରକୁ ! ମୁହଁ ତୋର ଶୁଖିଗଲାଣି, ଚା’ ଜଳଖିଆ ଖାଇବୁ ଚାଲ । ମୁଁ ବି ଆଜି ଜଳଖିଆ ଖାଇନାହିଁ ଏ ପର୍ଯ୍ୟନ୍ତ ।

 

ଘରକୁ ଯିବା ପାଇଁ ଉଠି ଠିଆହେଲେ କମଳଲୋଚନ ।

 

ବଡ଼ବାପା, ଏଥର ଖରାଛୁଟିରେ ଆମର ସ୍କୁଲ ଛୁଟି ହେଲେ ପୁରୀ ଯିବା ।

 

କମଳଲୋଚନ ହାତରେ ଲାଗିଥିବା ମାଟି ଝାଡ଼ୁ ଝାଡ଼ୁ କହିଲେ, ତୋର ମା’କୁ ପଚାରିବା ସେ ଯଦି ହଁ କରିବ ତା ହେଲେ ଯିବା ।

 

ଚାଲୁ ଚାଲୁ ଅଟକି ଯାଇ ସରୋଜ କହିଲା, ମା’ତ ମତେ ପୁରୀ କଥା କହୁଥିଲେ, ସେ ହଁ କରିବେ ଯିବାପାଇଁ ।

 

ଘରେ ପହଞ୍ଚୁ ପହଞ୍ଚୁ ସରୋଜ ବହି ବସ୍ତାନି ରଖି ଦେଇ ଯାଇ ନଳିନୀ ଦେବୀଙ୍କୁ ପଚାରିଲା, ମା’ ପୁରୀ ଯିବ ତୁମେ ?

 

ନଳିନୀ ଦେବୀ ଆଶ୍ଚର୍ଯ୍ୟ ହୋଇ କହିଲେ, ପୁରୀ କାହିଁକି ଯିବିରେ ?

 

—ତୁମେ ଯିବ କି ନାହିଁ ଆଗେ କହନା’ ତୁମେ ହଁ କଲେ ବଡ଼ବାପା କହିଛନ୍ତି ଆସନ୍ତା ଖରା ଛୁଟିରେ ଆମର ସ୍କୁଲ ବନ୍ଦ ହୋଇଗଲେ ପୁରୀ ଯିବା ।

 

କମଳଲୋଚନ ବାରଣ୍ଡାରେ ଟେପରେ ହାତ ଧୋଉଥିଲେ ଓ ସରୋଜର କଥା ଶୁଣୁଥିଲେ । ପାଟି କଲେ, ହଇରେ ଏ ମିଛୁଆ, ମୁଁ କେତେବେଳେ କହିଲିରେ ପୁରୀ ଯିବା ପାଇଁ ?

 

ସେଇଠାରୁ ଥାଇ ସରୋଜ କହିଲ, ତୁମେ କହିନ, ମା’ ହଁ କଲେ ଯିବା ବୋଲି ?

 

ଶାସନ କରିବାକୁ ନଳିନୀ ଦେବୀ କହିଲେ, ହଇରେ ବଡ଼ବାପା କହି ନାହାନ୍ତି ଆଉ ମିଛ କହୁଛୁ । ସ୍କୁଲରେ ଏଇଆ ପାଠ ପଢ଼ୁଛୁ ?

 

—ନାଇଁ ମା’ ମୁଁ ମିଛ କହୁନାହିଁ । ଖରା ଛୁଟିରେ ପୁରୀ ଯିବାପାଇଁ ମୁଁ କହିଲି ଯେ ବଡ଼ବାପା କହିଲେ ମା’କୁ ପଚାରିବା, ସେ ହଁ କଲେ ଯିବା ବୋଲି ।

 

—ବଡ଼ବାପା କହିଲେ ବୋଲି କେମିତି କହୁଥିଲୁ ?

 

ହାତ ଧୋଇ ସାରି କମଳଲୋଚନ କହିଲେ, ଥାଉ ଥାଉ ତୁମର କଳି ସେଇଠି ଥାଉ । ସବୁ ମୋର ଦୋଷ । ଆଣ ମା’ ଚା’ ଜଳଖିଆ ଦେ, ସରୋଜ ମୋ ପାଖକୁ ଆ ।

 

ସେଇ ତୀର୍ଥ ଯାତ୍ରା ପରଠୁ କମଳଲୋଚନ ଆଉ କୁଆଡ଼େ ବାହାରକୁ ଯାଇ ନାହାନ୍ତି । ମଝିରେ ମଝିରେ ଥରେ କୁଆଡ଼େ ବାହାର ଆଡ଼ୁ ବୁଲି ଆସିବା ପାଇଁ ଇଚ୍ଛା ଜାଗିଛି ମନରେ । କିନ୍ତୁ ନଳିନୀ ଦେବୀଙ୍କୁ ସାହାସ କରି କହି ପାରି ନାହାନ୍ତି ।

 

ଏହା ସୁଯୋଗ ଭାବି ଚା’ ଖାଇଲା ବେଳେ କମଳଲୋଚନ କହିଲେ, ଏହି ଖରା ମାସଟା ଯାଇ ପୁରୀରେ ରହିଲେ ହୁଅନ୍ତା । ଏଠି ଯେଉଁ ଗରମ, ମୋର ଦେହ ଭଲଅଛି ସିନା, ବେଶୀ ଗରମ ହେଲେ ଟିକିଏ କ୍ଳାନ୍ତି ଆସେ ।

 

ନଳିନୀ ଦେବୀ ମଧ୍ୟ ସୁଯୋଗ ଉଣ୍ଡୁଥିଲେ । ସୁଯୋଗଟା ଯେତେବେଳେ କମଳଲୋଚନ ତରଫରୁ ଆସୁଛି, ଆଉ ଗଡ଼ିବା କଥା ନୁହେଁ ।

 

ଗଲେ ହୁଅନ୍ତା ଯେ ଏଠି ଏ ଘରଦ୍ୱାର ଛାଡ଼ି....

 

ଚା’ କପ୍‍ଟି ରଖି କହିଲେ, ଅନନ୍ତ ଆସି ଜଗିବ ଏଇଠି । କିନ୍ତୁ ପୁରୀର ଘରଟି ତ ଅପନ୍ତରା ହୋଇ ପଡ଼ିଥିବ । ତାକୁ ଟିକିଏ ସଫା ସୁତୁରା କରି ଚୂନ ଫୁନ ନ ଲଗେଇଲେ ଯିବା କେମିତି !

 

ନଳିନୀ ଦେବୀ କହିଲେ, ଅନନ୍ତକୁ ଥରେ ପଠେଇଲେ ଦେଖିକରି ଆସିବ ଘରଟିକୁ ।

 

—ହଁ, ସେଇଆ କରିବା । ଅନନ୍ତକୁ ପଠେଇଲେ ଚୂନ ଫୁନ ଲଗେଇ କରି ଆସିବ ।

 

ସରୋଜ ମନ ଦେଇ ସବୁକଥା ଶୁଣୁଥିଲା । ପୁରୀ ଗଲେ ସେ କଣ କଣ ସବୁ କରିବି କଳ୍ପନା କରୁଥିଲା ! ସେ ବହିରେ ପଢ଼ିଚି ସମୁଦ୍ରରେ ଏତେ ପାଣି, ଏତେ ଢେଉ ! ପଚାରିଲା, ବଡ଼ବାପା, ଆମେ ପୁରୀ ଗଲେ ସମୁଦ୍ରକୁ ଗାଧୋଇବାକୁ ଯିବା ?

 

—ହଁ, ସମୁଦ୍ରକୁ ଗାଧୋଇବାକୁ ଯିବା, ସନ୍ଧ୍ୟାବେଳେ ସମୁଦ୍ର କୂଳକୁ ବୁଲିବାକୁ ଯିବା ପୁରୀରୁ କୋଣାର୍କକୁ ଯବା ।

 

କୋଣାର୍କ କଥା ଶୁଣି ନଳିନୀ ଦେବୀ ପଚାରିଲେ, ବାବା, ଏବେ ପରା କୋଣାର୍କକୁ ଯିବାପାଇଁ ସବୁଦିନିଆ ରାସ୍ତା ହେଲାଣି, ରହିବା ପାଇଁ ମଧ୍ୟ ହୋଟେଲ ହେଲାଣି । ମୁଁ ପିଲାଦିନେ ଥରେ ଯାଇଥିଲି, ସେତେବେଳେ ହୋଟେଲ ଫୋଟେଲ କିଛି ନ ଥିଲା । ଖାଲି ଗୋଟିଏ ଝୁପୁଡ଼ି ଥିଲା, ସେ ଖାଲି ଚା’ ଆଉ ନଡ଼ିଆ କୋରା ବିକୁଥିଲା ।

 

ମୁଁ ହେଲେ କଉଁଠି ଯାଇଛି ଏ ଭିତରେ । ଶୁଣିଛି ଭଲରାସ୍ତା ହେଲାଣି ବୋଲି । ଏବେ ତ ଯେତେବେଳେ ଦେଖିବ ବିଦେଶୀ ଯାତ୍ରୀ । ବାହାରୁ ଯେ ଓଡ଼ିଶାକୁ ଆସୁଛି, କୋଣାର୍କ ନ ଦେଖିଲେ ଦେଖା ଅପୂର୍ଣ୍ଣ ରହୁଛି ।

 

ନଳିନୀ ଦେବୀ ମନେ ମନେ ଭଗବାନଙ୍କୁ ପ୍ରଣାମ କଲେ । ତାଙ୍କର ଅଭିଳାଷ ପୂର୍ଣ୍ଣ ହେବାକୁ ଯାଉଛି ।

 

ସଙ୍ଗେ ସଙ୍ଗେ ଗାଁରୁ ଅନନ୍ତକୁ ଡକାଇ ଆଣି ପୁରୀ ପଠେଇ ଦେଲେ । ଅନନ୍ତ ମଧ୍ୟ ପୁରୀ ଯାଇ ଜଗନ୍ନାଥ ଦର୍ଶନଟାଏ ହୋଇଯିବ ଭାବି ଭାରି ଖୁସି । ଅନନ୍ତ ଆଗରୁ, କମଳଲୋଚନଙ୍କ ବାପା ବଞ୍ଚିଥିଲାବେଳେ ପୁରୀ ଯାଇଥିଲା । ଏବେ ତା’ର ଇଚ୍ଛା ତା’ର ସ୍ତ୍ରୀକୁ ନେଇ ଥରେ ଜଗନ୍ନାଥ ଦର୍ଶନ କରାଇ ଆଣନ୍ତା ।

 

ଅଲଗା ନଳିନୀ ଦେବୀଙ୍କୁ ଡାକି ତାର ମନକଥା କହିଲା ।

ନଳିନୀ ଦେବୀ ସହଜରେ ରାଜି ହୋଇଗଲେ । ଅନନ୍ତର ସ୍ତ୍ରୀ ପାଇଁ ଅଲଗା ଗାଡ଼ି ଭଡ଼ା, ସେଇଠି ରହିବା ପାଇଁ ଖର୍ଚ୍ଚ ମଧ୍ୟ ଦେଲେ । ଅନନ୍ତ ତାଙ୍କୁ ଯାହା ଦେଇଛି ତାହାର ଋଣ ସେ ସୁଝି ପାରିବେ ନାହିଁ ।

ଚୈତ୍ର ମାସ ସରିବା ଉପରେ ।

ବୈଶାଖ ମାସ ଆରମ୍ଭରେ ସରୋଜର ପରୀକ୍ଷା । ପରୀକ୍ଷା ସରିଗଲେ ଆଉ ଛୁଟିକୁ ଅପେକ୍ଷା ନ କରି ପୁରୀ ଚାଲିଯିବେ । ପୁଣି ବଡ଼ଭାଇ ଲେଖିଛନ୍ତି ପୁରୀ ଯିବା ଆଗରୁ ଘରକୁ ଥରେ ଯିବାପାଇଁ । ନ ଗଲେ ନ ଚଳେ ।

ଭାଇ ବାପା ମା’ଙ୍କ ସଙ୍ଗେ କଳି କରି ଯେତେବେଳେ ଚାଲିଗଲେ ନଳିନୀ ଦେବୀ ଚିଠି ଖଣ୍ଡେ ଲେଖିଥିଲେ! କିନ୍ତୁ ଭାଇଙ୍କ ପାଖରୁ ସେ ଚିଠିର ଉତ୍ତର ପାଇଲେ ନାହିଁ । ଏପରିକି ତାଙ୍କର ସ୍ୱାମୀଙ୍କ ମୃତ୍ୟୁ ପରେ ନିଜେ ଆସିବା ଦୂରେ ଥାଉ, ସମବେଦନାର ଚିଠି ଖଣ୍ଡେ ମଧ୍ୟ ଦେଲେ ନାହିଁ-

କିନ୍ତୁ ସେ ଭାଇ ଏବେ ଘରକୁ ଫେରି ଆସିଲେଣି, ନିଜର ଭୁଲ ପାଇଁ ଅନୁଶୋଚନା କଲେଣି ।

ତେଣୁ ପୁଣି ସେହି ସମ୍ପର୍କ ପ୍ରତିଷ୍ଠିତ ହେଲାଣି । ଯେତେହେଲେ ଭାଇ ତ ! ଗୋଟିଏ ଗର୍ଭରୁ ଜାତ । ରକ୍ତର ସମ୍ପର୍କ କଣ ସହଜରେ ତୁଟେ !

ଘରକୁ ଫେରିଲା ପରେ ଭଉଣୀ ପାଖକୁ ଆସିଲେ । ପ୍ରଥମେ ଏକା ଆସିଲେ, ତା’ପରେ ଭାଉଜଙ୍କୁ ସାଙ୍ଗରେ ଆଣିଥିଲେ ।

ସରୋଜକୁ ଦେଖି ଭାଇ ଓ ଭାଇଜ କେତେ ପ୍ରଶଂସା କଲେ । ତା ପାଇଁ ଜାମା, ଫୁଟବଲ, କେତେ ଜାତିର ଖେଳଣା ଆଣିଥିଲେ । ସରୋଜ ମଧ୍ୟ ମାମୁଁ ମାଇଁଙ୍କ ପାଖ ଛାଡ଼ୁ ନ ଥାଏ ।

ପୁରୀ ଯିବାପାଇଁ କମଳଲୋଚନ କଣ କଣ ଜିନିଷ ନେବେ ତା’ର ତାଲିକା କରିବାରେ ବ୍ୟସ୍ତ ।

କମଳଲୋଚନଙ୍କୁ ତାଙ୍କର ଅନେକ ବନ୍ଧୁ ଆତ୍ମଜୀବନୀଟାଏ ଲେଖିବାପାଇଁ ଅନୁରୋଧ କରୁଛନ୍ତି । ବିଶେଷ କରି ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ନେଇ ଲେଖିବାପାଇଁ ଅନୁରୋଧ କରୁଛନ୍ତି ।

ନିଜେ କମଳଲୋଚନ ମଧ୍ୟ ଏଥିପାଇଁ ଅନେକ ଦିଗରୁ ଅଭିଳାଷ ରଖିଛନ୍ତି । ସେଇଥିପାଇଁ ତାଙ୍କର ସମସ୍ତ ଡାଏରୀ, କାଗଜପତ୍ର ସବୁ ଏକାଠି କରି ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଆରମ୍ଭ କରି ପାରି ନାହାନ୍ତି ।

ପୁରୀରେ ଏଥର ଜୀବନୀ ଲେଖା ଆରମ୍ଭ କରିବାର ଅଭିଳାଷ ଅଛି । ସେଇଥିପାଇଁ ତାଙ୍କର ସମସ୍ତ ଡାଏରୀ, କାଗଜପତ୍ର ସବୁ ଏକାଠି କରି ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଆରମ୍ଭ କରି ପାରି ନାହାନ୍ତି ।

 

ଜୀବନଟିକୁ କିପରି ଆରମ୍ଭ କରିବେ ସେ ବିଷୟରେ କମଳଲୋଚନ ଗଭୀର ଚିନ୍ତା କରୁଛନ୍ତି । ବେଳେ ବେଳେ ଡାଏରୀ ଆକାରରେ ଲେଖିବା ପାଇଁ ଚିନ୍ତା କରୁଛନ୍ତି ।

 

ପିଲାବେଳୁ ସେ ଡାଏରୀ ଲେଖି ଆସୁଛନ୍ତି । ଯେତେବେଳେ ସେ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ, ନବ ବର୍ଷରେ ପିତା ତାଙ୍କର ଡାଏରୀଟିଏ ଉପହାର ଦେଇଥିଲେ । ସେହି ଦିନରୁ ତାଙ୍କର ଲେଖା ଆରମ୍ଭ । ସେ ଦିନରୁ ଏ ଯାଏ ଡାଏରୀ ଲେଖା ଚାଲିଛି ।

 

ତେଣୁ ସେ ସମସ୍ତ ଦିନଲିପିକୁ ନେଇ ସାମାନ୍ୟ ଯୋଗ ବିୟୋଗ କରିଦେଇ ଭାଷାର ଭୂଷଣ ଦେଇଦେଲେ ହୋଇଯିବ ।

 

ସ୍ୱାଧିନତା ଆନ୍ଦୋଳନରେ ଯୋଗ ଦେଲା ସମୟରୁ କମଳଲୋଚନ ଅନେକ ବର୍ଷ ପାଇଁ ସାମ୍ୱାଦିକତା କରୁଥିଲେ । ତାଙ୍କର ଜୀବନୀ ଲେଖିବା କଥା ଜାଣି ପତ୍ରପତ୍ରିକାର ସମ୍ପାଦକମାନେ, ଯା’ ମଧ୍ୟରୁ ଅଧିକାଂଶ ତାଙ୍କର ସହକର୍ମୀ ଥିଲେ, ସେମାନଙ୍କ କାଗଜରେ ଧାରାବାହିକ ଲେଖିବା ପାଇଁ ଅନୁରୋଧ କରିଲେଣି ।

 

କମଳଲୋଚନଙ୍କ ପାଇଁ ସେ ପୁଣି ଏକ ସମସ୍ୟା । କାହାକୁ ଦେବେ, କାହାକୁ ନାହିଁ କରିବେ ! ସମସ୍ତଙ୍କୁ ସେ ଗୋଟିଏ ଉତ୍ତର ଦେଉଛନ୍ତି । ପ୍ରଥମେ ଲେଖାଯାଉ, ତା ପରେ ଦେଖାଯିବ । ମୂଳରୁ ତ ପୁଅ ଜନ୍ମ ହୋଇନାହିଁ, ନାଁ ଦେବାପାଇଁ କାହିଁକି ବ୍ୟାକୁଳ !

 

ବୈଶାଖ ମାସର ଦ୍ୱିତୀୟ ସପ୍ତାହ ବେଳକୁ ସରୋଜର ପରୀକ୍ଷା ସରିଲା । ସେତେବେଳକୁ କମଳଲୋଚନ ଗରମରେ ଡହକ ବିକଳ । ଅବଶ୍ୟ ରାତି ହେଲେ ଟିକେ ଗରମଟା କମିଯାଉଛି । ଆଗେ ଯେଉଁ ଦିନ ରାତି ସମାନ ହୋଇ ଯାଉଥିଲା, ଆସନ୍ତାକାଲି ଆଉ ତାହା ନାହିଁ-। ହୀରାକୁଦ ବନ୍ଧ ତିଆରି ହେବା ପରେ ବାକି ସମସ୍ତ ଲାଭ କ୍ଷତି ଯାହା ହେଉ, ଜଳଭଣ୍ଡାର ହେତୁ ରାତିଟା ଅନ୍ତତଃ ଟିକିଏ ଥଣ୍ଡା ରହୁଛି ।

 

ନଳିନୀ ଦେବୀ ଯାଇ ବାପ ଘରେ ଦୁଇଦିନ ରହି ଫେରି ଆସିଲେ । ଘର ଜଗିଜା ପାଇଁ ଅନନ୍ତ ଗାଁରୁ ଆସିଲା ।

 

ଅନନ୍ତ କମଳଲୋଚନଙ୍କ ଅତି ବିଶ୍ୱସ୍ତ ପୁରୁଣା ଚାକର । ତେଣୁ ତା ହାତରେ ଘରର ସବୁ ଜିମା ଦେଇ ଦେଲେ । ଯିବା ଆଗରୁ ତାକୁ କମଳଲୋଚନ କଡ଼ା ନିର୍ଦ୍ଦେଶ ଦେଲେ ଯେ ସେ ଫେରିଲାବେଳେ ଯଦି ଘର ଭୁଷୁଡ଼ି ପଡ଼ିଥାଏ ସେ ସହିବେ, କିନ୍ତୁ ଗୋଟିଏ ଫୁଲଗଛ ଯଦି ମରିଯାଇଥାଏ ସେ ସହ୍ୟ କରି ପାରିବେ ନାହିଁ । ଏକଥା ଯେପରି ଅନନ୍ତ ଭଲକରି ମନେ ରଖିଥାଏ-

 

ପୁରୀରେ ପହଞ୍ଚି ଘର ସଜାଡ଼ୁ ସଜାଡ଼ୁ ଦୁଇଦିନ ଚାଲିଗଲା ।

 

ତା ପରେ କମଳଲୋଚନ କହିଲେ, ଚାଲ ଆରେ କୋଣାର୍କ ଦେଖିକରି ଆସିବା ।

 

କୋଣାର୍କରୁ ଫେରି କମଳଲୋଚନ ଜୀବନୀ ଲେଖା ଆରମ୍ଭ କରିଦେଲେ । ଯେଉଁଦିନ ଲେଖା ଆରମ୍ଭ କଲେ, ବନ୍ଧୁ ବିମଳ ପାଖକୁ ଚିଠି ଖଣ୍ଡେ ଲେଖି ପକେଇ ଦେଲେ । ଆସିଲାବେଳେ ସେ ବିମଳ ବାବୁଙ୍କୁ କଥା ଦେଇଥିଲେ ଯେ ଯେଉଁଦିନ ସେ ଲେଖା ଆରମ୍ଭ କରିବେ ସେହିଦିନ ଚିଠି ଲେଖି ଜଣାଇବେ ବୋଲି

 

କମଳଲୋଚନ ମଧ୍ୟ ଘରେ ଏକାକୀ ବସି ବସି ଲେଖାଲେଖିରେ ବ୍ୟସ୍ତ ରହନ୍ତି । ମଝିରେ ମଝିରେ କେହି ପୁରୁଣା ବନ୍ଧୁ ପହଞ୍ଚିଗଲେ ସମୁଦ୍ରକୂଳ ଆଡ଼େ ବୁଲିବାକୁ ଯାଆନ୍ତି । ସମୁଦ୍ରକୂଳଟା କେଉଁ ଦୂରବାଟ ଯେ । ଘରୁ ଅଧ ପଲଙ୍ଗ ବାଟ ।

 

ମଝିରେ ବିମଳ ବାବୁ ଆସି ଦୁଇଦିନ ରହ ଚାଲିଗଲେଣି । କମଳଲୋଚନ ତାଙ୍କୁ ଆଉ କିଛିଦିନ ରହିକରି ଯିବାପାଇଁ କହୁଥିଲେ । କିନ୍ତୁ କମଳଲୋଚନଙ୍କ ଲେଖାରେ ବ୍ୟାଘାତ ଜନ୍ମିବ ବୋଲି ମୋଟେ ରାଜି ହେଲେ ନାହିଁ ।

 

ବିମଳ ବାବୁ ଆସିଲାବେଳେ ସରୋଜ ପାଇଁ କେମେରାଟିଏ କଣି ଦେଇଥିଲେ । ଏବେ ସେ ଖାଲି ଫଟୋ ଉଠାଇବାରେ ବ୍ୟସ୍ତ । ବାହାରେ ତ ଯାହା ଉଠଉଛି, ପୁଣି ଘରେ ମଧ୍ୟ କମଳଲୋଚନ ଖାଇଲା ବେଳେ, ବସିଲା ବେଳେ, ଲେଖିଲା ବେଳେ ଫଟୋ ଉଠେଇ ପକାଉଛି ।

 

କମଳଲୋଚନ ମନା କଲେ କହୁଛି, ବଡ଼ବାପା, ତୁମେ ପରା ଜୀବନୀ ଲେଖୁଛ, ତୁମ ଜୀବନୀ ବହିରେ ଏହି ଫଟୋ ସବୁ ଛପେଇବା ।

 

ପ୍ରକୃତରେ କମଳଲୋଚନଙ୍କ ଭଲ ଦୁଇ ତିନିଟା ଫଟୋ ଊଠିଛି । କମଳଲୋଚନ ତାକୁ ଆଦରର ସହିତ ରଖିଛନ୍ତି ଜୀବନୀ ବହିରେ ଛାପିବା ପାଇଁ ।

 

ପୁରୀକୁ ଆସିବା ଦିନଠାରୁ କମଳଲୋଚନ ପୁଣି ପ୍ରାତଃଭ୍ରମଣ ଆରମ୍ଭ କରି ଦେଲେଣି । ବିଶେଷ କରି ସମୁଦ୍ର କୂଳରେ ସୂର୍ଯ୍ୟୋଦୟ ଦେଖି ସେ ମୁଗ୍ଧ ହୋଇଯାଆନ୍ତି ।

 

ବର୍ତ୍ତମାନ ସେ ବେଶ୍‍ ପ୍ରଫୁଲ୍ଲ ଅନୁଭବ କରୁଛନ୍ତି । ଖାଇବାର ପରିମାଣ ବୃଦ୍ଧି ପାଇଛି । ରାତିରେ ଭଲ ନିଦ ହେଉଛି । ଅର୍ଥାତ୍‍ ସେ ସାଧାରଣ ସ୍ୱାସ୍ଥ୍ୟବାନ୍‍ ଲୋକଙ୍କ ପରି ସୁସ୍ଥ ଅନୁଭବ କରୁଛନ୍ତି ।

 

ଦେଖୁଁ ଦେଖୁଁ ଜ୍ୟେଷ୍ଠମାସ ସରି ଆସିଲା । ସରୋଜର ସ୍କୁଲ ଖୋଲିବାର ସମୟ ହୋଇ ଆସିଲାଣି ।

 

କିନ୍ତୁ ଘରକୁ ଫେରିବା ପାଇଁ କାହାରି ଇଚ୍ଛା ହେଉନାହିଁ । ଏହି ଅନିଚ୍ଛା ପ୍ରକାଶ କରୁଛି କେବଳ । କମଳଲୋଚନ କିମ୍ୱା ନଳିନୀ ଦେବୀ କେହି ମୁହଁ ଖୋଲି କିଛି କହୁନାହାନ୍ତି ।

 

କମଳଲୋଚନଙ୍କ ଇଚ୍ଛା ଅନ୍ତତଃ ଜୀବନୀ ଲେଖା ସରିବା ପର୍ଯ୍ୟନ୍ତ ପୁରୀରେ ରହି ଯାଆନ୍ତେ । କିନ୍ତୁ ନଳିନୀ ଦେବୀଙ୍କୁ ମୁହଁ ଖୋଲି ମନକଥା କହି ପାରୁନାହାନ୍ତି । ନଳିନୀ ଦେବୀ ମଧ୍ୟ ପୁରୀରେ ରହିବାପାଇଁ ଚାହୁଁଥିଲେ ମଧ୍ୟ କମଳଲୋଚନଙ୍କୁ କହିବା ପାଇଁ ସାହସ କରୁନାହାନ୍ତି କହିବାକୁ ।

 

ସରୋଜର କିନ୍ତୁ କିଏ କଣ ଭାବିବ ସେଥିପାଇଁ ଚିନ୍ତା ନାହିଁ । ତେଣୁ ସେ ମଝିରେ ମଝିରେ କହୁଛି, ବଡ଼ବାପା, ଆଉ ସମ୍ବଲପୁର ଯିବାନାହିଁ, ଏଇଠି ରହିବା, ମୁଁ ଏଇଠି ସ୍କୁଲରେ ପଢ଼ିବି ।

 

କମଳଲୋଚନ ହଁ କରି ଦେବା ପାଇଁ ଚାହୁଁଥିଲେ ମଧ୍ୟ ହଁ କରି ପାରୁ ନାହାନ୍ତି ।

 

ଦିନେ ସନ୍ଧ୍ୟାରେ କମଳଲୋଚନ ଓ ସରୋଜ ବାହାର ବାରଣ୍ଡାରେ ବସିଥିଲେ । କମଳଲୋଚନ ସରୋଜକୁ ପୁରୀ ମନ୍ଦିର କିପରି ତିଆରି ହେଲା ସେ ବିଷୟରେ କହୁଥିଲେ । ନଳିନୀ ଦେବୀ ମନ୍ଦିରରୁ ଦର୍ଶନ କରି ଫେରିଲେ । ସେ ମଧ୍ୟ ସେଇଠି ବସିଲେ । ନାନା କଥା ପଡ଼ିଲା ।

 

କଥା ପ୍ରସଙ୍ଗରେ କମଳଲୋଚନ ମନ କଥାଟି ଖୋଲିଦେଲେ । ମା’, ପୁରୀରୁ ଫେରିବାକୁ ଆଉ ମୋର ମନ ହେଉନାହିଁ । ଅନେକ ଦିନରୁ ମୋର ଅଭିଳାଷ ଥିଲା, ଶେଷ ଜୀବନ ଏଇଠି ଅତିବାହିତ କରିବି ଏହି ଶ୍ରୀକ୍ଷେତ୍ରରେ । ଧର୍ମକର୍ମ କଥା ଯାହାହେଉ ସ୍ୱାସ୍ଥ୍ୟପାଇଁ ଏଇ ଜାଗାଟି ଭାରି ଭଲ ।

 

ନଳିନୀ ଦେବୀଙ୍କ ମୁଣ୍ଡରୁ ଚଡ଼କଟି ଯେପରି ଖସିଗଲା । ତାଙ୍କ ମୁହଁ କଥା ଛଡ଼େଇ ନେଇ ଯେପରି କମଳଲୋଚନ କହିଦେଲେ । ଆନନ୍ଦରେ ସେ ଆତ୍ମହରା ହୋଇଗଲେ । ଜଗନ୍ନାଥ ତାଙ୍କ ପାଦପଦ୍ମରେ ଆଶ୍ରୟ ଦେଉଛନ୍ତି ଭାବି ମନେ ଜଗନ୍ନାଥଙ୍କୁ ବିନମ୍ର ପ୍ରଣାମ ଜଣାଇଲେ ।

 

କିନ୍ତୁ ଉଚ୍ଛ୍ୱସିତ ମନର ଭାବକୁ ପ୍ରକାଶ ନ କରି କହିଲେ, କିନ୍ତୁ ସମ୍ବଲପୁରର ଘରର ବ୍ୟବସ୍ଥା ନ କଲେ ଏକାଠି ରହିବା କେମିତି । ପୁଣି ସରୋଜର ସ୍କୁଲରୁ ସାର୍ଟିଫିକେଟ ନ ଆଣିଲେ.....

 

—ସେ ସବୁ କଣ ବଡ଼ କଥା । ଏଇଠି ରହିବା ପାଇଁ ସ୍ଥିର ହେଲେ, ସମ୍ବଲପୁରକୁ ଦୁଇ ଚାରିଦିନ ଯାଇଁ ସବୁ ଠିକ୍‍ କରି ଆସି ହେବ ।

 

ନଳିନୀ ଦେବୀଙ୍କ ଯେପରି ନିଜର ଇଚ୍ଛା ନାହିଁ, ଶ୍ୱଶୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ କହୁଛନ୍ତି, ହଁ ନ ହେବ କାହିଁକି....ଅନ୍ତତଃ ତୁମର ବହିଟା ଲେଖା ସରିବା ପର୍ଯ୍ୟନ୍ତ ରହିଗଲେ ହେବ ।

 

—ମୁଁ ଆଉ କଣ ସବୁଦିନ ରହିବାପାଇଁ ଚାହୁଁଛି କି ? ମୋର ବହିଟା ସରିଗଲେ ଆଉ ଏଠାରେ ରହିବା ନାହିଁ । ଯେତେହେଲେ ଭିଟାମାଟି ଛାଡ଼ିବା କେମିତି ।

 

ସେ ଦିନ ଆଉ ବେଶି କଥାବାର୍ତ୍ତା ହେଲାନାହିଁ ।

 

କମଳଲୋଚନ ଭାବିଲେ ତାଙ୍କର ଯୋଜନା ସଫଳ ହୋଇଛି, ନଳିନୀ ଦେବୀ ମଧ୍ୟ ଭାବିଲେ ତାଙ୍କର ବାସନା ପୂର୍ଣ୍ଣ କରିବାପାଇଁ ଭଗବାନ ସହାୟ ହେଲେ । ସରୋଜର ତ କଅଁଳ ମନ । ଡେଣା ମେଲିଛି, ନୂଆ ଜାଗା ଦେଖନ୍ତା, ନୂଆ ଜାଗାରେ ରହନ୍ତା ।

 

ସମ୍ୱଲପୁର ଆସି ଘରଦ୍ୱାର, ଜମିବାଡ଼ି ସବୁଥିରେ ବ୍ୟବସ୍ଥା କରି ପୁଣି ସମସ୍ତେ ପୁରୀ ଫେରିଗଲେ ।

 

କମଳଲୋଚନଙ୍କ ଏହି ସିଦ୍ଧାନ୍ତକୁ ବିମଳ ବାବୁ ମଧ୍ୟ ପ୍ରଶଂସା କଲେ । ଖାଲି ଟିକିଏ ମନକୁ ପାଇଲା ନାହିଁ ବାସନ୍ତୀ ଦେବୀଙ୍କର । ହୁଁ, ଝିଅକୁ ଥରେ ଦେଖିବାକୁ ମନ ହେଲେ ଶହ ଶହ ମାଇଲ୍‍ବାଟ ଯିବାକୁ ପଡ଼ିବ ।

 

ବିମଳ ବାବୁ କହିଲେ, ଆରେ ଏଟାତ ତୁମକୁ ସୁବିଧା । ଝିଅକୁ ଦେଖିବାପାଇଁ ଯାଇ ଜଗନ୍ନାଥ ଦର୍ଶନ ବି ହୋଇଯିବ ।

 

ମୁହଁ ଫଣ ଫଣ କରି ବାସନ୍ତୀ ଦେବୀ କହିଲେ, ହଁ, ହଁ, ନିଜେ ପଛେ ଦଶଥର ଯିବ, ଆମକୁ ନେଲଣି । ତୁମେ ନେବ, ମୁଁ ଯିବି, ଜଗନ୍ନାଥ ଦର୍ଶନ କରିବି । ମୋ ହୀନ କପାଳରେ ଭଗବାନ ଦର୍ଶନ ହେଉଛି ।

 

—ମୁଁ ନ ନେଲେ ତୁମ ପୁଅ ସାଙ୍ଗରେ ଯିବ ।

 

—ଥାଉ ଥାଉ ତୁମର ସେ ସୋହାଗ, ମୁଁ ଯାଉଛି ତେଣେ ପିଲାଟା ବୋହୁକୁ ହଇରାଣ କରିଦେବଣି ।

 

ବାସନ୍ତୀ ଦେବୀ ଚାଲିଗଲେ ।

 

ନାତି ନାତୁଣୀଙ୍କ ସେବାରେ ଆଜିକାଲି ବାସନ୍ତୀ ଦେବୀଙ୍କୁ ବେଳ ଅଣ୍ଟୁ ନାହିଁ । ସେ ଆଉ ରୋଷେଇଘର ବାଟ ମାଡ଼ୁନାହାନ୍ତି । ରୋଷେଇ ଘରର ଶାସନ ଆଜିକାଲି ବୋହୁ ହାତରେ ।

 

ବିମଳ ବାବୁ ଚା’ କପଟେ ପାଇଁ ଆଉ କାକୁତି ମିନତି କରୁନାହାନ୍ତି । ପାଟି ଖୋଲିଲେ ବୋହୁ ଚା’ ଆଣି ପହଞ୍ଚାଇ ଦେଉଛି । ଏହା ଦେଖି ବାସନ୍ତୀ ଦେବୀ କିନ୍ତୁ ମହା କୋପ । ଚା’ କପ୍‍ମାତ୍ରାଟା ବଢ଼ିଯାଉଥିବାରୁ ତାଙ୍କର କୋପ । ବିମଳ ବାବୁ ସେହି କୋପଟାକୁ ଆହୁରି ବଢ଼େଇ ଦିଅନ୍ତି । ଚା’ ପାଇଁ କିଛି କହିଲେ କହନ୍ତି ନିଜେ ତ ଚା’ କପଟିଏ କେବେହେଲେ ଭଲ ମନରେ ଦେଇନ ବୋହୁ ଆଣି ଦେଉଛି ଯଦି ତୁମର ଦିହ ସହୁନାହିଁ ।

 

ତା ପରେ ବାସନ୍ତୀ ଦେବୀଙ୍କୁ ଦେଖେ କିଏ । ରାଗରେ ଟିପି ଆଙ୍ଗୁଠିରେ ଠିଆ ।

 

ବିମଳ ବାକୁ ସେତିକିରେ ସନ୍ତୁଷ୍ଟ ନ ହୋଇ ବଡ଼ ନାତିକୁ ଲଗେଇ ଦେବେ ବାସନ୍ତୀ ଦେବୀଙ୍କ ପଛରେ । ସେ ଯାଇ ପଚାରିବ ବଡ଼ମା’, ଚା’ ପାଇଁ ପରା ବଡ଼ବାପା ତୁମର ଗୋଡ଼ ଧରୁଥିଲେ ।

 

ବର୍ତ୍ତମାନ ଅସମ୍ଭାଳ, ଆଣବିକ ବୋମା ବିସ୍ଫୋରଣ ।

 

ବିମଳ ବାବୁ ମୁହଁ ନ ଖୋଲି ଚୁପ୍‍କରି ବାହାରକୁ ଚାଲିଯିବେ ।

 

ବାସନ୍ତୀ ଦେବୀ ଘରର କାନ୍ଥବାଡ଼କୁ ତାଙ୍କର କଥା ଶୁଣାଇ ଚାଲିବେ କ୍ଲାନ୍ତ ହୋଇ ପଡ଼ିବା ପର୍ଯ୍ୟନ୍ତ ।

 

ବିମଳ ବାବୁଙ୍କର ସ୍ତ୍ରୀଙ୍କୁ ଚିଡ଼ାଇବାଟା ଆଜିକାଲି ଗୋଟିଏ ବଡ଼ ପେଷା ହୋଇଛି । ହାତରେ କିଛି କାମ ନ ଥିଲେ ବାସନ୍ତୀ ଦେବୀଙ୍କୁ ଚିଡ଼େଇବା ପାଇଁ ଆରମ୍ଭ କରନ୍ତି ଏବଂ ଏଥିପାଇଁ ତାଙ୍କର ବଡ଼ ସହାୟକ ବଡ଼ ନାତି । ତାକୁ ଆଗରୁ ରିହାର୍ସେଲ କରେଇ ରଖିଥିବେ । ସ୍ତ୍ରୀ ଆସିଲେ ନାଟକ ଆରମ୍ଭ ହେବ ।

 

ଦିନେ ଦିନେ ନାତିକୁ ପଚାରିବେ, ହଇରେ ଆଜିକାଲି ଆମ ଛାତରେ, ବାଡ଼ି ବଗିଚାରେ କୁଆଟାଏ ବି ବସୁନାହାନ୍ତି କାହିଁକି ?

 

ନାତି ତ ଆଗରୁ ପାର୍ଟ ମୁଖସ୍ଥ କରିଛି, କହିବ, ଆଉ କୁଆ ସତରେ କଣ ବସିବେ, ବଡ଼ମା ଯେଉଁ ପାଟି କରୁଛନ୍ତି ନା, ଏଇ ଭୟରେ କୁଆ ପଶି ପାରିବେ ନାହିଁ ।

 

ପୁଣି ବିମଳ ବାବୁ ପଚାରିବେ, ହଇରେ ଟୁନା, ବଡ଼ମା କେତେବେଳେ ପାଟି କରନ୍ତି ।

 

—ହଉ ହେଲା, ତୁମେ ଯଦି ଶୁଣିନାହଁ, ବଡ଼ମା କୁନିକୁ ଏଇଲାବେଳେ ଥରେ ଶୁଣିବ ।

 

ବାସନ୍ତୀ ଦେବୀ ଶୁଣି ଶୁଣି ଖାଲି ରାଗରେ ଦାନ୍ତ କଡ଼ମଡ଼ କରୁଥାଆନ୍ତି ।

 

ହସି ହସି ବିମଳ ବାବୁ କହନ୍ତି, ଓହୋ, ବଡ଼ମା ତୋର ବାଧା’ରେ ବାୟା ଗୀତକୁ ତୁ କହୁଛୁ ।

 

—ହଁ ବଡ଼ବାପା, ବଡ଼ମା’ଙ୍କ ଗୀତ ଶୁଣି ଲାଜରେ ପରା କୁଆମାନେ ଉଡ଼ି ପଳାନ୍ତି ।

 

ବାସନ୍ତୀ ଦେବୀ ଆଉ ସହ୍ୟ କରି ପାରନ୍ତି ନାହିଁ । ତା ପରେ ମୁହଁରେ ଯାହା ଆସିଲା । ଶେଷକୁ ବୋହୁ ଆସି ମଧ୍ୟସ୍ଥତା କରି କୁଆର ମୀମାଂସା କରନ୍ତି ।

 

ଏହିପରି ଭାବରେ ନାତି ନାତୁଣୀଙ୍କୁ ନେଇ ବିମଳ ବାବୁ ଗାର୍ହସ୍ଥ୍ୟ ଜୀବନ ଉପଭୋଗ କରୁଛନ୍ତି ।

 

କମଳଲୋଚନ କଳ୍ପନା କଳ୍ପନାରେ ରହିଗଲା । ଅଭିଳାଷ ପୂର୍ଣ୍ଣ ହୋଇ ପାରିଲା ନାହିଁ । ତାଙ୍କର ଜୀବନ କାହାଣୀ ପୂର୍ଣ୍ଣ ହୋଇ ପାରିଲା ନାହିଁ । ଜୀବନଟି ଅଧାରେ ରହିଗଲା ।

 

ସକାଳୁ ଉଠି ସବୁଦିନ ପରି ପ୍ରତଃ ଭ୍ରମଣରେ ଗଲେ । ଫେରି ଆସି ଗାଧୋଇ ପାଧୋଇ ମନ୍ଦିରକୁ ଦର୍ଶନ କରିବା ପାଇଁ ଗଲେ । ଫେରି ଆସି ଜଳଖିଆ ଖାଇ ପଢ଼ାଘରେ ବସି ଲେଖିବା ପାଇଁ ବସିଲେ ।

 

କିନ୍ତୁ ପୃଷ୍ଠାଏ ବି ଲେଖିନାହାନ୍ତି ନଳିନୀ ଦେବୀଙ୍କୁ ଡାକିଲେ । ନଳିନୀ ଦେବୀ ଠାକୁର ଘରେ ଥିଲେ । ଏହି ସମୟରେ କେବେ ଡାକନ୍ତି ନାହିଁ, କଣ ପାଇଁ ଡାକୁଛନ୍ତି ବୋଲି ଧାଇଁ ଧାଇଁ ଗଲେ । କମଳଲୋଚନ କହିଲେ, ସେ ଛାତିରେ ପୀଡ଼ା ଅନୁଭବ କରୁଛନ୍ତି । ସଙ୍ଗେ ସଙ୍ଗେ ନଳିନୀ ଦେବୀ ପୁଜାରୀକୁ ପଠେଇଦେଲେ ଡାକ୍ତର ଡାକିବା ପାଇଁ । କିନ୍ତୁ ଡାକ୍ତର ଆସିବାବେଳକୁ ସବୁ ଶେଷ ।

 

ଯେ ଶୁଣିଲା ଆଶ୍ଚର୍ଯ୍ୟ ହେଲା । କେତେ ପୂଣ୍ୟ କଲେ ଏମିତି ମୃତ୍ୟୁ ମିଳେ ! ଶ୍ରୀକ୍ଷେତ୍ରରେ, ପୁଣି ଜଗନ୍ନାଥ ଦର୍ଶନ କରି । ବହୁ ପୁଣ୍ୟର ଫଳ ।

 

ନଳିନୀ ଦେବୀ ଫେରିଆସି ଗାଁରେ ଅନ୍ତେଷ୍ଠିକ୍ରିୟା କଲେ । କାରଣ କମଳଲୋଚନ ତାଙ୍କର ଉଇଲରେ ସେହି ଇଚ୍ଛା ପ୍ରକାଶ କରିଥିଲେ । ସେ ମଲା ପରେ ତାଙ୍କର ମୁଖାଗ୍ନି ଦେବ ସରୋଜ ଏବଂ ଅନ୍ତେଷ୍ଠିକ୍ରିୟା ହେବ ତାଙ୍କର ଜନ୍ମଭୂମି ଗାଁରେ ।

 

ଗାଁରେ ସବୁକାମ ସରିଗଲା ପରେ ନଳିନୀ ଦେବୀ ଆସି ସମ୍ବଲପୁରରେ ରହିଲେ ।

 

ବନ୍ଧୁବାନ୍ଧବ, ବାସନ୍ତୀ ଦେବୀ ସମସ୍ତେ ଆଉ ପୁରୀ ନ ଯିବା ପାଇଁ ଉପଦେଶ ଦେଲେ । ନଳିନୀ ଦେବୀ ଚୁପ୍‍ କରି ସମସ୍ତଙ୍କ କଥା ଶୁଣୁଥାଆନ୍ତି ।

 

ସମସ୍ତଙ୍କ ହିତୋପଦେଶବାଣୀ ନଳିନୀ ଦେବୀଙ୍କ ଗୋଟିଏ କାନରେ ପଶି ଆଉ କାନବାଟେ ଚାଲିଯାଉଥାଏ । ଜଗନ୍ନାଥଙ୍କ ଚରଣ ତଳେ ସେ ଶରଣ ନେଇ ସାରିଛନ୍ତି, ତାଙ୍କର ଆଉ ଅନ୍ୟଠି ସ୍ଥାନ ନାହିଁ । ତାଙ୍କୁ ଆଉ କେହି ଟାଣି ଆଣି ପାରିବେ ନାହିଁ ।

 

ନଳିନୀ ଦେବୀ ଖାଲି ମନେ ମନେ ଜଣେ ସ୍ତ୍ରୀଲୋକର ସନ୍ଧାନ କରୁଥାଆନ୍ତି, ଯେ ତାଙ୍କ ସାଙ୍ଗରେ ଯାଇ ଅନ୍ତତଃ ବର୍ଷେଖଣ୍ଡେ ରହନ୍ତା । ମା’ ଯାଆନ୍ତେ, କିନ୍ତୁ ବର୍ତ୍ତମାନ ନାତି ନାତୁଣୀଙ୍କ ଜଞ୍ଜାଳ ଛାଡ଼ି ଗୋଟିଏ ଦିନ ବି ବାହାରେ ରହିବା ତାଙ୍କୁ ଯୁଗେ ପରି ଲାଗୁଚି । ତାଙ୍କୁ କେମିତି ଯିବାପାଇଁ କହିବେ । ଏକାକୀ ପିଲାଟାକୁ ନେଇ ବିଦେଶଟାରେ ରହିବା ପାଇଁ ଦମ୍ଭ ହେଉନାହିଁ, ସାହସ ହେଉନାହିଁ । କେତେବେଳେ କେଉଁ କଥା । ଘରଟିଏ କରିଥିଲେ କେତେ ସୁବିଧା ଅସୁବିଧା ଅଛି ।

 

କିନ୍ତୁ ସାଥୀଟିଏ ଖୋଜିବାପାଇଁ ନଳିନୀ ଦେବୀଙ୍କୁ କଷ୍ଟ କରିବାକୁ ପଡ଼ିଲା ନାହିଁ । ହାତ ପାଖରେ ପାଇଗଲେ ।

 

ପଡ଼ୋଶୀ ସୁରମା ଯିବାପାଇଁ ବାହାରିଲେ ।

 

ସୁରମାଙ୍କ ସ୍ୱାମୀ ଦୁଇବର୍ଷ ତଳେ ପ୍ଲେନ୍‍ ଏକ୍‍ସିଡେଣ୍ଟରେ ପ୍ରାଣ ହରେଇଥିଲେ । ସେ ନଳିନୀ ଦେବୀଙ୍କ ସଙ୍ଗେ ଯିବାପାଇଁ ଇଚ୍ଛା ପ୍ରକାଶ କରନ୍ତେ ତାଙ୍କର ଶଶୁର ସଙ୍ଗେ ସଙ୍ଗେ ରାଜି ହୋଇଗଲେ ।

 

ସୁରମାଙ୍କ ଶ୍ୱଶୁର କହିଲେ, ନଳିନୀ ସାଙ୍ଗରେ ଯିବୁ, ଏଥିରେ ନାହିଁ କରିବାର କଣ ଅଛି-। ନଳିନୀ ତ ନାରୀ ନୁହେଁ, ଦେବୀଟିଏ । କମଳଲୋଚନ ବହୁ ତପସ୍ୟା କରି ନଳିନୀ ପରି ବୋହୁଟିଏ ପାଇଥିଲେ । ରୂପ ଯେମିତି ଗୁଣ ସେମିତି । ଅନ୍ୟ ଝିଅ ହୋଇଥିଲେ ସ୍ୱାମୀର ମୃତ୍ୟୁ ପରେ ପରେ ମା’ ଘରକୁ ଚାଲିଯାଇଥାଆନ୍ତା । ତୁ ତ ନିଜ ଆଖିରେ ଦେଖିଛୁ ସୁରମା, ନଳିନୀ ଶ୍ୱଶୁରର ଯେଉଁ ସେବାଶୁଶ୍ରୂଷା କରିଛି ଏ ଯୁଗର ଝିଅ ସେମିତି କରିବାଟା ପରୀ ରାଇଜର କଥା ପରି ମନେହୁଏ । ଖାଲି ସେତିକି ନୁହେଁ, ସେଇ ଅନାଥ ପିଲାଟାକୁ ଯେପରି ପାଳନ କରିଛି, ନିଜ ପିଲାକୁ ବି ସେମିତି କରିବେ ନାହିଁ କେହି । କମଳଲୋଚନର ସବୁ ପୂଣ୍ୟର ଫଳ । ସେଇଥିପାଇଁ ସିନା ଏମିତି ବୋହୁ ପାଇଲେ, ପୁଣି ଏପରି ଶାନ୍ତିରେ ଶ୍ରୀକ୍ଷେତ୍ରରେ ମରଣ ହେଲା ।

 

ସୁରମାଙ୍କୁ ସାଙ୍ଗରେ ଧରି ନଳିନୀ ଦେବୀ ପୁରୀ ଚାଲିଗଲେ । ବିମଳ ବାବୁ ସାଙ୍ଗରେ ଯାଇ ଛାଡ଼ି ଆସିଲେ ।

 

ସ୍ୱାମୀଙ୍କ ମୃତ୍ୟୁ ପରେ ସୁରମା ପୂଜାପାଠରେ ସମୟ ଅତିବାହିତ କରୁଥିଲେ ।

 

ଶ୍ୱଶୁର କହୁଥିଲେ, ମଣିଷର ଯେତେ ଦୁଃଖ କଷ୍ଟ ହେଉ, ଭଗବାନଙ୍କ ଶରଣ ନେଲେ ସବୁ ଦୁଃଖ କଷ୍ଟ ଭରା ଦୂର ହୋଇଯାଏ । ମନରେ ଆଉ ଗ୍ଲାନି ରହେନାହିଁ । ଶାନ୍ତିଭାବ ଜାଗ୍ରତ ହୁଏ ।

 

ଟିକିଏ ମନରେ ଅଶାନ୍ତି ହେଲେ ସୁରମା ପୂଜାରେ ବସି ଯାଆନ୍ତି । ମନ ଭଗବାନଙ୍କ ଆଡ଼େ ଚାଲିଗଲେ ଅଶାନ୍ତି ଦୂର ହୋଇଯାଏ । ଭଗବାନଙ୍କ ପ୍ରତି ବିଶ୍ୱାସ ଜାତ ହେଲେ ନିଜ ପ୍ରତି ବିଶ୍ୱାସ ଜାତ ହୁଏ ।

 

ପୁରୀରେ ପହଞ୍ଚିଲା ପରେ ନଳିନୀ ଦେବୀଙ୍କର ଘର ପୂରାପୂରି ଗୋଟିଏ ମନ୍ଦିର ପାଲଟି ଗଲା । ଯେତେବେଳେ ଦେଖିବ ପୂଜା ଚାଲିଛି, ଧୂପ ଦୀପରେ ଘର ମହକି ଉଠୁଛି ।

 

ଦିନରାତି ପୂଜାରେ ବ୍ୟସ୍ତ ରହିଲେ ସୁଦ୍ଧା ନଳିନୀ ଦେବୀ ସରୋଜ ପ୍ରତି ମୋଟେ ହେଳା କରନ୍ତି ନାହିଁ । ତା’ର ଖାଇବା, ପିଇବା, ବସିବା ଉଠିବା ସବୁଥିପ୍ରତି ତାଙ୍କର ସଜାଗ ଦୃଷ୍ଟି । ସରୋଜକୁ ସେ ମଣିଷ କରିବେ, ପାଞ୍ଚଜଣରେ ସେ ଜଣେ କରିବେ, ସ୍ୱାମୀଙ୍କ ନାମ ରଖିବେ ।

 

ସରୋଜ ମଧ୍ୟ ଖୁବ୍‍ ଭଲ ପଢ଼ାପଢ଼ି କରୁଛି । କ୍ଲାସରେ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରୁଛି । ଆଜିକାଲି ତାର ବୁଲାବୁଲିରେ ବେଶୀ ମନ ନାହିଁ ।

 

ନଳିନୀ ଦେବୀ ସୁରମାଙ୍କ ସହିତ ପୂଜାରେ ବସିଲେ । ସରୋଜ ବହି ଖଣ୍ଡେ ଧରି ବସି ଯାଉଛି । ବିମଳ ବାବୁ କହୁଥିଲେ ଶୁଭେନ୍ଦୁର ମଧ୍ୟ ଏହିପରି ଖେଳାବୁଲା ପ୍ରତି ବେଶୀ ଆଗ୍ରହ ନଥିଲା ।

 

ସେଦିନ ନଳିନୀ ଦେବୀ ବିମଳ ବାବୁଙ୍କୁ ସରୋଜର ଫଟୋ ସବୁ ଦେଖାଉଥିଲେ । ସେହି ଏଲବମରେ ଶୁଭେନ୍ଦୁ ଓ କମଳଲୋଚନଙ୍କ ଫଟୋ ସବୁ ମଧ୍ୟ ଥଲା ।

 

ହଠାତ୍‍ ଶୁଭେନ୍ଦୁଙ୍କ ପିଲାଦିନର ଗୋଟିଏ ଫଟୋ ପୃଷ୍ଠାରେ ଅଟକି ଯାଇ ବିମଳ ବାବୁ ଅନେକ ବେଳଯାଏ ନିରୀକ୍ଷଣ କଲେ । ତା ପରେ ସରୋଜର ଫଟୋ ଥିବା ଗୋଟିଏ ପୃଷ୍ଠାକୁ ଓଲଟାଇ ଦେଖିବାକୁ ଲାଗିଲେ ।

 

ତାଙ୍କର ଏପରି ଦେଖିବାର ଦେଖି ନଳିନୀ ଦେବୀ ଉଦ୍‍ବିଗ୍ନ ହୋଇ ବାପାଙ୍କୁ ଲକ୍ଷ୍ୟ କରୁଥାଆନ୍ତି ।

 

ବିମଳ ବାବୁ ଦୁଇ ଫଟୋକୁ ଏପାଖ ସେପାଖ କରି ଅନେକ ବେଳଯାଏ ଦେଖିଲା ପରେ କହିଲେ, ଦେଖ ମା’ ଏହି ଫଟୋ ଦୁଇଟିକୁ, କେତେ ମେଳ ଅଛି ଏଇ ଦୁଇ ଫଟୋରେ । ଆଖି, ନାକ, କାନ, ଚିବୁକ, ମୁଣ୍ଡର ବାଳ ସବୁକିଛି କିପରି ମଶିଯାଉଛି ।

 

ପ୍ରକୃତରେ କେତେ ସାମଞ୍ଜସ୍ୟ ।

 

ନଳିନୀ ଦେବୀ ଆଗରୁ କେବେ ଏହା ଲକ୍ଷ୍ୟ କରି ନଥିଲେ ।

 

ତାଙ୍କର ମନକୁ କେବେ ଏହା ସ୍ପର୍ଶ କରି ନଥିଲା ।

 

ବିମଳ ବାବୁ କହିଲେ, ବୁଝିଲୁ ମା’, ଲୋକେ କହନ୍ତିନାଇଁ ଅମୁକ ଲୋକ ଅମୁକ ଘରେ ଯାଇ ଜନ୍ମ ହୋଇଛି ବୋଲି ଆମେ ବିଶ୍ୱାସ କରୁନା, ମନର କଳ୍ପନା, ଅନ୍ଧବିଶ୍ୱାସ କହି ଉଡ଼େଇ ଦଉ-। କିନ୍ତୁ ସେ କଥା ସତ । ମଣିଷର ପୂନର୍ଜନ୍ମ ଅଛି । ମଣିଷର ଆତ୍ମା ଅମର । ଶୁଭେନ୍ଦୁ ସେହି ଘରେ ଜନ୍ମ ହୋଇଥିଲା । ଆଉ ସେଇଥିପାଇଁ ସିନା ଆଉ କାହାକୁ ନ ଦେଇ ଶିଶୁଟିକୁ ଆଣି ତୋରି କୋଳକୁ ବଢ଼ାଇଦେଲା । ଭଗବାନଙ୍କ କି ବିତିତ୍ର ଲୀଳା ।

 

ନଳିବୀ ଦେବୀଙ୍କ ମୁଣ୍ଡ ଗୋଳମାଳିଆ ହୋଇଗଲା । ବାପା କଣ ସବୁ କହୁଛନ୍ତି । ତା ହେଲେ......

 

ନଳିନୀ ଦେବୀ ଆଉ କିଛି ଭାବି ପାରିଲେ ନାହିଁ । ଏକ ଅଜଣା ଆତଙ୍କରେ ତାଙ୍କର ଦେହ ଯେପରି ଥରିବାକୁ ଲାଗିଲା । କାମର ବାହାନା କରି ସେଠାରୁ ପଳାଇ ସେ ମୁକ୍ତି ପାଇଲେ ।

 

ନଳିନୀ ଦେବୀ ଚାଲିଗଲା ପରେ ବିମଳ ବାବୁ ଝିଅକୁ ଶୁଭେନ୍ଦୁଙ୍କ କଥା ସ୍ମରଣ କରାଇ ଦେଇଥିବାରୁ ଅନୁାଶୋଚନା କଲେ ।

 

ବିମଳ ବାବୁ ଚାଲିଗଲା ପରେ ନଳିନି ଦେବୀ ଏଲବମ୍‍ଟିକୁ ଲୁଗା ବାକ୍‍ସ ଭିତରେ ପୂରେଇ ଦେଲେ । ସରୋଜ ଆଉ ପାଇ ପାରିବ ନାହିଁ, ଦେଖିବା ପାଇଁ ଥରକୁଥର ବାହାର କରି ପାରିବ ନାହିଁ ।

 

ଏହିକଥା ନଳିନୀ ଦେବୀ କେବେ ଚିନ୍ତା କରି ନଥିଲେ । ତାଙ୍କର ମନକୁ ଛୁଇଁ ନ ଥିଲା ଏ କଥା ଗୁଡ଼ିକ ।

 

ବାପାଙ୍କ ମୁହଁରୁ ଏହିକଥା ଶୁଣିଲା ଦିନରୁ ଟିକିଏ ଏକାକୀ ରହିଲେ ସେହି କଥା ମନେ ପଡ଼ୁଛି । କମଳଲୋଚନଙ୍କ କଥା ମନେ ପଡ଼ି ଯାଉଛି । ସେ ଥରେ ବିମଳ ବାବୁଙ୍କୁ କହୁଥିଲେ, ଦେଖୁଛୁ ବିମଳ, ଠିକ୍‍ ଶୁଭେନ୍ଦୁ ପରି ହୋଇଛି ଆମର ସରୋଜ । ଶୁଭେନ୍ଦୁର ପିଲାଦିନର ଚେହେରା ତୋର ମନେ ପଡ଼ୁଛି ?

 

ଏକଥା ଗୁଡ଼ିକ କହିଲାବେଳେ ନଳିନୀ ଦେବୀ ବାରଣ୍ଡାରେ ଠିଆ ହୋଇଥିଲେ କମଳଲୋଚନ କିମ୍ୱା ବିମଳ ବାବୁ କାହାରି ଜଣା ନାହିଁ ।

 

ଏହିପରି କଥା କିଏ କିଏ କେତେ କହିଛନ୍ତି ସବୁ ନଳିନୀ ଦେବୀଙ୍କ ମନେ ପଡ଼ିଯାଉଛି ।

 

ସରୋଜ କୋଠରୀ ଭିତରେ ବସିଥିଲେ ଝରକା ପାଖରେ ଠିଆ ହୋଇ ତାକୁ ଏକ ଦୃଷ୍ଟିରେ ଅନାଇ ରହୁଛନ୍ତି ।

 

ସତରେ କଣ ସେ ତାଙ୍କରି ପରି ଦେଖାଯାଉଛି ?

 

ହଁ, ଅବିକଳ ତାଙ୍କରି ରୂପ । ନିଜ ପ୍ରଶ୍ନର ଉତ୍ତର ସେ ନିଜେ ଦିଅନ୍ତି ।

 

ସରୋଜ ସ୍କୁଲକୁ ଗଲାପରେ ତାଙ୍କ କୋଠରୀର ଭିତର ପାଖୁ ଖିଡ଼ିକି ବନ୍ଦ କରି ଏଲବମରୁ ଦୁଇଟିଯାକ ଫଟୋ ବାହାର କରି ଏକା ସାଙ୍ଗରେ ଦେଖନ୍ତି ।

 

ନ ଜାଣିଲା ଲୋକକୁ ଦୁଇଟିଯାକ ଫଟୋ ଦେଖେଇଲେ ଜଣକର ବୋଲି କହିବ । ମୋଟେ କହି ପାରିବ ନାହିଁ ଯେ ଏହା ଅଲଗା ଅଲଗା ଦୁଇଜଣଙ୍କର ଫଟୋ ବୋଲି । ଯଦି ଦୁଇଜଣଙ୍କର ଫଟୋ ବୋଲି କହିଲେ କେହି ବିଶ୍ୱାସ କରିବେ ନାହିଁ ।

 

ପରୀକ୍ଷା କରିବା ପାଇଁ ନଳିନୀ ଦେବୀ ଫଟୋ ଦୁଇଟିକୁ ନେଇ ସୁରମାଙ୍କୁ ଦେଖେଇଲେ । ସୁରମା ମୋଟେ ଜାଣି ପାରିଲେ ନାହିଁ । ଦୁଇଟିଯାକ ଫଟୋ ସରୋଜର ବୋଲି କହିଲେ ।

 

ନଳିନୀ ଦେବୀ କିଛି ନ କହି ଫଟୋ ଦୁଇଟିକୁ ପୁଣି ବାକ୍‍ସ ଭିତରେ ରଖିଦେଲେ ।

 

ତା’ହେଲେ ଅନନ୍ତ ଯାହା କହୁଥିଲା ସବୁ ସତ ?

 

ନଳିନୀ ଦେବୀଙ୍କ ଦେହ ଶୀତେଇ ଉଠିଲା । ସମସ୍ତ ଶରୀରରେ ଶିହରଣ ଖେଳିଗଲା । ଖଟରେ ଯାଇ ବସି ପଡ଼ିଲେ । ମୁଣ୍ଡ ତାଙ୍କର ଝିମ୍‍ଝିମ୍‍ କଲା ।

 

ଅନନ୍ତ ଅତି ବିଶ୍ୱସ୍ତ ଚାକର । ତାର ତିନି ପୁରୁଷରୁ ତାଙ୍କ ଘରେ ମୂଲିଆ ରହି ଆସୁଛନ୍ତି ।

 

ଏତେବଡ଼ କଥାଟାଏ ସେ ଯେ ମିଛ କହିବ, ମନରୁ ଗଢ଼ିକରି କହିବ, ସମ୍ଭବ ନୁହେଁ । କିପରି ସେ ମନରୁ ଗଢ଼ିକରି କହିବ, ସେଥିରେ ତାର କଣ ସ୍ୱାର୍ଥ ଅଛି !

 

ତଥାପି ନଳିନୀ ଦେବୀ କଥାଟିକୁ ସମ୍ପର୍ଣ୍ଣ ବିଶ୍ୱାସ କରି ପାରିଲେ ନାହିଁ । କିପରି ବିଶ୍ୱାସ କରିବେ ? ସେ ଏପରି କାମଟିଏ କରିପାରିବେ ସେ କଳ୍ପନା ବି କରିପାରିଲେ ନାହିଁ ।

 

ପୁଣି ସେପରି ଏକ ଅପ୍ରିୟ ସତ୍ୟର ସତ୍ୟାସତ୍ୟ ପ୍ରମାଣ ଖୋଜ ବାହାର କରିବା ପାଇଁ ମଧ୍ୟ ସାହସ ହେଲାନାହିଁ । ଯଦି ମିଛ ହୋଇଥାଏ ତ କିଛି କଥା ନାହିଁ, ଏପରି ଏକ ମିଥ୍ୟା କଳଙ୍କ ଆରୋପ କରୁଥିଲା ବୋଲି ଅନନ୍ତକୁ ତଡ଼ିଦେବେ ଚାକିରିରୁ, କିନ୍ତୁ ଯଦି ସତ ହୋଇଥାଏ ? ଯାହା କେହି ଜାଣି ନାହାନ୍ତି ସମସ୍ତେ ଜାଣିବେ । ତାଙ୍କର ମୃତ୍ୟୁ ପରେ ସମସ୍ତେ ଜାଣିବେ । ଛି ଛି କରିବେ-। ଦୁଶ୍ଚରିତ୍ରଟାଏ ଥିଲା ବୋଲି କହିବେ ।

 

ଏତେ ବଡ଼ କଠିନ ପରୀକ୍ଷାର ସମ୍ମୁଖୀନ ହେବେ କିପରି ନଳିନୀ ଦେବୀ !

 

ନଳିନୀ ଦେବୀଙ୍କ ଆଖି ଆଗରେ ହସି ଉଠିଲା ସେଦିନର ଦୃଶ୍ୟଟି ।

 

ସେଦିନ ଅନନ୍ତ ଆସି ନଳିନୀ ଦେବୀଙ୍କୁ କହିଲା, ମା’, କଥାଟିଏ କହିବା ପାଇଁ ଆସିଛି । ଅତି ଗୁପ୍ତ କଥାଟିଏ । କାହରିକି କହିବନାହିଁ ଯଦି କହିବି ।

 

ଭୟରେ ଅନନ୍ତର ପାଟି ଖନି ମାରି ଯାଉଥାଏ ।

 

ନଳିନୀ ଦେବୀ ମଧ୍ୟ ଡରିଗଲେ । ଅନନ୍ତ ଗୁପ୍ତ କଥା କହିବା ପାଇଁ ଆସିଛି । ପୁଣି କାହାରିକି ନ କହିବା ପାଇଁ କହୁଛି । କଣ ଗୁପ୍ତକଥା ସେ ତାଙ୍କୁ କହିବା ପାଇଁ ଆସିଛି । ଶ୍ୱଶୁରଙ୍କୁ ନ କହି ତାଙ୍କୁ କହିବାକୁ ଚାହୁଁଛି ।

 

କିନ୍ତୁ ସେହି ଗୁପ୍ତ କଥାର ରହସ୍ୟ ଭେଦ କରିବା ପାଇଁ ପ୍ରବଳ ଆଗ୍ରହ ଜାତ ହେଲା ନଳିନୀ ଦେବୀଙ୍କର । କୁହ ଅନନ୍ତ, ଆଉ କାହରିକି କହିବି ନାହିଁ । ଡରି ଡରି କହିଲେ ନଳିନୀ ଦେବୀ ଓ ଅନନ୍ତର ମୁହଁକୁ ଅନାଇ ରହିଲେ ।

 

ଅନନ୍ତ ମଧ୍ୟ କଥାଟି କହିବା ପାଇଁ ଡରୁଥିଲା । କହିବା ପାଇଁ ଭାଷା ପାଉନଥିଲା ସେ । ଅତି କଷ୍ଟରେ, ଖୁବ୍‍ସାହସ ବାନ୍ଧି କହିଲା, ମା’ ମୋର ତିନି ପୁରୁଷରୁ ବାବୁଙ୍କ ଅନ୍ନରେ ପ୍ରତିପାଳିତ ହୋଇଛୁଁ । ଯାହାର ଲୁଣ ଖାଇଛୁ, ତାର ଗୁଣ ଗାଉଛୁ ।

ଅନନ୍ତ ଟିକେ ରହି ଛେପ ଗିଳିଲା ।

ମୁଁ ମଧ୍ୟ ମୋର ସାତବର୍ଷ ଦିନରୁ ବାବୁଙ୍କ ଘରେ ରହିଛି । ମୋର ଚାକିରି କରିବା ଦୁଇକୋଡ଼ି ବର୍ଷ ହୋଇଗଲାଣି, କିନ୍ତୁ ମୋର ଜାଣିବାରେ ଏପରି କଥା କରିନାହିଁ କି କହିନାହିଁ ମଧ୍ୟ-। ଯାହାକି ବିଶ୍ୱାସଘାତକତା ହେବ ମାଲିକ ପାଖରେ ।

ଅସଲ କଥାଟି ନ କହି ଅନନ୍ତର ଏହି ଉପକ୍ରମଣିକା ଶୁଣିବା ପାଇଁ ନଳିନୀଦେବୀଙ୍କ ଧୈର୍ଯ୍ୟ ଧରୁ ନଥିଲା । ଛାତି ଭୟରେ ଧଡ଼ ଧଡ଼ କରୁଛି । କଣ ସେହି ଗୁପ୍ତ କଥା, ଯା’ର ରହସ୍ୟ ଉଦ୍‍ଘାଟନ କରିବା ପାଇଁ ଅନନ୍ତ ଆସିଛି ତାଙ୍କ ପାଖକୁ ।

ଅଧୈର୍ଯ୍ୟ ହୋଇ ନଳିନୀ ଦେବୀ କହିଲେ, କୁହ ଅନନ୍ତ, କଥାଟି କୁହ ।

ଅନନ୍ତ ଭୟରେ କଣ କେମିତି କହିବ କିଛି ଭାବି ନ ପାରି ଏପରି ଉପକ୍ରମଣିକା ବାଢ଼ୁଥିଲା । ନଳିନୀଦେବୀଙ୍କ କଥାରେ ସାହସ ପାଇଲା କହିବା ପାଇଁ ।

ଅନନ୍ତ କହିଲା, ମା’ ଶୁଭେନ୍ଦୁ ବାବୁଙ୍କୁ ମୁଁ ମୋର କୋଳରେ କାଖରେ ଧରି ମଣିଷ କରିଛି । ଯେଉଁ କଥା ସେ କାହରି ଆଗରେ କହୁ ନଥିଲେ, ମୋ ଆଗରେ ସେ କଥା କହୁଥିଲେ । ବାପାଙ୍କୁ କିଛି କହିବାକୁ ଚାହିଁଲେ ମତେ କହୁଥିଲେ ଯାଇ କହିବା ପାଇଁ ଏବଂ ମୁଁ ଜାଣୁଥିଲି ବଡ଼ବାବୁଙ୍କ ପାଖରୁ ଗାଳି ଖାଇବି, ତଥାପି ସେକଥା କହୁଥିଲି ଯାଇ । ବଡ଼ବାବୁ ମଧ୍ୟ ସାନବାବୁଙ୍କୁ ନିଜେ କିଛି କହୁନଥିଲେ । ମା’ ଛେଉଣ୍ଡ ପିଲା ତ, ବଡ଼ବାବୁ କିଛି କହିବାକୁ ପଡ଼ିଲେ ମତେ କହୁଥିଲେ କହିବା ପାଇଁ । ଯେଉଁ କଥା ବଡ଼ବାବୁ ମନା କରିପାରୁନଥିଲେ, ମୁଁ ମନା କରି ପାରୁଥିଲି-

ନଳିନୀ ଦେବୀଙ୍କ ଉଦବେଗ ବଢ଼ି ଚାଲିଥାଏ । ନଳିନୀଦେବୀଙ୍କୁ ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ କଥାଟି ତାଙ୍କ ସ୍ୱାମୀଙ୍କର । କିନ୍ତୁ କଥାଟି ସିଧା ସଳଖ ନ କହି ଏତେ ଉପକ୍ରମଣିକା କାହିଁକି !

ହଠାତ୍‍ ଅନନ୍ତ ଉପକ୍ରମଣିକା ଶେଷ କରି ବିଷୟବସ୍ତୁ ଆରମ୍ଭ କରିଦେଲା ।

ନଳିନୀ ଦେବୀଙ୍କ ଲୋମ ଟାଙ୍କୁରି ଉଠିଲା । ହଠାତ୍‍ ଯେପରି ହିମଶୀତଳ ସମୀରଣ ଝଲକାଏ ବହିଗଲା ।

ସାନବାବୁଙ୍କ ମରିବା ଆଗ ସନର କଥା । ବଡ଼ବାବୁ କଲିକତା ଯାଇଥିଲେ । ତୁମେ ଏଠି ଥିଲ କି ମା’ଘର ଯାଇଥିଲ ମୋର ଠିକ୍‍ ମନେନାହିଁ । ସାନବାବୁ ଗାଁକୁ ଯାଇଥିଲେ ଧାନ ଅସୁଲ କରିବା ପାଇଁ । କେମିତି ହେଲା, କିପରି ହେଲା କେଜାଣି, ଅନନ୍ତର କଥା ଅଟକି ଅଟକି ଯାଉଥାଏ, ଥରକୁଥର ଓଠ ଶୁଖି ଯାଉଥିବାରୁ ଜିଭରେ ଓଠ ଚାପି ପକଉଥାଏ । କେମିତି ହେଲା, ଆମ ଘର ପାଖରେ ଗୋଟିଏ ବିଧବା ଥିଲା । ବିଧବା ବୋଇଲେ ତାର ବିବାହର କେଇମାସ ପରେ ସ୍ୱାମୀ ତାର ଚାହା ବଗିଚାକୁ କାମ କରିବା ପାଇଁ ଗଲା ଯେ ଆଉ ଫେରିଲା ନାହିଁ । କିଏ କହିଲା ସେ ମରିଯାଇଛି, କିଏ ଖବର ଦେଲା ସେ ସେଆଡ଼େ ଅନ୍ୟ ସ୍ତ୍ରୀ ବାହା ହୋଇ ଘର କଲାଣି ବୋଲି । କିନ୍ତୁ ତାର ଜାତିବାଲା ଧରିବସିଲେ ଯେ ସେ ଅଜାତିର ହୋଇ ଯାଇଛି । କାରଣ ତାର ସ୍ୱାମୀ କେଉଁ ନା କେଉଁ ଜାତିର ସ୍ତ୍ରୀକୁ ବାହା ହୋଇଛି । ବାଧ୍ୟ ହୋଇ, ତାକୁ କୂଳରେ ରଖିବା ପାଇଁ ତାର ପାଖ ପଡ଼ୋଶୀ ସମସ୍ତେ ଲାଗି ସ୍ଥିର କଲେ ଯେ ପିଲାଟି ସେଠାରେ ମରିଯାଇଛି କହି ବୋହୂକୁ ବିଧବା କରିଦେଲେ ଆଉ କିଛି ଝିଞ୍ଜଟ ରହିବ ନାହିଁ । ତେଣୁ ପ୍ରଚାର କରିଦେଲେ ଯେ ପିଲାଟି ଚାହା ବଗିଚାରେ ଥିଲାବେଳେ ବାଡ଼ିରେ ମରିଗଲା । ବୋହୁଟି ବିଧବା ହେଲା । ସତେ ସେ ଚାହା ବଗିଚାରେ ମରିଛି କି ଅନ୍ୟ ସ୍ତ୍ରୀ ରଖି ରହିଛି ତାହା ଭଗବାନଙ୍କୁ ଜଣା ।

 

ନଳିନୀ ଦେବୀ ନିରବରେ ଶୁଣୁଥାଆନ୍ତି ।

 

ସେ ଝିଅଟି ଅନ୍ୟ ଜାତିର ହୋଇଥିଲେ ତ କିଛି ଚିନ୍ତା ନ ଥିଲା । ଅନ୍ୟ ବର ଘର କରି ଚାଲି ଯାଇଥାଆନ୍ତା । କିନ୍ତୁ ବ୍ରାହ୍ମଣ କୁଳର । ପଡ଼ି ରହିଲା । ଘରେ ପୁଣି ତାର କେହିନାହିଁ, ଖୁଡ଼ୀ ସାଙ୍ଗରେ ରହୁଥିଲା । ବାଧ୍ୟ ହୋଇ ସେଇଠି ପଡ଼ି ରହିଲା । ଖୁଡ଼ୀର ମଧ୍ୟ ଅବସ୍ଥା ସେମିତି ଭଲ ନୁହେଁ । ଯେଉଁ ଦୁଇମାଣ ଜମି ଥିଲା ସେଥିରୁ ଦୁଇଓଳି ଖାଇବା ପାଇଁ ବାହାରୁଥିଲା । ତେଣୁ ସେହି ଆୟରେ ଆଉ ଗୋଟିଏ ଅଧିକା ପେଟ ଚଳେଇବା ଭାରି କଷ୍ଟ । କିନ୍ତୁ ଉପାୟ ନାହିଁ । ସାହାଭରସା ତାର କେହି ନାହିଁ ।

 

ଗୋଟିଏ ନିଶ୍ୱାସରେ କହିଯାଉଥାଏ ଅନନ୍ତ ।

 

ଯେଉଁଦିନ ସାନବାବୁ ଗାଁରୁ ଫେରିଲେ ମତେ ପାଖକୁ ଡାକିଲେ । କହିଲେ, ଅନନ୍ତ, ତୋ ଉପରେ ଗୋଟିଏ ବିରାଟ କାମର ଭାରା ଦେଇ କରି ଯାଉଛି, କୌଣସିମତେ ସେ ଭାରା ତତେ ବୋହିବାକୁ ପଡ଼ିବ ।

 

ମୁଁ କଣ ଜାଣିଥିଲି ଯେ ବାବୁ ମୋ ମୁଣ୍ଡରେ ଏତେବଡ଼ ଭାରାଟିଏ ଲଦି ଦେଉଛନ୍ତି ! ହସି କରି କହିଲି, କେତେ ମହଣ ଭାର ମୋ ମୁଣ୍ଡରେ ଲଦିବି ?

 

ସାନବାବୁ ଗମ୍ଭୀର ହୋଇ କହିଲେ, ନାଇଁ ଅନନ୍ତ, ସେମିତି ହସି ଉଡ଼େଇ ଦେବାର କଥା ନୁହେଁ । ଅତି ଗଭୀର କଥାଟିଏ । ମୋର ସବୁ ମାନ ଇଜ୍ଜତ ତୋ ପାଖରେ ରହିଲା । ଟିକିଏ ଏପାଖ ସେପାଖ ହେଲେ ମୁଁ ଆଉ ମୁହଁ ଦେଖେଇ ପାରିବି ନାହିଁ । ମୋର ସୁଖର ସଂସାର ଧୂଳିସାତ୍‍ ହୋଇଯିବ ।

 

ସାନବାବୁଙ୍କ ମୁହଁରେ ଏପରି କଥା ଶୁଣି ମୋର ମୁହଁରେ ହସ କୁଆଡ଼େ ଉଭେଇ ଗଲା-। ଭୟରେ ଛାତି ଥରିବାକୁ ଲାଗିଲା । ସାନବାବୁ କହୁଛନ୍ତି ତାଙ୍କର ମାନ ଇଜ୍ଜତ ମୋ ହାତରେ-। ତାଙ୍କରି ଲୁଣ ଖାଇ ମୁଁ ମଣିଷ ହୋଇଛି । ମନେ ମନେ ପ୍ରତିଜ୍ଞା କଲି ମୋର ଜୀବନ ପଛେ ଯିବ, କିନ୍ତୁ ସାନବାବୁଙ୍କ ଇଜ୍ଜତ ନିଶ୍ଚୟ ରଖିବି ।

 

କହିଲି, ସାନବାବୁ, ତୁମ ଘରେ ଖାଇ ପିଇ ମୁଁ ମଣିଷ ହୋଇଛି । ତୁମର ମାନ, ଇଜ୍ଜତ, ତୁମ ଘରର ମାନ ଇଜ୍ଜତ । ମୁଁ କଥା ଦେଉଛି ତୁମକୁ ମୋର ପ୍ରାଣ ଗଲେ ସୁଦ୍ଧା ତୁମର ସମ୍ମାନରେ ଆଞ୍ଚ ଆସିବ ନାହିଁ ।

 

ସାନବାବୁ କହିଲେ, ଅନନ୍ତ, ସେହି ବିଧବା ଲଳିତାର ଗର୍ଭରେ ମୋର ସନ୍ତାନ ।

 

ମୁଁ କାବା ହୋଇ ସାନବାବୁଙ୍କ ମୁହଁଙ୍କୁ ଅନାଇ ରହିଲି । ମୋଟେ ବିଶ୍ୱାସ କରି ପାରିଲି ନାହିଁ । ଶୁଭେନ୍ଦୁ ବାବୁ ଏକଥା କହୁଛନ୍ତି ? ମତେ ମନା କରିବା ପାଇଁ କହୁନାହାନ୍ତି ତ ! ମତେ ପ୍ରତୀକ୍ଷା କରୁନାହାନ୍ତି ତ !

 

ମୋର ଏପରି ବସ୍ମୟ ହେବାର ଦେଖି ପୁଣି କହିଲେ, ଅନନ୍ତ, ମୁଁ ଯାହା କହୁଛି ସତ ।

 

ତା ପରେ ପକେଟରୁ ମନିବେଗ୍‍ ବାହାର କରି ମୋ ହାତକୁ ବଢ଼ାଇ ଦେଇ କହିଲେ, ଆଉ ଯଦି ଦରକାର ପଡ଼େ ମୋ ପାଖରୁ ନେଇ ଆସିବୁ । କିନ୍ତୁ ମନେ ରଖ, ସନ୍ତାନଟି ଭୂମିଷ୍ଠ ହେବା ଆଗରୁ ଯେପରି ନଷ୍ଟ ନ ହୁଏ ।

 

ସାନବାବୁ ତା ପରେ ସାଇକେଲରେ ବସି ଚାଲି ଆସିଲେ ।

 

ମନ୍ତ୍ରମୁଗ୍ଧ ପରି ନଳିନୀଦେବୀ ଅନନ୍ତ ମୁହଁରୁ କଥାଗୁଡ଼ାକ ଶୁଣୁଥାଆନ୍ତି । ଭଲ ମନ୍ଦ କିଛି ବିଚାର କରିବାର ଶକ୍ତି ଯେପରି ସେ ହରାଇ ବସିଥିଲେ ।

 

ଅନନ୍ତ ପୁଣି କହିଚାଲିଲା, ସେଦିନସାରା ମୁଁ କିଛି ଭାବି ସ୍ଥିର କରିପାରିଲି ନାହିଁ । ମୋ ମୁଣ୍ଡରେ କିଛି ପଶୁ ନଥାଏ । ସାନବାବୁ ଖାଲି ମତେ ବୋଝ ମୁଣ୍ଡେଇବା ପାଇଁ କହିଲେ, କିନ୍ତୁ ମୁଁ କିପରି ଏତେବଡ଼ ବୋଝ ମୁଣ୍ଡେଇବି ସେ କଥା କିଛି କହିଲେ ନାହିଁ କି କିଛି ଉପାୟ ବତେଇଲେ ନାହିଁ ।

 

ଶେଷରେ ଭାବି ଭାବି ସ୍ଥିର କଲି ଯେ ଯାହା ହେଉ ପ୍ରଥମେ ଲଳିତା ସାଙ୍ଗରେ କଥାବାର୍ତ୍ତା କରିବି, ତା ପରେ ଯାହା ବୁଦ୍ଧି ପାଇବ କରିବି ।

 

ପରଦିନ ସକାଳେ ହଳିଆମାନଙ୍କୁ ଯାହାର ଯାହା କାମ ରଗି ଦେଇ ଲଳିତାକୁ ମୋ ଘରକୁ ଡାକି ଆଣିଲି ।

 

ପ୍ରଥମେ ସେ କଥାଟିକୁ ମୋ ଆଗରେ ଲୁଚେଇ ରଖିବା ପାଇଁ ଚେଷ୍ଟା କଲା । କିନ୍ତୁ ସେ ଯେତେବେଳେ ଜାଣିଲା ଯେ ସାନବାବୁ ମତେ ସବୁ କହିଛନ୍ତି ସେ ଆଉ କିଛି ଲୁଚେଇଲା ନାହିଁ ।

 

ମୁଁ ଭାବିଲି ଲଳିତାକୁ କଥାଟି ବୁଲେଇ କରି ନ କହି ସିଧାସଳଖ କହିବାକୁ ପଡ଼ିବ, ଯଦି ଦରକାର ପଡ଼େ ଧମକ ଦେବାକୁ ମଧ୍ୟ ପଛେଇବି ନାହିଁ ।

 

ମୁଁ କହିଲି, ଦେଖ ଲଳିତା, ତୋ ସାଙ୍ଗରେ ସାନବାବୁଙ୍କ ବିବାହ ହୋଇ ପାରିବ ନାହିଁ ?

 

ଲଳିତା ମଧ୍ୟ ମୋ କଥାରେ ଏକମତ ହେଲା ।

 

ତା ହେଲେ ଆମେ ବର୍ତ୍ତମାନ କଣ କରିବା ? ସାପ ମରିବ ନାହିଁ କି ବାଡ଼ି ମଧ୍ୟ ଭାଙ୍ଗିବ ନାହିଁ ଏପରି ଉପାୟଟିଏ ଦରକାର ।

 

ମଉନ ହୋଇ ଲଳିତା ବସି ରହିଲା ।

 

ମୁଁ କହିଲି, ଦେଖ ଲଳିତା, ଚୁପ୍‍ କରି ରହିଲେ ଆଉ ଚଳିବ ନାହିଁ । କାଦୁଅ ମାଡ଼ିଲା ପରେ ଗୋଡ଼ ଧୋଇବାକୁ ପଡ଼ିବ । କିଛି ନ କରି ବସି ରହିଲେ ନେଡ଼ି ଗୁଡ଼ କହୁଣୀକି ହେଲେ ଅବସ୍ଥା ସମ୍ଭାଳି ପାରିବା ନାହିଁ । ଦେଖ ଲଳିତା; ମୁଁ ତୋର ବାପ ସମାନ; ତୁ ମନ ଖୋଲି ମୋ ପାଖରେ ସବୁକଥା କହି ଯାଆ । ତୁ କଣ କରିବୁ ବୋଲି ଭାବୁଛ ?

 

ଲଳିତାର ଓଠ ଦୁଇଟି ଥରି ଯାଉଥାଏ । କିନ୍ତୁ କଥା କିଛି ବାହାରୁ ନଥାଏ ।

 

—କହ ଲଳିତା, ତୁ ଯାହା ଭାବିଛୁ କହ ମତେ ।

 

ଗର୍ଭକୁ ନଷ୍ଟ କରିଦେବି.....

 

ଏଇ କଥା କେଇ ପଦ ଲଳିତା ଏପରି କରୁଣ କଣ୍ଠରେ କହିଲା ଯେ ମୋର ମନେ ହେଲା ଯେପରି କଥାଗୁଡ଼ିକ ଲଳିତା କହିନାହିଁ, ଲଳିତାର ଶବ ମୁହଁରୁ ବାହାରୁଛି । ଲଳିତାର ଆଖି ଦୁଇଟି ଛଳ ଛଳ ହେଲା, ତାର ଖାଲି କୋହ ଉଠୁଥାଏ ଯାହାକି ସେ ଚାପି ରଖିବା ପାଇଁ ଚେଷ୍ଟା କରୁଥିଲା ।

 

ମୁଁ କହିଲି, ନା ଲଳିତା, ଭ୍ରୂଣ ହତ୍ୟା ମହାପାପ ।

 

ଲଳିତା ଏଥର ଆଉ କୋହ ସମ୍ଭାଳି ପାରିଲା ନାହିଁ । କାନ୍ଦି କାନ୍ଦି କହିଲା, ମୁଁ ଆଉ କଣ କରିବି ଅନନ୍ତ କକା । ମୋର ବୁଦ୍ଧିବାଟ ସବୁ ବଣା ହୋଇ ଯାଉଛି ।

 

ସେ କଇଁ କଇଁ କାନ୍ଦିବାକୁ ଲାଗିଲା ।

 

ତାକୁ ସାନ୍ତ୍ୱନା ଦେବାପାଇଁ ମୁଁ କହିଲି, କାନ୍ଦିଲେ କିଛି ହେବନାହିଁ ଲଳିତା । ବର୍ତ୍ତମାନ ଆମକୁ କିଛି ଗୋଟାଏ କରିବାକୁ ପଡ଼ିବ, ହଁ କିଛି କରିବାକୁ ପଡ଼ିବ । ସାନବାବୁ ମତେ ଭରସା ଦେଇଛନ୍ତି, ପିଲାଟି ଜନ୍ମ ହେଲା ପରେ ତାର ଭାର ସେ ନେବେ । ତତେ ଆଉ କିଛି କରିବାକୁ ପଡ଼ିବ ନାହିଁ । ଖାଲି ପିଲାଟି ଜନ୍ମ ହେବା ପର୍ଯ୍ୟନ୍ତ ଆମକୁ ଜଗିକରି କିଛି ଗୋଟିଏ ବ୍ୟବସ୍ଥା କରିବାକୁ ପଡ଼ିବ ।

 

ହଠାତ୍‍ ମେଘ ମେଦୁର ଆକାଶରେ ବିଜୁଳି ଛଟକିଲା ପରି ଲଳିତାର ମୁହଁରେ ଟିକିଏ ଆଶାର ଝଲକ ଦେଖାଗଲା । କହିଲା ମୁଁ ବି ଚାହୁନାହିଁ ଅନନ୍ତ କକା ଭ୍ରୂଣହତ୍ୟା କରିବା ପାଇଁ । କେଉଁ ମା’ ତାହା ଚାହେଁ ନାହିଁ । କିନ୍ତୁ ମୁଁ ଏପରି ପରିସ୍ଥିତିରେ ଆଉ କଣ କରିବି ।

 

ଏ ଭିତରେ ମୋର ମନେ ମନେ ଗୋଟିଏ ଉପାୟ ଚିନ୍ତା କରି ସାରିଥାଏଁ । କହିଲି ଲଳିତା, ତୋର ଭୟ କରିବାର କିଛି ନାହିଁ ମୁଁ ଉପାୟ ସ୍ଥିର କରି ସାରିଛି ।

 

ଜିଜ୍ଞାସୁ ନୟନରେ ଲଳିତା ଅନନ୍ତର ମୁହଁକୁ ଅନାଇ ରହିଲା ।

 

ମୁଁ ତତେ ମୋର ମାମୁଁ ଘର ଗାଁରେ ଛାଡ଼ି, ଆସିବି ।

 

କିନ୍ତୁ ମୁଁ ଖୁଡ଼ୀକୁ କଣ ବୋଲି କହିକରି ଯିବି ? ଲଳିତା ପ୍ରଶ୍ନ କଲା ।

 

ମୁଁ ସେ କଥା ମଧ୍ୟ ଚିନ୍ତା କରିଛି । ମୁଁ ଯାଇ ତୋର ଖୁଡ଼ୀକୁ କହିବି ଯେ ଆମ ବଡ଼ବାବୁଙ୍କ ଜଣେ ଆତ୍ମୀୟଙ୍କ ସ୍ତ୍ରୀ ମରିଯାଇଛନ୍ତି, ତାଙ୍କର ଛୋଟ ପୁଅଟିଏ ଅଛି, ତାର ଲାଳନପାଳନ ପାଇଁ ଜଣେ ଦରକାର । ଏବଂ ବଡ଼ବାବୁଙ୍କ ଆତ୍ମୀୟ କହିଲେ, ତୋର ଖୁଡ଼ୀ ମୋଟେ ସନ୍ଦେହ ମଧ୍ୟ କରି ପାରିବ ନାହିଁ । ତା ପରେ ତୁ ଚାଲିଗଲେ ମୁଣ୍ଡରୁ ବୋଝ ଯିବ ଭାବି ସେ ସହଜରେ ରାଜି ହୋଇଯିବ । ଯଦି ତୋର ଖୁଡ଼ୀ ରାଜି ନ ହୁଏ, ପୁଣି ଅନ୍ୟ କଥା ଚିନ୍ତା କରିବା । ପ୍ରଥମେ କହ ତୁ ନିଜେ ରାଜି କି ନାହିଁ ?

 

ଲଳିତା କହିଲା, ଭ୍ରୂଣହତ୍ୟା ନ କରିବା ପାଇଁ ମତେ ଯମପୁରୀକୁ ଯିବାକୁ କହିଲେ ବି ମୁଁ ଯିବାକୁ ରାଜି ଅନନ୍ତ କକା ।

 

ମୁଁ କହିଲି ତୁ ଯା ଲଳିତା, ମୁଁ ଆଜି ସଞ୍ଜବେଳେ ଯାଇ ତୋ ଖୁଡ଼ୀ ସାଙ୍ଗରେ କଥାବାର୍ତ୍ତା କରିବି ।

 

ଲଳିତା ଚାଲିଗଲା ।

 

ସେଦିନ ସଞ୍ଜବେଳେ ମୁଁ ଯାଇ ଲଳିତା ଘରେ ପହଞ୍ଚିଲି । ମତେ ଆଉ ବେଶୀ କିଛି କହିବାକୁ ପଡ଼ିଲାନାହିଁ । ଲଳିତାର ଖୁଡ଼ୀ ସଙ୍ଗେ ସଙ୍ଗେ ରାଜି ହୋଇଗଲା । ସେ’ତ ଚାହୁଁଥିଲା ଲଳିତାର ଭାରାରୁ ନିଜକୁ ମୁକ୍ତ କରିବାପାଇଁ । ଆଉ ସତକଥା, ନିଜ ଜନ୍ମକଲା ଛୁଆ ତିନିଟାକୁ ତ ଭଲକରି ଗଣ୍ଡେ ଦେଇପାରୁନାହିଁ । ପରଝିଅକୁ କେମିତି ଦେବ !

 

ତହିଁ ଆରଦିନ ଲଳିତାକୁ ନେଇ ମୋର ମାମୁଁ ଘରେ ଛାଡ଼ି ଆସିଲି । ସେଇଠି ପିଲାଟି ଜନ୍ମ ହେଲା ।

 

ଯେଉଁଦିନ ଲଳିତାର ପୁଅ ଜନ୍ମ ହେଲା, ଲଳିତା ବହୁତ କାନ୍ଦିଲା । ମୁଁ ଖବର ପାଇ ଯେତେବେଳେ ପହଞ୍ଚିଲି, କାନ୍ଦି କାନ୍ଦି ସେ କହିଲା, ଏତେ ସୁନ୍ଦର ପିଲାଟିକୁ ସାନବାବୁ ଦେଖିଲେ ନାହିଁ ।

 

ନଳିନୀ ଦେବୀଙ୍କ ଆଖିରୁ ଲୁହ ଧାର ଧାର ହୋଇ ବହି ଯାଉଥାଏ ।

 

ଅନନ୍ତ ପୁଣି କହି ଚାଲିଲା । ଲଳିତା ଓ ତାର ପୁଅ ବେଶ୍‍ ଆରାମରେ ମୋର ମାମୁଁ ଘରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ମୁଁ ଏକ ବଡ଼ ଅସୁବିଧାରେ ପଡ଼ିଛି । କଣ କରିବି ଆଉ ମୋର ବୁଦ୍ଧି ବାଟ କିଛି ଦେଖାଯାଉନାହିଁ ।

 

ଲଳିତାର ବର ଆସାମରୁ କୁଆଡ଼େ ରେଙ୍ଗୁନ ଚାଲିଯାଇଥିଲା । ଦୁଇଦିନ ତଳେ ଫେରି ଆସିଛି ଗାଁକୁ । ଲଳିତାର ଖୁଡ଼ୀ ଲଳିତା ବିଷୟରେ ସବୁ କହିଛି ତାକୁ । କାଲି ଲଳିତାର ବର ମୋ ପାଖକୁ ଆସି କହିଲା, ଅନନ୍ତ କକା, ତୁମେ ଲଳିତାର ଅନ୍ନସଂସ୍ଥାନ କରି ଦେଇଛ । ତୁମ ପାଖରେ ମୁଁ କିପରି କୃତଜ୍ଞତା ଜଣାଇବି ଭାଷା ପାଉନାହିଁ । ତୁମେ ଯାଅ, ଲଳିତାକୁ ନେଇ ଆସିବ, ମୁଁ ତାକୁ ସାଙ୍ଗରେ ନେଇ ପୁଣି ଆସାମ ଚାଲିଯିବି । ସେଇଠି ମୁଁ ଗୋଟିଏ ଠିକାଦାର ପାଖରେ ଭଲ ଚାକିରି ଖଣ୍ଡେ ବ୍ୟବସ୍ଥା କରିଛି । ସେ ଠିକାଦାର ମଧ୍ୟ ରେଙ୍ଗୁନରେ ଥିଲା, ସେ ମଧ୍ୟ ଫେରି ଆସିଛି । ଯଦି କହିବି ମୁଁ ମଧ୍ୟ ତୁମ ସାଙ୍ଗରେ ଯିବି ।

 

ଅନନ୍ତ କହିଲା, ପ୍ରଥମେ ସେ ଆସିବାର ଦେଖି ତ ମୋର ବୁଦ୍ଧି ହଜିଗଲା । ସେ ଯେତେବେଳେ ମୋ ସାଙ୍ଗରେ ଯିବାପାଇଁ କହିଲା, ମୁଁ ତ ପୂରା ହତାଶ ହୋଇ ପଡ଼ିଲି । କଣ କରିବି, ଏପରି ଅବସ୍ଥାରେ ଆଉ ମୋର ବୁଦ୍ଧିବାଟ କିଛି ଦେଖାଗଲା ନାହିଁ । ତଥାପି ଦମ୍ଭ ଧରି କହିଲି, ତୋର ଯିବାର ଦରକାର କଣ ଏତେଦିନ ପରେ ଗାଁକୁ ଆସିଛୁ, ଭଲକରି ଦୁଇଦିନ ବୁଲାବୁଲି କର । ମୁଁ ଯେତେବେଳେ ନେଇ କରି ଛାଡ଼ି ଆସିଛି, ମୁଁ ନିଜେ ଯାଇ ଆଣି ପହଞ୍ଚାଇ ଦେବି ।

 

ସେ ହଁ କଲା । ମନେ ମନେ ଭାବିଲି ଗୋଟାଏ ବିପଦରୁ ରକ୍ଷା ପାଇଲି ।

 

କିଛିକ୍ଷଣ ପାଇଁ ଚୁପ୍‍ ହୋଇ ରହିଲା ଅନନ୍ତ ।

 

ନଳିନୀ ଦେବୀ ମଧ୍ୟ କିଛି କହିଲେ ନାହିଁ ।

 

ଭାଙ୍ଗ ଡବିରୁ ଭାଙ୍ଗ ଟିକିଏ ଖାଇ ଅନନ୍ତ କହିଲା, ଆଜି ଏଇବାଟେ ମୋର ମାମୁଁ ଘରକୁ ବାହାରିଛି ଲଳିତାକୁ ଆଣିବାପାଇଁ । କିନ୍ତୁ ମୋର ବର୍ତ୍ତମାନ ଚିନ୍ତା ପିଲାଟିକୁ କଣ କରିବି, କେଉଁଠି ରଖିବି ।

 

ପୁଣି କିଛିକ୍ଷଣ ପାଇଁ ନୀରବ ରହିଲା ଅନନ୍ତ ।

 

ତା ପରେ ଡରି ଡରି ମୁଣ୍ଡ ତଳକୁ କରି ଅନନ୍ତ କହିଲା ଯେପରି ସେ ନିଜେ ନିଜକୁ କହୁଛି, ପିଲାଟିକୁ ଆମେ ରଖିଦେଲେ........

 

ଅନନ୍ତ ଡରି କରି ଆଉ କିଛି କହି ପାରିଲା ନାହିଁ । ନଳିନୀ ଦେବୀ କିନ୍ତୁ ଅନନ୍ତ କଥାର ମର୍ମ ବୁଝି ପାରିଲେ ।

 

କିଛିକ୍ଷଣ ପୁଣି ନୀରବରେ ବିତିଗଲା ।

 

ନଳିନୀ ଦେବୀ କହିଲେ, ଅନନ୍ତ, ତୁମର ମାମୁଁ ଘରକୁ କାଲି ଯିବ । ମତେ ଟିକିଏ ଚିନ୍ତା କରିବାକୁ ଦିଅ । କିନ୍ତୁ ବଡ଼ବାବୁଙ୍କୁ ଦେଖା କରିବ ନାହିଁ ।

 

ନଳିନୀ ଦେବୀ ନିଜ କୋଠରୀ ଭିତରକୁ ପଶିଗଲେ ।

 

ସ୍ୱାମୀଙ୍କ ଫଟୋ ଆଗରେ ଠିଆ ହୋଇ ଅନାଇ ରହିଲେ । ଆଖିରୁ ତାଙ୍କର ଲୋତକର ଧାରାଶ୍ରାବଣ ଝରୁଥାଏ ।

 

ଅନନ୍ତର କଥା ସେ ମୋଟେ ବିଶ୍ୱାସ କରି ପାରୁନାହାନ୍ତି । ଅବିଶ୍ୱାସ ମଧ୍ୟ କରି ପାରୁନାହାନ୍ତି । ଅନନ୍ତ କିପରି ଏତେ ବଡ଼ ମିଛ କଥା କହିବ ।

 

କିନ୍ତୁ ତାଙ୍କର ସ୍ୱାମୀ......

 

ଦିନସାରା ନଳିନୀ ଦେବୀ ଭାବିବାକୁ ଲାଗିଲେ ଅନନ୍ତକୁ କଣ ଜବାବ ଦେବେ ।

 

ଶେଷରେ ଭାବି ସ୍ଥିର କଲେ, ଯଦି ପ୍ରକୃତରେ ତାଙ୍କର ସନ୍ତାନ ହୋଇଥାଏ, ସେଇ ସନ୍ତାନକୁ ଲାଳନ ପାଳନ କରିବାଟା ତାଙ୍କର କର୍ତ୍ତବ୍ୟ । ଆଉ ଯଦି ଅନନ୍ତର କଥା ସତ ନୁହେଁ, ଅନାଥ ପିଲାଟିକୁ ଆଶ୍ରା ଦେଲେ କ୍ଷତି କଣ ?

 

କାଳେ ଡେରି ହେଲେ ପୁଣି ମନ ପରିବର୍ତ୍ତନ ହୋଇଯାଇପାରେ ଭାବି ସଙ୍ଗେ ସଙ୍ଗେ ବାରିଆଡ଼ ଘରେ ଅନନ୍ତ ପାଖକୁ ଯାଇ ପିଲାଟିକୁ ନେଇ ଆସିବାକୁ କହି ସଙ୍ଗେ ସଙ୍ଗେ ଅନନ୍ତ ଆଗରୁ ଚାଲି ଆସିଲେ ।

 

ସେଦିନର ଘଟନାଟି ନଳିନୀ ଦେବୀ ଛବି ଦେଖିଲା ପରି ଦେଖୁଥିଲେ ।

 

ହଠାତ୍‍ ସୁରମାଙ୍କ ଡାକରେ ଚମକି ପଡ଼ିଲେ ।

 

ସୁରମା ମନ୍ଦିରକୁ ଯିବାପାଇଁ ଡାକୁଥିଲେ ।

 

ସେଦିନ ରାତିର ଘଟନା ପରଠୁ ସୁରମା ନଳିନୀ ଦେବୀଙ୍କ ପ୍ରତ୍ୟେକ କାର୍ଯ୍ୟକଳାପକୁ ସନ୍ଦେହ ଆଖିରେ ଦେଖୁଛନ୍ତି ।

 

ବିଶେଷ କରି ନଳିନୀ ଦେବୀଙ୍କ ପାଖରେ ସରୋଜ ଥିଲେ ତାଙ୍କର ବେଶୀ ସନ୍ଦେହ ହୁଏ । ଲୁଚି ଲୁଚି ଯାଇ ଚୁପି ଚୁପି ଦେଖନ୍ତି ।

 

କିନ୍ତୁ ସେଦିନ ଘଟନାର ପୁନରାବୃତ୍ତି ସେ ଦେଖିନାହାନ୍ତି ଆଉ କେବେ ।

 

ଅନେକ ଥର ସୁରମା ନିଜେ ନିଜକୁ ପ୍ରଶ୍ନ କଲେଣି, ଯଦି ସେଦିନର ଘଟନା ସତ୍ୟ ହୋଇଥାଏ, ସେଥିରେ ତାଙ୍କର ଏତେ ଭାବିବାର କଣ ଅଛି ?

 

ଯାହାର ପାପ ସେ ଭୋଗ କରିବ । ଯାହାର କର୍ମଫଳ ସେ ନିଜେ ଭୋଗ କରେ । ତାର ଅଂଶୀଦାର କେହି ହୁଏ ନାହିଁ ।

 

ପାପ ପୂଣ୍ୟରେ ଭରା ଏହି ଜଗତ । ଯେ ପାପ କରିଛି, ସେ ପୁଣି ପୂଣ୍ୟ ମଧ୍ୟ କରୁଛି । ତେଣୁ ଜଣକ ପାଖରେ ଯାହା ଭଲ, ଯାହା ପବିତ୍ର ତାହା ନ ଦେଖି ତାର ମନ୍ଦକୁ ଦେଖିବାକୁ ଯିବ କାହିଁକି ?

 

ନଳିନୀ ଦେବୀ ଯଦିବା କିଛି ପାପ କରୁଛନ୍ତି, ସେ ଅନେକ ପୂଣ୍ୟ କାମ ମଧ୍ୟ କରୁଛନ୍ତି । ପ୍ରତିଦିନ ସେ କେତେ ଦାନ ଧର୍ମ କରୁଛନ୍ତି ।

 

ସୁରମା ଭାବିଲେ, ନଳିନୀ ଦେବୀଙ୍କ ଭଲକୁ ନ ଦେଖି ମନ୍ଦକୁ ଦେଖିବେ କାହିଁକି ? ତାଙ୍କର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ କାର୍ଯ୍ୟକଳାପକୁ ସନ୍ଦେହ ଆଖିରେ ଦେଖିବେ କାହିଁକି ?

 

କିନ୍ତୁ ମଣିଷ ମନରେ ଥରେ ଜଣକ ପ୍ରତି ଗୋଟିଏ ଧାରଣା ଜନ୍ମିଲେ, ସେ ଧାରଣା ଠିକ୍‍ ହେଉ ବା ଭୁଲ ହେଉ ସହଜରେ ଦୂର ହୁଏ ନାହିଁ ।

 

ସୁରମା ଅନେକ ଥର ନଳିନୀ ଦେବୀଙ୍କ ପ୍ରତି ତାଙ୍କର ଧାରଣାକୁ ନିଜ ମନ ମଧ୍ୟର ଦୂର କରିବାକୁ ଅନେକ ପ୍ରକାର ଚେଷ୍ଟା କଲେଣି କିନ୍ତୁ ପାରୁନାହାନ୍ତି । ବିଶେଷ କରି ନଳିନୀ ଦେବୀ ସାଙ୍ଗରେ ସରୋଜ ରହିଲେ ସେ କିପରି ଉଦ୍‍ଭ୍ରାନ୍ତ ହୋଇଯାଆନ୍ତି । ନଳିନୀ ଦେବୀଙ୍କ ପ୍ରତି ଘୃଣାରେ ତାଙ୍କର ଅନ୍ତର ପୂରିଯାଏ । ସରୋଜର ସୁନ୍ଦର ସୁଠାମ, ଉଦ୍ଦାମ ଯୌବନଶ୍ରୀ ଭରା ଶରୀରରେ ନଳିନୀ ଦେବୀଙ୍କ ହାତର ସ୍ପର୍ଶ ଦେଖିଲେ ସୁରମାଙ୍କ ଦେହରେ ଶିହରଣ ଖେଳିଯାଏ । ଅନ୍ତର ତାଙ୍କର ଈର୍ଷା, ଘୃଣା, କ୍ରୋଧରେ ଜର୍ଜରିତ ହୋଇଯାଏ । ସେ ଆଉ ଦୃଶ୍ୟ ଦେଖି ପାରନ୍ତିନାହିଁ ।

 

ପ୍ରତିଦିନ ରାତିରେ ସୁରମା ରାତି ବାରଟା ଗୋଟାଏ ପର୍ଯ୍ୟନ୍ତ ଚେଇଁ ରହୁଛନ୍ତି ।

 

ଥରକୁଥର ଉଠି ସେ ଯାଇ ପାଦ ଚିପି ଚିପି ନଳିନୀଦେବୀଙ୍କ କୋଠରୀ ବାଟରୁ ଫେରି ଆସୁଛନ୍ତି ।

 

କିନ୍ତୁ ଦିନେ ହେଲେ ଆଉ ପୁନରାବୃତ୍ତି ହେଉନାହିଁ ସେହି ଘଟନାଟିର ଯାହା ସୁରମା ନିଜର ଅବଚେତନ ମନରେ ଥରେ ଦେଖିବାପାଇଁ ଉତ୍ସୁକ ।

 

ଧୀରେ ଧୀରେ ସୁରମାଙ୍କ ନିଜ ପ୍ରତି ଅବିଶ୍ୱାସ ଜାତି ହେଉଛି । ତା ହେଲେ କଣ ସେ ଯାହା ଦେଖିଥିଲେ ସବୁ ମିଛ ସବୁ ମାୟା !

 

କିନ୍ତୁ ତାଙ୍କର ନିଜ ପ୍ରତି ଅବିଶ୍ୱାସ ତାଙ୍କ ଉତ୍ସକତାକୁ ମୋଟେ କମାଇ ପାରୁନାହିଁ ।

 

ପ୍ରତିଦିନ ରାତିରେ ସୁରମା ଥରକୁଥର ଉଠି ଯାଇ ନଳିନୀଦେବୀଙ୍କ କୋଠରୀ ପାଖରୁ ଫେରୁଛନ୍ତି । ଏହା ଯେମିତି ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି ।

 

ସୁରମା ଦେଖନ୍ତି ନଳିନୀ ଦେବୀ ନିଘୋଡ଼ ନିଦରେ ଶୋଇଛନ୍ତି ।

 

ପୁଣି ସୁରମା ପ୍ରତିଜ୍ଞା କରନ୍ତି, ସେ ଆଉ ଏପରି ଚୋରମାନଙ୍କ ପରି ଲୁଚିଛପି ଦେଖିବାକୁ ଆସିବେ ନାହିଁ ।

 

ପୁଣି ଅନ୍ୟଦିନ ରାତିରେ ଯେଉଁ କଥାକୁ ସେଇକଥା ।

 

ଖାସ ଏଇଥିପାଇଁ ସୁରମା କେତେ ଅନୁତାପ, ପଶ୍ଚାତାପ କଲେଣି । କିନ୍ତୁ ତାଙ୍କର ଅପଚେତନ ମନର ସେହି ଔତ୍ସୁକ୍ୟ ତାଙ୍କର ସମସ୍ତ ପ୍ରତିଜ୍ଞାକୁ ଛିନ୍ନଛିତ୍ର କରି ଦେଉଛି ।

 

ସେଦିନ ରାତିରେ ଖାଉ ଖାଉ ରାତି ଦଶଟା ହେଲା ।

 

ଖାଇ ସାରିଲା ପରେ ପୁଣି ନଳିନୀ ଦେବୀ ଗପ ଆରମ୍ଭ କରିଦେଲେ । ତାଙ୍କର ମା’ଘର କଥା, ଶ୍ୱଶୁରଙ୍କ କଥା, ମଝିରେ ମଝିରେ ପୁଣି ରାମାୟଣ ମହାଭାରତର କଥା ଗପି ଗପି ରାତି ବାରଟା ହୋଇଗଲା ।

 

ସୁରମା କ୍ଳାନ୍ତି ଅନୁଭବ କଲେ । କହିଲେ, ଚାଲ ଅପା ଶୋଇବା, ରାତି ବାରଟା ବାଜିଲାଣି ।

 

ନଳିନୀ ଦେବୀ ଗପ କହିବାରେ ଏପରି ମଜଗୁଲ ହୋଇଥିଲେ ଯେ କାନ୍ଥ ଘଡ଼ିରେ ଠନ୍‍ଠନ୍‍ କରି ବାରଟା ବାଜିବା ସେ ଶୁଣିପାରି ନଥିଲେ ।

 

ବାର ବାଜିଲାଣି ଶୁଣି ଚମକିଲା ପରି ହୋଇ କହିଲେ, ଏଁ, ବାରଟା ବାଜିଲାଣି, ଚାଲ ଚାଲ ଶୋଇବା, ସକାଳୁ ପୁଣି ଉଠିବାକୁ ପଡ଼ିବ ।

 

ରୋଷେଇ ଘରେ ବସି ବସି ସେମାନେ ଗପ କରୁଥିଲେ ।

 

ନଳିନୀ ଦେବୀ ଗଲେ ତାଙ୍କ କୋଠରୀକୁ ସୁରମା ତାଙ୍କ କୋଠରୀକୁ ।

 

ସୁରମା ବସି ବସି କ୍ଲାନ୍ତ ଅନୁଭବ କରୁଥିଲେ, କେତେ ହାଇ ଆସୁଥିଲା, ଆଖି ପତା ଲାଗି ଯାଉଥିଲା । କିନ୍ତୁ ସେ ଖଟରେ ପଡ଼ୁପଡ଼ୁ ସେ କ୍ଳାନ୍ତି, ସେ ନିଦ କୁଆଡ଼େ ଉଭେଇଗଲା ।

 

ଅନେକ ରାତି ପର୍ଯ୍ୟନ୍ତ ସୁରମାଙ୍କୁ ନିଦ ହେଲାନାହିଁ । ଖାଲି ଏକର ସେକର ଲେଉଟୁ ଥାଆନ୍ତି । ନାନା କଥା ଚିନ୍ତା କରିବାକୁ ଲାଗିଲେ ।

 

ନାନା କଥା ଚିନ୍ତା କରୁ କରୁ ଯେ କେତେବେଳେ ନିଦ ଆସିଗଲା ଜଣାନାହିଁ ସୁରମାଙ୍କର ।

 

ହଠାତ୍‍କଣ ଗୋଟିଏ ସ୍ୱପ୍ନ ଦେଖି ଚମକିପଡ଼ି ଉଠିପଡ଼ିଲେ ସୁରମା ।

 

ଉଠି ପଦାକୁ ଗଲେ ।

 

କିନ୍ତୁ ବାରଣ୍ଡାରେ ପହଞ୍ଚୁ ପହଞ୍ଚୁ ପାଦ ତାଙ୍କର ଅଟକି ଗଲା ।

 

ଏକଣ ? ସରୋଜର କୋଠରୀରେ ଆଲୋକ ଜଳୁଛି !

 

ସୁରମା ପାଦ ଚିପି ଚିପି ଯାଇ ନଳିନୀ ଦେବୀଙ୍କ କୋଠରୀ ପାକକୁ ଗଲେ । ଘନ ଅନ୍ଧକାର, କିଛି ଦେଖା ଯାଉନାହିଁ ।

 

ସୁରମା ଯାଇ ସରୋଜର କୋଠରୀ ପାଖରେ ପହଞ୍ଚିଲେ । ଝରକା କବାଟ ଅଧା ଖୋଲାଥିଲା ।

 

ନୀରବରେ ସୁରମା ଭିତରର ଦୃଶ୍ୟ ଦେଖିବାକୁ ଲାଗିଲେ । ଏହି ଦୃଶ୍ୟଟି ଦେଖିବା ପାଇଁ ସେ କେତେ ରାତି ଉଜାଗର ରହିଛନ୍ତି ।

 

ସୁରମାଙ୍କ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହେବାକୁ ଲାଗିଲା ।

 

ସୁରମା ନିଜ କୋଠରୀକୁ ଫେରି ଆସିଲେ ।

 

ମନେ ମନେ ସ୍ଥିର କଲେ, ନା, ଆଉ ଗୋଟାଏ ମୁହୂର୍ତ୍ତ ବି ସେ ଏଠାରେ ରହିବେ ନାହିଁ । ଆଉ ଗୋଟିଏ ମୁହୂର୍ତ୍ତ ବି ରହିବା ଅସମ୍ଭବ ।

 

ସୁରମାଙ୍କ ଆଖି ଆଗରେ ଭାସି ଯାଉଥାଏ ସେହି ଦୃଶ୍ୟ । କାମାତୁର ଉଦ୍ଦାମ ଯୌବନଭରା ସରୋଜର ଉଲଗ୍ନ ତନୁଶ୍ରୀ । ଇସ୍‍...

 

ବଡ଼ କ୍ଲାନ୍ତ ବୋଧଗଲେ ସୁରମା ।

 

ସୁରମା କିନ୍ତୁ ଆଉ ଶୋଇବାକୁ ଚାହୁଁ ନାହାନ୍ତି । ଆଖିପତା ଲାଗିଯାଉଛି, ତଥାପି ନ ଶୋଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି ।

 

ଅଧା ନିଦ୍ରିତ ଅଧା ଜାଗ୍ରତ ଅବସ୍ଥାରେ ସୁରମା ଚିନ୍ତା କରୁଛନ୍ତି ସକାଳୁ ସେ ଆଉ ଏହି ଘରେ ଗୋଟାଏ ମୁହୂର୍ତ୍ତ ରହିବେ ନାହିଁ । କିନ୍ତୁ ଯିବେ କୁଆଡ଼େ ?

 

ଯଦି କିଛି ସୁବିଧା ନ ହୁଏ ଘରକୁ ଫେରିଯିବେ । କିନ୍ତୁ ଏହି ଘରେ ଆଉ ରହିପାରିବେ ନାହିଁ ।

 

ସୁରମା ଯେପରି ସ୍ୱପ୍ନ ଦେଖୁଛନ୍ତି ।

 

ନଳିନୀ ଦେବୀଙ୍କ କୋଠରୀର କାନ୍ଥ ଘଡ଼ିରେ ଚାରିଟା ବାଜିଲା ।

 

ସୁରମା ଉଠି ଖଟରେ ବସି ପଡ଼ିଲେ ।

 

ଠିକ୍‍ ସାଢ଼େ ଚାରିଟାରେ ନଳିନୀ ଦେବୀ ଉଠିବେ । ତା’ ଆଗରୁ ତାଙ୍କୁ ଉଠିବାକୁ ପଡ଼ିବ-

 

ସୁରମା ତର ତର ହୋଇ ତାଙ୍କର ଜିନିଷ ପତ୍ର ସବୁ ଏକାଠି କରି ରଖିବାକୁ ଲାଗିଲେ । ଜିନିଷପତ୍ର ବୋଇଲେ ଆଉ କଣ, ଖଣ୍ଡେ ବାକ୍‍ସ, ଲୁଗାପଟା କେଇଖଣ୍ଡ ।

 

ସମସ୍ତ ଜିନିଷ ଏକାଠି କରି ସାରିଲା ପରେ ସୁରମା ଯାହା ବାକ୍‍ସରେ ଭରିବା ଭରିଦେଇ ବାକି ଜିନିଷତକ ଗୋଟିଏ ବଡ଼ ମୁଟୁରା କରି ବାନ୍ଧି ଦେଲେ । କିନ୍ତୁ ପୁଣି ଭାବିଲେ, ବୋକଚାଟାକୁ ଏତେ ବଡ଼ କଲେ ନେବାରେ ଅସୁବିଧା ହେବ ।

 

ବୋକାଚାଟାକୁ ପୁଣି ଖୋଲି ପକାଇଲେ ।

 

ଲୁଗାପଟା ସବୁକୁ ପୁଣି ଭାଗ ଭାଗ କରିବାକୁ ଲାଗିଲେ ।

 

ଏଇସବୁ କରୁଥିଲା ବେଳେ ମନେ ମନେ ସେ ଭାବୁଥାଆନ୍ତି; ସୂର୍ଯ୍ୟୋଦୟ ପରେ ସେ ଆଉ ଏ ଘରେ ନ ଥିବେ । ଷ୍ଟେସନରେ ଯାଇ ପହଞ୍ଚି ସାରିଥିବେ ।

 

ସବୁଦିନ ପରି ନଳିନୀ ଦେବୀ ସାଢ଼େ ଚାରିଟାରୁ ଉଠି ସୁରମାଙ୍କୁ ଉଠେଇବା ପାଇଁ ଆସିଲେ ।

 

କିନ୍ତୁ ସୁରମାଙ୍କ କୋଠରୀରେ ଆଲୋକ ଜଳୁଥିବାର ଦେଖି ଆଉଜା ହୋଇଥିବା କବାଟକୁ ଠେଲି ଦେଲେ ଖୋଲା ଅଛି କି ନାହିଁ ଦେଖିବା ପାଇଁ ।

 

କବାଟଟି ଧଡ଼ାସକିନା ଖୋଳିଗଲା ।

 

କବାଟ ଖୋଲିବାର ଶବ୍ଦରେ ସୁରମା ଚମକି ପଡ଼ି ପଛକୁ ଫେରି ଚାହିଁଲେ ।

 

କିଛି ନ କହି ପୁଣି ତାଙ୍କର ଜିନିଷପତ୍ର ସଜାଡ଼ିବାରେ ଲାଗିଲେ ।

 

ସୁରମାଙ୍କ ଜିନିଷପତ୍ର ସଜାଡ଼ୁଥିବା ଦେଖି ନଳିନୀଦେବୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କିଲୋ ସୁରମା, ଏ କଣ ? ଜିନିଷ ପତ୍ର ସଜାଡ଼ୁଛୁ ଯେ ?

 

ସୁରମା ନଳିନୀଦେବୀଙ୍କ ଆଡ଼େ ମୁହଁ ନ ଫେରାଇ ଗୋଟିଏ ବୋକଚାରେ ଗଣ୍ଠି ପକଉ ପକଉ କହିଲେ, ହଁ, ଆଜି ସକାଳୁ ମୁଁ ଚାଲିଯାଉଛି ।

 

ନଳିନୀ ଦେବୀ ସୁରମାଙ୍କ କଣ୍ଠ ସ୍ୱରରୁ ବୁଝିଗଲେ ଯେ କିଛି ଗୋଟାଏ ଘଟିଛି । କିନ୍ତୁ କଣ ଘଟିଛି ଯେ ସେ ଏମିତି ଭାବରେ ନ କହି କହି ଯିବାପାଇଁ ପ୍ରସ୍ତୁତ । ଗଲା ରାତିରେ ତ ସେମାନେ ବାରଟା ପର୍ଯ୍ୟନ୍ତ ଗପ କଲେ, କାହିଁ ଏ ବିଷୟରେ ତ କିଛି କହିନାହିଁ ।

 

ନଳିନୀ ଦେବୀ ସ୍ମରଣ କରିବାକୁ ଚେଷ୍ଟା କଲେ ସେମିତି କିଛି ଘଟନା, ଯାହା ଫଳରେ ସୁରମା ଏପରି ଭାବରେ ଆଗରୁ କିଛି ନ କହି ଏ ଆକସ୍ମିକ ଭାବରେ ଘରକୁ ଯିବାପାଇଁ ବାହାରିଛି-!!

 

କିନ୍ତୁ ନଳିନୀ ଦେବୀ କିଛି ସ୍ମରଣ କରି ପାରିଲେ ନାହିଁ ।

 

ନଳିନୀ ଦେବୀଙ୍କ ଉପସ୍ଥିତିକୁ ଭ୍ରୂକ୍ଷେପ ନ କରି ସୁରମା ତାଙ୍କର ଜିନିଷ ସଜାଡ଼ିବାରେ ଲାଗିଥାଆନ୍ତି ।

 

ସୁରମା ଯେ ଏପରି ବ୍ୟବହାର କରିବେ ନଳିନୀ ଦେବୀ କଳ୍ପନା ମଧ୍ୟ କରିପାରୁ ନଥିଲେ-। ସୁରମାଙ୍କ ବ୍ୟବହାରରେ କ୍ଷୁର୍ଣ୍ଣ ହେଲେ ।

 

ବିଷର୍ଣ୍ଣ କଣ୍ଠରେ ନଳିନୀ ଦେବୀ ପ୍ରଶ୍ନ କଲେ, କୁଆଡ଼େ ଯାଉଛୁ ସୁରମା ?

 

ରୁକ୍ଷ କଣ୍ଠରେ ସୁରମା ଉତ୍ତର ଦେଲେ, ଆଉ କୁଆଡ଼େ ଯିବି, ଘରକୁ ଯାଉଛି ।

 

ସୁରମାଙ୍କ ରୁକ୍ଷତା ଦେଖି ନଳିନୀ ଦେବୀ ସ୍ତବ୍ଧ ହୋଇଗଲେ ।

 

ହଠାତ୍‍ ଯେ ବିନା କାରଣରେ ସୁରମା ଏପରି ବ୍ୟବହାର କରିବେ ନଳିନୀ ଦେବୀ ମୋଟେ ଆଶା କରି ନଥିଲେ । ଏତେଦିନ ଧରି ଯାହାକୁ ନିଜ ଘରେ ରଖି ନିଜର ଭଉଣୀ ପରି ସ୍ନେହ ମମତା ଦେଇ ରଖିଥିଲେ, ତା ପାଖରୁ ସେ ଏପରି ପ୍ରତିଦାନ ଯେ ପାଇବେ ସେ କଳ୍ପନା କରି ନ ଥିଲେ । ଏହା ତାଙ୍କର ମନରେ ଦାରୁଣ ଆଘାତ ଦେଲା ।

 

ସୁରମାଙ୍କ ସହିତ ତାଙ୍କର ବନ୍ଧନ, ପଡ଼ୋଶୀ ବନ୍ଧନ ନୁହେଁ, ସୁରମା ସହିତ ନଳିନୀ ଦେବୀଙ୍କ ମମତାର ବନ୍ଧନ । ଏଇ କେତେ ବର୍ଷ ଏକ ସାଙ୍ଗରେ ରହି ତାଙ୍କର ସୁରମା ପ୍ରତି ମମତା ଆସିଯାଇଛି ।

 

ସୁରମା ଚାଲିଯିବ ଏକଥା ଭାବିବା ମାତ୍ରେ ନଳିନୀ ଦେବୀଙ୍କ ଅନ୍ତର ବ୍ୟଥାରେ ଭରିଗଲା ।

 

ବ୍ୟଥିତ କଣ୍ଠରେ ନଳିନୀ ଦେବୀ ପୁଣି ପ୍ରଶ୍ନ କଲେ, ସୁରମା ତୋର ଯିବା କଥା ତ ମତେ ଆଗରୁ କିଛିହେଲେ କହି ନଥିଲୁ, ହଠାତ୍‍ ଏପରି ଯିବାପାଇଁ କିପରି ମନସ୍ଥ କରି ପକାଇଲୁ ?

 

ସୁରମାଙ୍କ ଭିତରଟା କ୍ରୋଧାନଳରେ ଜର୍ଜରିତ ହୋଇ ଯାଉଥିଲା, ସେ ଆଉ ସମ୍ଭାଳି ପାରିଲେ ନାହିଁ । ନିଳିନୀ ଦେବୀଙ୍କ ଆଡ଼େ ଫେରିପଡ଼ି କ୍ରୋଧ ଜର୍ଜରିତ କଣ୍ଠରେ କହିଲେ, ଯିବାପାଇଁ କାଲି ରାତିରେ ସ୍ଥିର କଲି, କାଲି ରାତିରେ ଯାହା ଦେଖିଲି, ଆଉ ଗୋଟିଏ ମୁହୂର୍ତ୍ତବି ଏଠାରେ ରହିବା ପାଇଁ ମୋର ଇଚ୍ଛା ହେଉନାହିଁ ।

 

ନଳିନୀ ଦେବୀ ଯାହା ସନ୍ଦେହ କରୁଥିଲେ ତାହାହିଁ ହୋଇଛି, ନହେଲେ ସୁରମା କିପରି ତାଙ୍କୁ ଏପରି ବ୍ୟବହାର କରନ୍ତା ।

 

କଣ ଦେଖିଲୁ ସୁରମା ?

 

ସୁରମା ତ ରାଗରେ ଜଳୁଥିଲେ । କହିଲେ, ତୁମେ ନିଜକୁ ପଚାର ଅପା, ନିଜ ମନକୁ ପଚାର । ନିଜ ଆଖିରେ ଯାହା ଦେଖିଛି ଅବିଶ୍ୱାସ କରିବ କେମିତି ।

 

ନଳିନୀ ଦେବୀଙ୍କ ବିସ୍ମୟର ସୀମା ରହିଲା ନାହିଁ । ଭାବିଲେ ପଚାରିବା ପାଇଁ କଣ ଦେଖିଲୁ ବୋଲି । କିନ୍ତୁ କଣ ଭାବି ପଚାରିଲେ ନାହିଁ । କାହିଁକି ପଚାରିବେ ? ମନ ଥରେ ଫାଟିଗଲେ, ମନରେ ଥରେ ସନ୍ଦେହ ଆସିଗଲେ ସହଜରେ ତାହା ଦୂର ହୁଏନାହିଁ ।

 

ସୁରମା ସମସ୍ତ କ୍ରୋଧ ଉଦ୍‍ଗିରଣ ହୋଇଗଲା ପରେ ଟିକିଏ ଶାନ୍ତ ଅନୁଭବ କରୁଥାଆନ୍ତି ।

 

କିଛିକ୍ଷଣ ନୀରବରେ ବିତିଗଲା ପରେ ନଳିନୀ ଦେବୀ କହିଲେ, ଠିକ୍‍ ଅଛି ସୁରମା, ତୁ ଯିବାପାଇଁ ଯେତେବେଳେ ସ୍ଥିର କରି ସାରିଛୁ ମୁଁ ଆଉ ଅଟକାଇ ରଖି ପାରିବି ନାହିଁ । ଖାଲି ମୋର ଗୋଟିଏ ଅନୁରୋଧ, ଯିବୁ ଯଦି ଏପରି ଏକ ଅସ୍ୱସ୍ଥିକର ପରିସ୍ଥିତି ସୃଷ୍ଟି କରି ନ ଯାଇ ଦିନେ ଦୁଇଦିନ ପରେ ଯିବୁ । ମୁଁ ନିଜେ ତୋର ଯିବାର ବ୍ୟବସ୍ଥା କରିଦେବି । ସାଙ୍ଗରେ ପୂଜାରୀ ପିଲାଟି ଯିବ ଛାଡ଼ି ଆସିବ । ଦୁଇ ତିନିଦିନ ପରେ ସରୋଜ ଫେରି ଆସିବ, ସେ ଆସିବାମାତ୍ରେ ମୁଁ ତତେ ବିଦାୟ କରିଦେବି ।

 

ସୁରମା ଯେପରି ଆକାଶରୁ ପଡ଼ିଲେ । ସତେ ତ ! ସରୋଜ ତ କାଲି ସକାଳୁ ବିମଳ ବାବୁଙ୍କ ସାଙ୍ଗରେ ସମ୍ବଲପୁର ଯାଇଛି । ତେବେ ସେ କଣ ଦେଖିଲେ ! ସେ ସ୍ୱପ୍ନ ଦେଖି ନାହାନ୍ତି ତ-! ତେବେ କଣ ସବୁ ମାୟା ? ଏତେଦିନ ଧରି ଯାହା ଭାବୁଥିଲେ ସବୁ ତାଙ୍କର ମନର ଭ୍ରମ ?

 

ସୁରମା ଆଉ କିଛି ଭାବି ପାରିଲେ ନାହିଁ ।

Image